Unknown

 

 

 

 

 

 

 

 

 

 

 

 

ରଙ୍ଗ ଯନ୍ତ୍ରଣା

ଗୌର ପଟ୍ଟନାୟକ

 

ସୂଚୀପତ୍ର

 

୧.

ରଙ୍ଗ ଯନ୍ତ୍ରଣା

୨.

ଜ୍ୟୋତିଷର ଜନ୍ମ ଜାତକ

୩.

ମମତା, ଏକ ଫୁଲର ନାମ

୪.

ନଳକୂଅ ଉପାଖ୍ୟାନ

୫.

ମରୁତୀର୍ଥ

୬.

ମାନବବାଦ

୭.

ନୂତନ ଅଧ୍ୟାୟ

୮.

ମାଧ୍ୟାକର୍ଷଣ

୯.

ମଲା ମଣିଷ କଥା କହେ

୧୦.

କିସାନ୍ ଲାଲ୍‌ଙ୍କ ଡାଏରୀ ପଢ଼ିଲା ପରେ

୧୧.

ମଲା ନଈ

୧୨.

ସ୍ୱପ୍ନ : ପୂର୍ବରୁ ଏବଂ ପରେ

୧୩.

ସୂର୍ଯ୍ୟୋଦୟ

୧୪.

ବାଉଲ୍

୧୫.

ଯନ୍ତ୍ରଣା, ଜୀବନର ଅନ୍ୟନାମ

୧୬.

ସଂସ୍କୃତ + ପଣ୍ଡିତ = ସଂସ୍କୃତ ପଣ୍ଡିତ

୧୭.

ଭଡ଼ାଘର

୧୮.

ନିର୍ବାଣ

୧୯.

ଅବରୋହଣ : ଅବତରଣ

୨୦.

ବ୍ରହ୍ମାଙ୍କ ଅକଲ ଗୁଡ଼ୁମ୍

୨୧.

ଓ୍ୱାଇପର୍

୨୨.

କୁହୁଡ଼ି

Image

 

 

 

 

 

 

 

 

ବିଚିତ୍ର ଏ ମଣିଷ, ବିଚିତ୍ର ତା’ର ଜୀବନ । ସେ ନିଜ ପାଖରେ ନିଜେ ଅବୋଧ୍ୟ । ସ୍ୱୟଂ ଭଗବାନଙ୍କ ପାଖରେ ମଧ୍ୟ ଅବୋଧ୍ୟ ରହିଯାଏ ମଣିଷର ଜୀବନ ଦର୍ଶନ ।

 

ଗୋଟାଏ ଜୀବନ, ଅଥଚ କେତେ ରଙ୍ଗ କେତେ ଯନ୍ତ୍ରଣା ।

Image

 

ରଙ୍ଗ ଯନ୍ତ୍ରଣା

 

କାନ୍ଥ ଘଣ୍ଟାରେ ଏଗାରଟା ବାଜିଲା । ଅନ୍ୟମନସ୍କ ଭାବରେ ଡିଟେକ୍‌ଟିଭ ବହି ଉପରୁ ମୁହଁ ଉଠେଇ ଛନ୍ଦା ଘଣ୍ଟାକୁ ଚାହିଁଲା । ମନେ ହେଉଛି ତା’ ଛାତିର ସ୍ପନ୍ଦନ ସହିତ ଘଣ୍ଟାର ଟିକ୍ ଟିକ୍ ଶବ୍ଦ ଯେମିତି ପ୍ରତିଯୋଗିତା କରିବାକୁ ଆରମ୍ଭ କରି ଦେଇଛି । ଘଣ୍ଟାର ଶବ୍ଦ ଯେତିକି ବଢ଼ି ବଢ଼ି ଯାଉଛି, ତା’ ହୃଦୟର ସ୍ପନ୍ଦନ ସେତିକି ବଢ଼ି ବଢ଼ି ଯାଉଛି । ତା’ର ଦୁର୍ବଳ ଛାତି ଥରେଇ ବାହାରି ଆସିଲା ଗୋଟାଏ ଲମ୍ବା ଦୀର୍ଘଶ୍ୱାସ । କେତେ ଅସହାୟତା ଭରି ରହିଛି ସେ ନିଃଶ୍ୱାସରେ; କିନ୍ତୁ କାହିଁକି ? କାହିଁକି ଛନ୍ଦାର ଜୀବନ ଆଜି ଛନ୍ଦହୀନ, ଅବୋଧ୍ୟ ? ତା’ର ଭବିଷ୍ୟତ ଆଜି ଅନ୍ଧକାରମୟ । ସେଇ ଅନ୍ଧାର ଭିତରେ ସେ ହଜି ଯାଉଛି । ଉଭୟ ଶିକାର ହୋଇ ପଳାୟନ କରିବାର ବାଟ ଖୋଜୁଛି, କିନ୍ତୁ ମୁକ୍ତି କାହିଁ ? ଏ ବ୍ୟାଧିଗ୍ରସ୍ତ ସମାଜଠାରୁ ଯେତିକି ଦୂରେଇ ଯିବାକୁ ସେ ଚାହୁଁଛି ସେତିକି ସେତିକି ଛନ୍ଦି ହୋଇଯାଉଛି

 

କୁଆଡ଼େ ଗଲା ଯୌବନର ସେଇ ରଙ୍ଗୀନ ଦିନଗୁଡ଼ାକ ? କୁମାରୀ ଜୀବନର ବର୍ଣ୍ଣିଳ ରୋମାଞ୍ଚକର ଅନୁଭୂତିଗୁଡ଼ିକ ସ୍ୱପ୍ନ ପରି ହଜିଯାଇଛି । ସ୍ମୃତିର ଶାମୁକାରେ ଖାଲି ଯନ୍ତ୍ରଣାର ଭିଡ଼ ।

 

ସତର ବର୍ଷର କୁମାରୀ ଝିଅଟିଏ । ଏଇ ସଦ୍ୟ ଫ୍ରକ୍ ଛାଡ଼ି ଶାଢ଼ି ପିନ୍ଧିଛି । ଦେଖୁ ଦେଖୁ ନାଚି ନାଚି ହସି ଖେଳି ବଡ଼ ହୋଇଛି । କେତେ ଟୋକାଙ୍କ ଆଖି ଅଟକି ନ ଯାଇଛି ସେଠି । କୁଆଁରୀ ବୟସରେ ‘ସ୍ୱାମୀ’ ଶବ୍ଦଟା ତା’ ପାଇଁ ଥିଲା ଗୋଟାଏ ଗମ୍ଭୀର ଶବ୍ଦ; କିନ୍ତୁ ମନ ତରଳି ଗଲା, ସେ ନିଜ ପାଖରେ ଆବିଷ୍କାର କଲା ଜଣେ ପର ପୁରୁଷକୁ । ସେଇ ପରପୁରୁଷ ପୁଣି ହେଲା ନିଜର, ଅତି ନିଜର ଏବଂ ସେଇ ଗମ୍ଭୀର ଶବ୍ଦର ପ୍ରତୀକ ।

 

କେତେ ଆଶା, କେତେ ସ୍ୱପ୍ନ ନେଇ ସେ ପାଦ ବଢ଼େଇଥିଲା ଆଗକୁ ଆଗକୁ ।

 

ବ୍ରହ୍ମପୁରୀ ପାଟ, ସୁନାଗହଣା, ମୁକୁଟ ପିନ୍ଧି ବେଦିରେ ବସିଥିଲା । ହୁଳହୁଳି, ବାଜା ପାଟିତୁଣ୍ଡରେ ସାହି କମ୍ପି ଉଠିଥିଲା । ଭୋଜି ଭାତ ଖିରି ପିଠାରେ ଘର ଭାସିଥିଲା ।

 

କୁଆଁରୀ ଜୀବନକୁ ପଛରେ ପକେଇ, ମୁଣ୍ଡରେ ସିନ୍ଦୂର ନାଇ ଛନ୍ଦା ହୋଇଥିଲା ବିବାହିତା, ଗୃହିଣୀ, ଜାୟା । ତା’ପରେ ? ବିବାହ ବେଦିରେ ବସି ଛନ୍ଦା ନିଜକୁ ନିଜେ ଏଇ ପ୍ରଶ୍ନ କରିଥିଲା ଏବଂ ତା’ର ମନର କୋଣ ଅନୁକୋଣରୁ ସାଉଁଟି ନେଇଥିଲା ଉତ୍ତରଗୁଡ଼ିକ । ତା’ପରେ ଜନନୀ, ସନ୍ତାନର ମା’, ଏବଂ..... ଲଜ୍ଜା ଏବଂ ସଂକୋଚରେ ଦେହ ତା’ର ରୋମାଞ୍ଚିତ ହୋଇଗଲା । ଅଙ୍ଗେ ଅଙ୍ଗେ ଯୌବନର ଲହଡ଼ି । ବୟସର ମାଦକତା ତା’ର ମନକୁ ଚହଲେଇ ଦେଲା । ରଙ୍ଗୀନ ସ୍ୱପ୍ନରେ ବିଭୋର ହୋଇ ସେ ପାଦ ଦେଲା ଜୀବନର ଦ୍ୱିତୀୟ ମୋଡ଼ରେ ।

 

ଏଇ ଛକରେ ଆକସ୍ମିକ ଭାବରେ ଛନ୍ଦା ସହିତ ଛନ୍ଦି ହୋଇଗଲେ ରମେଶ ବାବୁ । ରମେଶ ବାବୁ ଆଇ. ଏ. ଏସ୍ ପାଇଛନ୍ତି । ବଡ଼ ଚାକିରି । ସୁନ୍ଦର ଚେହେରା, ସଂଭ୍ରାନ୍ତ ପରିବାର, ବିରାଟ କୋଠା, ପ୍ରଚୁର ବ୍ୟାଙ୍କ୍ ବାଲାନ୍‌ସ, ଚାକର ପୁଝାରୀ ଗଣ୍ଡାଗଣ୍ଡା, ଅଭାବ କ’ଣ ? ଏୟାର କଣ୍ଡିସନ ଘର, ଫ୍ରିଜ, ଦାମିକା ସୋଫାସେଟ୍, ଦାମିକା ରେଡ଼ିଓ, ରେକର୍ଡ଼ ପ୍ଲେୟାର, ଟେଲିଫୋନ ଏବଂ ଗାଡ଼ି । ସବୁକିଛି ଅଛି । ତଥାପି ଛନ୍ଦା ପାଇଁ କିଛି ଗୋଟାଏ ଯେମିତି ଅଭାବ ରହିଯାଉଛି । ସବୁ ଥାଇ ବି କିଛି ନ ଥିଲା ପରି ମନେ ହେଉଛି । ଛନ୍ଦା ପାଇଁ ଏତେ ସବୁ କୋଳାହଳ ବେସୁରା ବେତାଳିଆ ଲାଗୁଛି । ଏତେ ଧନ ସମ୍ପଦ ଭିତରେ ସେ ପୋତି ହୋଇ ପଡ଼ୁଛି, ତା’ର ନିଃଶ୍ୱାସରୁଦ୍ଧ ହୋଇଯାଉଛି । ତା’ର ପ୍ରାଣ ଯନ୍ତ୍ରଣାରେ ଛଟପଟ ହେବାରେ ଲାଗୁଛି । କିଏ ବୁଝିବ ତା’ର ଦୁଃଖ ? କ’ଣ ବା ତା’ର ଦୁଃଖ ? ସେ ନିଜେ ବି ଜାଣେନା କ’ଣ ପାଇଁ ସେ କଷ୍ଟ ପାଉଛି ।

 

ଏଇ କ’ଣ ଜୀବନ ।

 

ସେ ଦୁଃଖର ଶେଷ କେଉଁଠି ? ଶେଷ ଅଛି ତ ? ସେ ଦୁଃଖର ଶେଷ କ’ଣ ଦୁଃଖରେ-? ଦୁଃଖ ଆଉ ଦୁଃଖ । ଦୁଃଖ ଛଡ଼ା ଆଉ କିଛି ନାହିଁ ତା’ ଜୀବନରେ । ଜୀବନର ଅନ୍ୟନାମ ତା’ହେଲେ କ’ଣ ଦୁଃଖ ? ଏ ଯୁକ୍ତିର ମୂଲ୍ୟ ଥାଇ ନ ପାରେ; କିନ୍ତୁ ତା’ ପାଇଁ ଦୁଃଖ ହିଁ ସତ୍ୟ, ଆଉ ସବୁ ମିଥ୍ୟା ।

 

ଅଭିଧାନରେ ‘ଶାନ୍ତି’ ବୋଲି ଗୋଟାଏ ଶବ୍ଦ ଅଛି । ଛନ୍ଦା ଜୀବନରେ କିନ୍ତୁ ଶାନ୍ତିର ମୂଲ୍ୟ କିଛି ନାହିଁ । ଶାନ୍ତି କ’ଣ ? କାହିଁ ସେ ଶାନ୍ତି ? ଶାନ୍ତି ତା’ ପାଇଁ ଡିମିରି ଫୁଲ ।

 

ଯିଏ ଫ୍ରକ୍ ପିନ୍ଧି ଚଳଚଞ୍ଚଳ ହରିଣୀଟିଏ ଭଳି ନାଚି କୁଦି ଦୌଡ଼ୁଥିଲା, ଶାଢ଼ି ପିନ୍ଧିବା ପରେ ଏମିତି ବଦଳିଗଲା କେମିତି ? ସାହିର ଝିଅ ବୋହୂମାନେ ଆଖି ଠରାଠରି ହୋଇ ଏଇକଥା ହୁଅନ୍ତି; କିନ୍ତୁ କେହି ବୁଝି ପାରିଲେନି ଛନ୍ଦାକୁ । କେହି ଯଦି ପଚାରେ ଛନ୍ଦା ଶୁଖିଲା ହସ ଚେନାଏ ଉକୁଟେଇ ଖସି ଯିବାକୁ ଚେଷ୍ଟାକରେ ।

 

ବିବାହର ମାତ୍ର ସାତୋଟି ବର୍ଷ ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ଛନ୍ଦାର ମନେହେଲା ସତେ ଯେମିତି ହଠାତ୍ ବୃଦ୍ଧା ପାଲଟି ଯାଇଛି । ବାଳ ପାଚି ଧଳା, ମୁହଁର ରେଖାଗୁଡ଼ିକ ଛନ୍ଦାଛନ୍ଦି, ଆଖିକୁ ଦିଶୁନି, ଅଣ୍ଟା ପଡ଼ିଯାଇଛି । ବିଗଳିତ ଯୌବନ ହାହାକାର କରି ବାହୁନି ଉଠୁଛି । ଏ କ’ଣ, ସ୍ୱପ୍ନ ନା ସତ୍ୟ । ଛନ୍ଦା ଦୌଡ଼ିଯାଇ ଡ୍ରେସିଂ ଟେବୁଲରେ ଲାଗିଥିବା ବିରାଟ ଦର୍ପଣଟା ସାମନାରେ ଠିଆହେଲା ଏବଂ ନିଜକୁ ଭଲ କରି ନିରୀକ୍ଷଣ କଲା । ସେ ନିଜର ରୂପକୁ ଖୋଜି ପାଇଲା; କିନ୍ତୁ ନିଜକୁ ଖୋଜି ପାଇପାରିଲାନି । ଜାଣି ଶୁଣି ନିଜକୁ କେବେ ହଜେଇ ଦେବାକୁ ଚେଷ୍ଟା କରିନି, ତଥାପି ନିଜ ଅଜାଣତରେ ସେ ହଜି ଯାଇଛି ।

ମଣିଷ ଜୀବନଠାରୁ ସେ ଯେମିତି ଦୂରକୁ ଦୂରକୁ ଚାଲିଯାଉଛି; ହଜିଯାଉଛି । ନିଜ ଭିତରେ ନିଜକୁ ହଜାଇ ପୁଣି ଖୋଜି ହେଉଛି । ଜାଣି ଜାଣି ନିଜକୁ ହଜାଇ ପୁଣି ଖୋଜିବାରେ ଆନନ୍ଦ ଅଛି । ସେଇଥିପାଇଁ ଆମେ ସମସ୍ତେ ଜୀବନ ନାଟକରେ ଜଣେ ଜଣେ ପୋଖତ କଳାକାର ଭଳି ଯେ ଯାହାର ଭୂମିକାରେ ଅଭିନୟ କରିବାରେ ବ୍ୟସ୍ତ । କିଏ ହାରି ଯାଇଛି ତ କିଏ ସଫଳ ଅଭିନୟ କରିପାରିଛି । ଏ ଅଭିନୟରେ ଅବଶ୍ୟ ମଧୁର ଯନ୍ତ୍ରଣା ଅଛି; କିନ୍ତୁ ଆମେ ସମସ୍ତେ ନିଜକୁ ତାରି ଭିତରେ ହଜେଇ ପୁଣି ଖୋଜୁଛୁ, ପାଉଛୁ, ପୁଣି ହଜେଇ ପୁଣି ଖୋଜୁଛୁ । କାରଣ ମଣିଷ ଆଶାବାଦୀ । ଏଇ ଆଶା ମଣିଷକୁ ବଞ୍ଚିବାର ପ୍ରେରଣା ଯୋଗାଏ । ବଂଚିବାର କଳା ଶିଖାଏ । ଆତ୍ମହତ୍ୟାର ପାପରୁ ଉଦ୍ଧାର କରେ ।

ଏଇ ଆଶା ଛନ୍ଦା ଭଳି ଶିକ୍ଷିତା ଝିଅକୁ ମଧ୍ୟ ବଞ୍ଚେଇ ରଖିଛି । ଆତ୍ମହତ୍ୟା କରିବା ପାଇଁ ଇଚ୍ଛାକରି, ଚେଷ୍ଟା କରି ମଧ୍ୟ ଆତ୍ମହତ୍ୟା କରିପାରିନି ଛନ୍ଦା । ନିଜ ମନକୁ ନିଜେ ବୁଝେଇଛି, ନାଁ, ଆତ୍ମହତ୍ୟା କରି ଲାଭ କ’ଣ ? ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ ଆସେ । ମୋର ବି ଜୀବନ ଆକାଶରୁ ଅନ୍ଧାର ରାତି ଘୁଞ୍ଚିଯିବ । ସକାଳ ହବ । ସୂର୍ଯ୍ୟଙ୍କର ଆଲୋକରେ ପୁଣି ଝଲସି ଉଠିବ ମୋ ଜୀବନ । ମୁଁ ହସିବି, ନାଚିବି, ଖେଳିବି । ଆଃ......ଆଉ ଭାବି ପାରେନି ଛନ୍ଦା । ଭାବନାର ଅଡ଼ୁଆ ସୂତାଖିଅ ଛିଣ୍ଡିଯାଏ । ପୁଣି ଯନ୍ତ୍ରଣା, କୋହ, ହତାଶା । ଆଖି ଆଗରେ ଠିଆହୁଏ ଗୋଟାଏ ବିରାଟ ଅସୁର । ତା’ର ବିକଟାଳ ଚିତ୍କାରରେ ଚମକିଯାଏ ଛନ୍ଦା । ଛନ୍ଦା ଅନୁଭବ କରେ ତା’ର ଦୁର୍ବଳ ଛାତିରେ ସେଇ ଅସୁରଟା ମାଡ଼ିବସିଛି । ଦାନ୍ତ କଡ଼ମଡ଼ କରି ଅସୁରଟା ତାର ଲୋମଶ ବଳିଷ୍ଠ ବାହୁ ଦୁଇଟାରେ ଆକ୍ରମଣ କରି ରକ୍ତ ଶୋଷି ପକାଉଛି ।

ଛନ୍ଦାର ପାଟି ଖୋଲିବାର ଶକ୍ତି ନାହିଁ, ନିରୂପାୟ ହୋଇ ନିର୍ବିକାର ଭାବରେ ମତ୍ୟୁକୁ ଅପେକ୍ଷା କରିଛି । ମୃତ୍ୟୁରେ କ’ଣ ଶାନ୍ତି ମିଳେ ? ମୃତ୍ୟୁ ପରେ କ’ଣ ନିର୍ବାଣ ସୁନିଶ୍ଚିତ ? ନା, ତା’ ହୋଇଥିଲେ ଭୂତ ପ୍ରେତଙ୍କର ଅତୃପ୍ତ ଆତ୍ମା ଏମିତି ଘୂରି ବୁଲୁ ନଥାନ୍ତା । ମୃତ୍ୟୁରେ ଯଦି ଶାନ୍ତି ମିଳୁଥାନ୍ତା, ଛନ୍ଦା କେବେଠାରୁ ଆତ୍ମହତ୍ୟା କରି ସାରନ୍ତାଣି । କଷ୍ଟ ପାଉଛି; ତଥାପି ଯନ୍ତ୍ରଣାର ମୁକାବିଲା କରି ବଞ୍ଚିବାକୁ ଚେଷ୍ଟାକରୁଛି; କିନ୍ତୁ ଏ ମୁକାବିଲାରେ ହାରିଯିବ ନାହିଁ ତ ? କେତେଦିନ ତାକୁ ଏମିତି ମୁକାବିଲା କରିବାକୁ ପଡ଼ିବ ?

କାନ୍ଥ ଘଣ୍ଟାରେ ବାରଟା ବାଜିଲା । ଛନ୍ଦା ଘଣ୍ଟାକୁ ଚାହିଁଲା । ଘଣ୍ଟା କଣ୍ଟା ମିନିଟ୍‌କଣ୍ଟା ଟିକ୍ ଟିକ୍ କରି ଦୌଡ଼ୁଛନ୍ତି । ସମୟ କାହାକୁ ଅପେକ୍ଷା କରେନା । ରାତି ବାରଟା ବାଜିଲାଣି, ତଥାପି ରମେଶ ବାବୁ କ୍ଲବରୁ ଫେରି ନାହାନ୍ତି । ଫେରି ପାରନ୍ତି, ଆଜି ଫେରି ବି ନ ପାରନ୍ତି । କୌଣସି ଧରାବନ୍ଧା ନିୟମ ନାହିଁ ତାଙ୍କର । କ୍ଲବ ଭଲ ତ ସେ ଭଲ । ସେ କହନ୍ତି, କ୍ଲବ ଯିବାଟା ମୋର ଏକମାତ୍ର ହବି ।

ପୋର୍ଟିକୋରେ କାର୍ ଅଟକିବାର ଶବ୍ଦ । ଗାଡ଼ି ଦରଜା ଖୋଲା ହେଲା ଏବଂ ବନ୍ଦ ହେଲା । ତା’ପର ଘଟଣା ନିହାତି ସ୍ୱାଭାବିକ, ସବୁଦିନ ଭଳି । ଦୁଇଟି ଅସଂଯତ ପାଦର ସିଡ଼ିରେ ଚଢ଼ିବାର ଆପ୍ରାଣ ଚେଷ୍ଟା, କେତେଗୁଡ଼ିଏ ଖାପଛଡ଼ା ସଂଳାପର ପୁନରାବୃତ୍ତି ଏବଂ ମଝିରେ ମଝିରେ କୌଣସି ଏକ ଶସ୍ତା ସିନେମା ଗୀତର ବେସୁରା ଗୁଞ୍ଜରଣ ।

 

ଛନ୍ଦା ହସିଲା । ମନ ଖୋଲା ହସ । ସେ ହସରେ ଭରି ରହିଥିଲା କେତେ ବ୍ୟଥା ବେଦନା । ସବୁ ଯେମିତି ଅବୋଧ୍ୟ, ଖାପଛଡ଼ା ।

 

ରମେଶବାବୁ କୌଣସି ପ୍ରକାରେ ବେଡ଼ରୁମ୍‌କୁ ଆସି ଶେଯ ଉପରେ ଲମ୍ବ ହୋଇ ପଡ଼ିଗଲେ । କଣ୍ଠସ୍ୱର କ୍ଷୀଣରୁ କ୍ଷୀଣତର ହୋଇ ଆସୁଥିଲା । ଅଧାଖୋଲା ‘ଟାଇ’ଟା ସାପ ଭଳି ବେକରେ ଗୁଡ଼େଇ ହୋଇ ତଳକୁ ଝୁଲି ପଡ଼ିଛି । କୋଟ୍‌ର ଭିତର ପକେଟରେ ପୁଳାଏ ନୋଟ- ଅନୂଜା କୁମାରୀଟିଏ ପାଶବିକ ଅତ୍ୟାଚାରରେ ଧର୍ଷିତା ହେଲା ପରେ ମଉଳିଗଲା ପରି ଦିଶୁଛି । ବିଦେଶୀ ମଦର ଉତ୍କଟ ଗନ୍ଧ ଛନ୍ଦା ଜଳେଇଥିବା ଦେଶୀ ଦାମିକା ଧୂପକାଠିର ସମସ୍ତ ଶକ୍ତିକୁ ମଳିନ କରି ପରିବେଶକୁ ଭାବ ଗମ୍ଭୀର କରି ତୋଳୁଛି । ଏଇ ପୁରୁଷଟି ସହିତ ଛନ୍ଦା ଆଜକୁ ସାତ ବର୍ଷ ତଳେ ଛନ୍ଦି ହୋଇ ଯାଇଥିଲା । ବାପା କେତେ ଖୋଜି ଖୋଜି ଶେଷରେ ରମେଶ ବାବୁଙ୍କୁ ଉପଯୁକ୍ତ ପାତ୍ର ମନେକରି ତା’ର ଲାଇଫ୍ ପାଟନର୍ କରି ବାଛିଥିଲେ । ରମେଶ ବାବୁ ଆଇ. ଏ. ଏସ୍. ପାଇଥିଲେ ବୋଲି ନଗଦ ଲକ୍ଷେ ଟଙ୍କା ଯୌତୁକ ଦେବାକୁ ବାପା ତା’ର ରାଜି ହୋଇଥିଲେ ଏବଂ ଦେଇଥିଲେ ।

 

ରମେଶ ବାବୁ ବୋଧହୁଏ ଶୋଇପଡ଼ିଲେଣି । ରମେଶ ବାବୁ ମଦ ପିଇ ମାତାଲ, କିନ୍ତୁ ଛନ୍ଦା ମଦ ନ ପିଇ ମାତାଲ ।

 

କ୍ଲବକୁ ଯିବା, ମଦ୍ୟପାନ କରିବା ଆଦି ଆଭିଜାତ୍ୟର ଚିହ୍ନ । ଅନ୍ୟ ଅଫିସରମାନଙ୍କ ସହିତ ତାଳ ଦେବାପାଇଁ ହେଲେ, ସମାଜରେ ନିଜର ପ୍ରତିଷ୍ଠା ଜାହିର କରିବାକୁ ହେଲେ ଏଇଥିପାଇଁ ଲୋଡ଼ା କୋଠା, କ୍ଲବ, ମଦ, ଟଙ୍କା । ସେଇଥିପାଇଁ ରମେଶ ବାବୁ ଛନ୍ଦାକୁ ଶୁଣେଇ ଶୁଣେଇ କହନ୍ତି, ‘ସୁରା ସତ୍ୟ, ଜଗତ ମିଥ୍ୟା ।’

 

ଛନ୍ଦା କିଛି କହିପାରେନି, କ’ଣ ବା କହିବ ? ଆଗରୁ ବହୁତ ଥର ବୁଝେଇଛି, କିଛି ଲାଭ ହେଇନି ! ବରଂ ମଦ୍ୟପାନ ବଢ଼ିବାରେ ଲାଗିଛି । ଆଜିକାଲି ମଦ ଛଡ଼ା ବିଭିନ୍ନ ନିଶା ଟାବଲେଟ୍‌ ମଧ୍ୟ ବ୍ୟବହାର କଲେଣି ରମେଶ ବାବୁ । ନିଶାରେ ନାଳନର୍ଦ୍ଦମାରେ ପଡ଼ିବାର ମଧ୍ୟ ଶୁଣାଗଲାଣି । ତା’ଛଡ଼ା ତାଙ୍କର ଷ୍ଟେନୋ କୁମାରୀ ଡଲି ରାୟଙ୍କ ସହିତ ଅବୈଧ ସମ୍ପର୍କ ଥିବାର ଶୁଣାଗଲାଣି ।

 

ନିଜର ସ୍ୱାମୀ ସମ୍ପର୍କରେ ଏ ସବୁ ମନ୍ତବ୍ୟ ଶୁଣିଲାପରେ ଜଣେ ପତିପରାୟଣା ସ୍ତ୍ରୀର ଯେଉଁ ପ୍ରତିକ୍ରିୟା ହେବା କଥା ଛନ୍ଦାର ସେୟା ହିଁ ହେଇଛି । ତା’ର ସଂଯମର ସମସ୍ତ ଅବରୁଦ୍ଧ ଦ୍ୱାର ଖୋଲିଯାଇଛି । ଅନ୍ୟମନସ୍କ ଭାବରେ ତା’ ପାଟିରୁ ବାହାରି ପଡ଼ିଛି, ପ୍ରଭୁ....ମତେ ସାହା ହୁଅ ।

 

କଟକରେ ସାତ ବର୍ଷ ରହି ଯିଏ ଚଣ୍ଡୀମନ୍ଦିରର ଦ୍ୱାର ମାଡ଼ିନାହିଁ, ତା’ପାଖରେ ଏ ବିରୋଧାଭାଷ । ଛନ୍ଦା ମୂର୍ତ୍ତି ପୂଜାକୁ ଅନ୍ଧବିଶ୍ୱାସ କହି ଥଟ୍ଟା କରିଛି; କିନ୍ତୁ ଆଜି ଏ କ’ଣ ? ତା’ର ନାସ୍ତିକ ହୃଦୟରେ ଠାକୁରଙ୍କ ପ୍ରତି ଏ ମମତା ଆସିଲା କେମିତି ? ଛନ୍ଦା ନିଜକୁ ବି ନିଜେ ପରଖି ପାରୁନାହିଁ । ସେ କ୍ରମେ ଦୁର୍ବଳ ହୋଇପଡ଼ୁଛି ।

 

ରମେଶ ବାବୁଙ୍କ ଘୁଙ୍ଗୁଡ଼ି ଶୁଣାଗଲାଣି । ଗୋଡ଼ର ଜୋତା ଖୋଲା ହୋଇନି । ଡ୍ରେସ ଖୋଲା ହୋଇନି । ଖୋଲିବାକୁ ହେବ । ଗରମ ଦିନ । ଫୁଲ୍ ସ୍ପିଡ଼୍‌ରେ ପଙ୍ଖା ବୁଲେଇଲେ ବି ଗରମ-

 

ରମେଶ ବାବୁଙ୍କ ଘୁଙ୍ଗୁଡ଼ି ବଢ଼ିବାରେ ଲାଗିଛି । ଘଣ୍ଟାର ଶବ୍ଦଟା ଆହୁରି ଆହୁରି ବଢ଼ିବାରେ ଲାଗିଛି । ମୁଣ୍ଡ ଉପରେ ଫ୍ୟାନ୍‌ଟା ଆହୁରି ଆହୁରି ଜୋରରେ ଘୂରୁଛି । ଛନ୍ଦାକୁ ବେଶି ବେଶି ଗରମ ଲାଗୁଛି । ଛନ୍ଦା ଚଟି ଘୋଷାଡ଼ି ଘୋଷାଡ଼ି ଆସି ଝରକା ପାଖରେ ପହଞ୍ଚିଲା । ପରଦାଟା ବାଁ ହାତରେ ଠେଲି ବାହାରକୁ ଅନେଇଲା । କେତେ ତାରା ଏ ରାତିରେ । ସପ୍ତମୀ ଜହ୍ନଟା କୁଜି ବୁଢ଼ୀ ଭଳି ବଙ୍କେଇ ଯାଇଛି । ଅନ୍ଧାର କ୍ରମଶଃ ବହଳ ହେଉଛି । ଠିକ୍ ଯେମିତି ଛନ୍ଦାର ମନ ଆକାଶରେ ଅନ୍ଧାର ଘୋଟି ଯାଉଛି-

 

ବିଜୁଳି ଆଲୁଅରେ ଅସ୍ପଷ୍ଟ ଦେଖାଯାଉଛି ଡ୍ରାଇଭର ଲକ୍ଷ୍ମଣ ମୁଣ୍ଡାର ଝାଟିମାଟିର ଘର । ମଝିରେ ମଝିରେ ଚାଳ ଛପର ଉଡ଼ିଯାଇ ବାଉଁଶଗୁଡ଼ାକ ଦାନ୍ତ ନିକିଟି ଖତେଇ ହେଲାପରି ଦିଶୁଛି । ଝରକାବାଟେ ଡିବିରି ଆଲୁଅର କ୍ଷୀଣ ରେଖାଟିଏ ସ୍ପଷ୍ଟ ବାରିହୋଇ ପଡ଼ୁଛି । ଭିତରୁ ଲକ୍ଷ୍ମଣ ମୁଣ୍ଡା ଏବଂ ତା’ ସ୍ତ୍ରୀର ଖିଲି ଖିଲି ହସ ଭାସି ଆସୁଛି । ଆଃ.....ସେ ହସ ଗୁଡ଼ାକ ଯେମିତି କଣ୍ଟା ଭଳି ଫୋଡ଼ି ହୋଇଯାଉଛି ଛନ୍ଦାର ଦେହରେ ।

 

ଧଡ଼୍ ଧାଡ଼୍ କରି ଝରକା କବାଟ ବନ୍ଦ କରିଦେଲା ଛନ୍ଦା ।

 

ଅନ୍ୟର ହସ ଶୁଣିବାରେ ଏତେ ଅସହ୍ୟ ଯନ୍ତ୍ରଣା । ଏକଥା ପ୍ରଥମ କରି ଅନୁଭବ କଲା ଛନ୍ଦା ।

 

ମୁଁ ଏମିତି ହସି ପାରୁନି କାହିଁକି ? ଛନ୍ଦା ନିଜକୁ ନିଜେ ପ୍ରଶ୍ନକରି ଉତ୍ତର ଖୋଜିବାକୁ ଚେଷ୍ଟାକଲା । ତା’ର ଉତ୍ତର ଗୋଟାଏ ବିରାଟ ପ୍ରଶ୍ନବାଚୀ ।

 

ନା, ନା, ଅସହ୍ୟ ଲକ୍ଷ୍ମଣ ମୁଣ୍ଡା ଏବଂ ତା’ର ସ୍ତ୍ରୀର ହସ । ସେମାନେ ଏମିତି ହସିବେ କାହିଁକି ? କିଏ ତାଙ୍କୁ ଦେଇଛି ଏମିତି ହସିବାର ଅଧିକାର ? କାହିଁକି, କାହିଁକି ସେମାନେ ହସିବେ-?

 

ଛନ୍ଦା ଝରକା ଖୋଲି ଆଦେଶ ଦେବା ଭଙ୍ଗୀରେ ଚିତ୍କାର କରି ଡାକିଲା, ‘‘ଲକ୍ଷ୍ମଣ...., ଗାଡ଼ି ବାହାର କର ।’’

 

ଲକ୍ଷ୍ମଣ ବାଧ୍ୟ ଶିଶୁଟି ଭଳି ପୋର୍ଟିକୋ ତଳେ ଗାଡ଼ିରେ ପଛ ଝରକା ଖୋଲି ମା’ଙ୍କୁ ଅପେକ୍ଷା କଲା । ଛନ୍ଦା ଆସିଲା, ଗାଡ଼ି ଚାଲିଲା ।

 

ଛନ୍ଦାର ଆଦେଶରେ ଗାଡ଼ି ଅଟକିଲା ଗୋଟାଏ ବିଦେଶୀ ମଦ ଦୋକାନ ସାମନାରେ । ପୁଣି ଆଦେଶ, ‘‘ଗୋଟାଏ ବୋତଲ ଆଣିବ ।’’

 

ଲକ୍ଷ୍ମଣ ଜାଣେ ବାବୁଙ୍କର ସବୁଠୁ ପ୍ରିୟ ରମ୍ । ତେଣୁ ମା’ଙ୍କୁ କିଛି ନ ପଚାରି ଦୋକାନ ଭିତରେ ପଶିଲା । କାଗଜରେ ଗୁଡ଼େଇ ବୋତଲଟିଏ ନେଇ ଫେରିଲା ଏବଂ ମା’ଙ୍କ ହାତକୁ ବଢ଼ାଇଦେଲା ।

 

‘‘କେତେ ପେଟ୍ରୋଲ ଅଛି ଗାଡ଼ିରେ ?’’

 

‘‘ବହୁତ ଅଛି ମା’’ ଲକ୍ଷ୍ମଣ ମୁଣ୍ଡା ମୁଣ୍ଡ ପୋତି ଭୂମି ଉପରେ ଗାର ଟାଣି ଟାଣି ଉତ୍ତର ଦେଲା ।

 

‘‘ସିଧା ଚାଲ ।’’

 

ଚଢ଼ାଗଳାରେ ଆଦେଶ ଦେଲା– ଚାଲ, ଯୁଆଡ଼େ ଯେତେଦୂର ଯାଉଛି ।

 

ଲକ୍ଷ୍ମଣର ବଡ଼ ବଡ଼ ଆଖି ଯୋଡ଼ିକ ଖୋସି ହୋଇଗଲା । ସେ ଅସହାୟ ଦୃଷ୍ଟିରେ ଥରେ ଏପଟ ସେପଟ ଚାହିଁଲା, ବାଁ ହାତଟା ମୁହଁରେ ବୁଲେଇ ଦେଇ ଝାଳ ପୋଛିନେଲା ଏବଂ ଷ୍ଟିଅରିଂରେ ହାତ ରଖି ଷ୍ଟାର୍ଟ ଦେଲା ଗାଡ଼ିରେ । ଗାଡ଼ି ଚାଲିଲା ଗଛ, ଲଟା, ବିଲବଣକୁ ପଛରେ ପକେଇ । ଦଶ, କୋଡ଼ିଏ, ତିରିଶ, ଚାଳିଶ, ପଚାଶ, ଷାଠିଏ, ସତୁରୀ.... । ଲକ୍ଷ୍ମଣ ମୁଣ୍ଡା ନିର୍ଭୟରେ ଖୁବ୍ ସ୍ପିଡ଼୍‍ରେ ଗାଡ଼ି ଚଲାଏ ବୋଲି ରମେଶ ବାବୁ ତାକୁ ଖୁବ୍ ଭଲପାଆନ୍ତି, ପ୍ରଶଂସା କରନ୍ତି ।

 

ଗାଡ଼ି ଭିତରେ ଅନ୍ଧାରର ରାଜୁତି । ପଛ ସିଟ୍‌ରେ ମା’ । ପଛ ସିଟ୍‌ରୁ କାଗଜ ଖୋଲା ହେବାର ଶବ୍ଦ ? ବୋତଲ ଖୋଲା ହେବାର ଶବ୍ଦ ? ଲକ୍ଷ୍ମଣ କିଛି ଦେଖି ପାରୁନି । ଗାଡ଼ିର ଘର୍ଘର ଶବ୍ଦ ଭିତରେ କାଗଜ ଶବ୍ଦ ଏବଂ ବୋତଲ ଖୋଲା ହେବାର ଶବ୍ଦ ଠିକ୍ ଧରି ହେଉନି । ଗାଡ଼ିର ଦର୍ପଣରେ କିମ୍ବା ସାମନା କାଚରେ ମା’ଙ୍କୁ ଦେଖିବାର ଚେଷ୍ଟା ବିଫଳ ହେଲା ପରେ ପଛକୁ ଚାହିଁବାର ସାହସ ସଂଚୟ କରିପାରୁନି ଲକ୍ଷ୍ମଣ ମୁଣ୍ଡା । ନା, ତା’ର ଅନୁମାନ ସତ୍ୟ । ତା’ର ପ୍ରଖର ଘ୍ରାଣେନ୍ଦ୍ରିୟ ଏ ଗନ୍ଧ ସହିତ ଅତି ପରିଚିତ, ରମ୍ ଛଡ଼ା ଆଉ କିଛି ହେଇ ନ ପାରେ; କିନ୍ତୁ ମା’ଙ୍କ ସହିତ ରମ୍‌କୁ ଯୋଡ଼ିଲାବେଳକୁ ଲକ୍ଷ୍ମଣ ମୁଣ୍ଡାର ମୁଣ୍ଡ ଗୋଳମାଳ ହୋଇଯାଉଛି । ସେ କିଛି ବୁଝି ପାରୁନି ।

 

ପଛ ସିଟ୍‌ରୁ ଢକ୍ ଢକ୍ କରି ପିଇବାର ଶବ୍ଦ ଆହୁରି ସ୍ପଷ୍ଟ କରିଦେଲା ତା’ ମନର ସମସ୍ତ ସନ୍ଦେହ ।

 

ଲକ୍ଷ୍ମଣର ସାର୍ଟର ବେକ ପାଖରେ ମେଞ୍ଚେ ମଇଳା । ସାର୍ଟଟା ବି ଝାଳରେ ବୁଡ଼ିଯାଇଛି । କେମିତି ଗୋଟାଏ ବିଚିକିଟିଆ ଦୁର୍ଗନ୍ଧ ବାହାରୁଛି ସେଥିରୁ । ଛନ୍ଦା ହସିଲା ।

 

‘ଆଚ୍ଛା ଲକ୍ଷ୍ମଣ’, ଛନ୍ଦା ପଚାରିଲା, ‘‘କାଲି ଅଧରାତିରେ ତମେ ଆଉ ତମ ସ୍ତ୍ରୀ ଭାରି ଜୋର୍‌ରେ ହସୁଥିଲ ଯେ । କଥା କ’ଣ ?’’

 

ଏଭଳି ଏକ ପ୍ରଶ୍ନର ସମ୍ମୁଖୀନ ହେବ ବୋଲି ଲକ୍ଷ୍ମଣ ଆଦୌ ପ୍ରସ୍ତୁତ ନ ଥିଲା । ଟିକିଏ ଲାଜେଇ ଯାଇ ଥଙ୍ଗେଇ ଥଙ୍ଗେଇ ଉତ୍ତରଦେଲା, ‘‘କିଛି ନାଇଁ ମା, ଏଇ....ଏମିତି....’’

 

କେମିତି ଏକ ଅସ୍ୱାଭାବିକ ପ୍ରଶ୍ନର ସମ୍ମୁଖୀନ ହୋଇଥିବାରୁ ଉତ୍ତରଟାକୁ ଶେଷ କରିବାକୁ ଭାଷା ପାଇଲାନି ଲକ୍ଷ୍ମଣ ମୁଣ୍ଡା ।

 

‘‘ନା, ନା ନିଶ୍ଚୟ କିଛି ଅଛି । କିଛି କାରଣ ନ ଥାଇ କିଏ କ’ଣ କେବେ ହସେ ?’’

 

ଲକ୍ଷ୍ମଣ କ’ଣ କହିବ, କେମିତି କହିବ, କୋଉଠୁ କଥା ଆରମ୍ଭ କରି କୋଉଠି ସାରିବ କିଛି ଠିକ୍ କରି ନ ପାରି ଥତମତ ହୋଇ କହିଲା, ‘‘ନା’ ମା’, ସେମିତି କିଛି ନୁହେଁ ଯେ.....ହେଲେ.....ଆମେ ଛୋଟ ଲୋକ, ଆମର ଗୋଟାଏ କି କଥା ଯେ......ଛାଡ଼ନ୍ତୁ ଆଜ୍ଞା......’’

 

‘‘ମତେ କହିବନି ତ ? ଠିକ୍ ଅଛି,’’ ଛନ୍ଦା କହିଲା ।

 

‘‘ମା’, କଥା କଣକି.....ମୋର ତ ଚାରିଟା ଛୁଆ ହେଲେଣି । ଆଜିର ମହର୍ଗ ଯୁଗରେ ଏତେ କୁଟୁମ୍ବ ପୋଷିବା କଷ୍ଟ ହେଉଛି । ସେଇଥିପାଇଁ ମୁଁ ତାକୁ କହିଲି ଅପରେସନ୍ କରିଦବାକୁ । ସିଏତ ମଫସଲି ଝିଅ, ମୂର୍ଖ ତାକୁ ବୁଝେଇ ବୁଝେଇ ମୁଁ ହାଲିଆ । ସେଇ କଥା ନେଇ ଆମେ କାଲି......’’

 

ଛନ୍ଦା ହଠାତ୍ ରାଗି ଉଠି ପାଟି କରି କହିଲା, ‘‘ଲକ୍ଷ୍ମଣ, ତମେ କ’ଣ ଗାଡ଼ିଟା ଆମ କୋଠି ଆଡ଼େ ନେଇଯାଉଛ ? ତମକୁ ପରା କହିଲି ସେପଟକୁ ନବାପାଇଁ ?’’

 

‘‘ମା’, ମୁଁ ଆପଣଙ୍କର ନିମକ ଖାଉଛି । ମତେ ଗାଳି ଦିଅନ୍ତୁ ପଛେ, ମୁଁ ଆପଣଙ୍କୁ ଏ ଅବସ୍ଥାରେ ଏତେ ରାତିରେ କୁଆଡ଼େ ନେଇ ପାରିବିନି । ଚାଲନ୍ତୁ, ଘରକୁ ଫେରିଚାଲନ୍ତୁ ।’’

 

‘‘ଲକ୍ଷ୍ମଣ’’ ଛନ୍ଦାର ଚିତ୍କାର ରାତିର ବହଳ ଅନ୍ଧାର ଭିତରେ କୁଆଡ଼େ ମିଳେଇ ଗଲା ।

 

ଗାଡ଼ି ଯେ ପୋର୍ଟିକୋ ତଳେ ଅଟକିଲା । ଲକ୍ଷ୍ମଣ ମୁଣ୍ଡା ଗାଡ଼ିର ପଛ ଦ୍ୱାର ଖୋଲି ଧରି ଅପରାଧୀଟି ଭଳି ନୀରବରେ ଠିଆହେଲା । ତା’ର ମା’ ଗାଡ଼ିରୁ ଓହ୍ଲେଇବାର ଉପକ୍ରମ କରୁ ନ ଥିବାରୁ ଲକ୍ଷ୍ମଣ କହିଲା, ‘‘ମା’ ମତେ କ୍ଷମା କରନ୍ତୁ । ଆପଣଙ୍କର ଦିହ ଭଲନାହିଁ, ଘରକୁ ଯା’ନ୍ତୁ ।’’

 

ଛନ୍ଦା ମୁହଁରେ ଶୁଖିଲା ହସ ଚେନାଏ । ସେ ହସରେ ଭରି ରହିଥିଲା କେତେ ଅବ୍ୟକ୍ତ ବେଦନା ।

 

ମା’ଙ୍କ ମୁହଁକୁ ଅନେଇ ହଠାତ୍ ଚମକି ପଡ଼ିଲା ଲକ୍ଷ୍ମଣ । ‘‘ଏ କ’ଣ ମା’ । ଆପଣଙ୍କ ଆଖିରେ ଲୁହ ।’’ ଲୁହ ଦେଖି ପ୍ରଥମେ ବିଶ୍ୱାସ କରି ପାରିଲାନି ଲକ୍ଷ୍ମଣ । ସେ ତା’ର ଛୋଟ ବୁଦ୍ଧିରେ କିଛି ବୁଝି ପାରୁ ନ ଥିଲା ।

 

ଛନ୍ଦା କୌଣସି ଉତ୍ତର ନ ଦେଇ ଗାଡ଼ିରୁ ଓହ୍ଲାଇଲା । ପାଦ ଠିକ୍ ପଡ଼ୁ ନ ଥିଲା, ପାଟିରୁ ବିଦେଶୀ ପାନୀୟର ଉତ୍କଟ ଗନ୍ଧ । ଶାଢ଼ି ବିପର୍ଯ୍ୟସ୍ତ ।

 

ମା’ ସିଡ଼ି ଚଢ଼ି ଉପରକୁ ଯାଇପାରିବେ ତ ? ଯଦି ପଡ଼ିଯିବେ ? ହାତଧରି ନେଇଯିବି କି ? ନା, ଉଚିତ ହବନି । ତେବେ...... କ’ଣ କରିବି ? ଝିଲ୍ଲିକି ଡାକିବି କି ? ନା, ଦରକାର ହେବନି-। ମା’ ତ ସିଡ଼ିରେ ଚଢ଼ିବାକୁ ଆରମ୍ଭ କଲେଣି । ଗୋଡ଼ ଠିକ୍ ପଡ଼ୁ ନ ଥିଲେ ବି ହାତ ମୁଠାରେ ସିଡ଼ିର ଧାରକୁ ଠିକ୍ ଧରିଛନ୍ତି । ବାସ୍, ଉପର ମହଲାକୁ ଉଠିଗଲେ ।

 

ଭାବନାରେ ପୂର୍ଣ୍ଣଚ୍ଛେଦ ପକେଇ ଆଶ୍ୱସ୍ତ ହୋଇ ଦୀର୍ଘ ନିଃଶ୍ୱାସଟିଏ ପକେଇଲା ଲକ୍ଷ୍ମଣ ମୁଣ୍ଡା । ତଳେ ଥାଇ ଉପର ମହଲାଆଡ଼େ ଶୁଷ୍କ ଦୃଷ୍ଟିରେ ଅନେଇ ରହିଲା । ଉପରୁ ମା’ଙ୍କ ପାଟି ଶୁଭୁଥିଲା, ‘‘ଦେଖ, ଦେଖ ଡାର୍ଲିଂ, ମୁଁ ଆଜି ତୁମ ସହିତ ପାଦ ମିଳେଇ ନାଚି ପାରୁଛି କି ନା । ଦେଖ, ଡାର୍ଲିଂ, ବିବାହର ଦୁଇବର୍ଷ ପରେ ତମେ ମୋର ଗର୍ଭନଷ୍ଟ କରି ସେ ଦୁଃଖକୁ ଭୁଲି ଯିବାକୁ କହିଥିଲ । ଆଜି ପରୀକ୍ଷା କରି ଦେଖ, ମୁଁ ସେ କଥା ଭୁଲି ପାରିଛି କି ନା, ଦେଖ । ନିଃସନ୍ତାନ ହୋଇ ବି ମୁଁ ଆଜି ତମରି ପରି ହସି ପାରୁଛି, ନାଚି ପାରୁଛି । ସତରେ ଡାର୍ଲିଂ, ସୁରା ସତ୍ୟ, ଜଗତ୍ ମିଥ୍ୟା । ସୁରା ସତ୍ୟ ଜଗତ ମିଥ୍ୟା । ସୁରା ସତ୍ୟ......ଜଗତ୍.....ମି......ମିଥ୍ୟା......’’

 

ତା’ପରେ ଖାଲି ହସ, ହସ ଆଉ ହସ । ସେ ହସର ଯେମିତି ଆଉ ଶେଷ ନାହିଁ ।

 

ପ୍ରାଥମିକ ଶ୍ରେଣୀର ବୋକା ଛାତ୍ରଟିଏ ପରି ଲକ୍ଷ୍ମଣ କିଛି ବୁଝି ନ ପାରିବା ମୁଦ୍ରାରେ ହାଁ କରି ଉପରକୁ ଅନେଇ ରହିଥିଲା ।

 

(ଝଙ୍କାର)

Image

 

ଜ୍ୟୋତିଷର ଜନ୍ମଜାତକ

 

ଜୀବନର ସଂଜ୍ଞା ଖୋଜିବା ନିରର୍ଥକ । ଜୀବନ କ’ଣ ? ଜୀବନ ଏକ ପ୍ରଶ୍ନବାଚୀ । ଜୀବନଟା ଜୁଆଖେଳ । କେତେ ଜୟପରାଜୟର ସମଷ୍ଟି ଏ ଜୀବନ । ଦୁଃଖ, ଯନ୍ତ୍ରଣା, ଜରା, ବ୍ୟାଧି ଜୀବନଟାକୁ କରିଦିଏ କ୍ଷତାକ୍ତ । ଆଉ ମୃତ୍ୟୁ, ସେ ଟାଣିଦିଏ ଶେଷ ଯବନୀକା ! ବଡ଼ ବିଚିତ୍ର ଏ ଜୀବନ । ବୁଝି ବି ବୁଝି ହୁଏନା ।

 

ଆଉ ମୋ ପରିଚୟ ! ମୋ ପରିଚୟ ମୋ ପାଖରେ ଅବୋଧ୍ୟ । ମୋ ସ୍ଥିତି ମୋ ପାଖରେ ଅପରିଚିତ । ହୀନମନ୍ୟତାର ଶିକାର ହୋଇ ନିଜକୁ ନଗଣ୍ୟ ଅପ୍ରୟୋଜନ ଅପାଙ୍‌କ୍ତେୟ ମନେ କରୁଛି । ଏପରିକି ନିଜକୁ ନିଜେ ଘୃଣା କରିବାକୁ ଆରମ୍ଭ କରିଦେଉଛି । ମୋ ଭିତରର କାଳସର୍ପ ମତେ ହିଁ ଦଂଶନ କରୁଛି । ମନ ଭିତରର ଅଶୁଭ ପେଚାଟା ତା’ର ଡେଣା ଫଡ଼୍‌ ଫଡ଼୍ କରି ମତେ ଡରାଇ ଦେଉଛି । ନିଜ ଶବକୁ ନିଜ କାନ୍ଧରେ ବୋହି ଚାଲିଛି । ମୋ ହାତରେ ମୋ ମୃତ୍ୟୁର ପରୱାନା । ପ୍ରତି ମୁହୂର୍ତ୍ତରେ ମୁଁ ମରୁଛି, ପୁଣି ବଞ୍ଚିବାକୁ ସଂଗ୍ରାମ କରୁଚି । ମରିବା ବଞ୍ଚିବା ମୋ ପାଇଁ ସମାନ ହୋଇଯାଇଛି ।

 

କିନ୍ତୁ କାହିଁକି ? ମୋ ଭାଗ୍ୟଲିପି ମତେ ଉପହାସ କରୁଛି କାହିଁକି ? ମୁଁ ତ କାହାରିକି ଉପହାସ କରିନି । ମୋ ପାଇଁ ଏତେ ପରୀକ୍ଷା କାହିଁକି ? ମୋ ଜୀବନଟା ଅନ୍ଧକାରାଚ୍ଛନ୍ନ କାହିଁକି ? ଏ କାହିଁକିର ଉତ୍ତର ମୁଁ ପାଇ ପାରିନି ଏବଂ ଭଲ ଭାବରେ ଜାଣେ ଏହାର ଉତ୍ତର ପାଇବିନି ।

 

ମୋର ପରିଚୟ ମୋ ପାଇଁ ଅବୋଧ୍ୟ ହୋଇଛି । ମୋର ବଞ୍ଚିବା ମୋ ପାଇଁ ପରୀକ୍ଷା ହୋଇଛି । ମୋର ଜୀବନ ମୋ ପାଇଁ ଅଭିଶାପ ହୋଇଛି ।

ଆଜି ବି ମୁଁ ଜାଣେନା ସୁରେନ୍ଦ୍ର ପଣ୍ଡା ମତେ କାହିଁକି ବଞ୍ଚେଇଲେ, ଏ ଦୁନିଆଁକୁ କାହିଁକି ଚିହ୍ନେଇଲେ । ଅଯାଚିତ ସ୍ନେହ ମମତା ବନ୍ଧନରେ ବାନ୍ଧି ମତେ ଧାରୁଆ କଲେ କାହିଁକି ? ମତେ ମଣିଷ କରିବା ପାଇଁ ଅକ୍ଳାନ୍ତ ଚେଷ୍ଟା କରି ସେ କ’ଣ ପାଇଲେ ?

ନର୍ଦ୍ଦମାରୁ ଜନ୍ମ ନେଇ ମୁଁ ନର୍ଦ୍ଦମାରେ ପ୍ରତ୍ୟାକ୍ଷାତ ହୋଇଥିଲି । ବେଶ୍ ଭଲ ହୋଇଥିଲା-। ଜଣେ ଚରିତ୍ରହୀନ ଏବଂ ଜଣେ ଚରିତ୍ରହୀନାର ସନ୍ତାନ ହୋଇ, ପରିଚୟହୀନ ହୋଇ ବଞ୍ଚି ରହିବା ଅପେକ୍ଷା ମୋ ପକ୍ଷରେ ସେଦିନ ମୃତ୍ୟୁ ହିଁ ଶ୍ରେୟସ୍କର ଥିଲା, କିନ୍ତୁ ମୁଁ ସେଦିନ ଜାଣି ନ ଥିଲି ମୃତ୍ୟୁ କ’ଣ, ଆତ୍ମହତ୍ୟା କ’ଣ ? ଆହା । ସବୁଦିନେ ମୁଁ ସେମିତି ଛୋଟ ଛୁଆଟିଏ ହୋଇ ଥାଆନ୍ତି କି-। ଭଲ ମନ୍ଦ, ସୁଖ ଦୁଃଖ, ପାପ ପୁଣ୍ୟ କିଛି ଜଣା ନ ଥାନ୍ତା । ହସି ଖେଳି ନାଚି କୁଦି ଦିନଗୁଡ଼ାକ କଟି ଯାଉଥାନ୍ତା । ଆହା । ସେ ଭାଗ୍ୟ ମୋର କାହିଁ ? ଯଦିଓ ଭାଗ୍ୟ ଉପରେ ମୋର ବିଶ୍ୱାସ ନାହିଁ, ତଥାପି ଭାଗ୍ୟ ପ୍ରତି ମନର କୋଣ ଅନୁକୋଣରେ କେମିତି ଟିକିଏ ଦୁର୍ବଳତା ରହିଯାଇଛି । ଭାଗ୍ୟ ଏକ ଆପେକ୍ଷିକ କାଳ୍ପନିକ ଗମ୍ଭୀର ଶବ୍ଦ । ଭାଗ୍ୟ ଉପରେ ଭରସା କରି ମଣିଷ ବଞ୍ଚି ପାରେନା-। ଭାଗ୍ୟ ଯଦି ଗୋଟାଏ ପଦାର୍ଥ ହୋଇଥାନ୍ତା, ମୁଁ ତାକୁ ଲୁହା ସିନ୍ଦୁକରେ ତାଲା ପକେଇ ରଖିଥାନ୍ତି-। ଯଦି ପାରି ନ ଥାନ୍ତି, ଛେଚି କଚାଡ଼ି ନଷ୍ଟ କରି ଦେଇଥାନ୍ତି ।

ମୋ ବାପା କିଏ ? ମା’ କିଏ ? ମୁଁ ଜାଣେନା । ନର୍ଦ୍ଦମାରେ ଫୋପାଡ଼ି ଦେଇ ମୋ ମା’ ନିଜକୁ ସତୀ ସାବିତ୍ରୀ ବୋଲି ଘୋଷଣା କରିଥିବେ ଏବଂ ବାପା ସତ୍ୟବାନ, ଚରିତ୍ରବାନ, ଭଦ୍ରଲୋକ ବୋଲି ପରିଚିତ ହୋଇଥିବେ । କିନ୍ତୁ ମୁଁ ? ମୁଁ ହେଲି ଚରିତ୍ରହୀନ ଚରିତ୍ରହୀନାର ପୁଅ ।

 

ନର୍ଦ୍ଦମାରେ ପରିତ୍ୟକ୍ତ ସଦ୍ୟୋଜାତ ଶିଶୁଟିକୁ ଦେଖି କେତେ ଦର୍ଶକ ବିଦ୍ରୂପ କରି କେତେ ମନ୍ତବ୍ୟ ପ୍ରକାଶ କରି ନ ଥିବେ । ସତେ ଯେମିତି ମୋର ସେସବୁ ମନେ ଅଛି, ଏବେ ବି ଶୁଣାଯାଉଛି ସେ ବିଦ୍ରୂପ । ମୋ କର୍ଣ୍ଣ କୁହରକୁ ବିଦୀର୍ଣ୍ଣ କରି ପକାଉଛି । ସେ ଯନ୍ତ୍ରଣାଦାୟକ ଆତ୍ମପରିଚୟ । ଯେତିକି ଭୁଲିଯିବାକୁ ଚେଷ୍ଟା କରୁଛି, ସେତିକି ସେତିକି ମନେ ପଡ଼ିଯାଉଛି ।

 

ମୁଁ ତ ଜାଣି ନ ଥିଲି ସେ ଦିନର ଘଟଣା । ଶୁଣିଥିଲି ସୁରେନ୍ଦ୍ର ପଣ୍ଡାଙ୍କଠାରୁ । ବରଂ ମୋର ସେ ନଗ୍ନ ହୃଦୟ ବିଦାରକ କରୁଣ ଜନ୍ମ ଇତିହାସ ନ ଜାଣିଥିଲେ ଭଲ ହୋଇଥାନ୍ତା । ଶୁଣିସାରି ମୁଁ ଅସମ୍ଭବ ଭାବରେ ଉତ୍ତେଜିତ ହୋଇ କାନ୍ଦି ପକାଇଲି, ମୁଁ ଜଣେ ବେଶ୍ୟାର ପୁଅ ? ଜଣେ ଚରିତ୍ରହୀନର ପୁଅ । ଏତିକି ମାତ୍ର ମୋର ପରିଚୟ । ମୁଁ ଯଦି ସେମାନଙ୍କୁ ପାଆନ୍ତି ନା...

 

ଜାଣେନା ଏତେଟା ଉତ୍ତ୍ୟକ୍ତ, ଭାବପ୍ରବଣ ହେବା ଉଚିତ ଥିଲା କି ନା । ମୋର ତଥାକଥିତ ବାପା (ସୁରେନ୍ଦ୍ର ପଣ୍ଡା) ମତେ ଛାତିରେ ଜାକି ଧରି କାନ୍ଦି ପକାଇ କହିଲେ- ନା, ତୁ ମୋ ପୁଅ ।

 

କିନ୍ତୁ ମୁଁ । ମୁଁ କାହାର ହୋଇ ପାରିଲିନି, ମୋର ବି କେହି ହୋଇ ପାରିଲେନି । ଏତେ ବଡ଼ ସଂସାରରେ ମୁଁ ଏକା । ଏତେ କୋଳାହଳ ମୋ ପାଇଁ ଶୂନ୍ୟ । ଶୂନ୍ୟତାର ନିଃଶବ୍ଦ ବିଦ୍ରୂପରେ ଅତିଷ୍ଠ ହୋଇ ହାହାକାର କରିବା ଛଡ଼ା ଆଉ ଉପାୟ କ’ଣ ?

 

କିଏ ଅଛି ଯେ ମୋ କଥା ବୁଝିବ ? ସମସ୍ତେ ଥାଇ ବି କେହି ନାହାଁନ୍ତି । ସ୍ତ୍ରୀ ବୋଲି ଯାହାର ହାତ ଧରି ଅଗ୍ନିକୁ ସାକ୍ଷୀରଖି ବାହାହୋଇ ଘରକୁ ଆଣିଥିଲି ସେ ମତେ ପର କରିଦେଇଗଲା । ସେ ଛାଡ଼ପତ୍ର ଦେଇଦେଲା ବୋଲି ମୁଁ ଦୁଃଖ କରୁନି, ଦୁଃଖ କରୁଛି ଏଇଥିପାଇଁ ଯେ ସେ ମୋ ବିରୁଦ୍ଧରେ, ମୋ ଚରିତ୍ର ବିରୁଦ୍ଧରେ, ମୋ ପୌରୁଷ ବିରୁଦ୍ଧରେ ଏବଂ ମୋ ବଂଶ ପରମ୍ପରା ବିରୁଦ୍ଧରେ ବିଷୋଦ୍‌ଗାର କରି ଆକ୍ଷେପ କରି ଚାଲିଗଲା । ନିଜ ରକ୍ତରେ ଜନ୍ମିତ ପୁତ୍ର ଅଧ୍ୟାପକ ଚାକିରି ପାଇଲା ପରେ ଏବେ ସହରରେ । ବାପ ପାଖକୁ ଦୟାକରି ଟଙ୍କା କେଇଟା ପଠେଇବା ଦୂରେ ଥାଉ ଭଲମନ୍ଦ ବୁଝିବା ପାଇଁ ଗାଁକୁ ଥରେ ଅଧେ ଆସିବା ଦୂରେ ଥାଉ ଚିଠି ଖଣ୍ଡେ ସୁଦ୍ଧା ଦେଉନି ଦୀର୍ଘ ଦୁଇ ବର୍ଷ ହେଲା ଶୁଣୁଛି ସେ ଏବେ କୁଆଡ଼େ ନିଶା ଦେବୀଙ୍କର ପରମ ଭକ୍ତ ହେଲାଣି । ଆଉ ଝିଅ ତନିମା କଥା ନ କହିଲେ ଭଲ । ସାହିର ଜଣେ ବଜାରୀ ଛତରା ବେକାର ଯୁବକ ସାଙ୍ଗରେ ଦିନେ ରାତିରେ ଘରୁ ଲୁଚି କେଉଁଆଡ଼େ ଚାଲିଗଲା । ଆଉ ରହିଛି ମୁଁ, ହରଣ ଅଙ୍କର ଭାଗଶେଷ ଭଳି ।

 

ରାସ୍ତାରେ ଗଲାବେଳେ ସାହି ପଡ଼ିଶାଙ୍କର ଅଙ୍ଗୁଳି ନିର୍ଦ୍ଦେଶ, ମନ୍ତବ୍ୟ ମୋର ଶିରା ପ୍ରଶିରାରେ ଚରିଯାଉଛି । ଶୁଣି ନ ଶୁଣିଲା ପରି, ଜାଣି ନ ଜାଣିଲା ପରି ଯେତେ ଦୂରେଇ ରହିଲେ ବି ମୁଁ ମୋର ମନକୁ ବୁଝେଇ ପାରୁନି । ଆଶ୍ରା ଖୋଜି ଖୋଜି ଯେଉଁ ଡାଳକୁ ହାତ ବଢ଼ାଉଛି ସେ ଡାଳ ଭାଙ୍ଗି ଯାଉଛି । ମୋ ମନର ଭୂତ ମୋ ଉପରେ ମାଡ଼ି ବସୁଛି, ରକ୍ତ ପିଇ ଯାଉଛି । ଦେହର ମାଂସଗୁଡ଼ାକ ହାଡ଼ରୁ ଅଲଗା ହୋଇ ଝଡ଼ି ପଡ଼ିଲା ପରି ମନେ ହେଉଛି । ବାକ୍‌ଶକ୍ତି ଲୋପ ପାଇଗଲା ପରି ବୋଧହେଉଛି ।

 

ମୁଁ କ’ଣ ପାଗଳ ହୋଇଗଲିଣି । ହିତାହିତ ଜ୍ଞାନ, ସ୍ଥାନ କାଳ ପାତ୍ର ଜ୍ଞାନ ଭୁଲି ଯାଉଛି ।

 

ଡାକ୍ତର ସାଜି ନିଜକୁ ପରୀକ୍ଷା କରିନେଲି । ନା, ଏଟା ଏକପ୍ରକାର ମାନସିକ ବ୍ୟାଧି । କେବଳ ମୁଁ ପାଗଳ ନୁହେଁ, ଏ ଦୁନିଆଁରେ ସମସ୍ତେ ପାଗଳ । ପାଗଳ ବୋଲି ତ ସମସ୍ତେ ବଞ୍ଚି ରହିଛନ୍ତି । ବଞ୍ଚି ରହିବା ପାଇଁ ପାଗଳ ହେବାକୁ ପଡ଼ିବ ।

 

କବାଟରେ ଠକ୍ ଠକ୍ ଶବ୍ଦ । ଠିକ୍ ଯେମିତି ମୋ ମୁଣ୍ଡକୁ କିଏ ହାତୁଡ଼ିରେ ପିଟୁଛି । ଅନିଚ୍ଛା ସତ୍ତ୍ୱେ କବାଟ ଖୋଲିଲି । ଅଫିସ ଡ୍ରାଇଭର୍ ଆସିଛି । କହିଲା, ସାହେବ ପଠେଇଛନ୍ତି, ଜଗନ୍ନାଥପୁର ବନ୍ଧ ଭାଙ୍ଗିଯାଇପାରେ, ଚଞ୍ଚଳ ଆସନ୍ତୁ । ଆପଣଙ୍କୁ ସାଙ୍ଗରେ ନେଇ ସାହେବ ସେଠାକୁ ଯିବେ ।

 

ଅଧାପୋଡ଼ା ସିଗାରେଟ୍‌ଟା ଫୋପାଡ଼ି ଦେଇ ପାଦରେ ଦଳି ଦେଲି । ସାହେବ ? ହୁଁ, ଗୋରା ସାହେବ ଗଲାପରେ ଏ କଳା ସାହେବମାନଙ୍କ ଦୌରାତ୍ମ୍ୟ ଆଉ ସହି ହେଉନି । ଏମାନଙ୍କର କିଛି ଗୋଟାଏ ସମୟ ଜ୍ଞାନ ନାହିଁ । ଅଫିସରୁ ଫେରୁ ଫେରୁ ପୁଣି ତାଗିଦା ଆସିଗଲା-। ମୁଁ ସେଠାକୁ ଯାଇ କ’ଣ କରିବି ? ବନ୍ଧ ଭାଙ୍ଗିଲେ ଭାଙ୍ଗୁ, ଲୋକେ ମଲେ ମରନ୍ତୁ । କିଛି ଲୋକ ମଲେ ତ ଦେଶର ଲୋକସଂଖ୍ୟା କମିବ, ଖାଦ୍ୟ ସମସ୍ୟାର କିଛିଟା ସମାଧାନ ହେବ-। ଶଳା....ଅଡ଼ର୍ ପଠେଇ ଦେଲା, ମୋର ଆଉ କିଛି କାମ ନାହିଁ ଯେମିତି । ଅପିସରଙ୍କ ତେପନ ପୁରୁଷ ଓଝାଳି ଘରେ ଚାବି ପକେଇ ଜିପ୍‌ରେ ଉଠିଲି । ଅଫିସରଙ୍କୁ ମନେ ମନେ ଗାଳି କରିବା ଅଥଚ ଜୀ ହଜୁର କହି ତାଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ଆମମାନଙ୍କର ଦେହସୁହା ହୋଇଗଲାଣି ।

 

ଜଗନ୍ନାଥପୁରରେ ଜିପ୍ ରଖି ସେଠାରୁ ଡଙ୍ଗାରେ ଯିବାକୁ ହେଲା । ତଳେ ଅକାତ କାତ ପାଣି । ଉପରୁ ମୂଷଳ ଧାରରେ ବର୍ଷା । କୋଉ ମୁହୂର୍ତ୍ତରେ ଯେ ଡଙ୍ଗା ଓଲଟି ପଡ଼ିବ ତା’ର ଠିକ୍ ଠିକଣା ନାହିଁ । ଏଇ ତ ଜୀବନ, ଏଇତ ଚାକିରି । ଚାକିରି କରିନି ଯେ ମୁଣ୍ଡ ବିକି ଦେଇଛି । ଉପରୁ ଯାହା ନିର୍ଦ୍ଦେଶ ଆସିବ ମାନିବାକୁ ବାଧ୍ୟ ।

 

କୌଣସି ପ୍ରକାରେ ଜଗନ୍ନାଥପୁର ବନ୍ଧଠାରୁ ଦୁଇ ଫର୍ଲଙ୍ଗ ଦୂରରେ ଥିବା ଗୋଟିଏ ଛୋଟ ମୁଣ୍ଡିଆ ଉପରେ ଓହ୍ଲେଇଲୁ । ଜଗନ୍ନାଥ ବନ୍ଧର ଜଳପତନ ବିପଦ ସଙ୍କେତ ଟପି ଗଲାଣି । ତାକୁ ରକ୍ଷା କରିବା ଯେ ଅସମ୍ଭବ, ଏକଥା ମୁଁ ନିଶ୍ଚିତ ଭାବରେ ଜାଣି ପାରିଥିଲି, କିନ୍ତୁ ଚେଷ୍ଟା କରିବାକୁ ହିଁ ହେବ । ମନ୍ତ୍ରୀ, କଲେକ୍‌ଟରଙ୍କଠାରୁ ଆରମ୍ଭ କରି ଆମ ସାନ ବାବୁଙ୍କ ପର୍ଯ୍ୟନ୍ତ ସମସ୍ତେ ନିର୍ଦ୍ଦେଶ ଦେବାରେ ଲାଗିଛନ୍ତି । ଅସଲ କାର୍ଯ୍ୟକ୍ଷେତ୍ରକୁ ଯାଇ ସାହାଯ୍ୟ କରିବାରେ ସାହସ କାହାର ନାହିଁ । କହିବା କରିବା ଦୁଇଟା କଥା । କହିବା ଭାରି ସହଜ କିନ୍ତୁ ଯିଏ କରେ ସିଏ ବୁଝେ କରିବା କେଡ଼େ କଷ୍ଟ ।

 

ଲଞ୍ଚରେ ବାଲି ବସ୍ତା ଆସିଲା । ବନ୍ଧରେ ଶହ ଶହ ବାଲି ବସ୍ତା ପଡ଼ିଲା । ଜଗନ୍ନାଥ ବନ୍ଧକୁ ରକ୍ଷା କରିବାକୁ ଯଥାସାଧ୍ୟ ଉଦ୍ୟମ କରାଗଲା ।

 

ହଠାତ୍ ଆମେ ଠିଆ ହୋଇଥିବା ମୁଣ୍ଡିଆର ବାଁ ପଟକୁ ମୋର ଦୃଷ୍ଟି ପଡ଼ିଲା । ଛପର ଘରଟା ଉପରେ ଛୋଟିଆ ପରିବାରଟିଏ ମୃତ୍ୟୁକୁ ଅପେକ୍ଷା କରିଛନ୍ତି । ଘରଟି ଅଧାଅଧି ବୁଡ଼ି ଯାଇଛି । ଘରର ବାଉଁଶଗୁଡ଼ିକ ଦାନ୍ତ ଦେଖେଇ ଖତେଇ ହେଲାପରି ଦିଶୁଛି । ସେଇ ପୁରୁଣା ବାଉଁଶଗୁଡ଼ିକ ଉପରେ ଭାରା ଦେଇ ନିରୂପାୟ ହୋଇ ବସିଛି ଜଣେ ମଧ୍ୟବୟସ୍କ ହୃଷ୍ଟପୁଷ୍ଟ ଲୋକ । ତା’ ପାଖରେ ତା’ର ସ୍ତ୍ରୀ ଏବଂ ପୁଅ ନିଶ୍ଚୟ । ସମସ୍ତଙ୍କ ମୁହଁ ମଳିନ । ମଝିରେ ମଝିରେ ପରସ୍ପର ଭିତରେ କ’ଣ ଆଲୋଚନା କରୁଛନ୍ତି ।

 

ବର୍ଷା ସାମାନ୍ୟ କମିଛି; କିନ୍ତୁ ନିକଟ ଭବିଷ୍ୟତରେ ପାଣି କମିବାର କୌଣସି ସୂଚନା ମିଳୁନି ।

 

ମନେ ହେଉଛି ସେଇ ଛୋଟିଆ ପରିବାରଟି ଯେ କୌଣସି ମୁହୂର୍ତ୍ତରେ ପାଣି ସୁଅରେ ଭାସିଯିବ । ସେଇ ପୁରୁଣା ବାଉଁଶ କେଇଟା କେତେ ସମୟ ମାଟିକୁ ଜାବୁଡ଼ି ଠିଆ ହେବ ?

 

ଲୋକଟି ଶୁଷ୍କ ଆଖିରେ ଆକାଶକୁ ଚାହିଁଲା । ହାତ ଟେକି ନମସ୍କାର କରି କ’ଣ ଗୁଡ଼ାଏ କହି ଯାଉଛି । ନିଶ୍ଚୟ ଠାକୁରଙ୍କୁ ଡାକୁଛି ।

 

ମତେ ହସ ମାଡ଼ିଲା । ଏଇକ୍ଷଣି ଯେମିତି ଭଗବାନ ଗରୁଡ଼ ବାହନ ଉପରେ ବସି ଉଡ଼ି ଆସିବେ ଏବଂ ସେମାନଙ୍କୁ ଗରୁଡ଼ ପିଠିରେ ବସାଇ ସ୍ୱର୍ଗକୁ ନେଇଯିବେ । କି ବୋକା ଲୋକଗୁଡ଼ାକ । ସାଧାରଣଜ୍ଞାନ ଟିକିଏ ବି ନାହିଁ । ଅନ୍ଧ ବିଶ୍ୱାସ ସେମାନଙ୍କ ଦେହସାରା ଚରିଯାଇଛି-। ସୁଖରେ ଥିଲାବେଳେ ଭୁଲ୍‌ରେ ସୁଦ୍ଧା ଭାଗବାନଙ୍କ ନାଁ ଧରିବେନି, ଅଥଚ ଦୁଃଖରେ ପଡ଼ିଲେ କାକୁତି ମିନତି ହୋଇ ‘ଭଗବାନ ଭଗବାନ ରକ୍ଷାକର’ ବୋଲି ଗୁହାରି କରିବେ ।

 

ଭାଗ୍ୟ ପାଖରେ ନିଜକୁ ସମର୍ପଣ କରିଦେବେ, ବିପଦର ମୁକାବିଲା କରିବାକୁ ସାମାନ୍ୟତମ ଚେଷ୍ଟା ମଧ୍ୟ କରିବେନି । ସେଇଥିପାଇଁ ତ ଆମେ ପଛେଇଛୁ । କିଛି ଗୋଟାଏ ଆଖିଦୃଷ୍ଟିଆ କଷ୍ଟସାଧ୍ୟ କାମ କରି ପାରୁନୁ । ନିଜେ ଚେଷ୍ଟା ନ କଲେ କ’ଣ ଭଗବାନ କରିଦେବେ ? ଭଗବାନଙ୍କର କ’ଣ ଆଉ କିଛି କାମ ନାହିଁ ? ଭଗବାନ ଅଛନ୍ତି ତ ? କାହାନ୍ତି ? କେଉଁଠି ଅଛନ୍ତି ? ମନ୍ଦିର ମସ୍‌ଜିଦ୍ ଗୀର୍ଜାରେ ? ହିରଣ୍ୟର ସ୍ତମ୍ଭରେ ? ସ୍ୱର୍ଗରେ ? କେଉଁଠି ତାଙ୍କର ବାସ ? କ’ଣ ତାଙ୍କର ଠିକଣା ? କିଏ ଦେଖିଛି ତାଙ୍କୁ ? କେତେ ଦେବାଳୟ ମାଟିରେ ମିଶି ଗଲାଣି, କେତେ ଠାକୁର ମୂର୍ତ୍ତି ଧ୍ୱଂସ ହୋଇଗଲାଣି । ଭଗବାନ ନିଜକୁ ତ ରକ୍ଷା କରି ପାରୁନାହାନ୍ତି, ସିଏ ଅନ୍ୟକଥା ବୁଝିବେ ? ଅନ୍ୟକୁ ଦୁଃଖ ବିପଦରୁ ରକ୍ଷା କରିପାରିବେ ? ବହୁ ଲୋକଙ୍କ ସହିତ ମୋର ଏ ବିଷୟରେ ଯୁକ୍ତି ହୋଇଛି । ସମସ୍ତେ ସେଇ ଗୋଟାଏ କଥା କହିଛନ୍ତି, ‘ବିଶ୍ୱାସେ ମିଳଇ ହରି ତର୍କେ ବହୂଦୂର ।’

 

ଈଶ୍ୱରଙ୍କ ସମ୍ପର୍କରେ ମୋର କୌଣସି ନିର୍ଦ୍ଦିଷ୍ଟ ଧାରଣା ନାହିଁ । ଈଶ୍ୱରଙ୍କ ପରିଚୟ ମୋ ପରିଚୟ ଭଳି ଅବୋଧ୍ୟ ନୁହେଁକି ? ମୁଁ ଜାଣେନା ମୁଁ ଆସ୍ତିକ କି ନାସ୍ତିକ । ମୁଁ ସେ କଥା କେବେ ଭଲଭାବରେ ଚିନ୍ତା କରିନି, କୌଣସି ସିଦ୍ଧାନ୍ତରେ ପହଂଚିବା ପାଇଁ ବି ଚେଷ୍ଟା କରିନି । ମନ୍ଦିର, ଗୀର୍ଜା, ମସ୍‌ଜିଦ୍‌ ସବୁଠିକି ମୁଁ ଯାଇଛି; କିନ୍ତୁ ମୋର ଚିର ଆକାଂକ୍ଷିତ ‘ଶାନ୍ତି’ ଟିକୁ କୋଉଠି ପାଇନି । ‘ଶାନ୍ତି’ ମୋ ପାଖରେ ଅଭିଧାନର ଏକ ଅବୋଧ୍ୟ ଶବ୍ଦ ମାତ୍ର । ତା’ର ସଂଜ୍ଞା ମଧ୍ୟ ମୋ ପାଖରେ ଅର୍ଥହୀନ । ତେବେ ଏତିକି କହିଲେ ଯଥେଷ୍ଟ ହେବ ମୁଁ କୌଣସି ନିର୍ଦ୍ଦିଷ୍ଟ ଧର୍ମ ଧାରଣାର ଶିକାର ହେବାକୁ ଚାହେଁନା, କର୍ମ ହିଁ ମୋର ଧର୍ମ ।

 

ପୁଣି ମୋର ଦୃଷ୍ଟି ସେଇ ପରିବାର ଉପରେ କେନ୍ଦ୍ରୀଭୂତ ହେଲା । ବିଚରା ପରିବାରଟି ନିଶ୍ଚିହ୍ନ ହୋଇଯିବ ଆଉ ଅଳ୍ପ କେତୋଟି ମୁହୂର୍ତ୍ତ ପରେ । ମୁଁ ଲଞ୍ଚ ଡ୍ରାଇଭରକୁ ପାଟିକରି କହିଲି, ଚଞ୍ଚଳ ଯାଅ ସେମାନଙ୍କୁ ଉଦ୍ଧାର କର । ଲଞ୍ଚ ଡ୍ରାଇଭର ଆଦୌ ରାଜି ହେଲାନି ସେମାନଙ୍କ ପାଖକୁ ଯିବାକୁ । କାରଣ ଯେକୌଣସି ମୁହୂର୍ତ୍ତରେ ବନ୍ଧ ଭାଙ୍ଗି ପାଣି ମାଡ଼ି ଆସିବ । ଜୀବନକୁ କାହାର ଲୋଭ ନାହିଁ ?

 

ହଠାତ୍ ପରିସ୍ଥିତି ବଦଳି ଗଲା । ମୋର ସମସ୍ତ ଧାରଣା ଏବଂ ଆଶଙ୍କାକୁ ବିପର୍ଯ୍ୟସ୍ତ କରିଦେଲା ସେଇ ଘଟଣା । ଏତେ କମ୍ ସମୟ ଭିତରେ ଏତେ ସହଜ ଭାବରେ ଏତେ ବଡ଼ ଘଟଣା ଘଟିଯିବ ବୋଲି ମୁଁ କଳ୍ପନା ସୁଦ୍ଧା କରିପାରୁ ନ ଥିଲି ।

 

ଲୋକଟି ହଠାତ୍ ପାଣି ଭିତରକୁ ଲମ୍ପ ପ୍ରଦାନ କଲା । ମହିଳା ଜଣକ ତା’ର ଅଣ୍ଟାକୁ ଜାବୁଡ଼ି ଧରିଲା । ଲୋକଟି କିଛି କ୍ଷଣ ଛାଟିପିଟି ହୋଇ ପାଣିରେ ଗୋଡ଼ହାତ ବାଡ଼େଇଲା ପରେ ହାଲିଆ ହୋଇଗଲା । ପର ମୁହୂର୍ତ୍ତରେ ପୁରୁଷଟି ଜୋର ଜବରଦସ୍ତ ତା’ ଅଣ୍ଟାରୁ ମହିଳାଟିର ହାତଟା ଛଡ଼େଇ ଦେଇ ପହଁରିବାକୁ ଉଦ୍ୟତ ହେଲାବେଳେ ଦଶ ବାର ବର୍ଷର ବାଳକଟା (ତା’ ପୁଅ ବୋଧହୁଏ) ଲୋକଟିର ଗୋଡ଼କୁ ଜାବୁଡ଼ି ଧରିଲା । ଲୋକଟି ଏଥର ମଧ୍ୟ ନିଷ୍ଠୁର ଭାବରେ ପିଲାଟିକୁ ପାଣି ଭିତରକୁ ଠେଲିଦେଲା । ଦେଖୁ ଦେଖୁ ମହିଳା ଏବଂ ବାଳକ ଉଭୟଙ୍କର ସତ୍ତା କୁଆଡ଼େ ଲୀନ ହୋଇଗଲା । ସେ ଅକାତ କାତ ବଢ଼ିପାଣି ଭିତରେ ସେ ଦୁଇଜଣଙ୍କର ଜୀବନଦୀପ ଦପ୍ କରି ଲିଭିଗଲା । କିନ୍ତୁ ଲୋକଟି କଷ୍ଟେମଷ୍ଟେ କୌଣସି ପ୍ରକାରେ ପହଁରି ପହଁରି ଆସି ଆମେ ଥିବା ମୁଣ୍ଡିଆରେ ପହଂଚିଲା ।

 

ଆମେ ସମସ୍ତେ ତା’ ପାଖକୁ ଦୌଡ଼ିଗଲୁ । ସେ ଦୁଇ ତିନି ଢୋକ ପାଣି ପିଇ ଦେଇଥିଲା । ଏତେ ବାଟ ପାଣିରେ ପହଁରି ପହଁରି ହାଲିଆ ହୋଇ ଯାଇଥିଲା । ତା’ ପାଟି ଏବଂ ନାକପୁଡ଼ା ଦେଇ ଘନଘନ ନିଃଶ୍ୱାସ ପ୍ରଶ୍ୱାସ ଯାତାୟତ କରୁଥିଲା । ସେ ଧକେଇ ଧକେଇ ଆହା ଉହୁ ହୋଇ ଆମର ସାହାଯ୍ୟ ଭିକ୍ଷା କରୁଥିଲା । ମୁଁ ଦୁଇଟା ପାଚିଲା କଦଳୀ ଏବଂ କିଛି ବିସ୍କୁଟ ଖାଇବାକୁ ଦେଲି । ଓଦା ଲୁଗାଟା ବଦଳେଇ ଦେବା ପାଇଁ ତଉଲିଆଟା ତା’ ହାତକୁ ବଢ଼େଇ ଦେଲି-

 

ମୁଁ କିନ୍ତୁ ମୋର କୌତୂହଳକୁ ଆଉ ବେଶି ସମୟ ଚାପି ରଖି ପାରିଲିନି । ପଚାରିଦେଲି, ଆଚ୍ଛା, ତୁମେ ତୁମର ସ୍ତ୍ରୀ ଏବଂ ପୁଅକୁ ପାଣି ଭିତରକୁ ଠେଲିଦେଲ କାହିଁକି ?

 

ସେ ଏଭଳି ପ୍ରଶ୍ନ ପାଇଁ ଆଦୌ ପ୍ରସ୍ତୁତ ନ ଥିଲା । ସେ ଅଳ୍ପ ସମୟ ପୂର୍ବେ ଯାହା କରିଛି ତାହା ଆଉ କେହି ଦେଖିଛି ଏ ଧାରଣା ତା’ର ନ ଥିଲା । ମୋ ପ୍ରଶ୍ନ ଶୁଣି ସେ ପ୍ରଥମେ ଘାବରେଇ ଗଲା । ଆଶ୍ୱାସନା ଦେବାରୁ ଥଙ୍ଗେଇ ଥଙ୍ଗେଇ କହିଲା, ମତେ କ୍ଷମାକର ବାବୁ, ଆଉ କିଛି ଉପାୟ ନ ଥିଲା । ମତେ ଭଲ ଭାବରେ ପହଁରା ଜଣାନାହିଁ । ମୁଁ ସେମାନଙ୍କୁ ସାଙ୍ଗରେ ଧରି କଦାପି ପହଁରି ପହିଁରି ଆସିପାରି ନ ଥାନ୍ତି । ସେମାନେ ମୋ ସାଙ୍ଗରେ ଆସିବାକୁ ମତେ ଜୋରଜବରଦସ୍ତ ଜାବୁଡ଼ି ଧରିଲେ । ମୋ ନିଜ ଜୀବନ ବଂଚେଇବାକୁ ବାଧ୍ୟ ହୋଇ ସେମାନଙ୍କୁ ପାଣିକୁ ଠେଲି ଦେଲି । ତା’ ନ ହୋଇଥିଲେ ମୁଁ ରକ୍ଷା ପାଇପାରି ନଥାନ୍ତି । ମୁଁ ଆପଣଙ୍କ ଗୋଡ଼ ଧରୁଛି । ମତେ କ୍ଷମା କରନ୍ତୁ । ମୁଁ....

 

ସେ ଏକା ନିଃଶ୍ୱାସରେ କହି ଯାଉଥିଲା । ହଠାତ୍ ଗୋଟାଏ ବିରାଟ ଶବ୍ଦ ଶୁଣାଗଲା । ତା’ କଥାରେ ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ମୁଁ ମୁହୂର୍ତ୍ତକ ପାଇଁ ବିଚଳିତ ହୋଇପଡ଼ି ପୁଣି ପ୍ରକୃତିସ୍ଥ ହେଲି-

 

ଜଗନ୍ନାଥ ବନ୍ଧ ଭାଙ୍ଗି ସମୁଦ୍ର ଭଳି ପାଣି ମାଡ଼ି ଆସିଲା । କେତେ ମଣିଷ, ଗୋରୁଗାଈ, ଗଛଲତା, ଘର ଦ୍ୱାର ଭସେଇ ନେଲା ତା’ର ହିସାବ ନାହିଁ । ସେଇ ଛୋଟିଆ କୁଡ଼ିଆଟି ମଧ୍ୟ ଆତ୍ମ ବିସର୍ଜନ କଲା । ଅଳ୍ପ ସମୟର ବ୍ୟବଧାନ ଭିତରେ କେତେ ବଡ଼ ଘଟଣା ଘଟିଗଲା । ମଣିଷ କି ଠାକୁର କେହି ରକ୍ଷା କରି ପାରିଲେନି ।

 

ଛୋଟ ମୁଣ୍ଡିଆଟି ଉପରେ ଠିଆ ହୋଇ ଆମେ ସମସ୍ତେ ନୀରବ ଦର୍ଶକ ସାଜି ସେହି ଧ୍ୱଂସ ଲୀଳା ଦେଖୁଥିଲୁ । ଚାରିପାଖରେ ଖାଲି ପାଣି ଆଉ ପାଣି ।

 

ମତେ ଭାରି ଖୁସି ଲାଗୁଥିଲା । ତା’ର କାରଣ କ’ଣ ମୁଁ କହି ପାରିବିନି । ଆଶ୍ୱସ୍ତିର ନିଃଶ୍ୱାସ ମାରି ମୁଁ ସିଗାରେଟରେ ନିଆଁ ଧରେଇଲି । ରୋମ ସମ୍ରାଟଙ୍କ ପରି ମୋ ପାଖରେ ଭାଓଲିନଟାଏ ଥାଆନ୍ତାକି । ମୋର ମନେହେଲା ମୁଁ ଯେମିତି ପ୍ରାଗୈତିହାସିକ ଯୁଗର ବଣ ମଣିଷ ପାଲଟି ଯାଇଛି ଏବଂ ମୋ ମନ ଭିତରେ ପାଶବିକ ହିଂସ୍ରତା ଖୁନ୍ଦି ହୋଇ ଯାଇଛି । ଆଃ....କି ବିଚିତ୍ର ମାନସିକ ଦ୍ୱନ୍ଦ୍ୱ । ମୋ ସମଗ୍ର ସତ୍ତାକୁ ଆନ୍ଦୋଳିତ କରି ପକାଉଛି । ମୁଁ ଯେମିତି ସଂପୂର୍ଣ୍ଣ ପାଗଳ ହୋଇ ଯାଇଛି । ନିଶା ନ ଖାଇ ମଧ୍ୟ ମାତାଲ ହୋଇ ଯାଇଛି । ମୁଁ ମୋ ଭିତରେ ନିଜକୁ ହଜାଇ ବସିଛି । ମୋର ମନେ ହେଉଥିଲା ମୁଁ ଯେମିତି ନିଜର ଶବକୁ ବ୍ୟବଚ୍ଛେଦ କରି ମୋର ଏକ ନୂତନ ପରିଚୟ ପାଇଛି ।

Image

 

ମମତା, ଏକ ଫୁଲର ନାମ

 

ବାହାରେ କୃପଣର ଦାନ ଭଳି ସାମାନ୍ୟ ଝିପି ଝିପି ବର୍ଷା । ଅଦିନିଆଁ ବର୍ଷା ପାଣି ଶୁଖିଲା ମାଟିରେ ପଡ଼ି କେମିତି ଗୋଟାଏ ଫେଣ୍ଟା-ଫେଣ୍ଟି ବାସ୍ନା ସୃଷ୍ଟି କରୁଛି । ପ୍ରଥମ ବର୍ଷାର ଏ ମାଟିଗନ୍ଧ ଭାରି ଭଲ ଲାଗେ । ଗର୍ଭବତୀ ନାରୀର ଖିଆଲୀ ଇଚ୍ଛା ପରି ଖାଇ ଯିବାକୁ ଇଚ୍ଛା ହୁଏ ସେଇ ମାଟିକୁ ମୁଠା ମୁଠା କରି । ବେଳେବେଳେ ଏଇ ଲଗାମହୀନ ଇଚ୍ଛାମାନଙ୍କୁ ଜବତ କରିବା ସମ୍ଭବ ହୁଏନାହିଁ । ଇଚ୍ଛାମାନେ ଏଣେତେଣେ ମାଡ଼ି ଯାଆନ୍ତି । ମନର ଇଚ୍ଛାମାନଙ୍କୁ ବିବେକ ସଂଯତ କରିବାକୁ ଚେଷ୍ଟା କରେ । ଯେଉଁଠି ବିବେକ ହାରିଯାଏ ସେଇଠୁ ମନର ଆଧିପତ୍ୟ ଆରମ୍ଭ ହୁଏ ।

 

ସେ ପାଖରେ ବର୍ଷା, ଏ ପାଖରେ ଶୈତ୍ୟର ଲଘୁଚାପ । ଝରକାର ପରଦାଟା କୋହଲା ପବନକୁ ଅଟକାଇବାକୁ ସକ୍ଷମ ହେଉନି । ନିଃସହାୟ ଭାବରେ ଦୋଦୁଲ୍ୟମାନ ହେଉଥିବା ସେ ପରଦାଟାକୁ ଠେଲି ପବନ ଘର ଭିତରେ ପଶି ମୋ ଦେହରେ ପ୍ରତିକ୍ରିୟା ସୃଷ୍ଟି କରୁଛି । ମୁଁ ଥଣ୍ଡାକୁ ଭୟ କରେ ବୋଲି ସେ ବୋଧହୁଏ କୌଣସି ସୂତ୍ରରୁ ଖବର ପାଇ ସାରିଛି । ମୋର କିନ୍ତୁ ମୋ ଉପରେ ଗଭୀର ଆତ୍ମବିଶ୍ୱାସ । ମୁଣ୍ଡର ବାଳଗୁଡ଼ିକୁ ଠିକ୍ ଭାବରେ ସଜାଇ (ଦର୍ପଣ ନ ଦେଖି) ମୁଁ ମୋ ଜୀବନ ଦର୍ଶନକୁ ତାରିଫ କରିବାକୁ ଭାବୁ ଭାବୁ ଅନ୍ୟମନସ୍କ ହୋଇ ପଡ଼ିଲି ।

 

ନାଲି ରଙ୍ଗର ପରଦାଟା ପାଣି ଛିଟିକାରେ ସମ୍ପୂର୍ଣ୍ଣ ଆର୍ଦ୍ର ହୋଇଗଲାଣି । ସେଥିରୁ ଠୋପା ଠୋପା ନାଲି ପାଣି (ପରଦାଟା ରଙ୍ଗ ବଦଳେଇବାକୁ ଆରମ୍ଭ କରିଥିଲା) ଆଈ ମା’ର ଅଭିଶପ୍ତା ଅଭିସାରିକା ରାଜଜେମାର ଲୁହ ଧାର ଭଳି ବୋହି ଯାଉଛି ଝରକା କବାଟରେ । ପରଦାଟା ବାଧ୍ୟ ପ୍ରେମିକା ଭଳି ନିଜର ସମସ୍ତ ସତ୍ତାକୁ ଅକୁଣ୍ଠିତ ଚିତ୍ତରେ ଝରକା ଦେହରେ ଉତ୍ସର୍ଗ କରିଦେଇ ଝରକାର ଲୋମଶ ଛାତିରେ ମୁଣ୍ଡ ଥାପି ଉଷୁମ ଟାଣୁଛି ଯେମିତି । ପୁଣି କାହିଁକି କେଜାଣି ମୋର ସନ୍ଦେହ ହେଲା, ବୋଧହୁଏ ମଣିଷ ପ୍ରେମରେ ପଡ଼ିଲେ ସନ୍ଦେହୀ ହୋଇଯାଏ । ଏଥର ମୋର କାହିଁକି ମନେହେଲା ଝରକାଟା ପ୍ରେମିକ ନୁହେଁ କି ପରଦାଟା ପ୍ରେମିକା ନୁହେଁ, ଝରକାଟା ଝରକା ଏବଂ ପରଦାଟା ପରଦା । କେବଳ ଆର୍ଦ୍ର ପରଦାଟା ଝରକା ଦେହରେ ନେସି ହୋଇ ଫାଶୀ ଖୁଣ୍ଟର ଖୁଣୀ ଆସାମୀ ଭଳି ଝୁଲୁଛି । ଝୁଲୁଛି ଏଇଥିପାଇଁ, ତା’ର ପ୍ରତିବାଦ କରିବାର ଶକ୍ତି ନାହିଁ ବୋଲି । ବୋଧହୁଏ ଶକ୍ତି ଥିଲେ ନିଶ୍ଚୟ ଝରକା ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥାନ୍ତା । ଆହା....ବିଚରା.... । ଜଡ଼ ପଦାର୍ଥ ବିଶେଷତଃ ଏହି ପରଦାଟା କିନ୍ତୁ ମୋ ଜୀବନର ଅନେକ ସ୍ମୃତି ବହନ କରିଛି । ତା’ ସହିତ ମୋର ସମ୍ପର୍କ ବହୁ ପୁରାତନ । ଆଜି ବର୍ଷା ମାଡ଼ରେ ସେ ସ୍ଖଳିତ ହେଲାବେଳେ ମୋର ମନେ ହେଉଛି ସତେ ଯେମିତି ମୋର ପୁରୁଷତ୍ୱ ପରାଜୟ ସ୍ୱୀକାର କରୁଛି । ସେ ଅକୁହା କାହାଣୀର ପୃଷ୍ଠା ଓଲଟାଇବାକୁ ମୋର ଧୈର୍ଯ୍ୟ ନାହିଁ ।

 

ଏଇ ବର୍ଷା ସଙ୍ଗରେ ଆଣିଛି କେତେ ସ୍ମୃତି । ଆଃ.... ଏ ବର୍ଷା ସତରେ କେଡ଼େ ରୋମାଞ୍ଚକର । ମୋର ବୟସ ହଠାତ୍ କମିଗଲା ପରି ମନେ ହେଉଛି । ମୁଁ ଯେମିତି ବର୍ଷାର ପ୍ରେମରେ ପଡ଼ିଯାଇଛି । ଏ ବର୍ଷା ଦେହ ମନକୁ ଯୌବନର କାଉଁରୀ ପରଶରେ କୁତୁ କୁତୁ କରି ପକାଉଛି । ଇଚ୍ଛା ହେଉଛି ବର୍ଷାରେ ସମ୍ପୂର୍ଣ୍ଣ ଭିଜିଯିବାକୁ । ଆଃ...ବର୍ଷା...ଝରକାଟା ବନ୍ଦ କରିଦେଲେ କେମିତି ହୁଅନ୍ତା ? ମନ୍ଦ ନୁହେଁ । ନିଜ ମନ୍ତବ୍ୟକୁ ନିଜେ ତାରିଫ କରି ମୁଁ ଚୌକି ଛାଡ଼ି ପାଦ ବଢ଼େଇଲି ପରଦାଟା ଆଡ଼କୁ । ଝରକାଟା ବନ୍ଦ କରିବା ପୂର୍ବରୁ ବାହାରକୁ ଅଳ୍ପ ସମୟ ପାଇଁ ଅନେଇବାର ଉତ୍‌କଣ୍ଠାକୁ ମୁଁ କୌଣସି ପ୍ରକାରେ ଦମନ କରି ପାରିଲିନି । ଦାଣ୍ଡ ପିଣ୍ଡାର ଗୋଟାଏ କୋଣରେ ରୁମଉଠା ବୁଲା କୁତୀଟାଏ ଜାକିଜୁକି ହୋଇ ଶୀତରେ ଥରୁଥିଲା । ମଣିଷ ବିଜ୍ଞାନ ବଳରେ ଚନ୍ଦ୍ରରେ ପହଂଚିଲାଣି ଅଥଚ କୁକୁର ଗୁଡ଼ାକ ଆଜିଯାଏ ଆଦିମ ମଣିଷଙ୍କ ଭଳି ଉଲଗ୍ନ ହୋଇ ବୁଲୁଛନ୍ତି । ଶୀତ ସେ ବୋକାମାନଙ୍କୁ ଆକ୍ରମଣ କରିବନି ଆଉ କ’ଣ ଆମମାନଙ୍କୁ ଆକ୍ରମଣ କରିବ ?

 

ବର୍ଷା ଲାଗି ରହିଥିଲା ।

 

କାଳେ ମୋର ବାରଣ୍ଡାଟାରେ ମଳମୂତ୍ର ପରିତ୍ୟାଗ କରିଦେବ ସେଇ ଭୟରେ କୁତୀଟାକୁ ତଡ଼ି ଦେବାକୁ ଇଚ୍ଛା ହେଉଥିଲା । କିନ୍ତୁ ତା’ର ଛୋଟ ଛୋଟ ଛୁଆ ଚାରିଟା ସ୍ତନ୍ୟପାନ ଲାଗି ପ୍ରବଳ ଶୈତ୍ୟ ସତ୍ତ୍ୱେ ଯେମିତି ବିକଳ ଭାବରେ ମା’କୁ ମିନତି କରୁଥିଲେ ତାହା ଦେଖି ମୋ ମନରେ ଦୟା ହେଲା । କାରଣ ମୁଁ ମଣିଷ ଏବଂ ମାଙ୍କଡ଼ଙ୍କର ବଂଶଧର । ଯେହେତୁ କୁତୀକୁ ଶୀତଟା ବାଧୁଥିଲା ସେ ଚାହୁଁଥିଲା ଗୋଟାଏ କୋଣରେ ମୋଡ଼ାମୋଡ଼ି ହୋଇ ଚୁପ୍‌ଚାପ୍ ଶୋଇବାକୁ । କିନ୍ତୁ ଛୁଆଗୁଡ଼ାକ ଚାହୁଁଥିଲେ ସ୍ତନ୍ୟପାନ କରିବାକୁ । କୁତୀଟା ମଝିରେ ମଝିରେ ବିରକ୍ତ ହୋଇ ଖିଙ୍କାରି ଉଠୁଥିଲା ଛୁଆଗୁଡ଼ିକ ଉପରେ । ବୋଧହୁଏ ବର୍ଷା ହେଉ ନ ଥିଲେ ସେ ରାସ୍ତା ଉପରକୁ ବାହାରି ପଡ଼ିଥାନ୍ତା ।

 

କୁକୁରୀ ଏବଂ ତାରି ପରିବାରକୁ ଦେଖି ବାହାରକୁ ଚାହିଁବାର ଉତ୍‌କଣ୍ଠା ମୋର ଦ୍ୱିଗୁଣିତ ହୋଇ ଯାଇଥିଲା ।

 

ହଠାତ୍ ବର୍ଷା ଛାଡ଼ିଗଲା । ଆକାଶ କ୍ରମଶଃ ପରିଷ୍କାର ଦେଖାଗଲା । ମୁଣ୍ଡର ବୋଝ ଓହ୍ଲେଇ ଗଲା ଭଳି ମତେ ହାଲୁକା ଲାଗିଲା । ମନର ବିକ୍ଷିପ୍ତ ଅସଂଯତ ଚିନ୍ତାଗୁଡ଼ାକ କୌଣସି ଏକ କେନ୍ଦ୍ର ବିନ୍ଦୁରେ ହଠାତ୍ ଅଟକିଗଲା । ଛାତରୁ ପଡ଼ୁଥିବା ଟୋପା ଟୋପା ଜଳ ବେସୁରା ବେତାଳିଆ ସଙ୍ଗୀତ ସୃଷ୍ଟିକରି ମତେ ଶୀହରିତ କଲା । ମୋର ସମସ୍ତ ଅବୟବରେ ଯୌବନର ନୂତନ ପୁଲକ ଭରିଦେଲା ଏବଂ ମୁଁ ସେ ଅପୂର୍ବ ଅନୁଭୂତିର ଶିକାର ହୋଇ ନିଜକୁ ହଜାଇ ଦେଲି । କାହିଁକି କେଜାଣି ଗୀତ ଗାଇବାକୁ ମୋର ଅଦମନୀୟ ଇଚ୍ଛା ହେଲା । ହେଁ ହେଁ ହେଁ...ମୁଁ ହସି ପକାଇଲି । କାରଣ ମତେ କା ଗୀତର ଅ ଆ (ସାରେଗାମା କି କ’ଣ) ଆସେନି ସେ କଥା ମନେ ପଡ଼ିଗଲା ।

 

ବର୍ଷା ବି ମଣିଷକୁ ଆନମନା କରିପାରେ ? ମୁଁ ଆଶ୍ଚର୍ଯ୍ୟ ହେଲି ।

 

ମୋ ଘର ସାମନାରେ ମହାନ୍ତି ବାବୁଙ୍କ କୋଠା । ତାଙ୍କ ବଗିଚାର ଆମ୍ବ ପତ୍ରରେ ଲାଖି ରହିଥିବା ଜଳ ବିନ୍ଦୁ ଗୁଡ଼ାକ ସାମାନ୍ୟ ସୂର୍ଯ୍ୟାଲୋକରେ ମଧ୍ୟ ଚିକ୍ ଚିକ୍ କରୁଥିଲା ମୁକ୍ତା ଭଳି (ମୋ ପରି ଜଣେ କିରାଣୀ ପକ୍ଷରେ ମୁକ୍ତାର ସ୍ୱପ୍ନ ଦେଖିବା ଅବାସ୍ତବ ହୋଇପାରେ) ।

 

ମହାନ୍ତି ବାବୁଙ୍କ ଚାକର ଥୋଡ଼ାଏ ଅଇଁଠା ଖଲିପତ୍ର ରାସ୍ତା ଉପରକୁ ଫୋପାଡ଼ି ଦେଲା-। ନାଗରିକର ଦାୟିତ୍ୱ ସମ୍ପର୍କରେ ସଚେତନ ଥିଲେ ସେ କଦାପି ସର୍ବସାଧାରଣଙ୍କ ରାସ୍ତାରେ ଅଇଁଠା ପତ୍ର ଫୋପାଡ଼ି ଅପରିଷ୍କାର କରି ନ ଥାନ୍ତା, ମୋର ହୃଦବୋଧ ହେଲା ।

 

ଅଳ୍ପ କିଛି ସମୟର ବ୍ୟବଧାନ ଭିତରେ ମୋ ଅଲକ୍ଷ୍ୟରେ ଆଉ ଏକ ଘଟଣା ଘଟି ଯାଇଥିଲା । ସେଇଟି ହେଉଛି କୁତୀ ଏବଂ ତା’ର ଚାରୋଟିଯାକ ଛୁଆ ଦୌଡ଼ି ଯାଇଛନ୍ତି ସେ ଅଇଁଠା ପତ୍ର ପାଖକୁ । ତିନୋଟି କାଉ ମଧ୍ୟ ସେ ପତରକୁ ଘେରିଗଲେ । ମାଂସ, ହାଡ଼, ପଲାଉ, କେତେଟା ଖଣ୍ଡିଆ ମିଠା ସେମାନଙ୍କ ଟଣାଟଣିରେ ଦୂରକୁ ଛିଟିକି ପଡ଼ିଲା । ବେଶ୍‌ ମଜା ଲାଗୁଥିଲା ସେ ସଂଦ୍ରଷ୍ଟବ୍ୟ ଦୃଶ୍ୟ । ହଠାତ୍ ସାତ ଆଠ ବର୍ଷର ରୋଗୀଣା ଛୁଆଟାଏ କାହୁଁ ଦୌଡ଼ିଆସି କାଉଗୁଡ଼ିକୁ ହୁରୁଡ଼େଇ ଦେଲା । କୁକୁର ଛୁଆଗୁଡ଼ିକ ଭୟରେ ଚେଁ ଚେଁ ହୋଇ ମା’ ପାଖକୁ ଲାଗିଯାଇ ପିଲାଟାଆଡ଼କୁ କଲବଲ କରି ଅନେଇଲେ । କୁତୀଟା ନିର୍ବିକାର ଭାବରେ ପତରଟାଏ ଚାଟୁଥିଲା । ପୁଅଟା କୁତୀଟା ପାଟିରୁ ପତରଟା ଟାଣିନେଇ ନ’ ଅଙ୍କର ବୁଭୁକ୍ଷୁ ଭଳି ନିଜେ ଚାଟିବାକୁ ଆରମ୍ଭ କଲା । ଆଃ...କି ଆତ୍ମତୃପ୍ତି । କି ଶାନ୍ତି.... ।

 

ସଂସାରରେ ଏତେ ଖାଦ୍ୟ, ଏତେ ଧନ, ଏତେ ଜିନିଷ ଥାଇ ମଧ୍ୟ ସାତ ଆଠ ବର୍ଷ ଛୁଆର ଚାଖଣ୍ଡକର ପେଟଟା ଖାଇବାକୁ ପାଉନି । କୋଟି କୋଟି କୋଠାଘର ମୁଣ୍ଡ ଟେକୁଛି । ବିଜ୍ଞାନ ବଳରେ ବଳୀୟାନ ହୋଇ ମଣିଷ ସବୁ ଅସାଧ୍ୟକୁ ସାଧ୍ୟ କରିପାରୁଛି ବୋଲି ଦାବି କରୁଛି । ପଞ୍ଚବାର୍ଷିକ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ସମାଜବାଦର ଫାଙ୍କା ଡିଣ୍ଡିମ ବଜାଇ ମହାଜନଙ୍କ ଘରେ, ନେତାଙ୍କ ଘରେ, ଟାଉଟରଙ୍କ ଘରେ, ଅଫିସରଙ୍କ ଘରେ ଏବଂ ବ୍ୟାଙ୍କରେ ତାଡ଼ା ତାଡ଼ା ନୋଟ ଥାକ ମରାହୋଇ ରହୁଛି ଅଥଚ ଏ ପିଲାଟି କି ପାପ କରିଛି ? ତା’ ଭାଗ୍ୟରେ ଏ ବିଡ଼ମ୍ବନା କାହିଁକି ? ଭଗବାନଙ୍କର ଏ କି ବିଚାର ? ଭଗବାନ ? କାହାଁନ୍ତି ସେ ଭଗବାନ ? ମିଛ, ମିଛ, ସବୁ ମିଛ । ଭଗବାନ ବୋଲି କିଛି ନାହିଁ, କେହି ନାହିଁ, ସବୁ ଖାଲି ମାୟା, ଭୁଲ୍‌ ଧାରଣା, ପ୍ରତାରଣା । ଯେଉଁ ଭଗବାନଙ୍କ କଥା ପୁରାଣ କହୁଛି, ବେଦ ବେଦାନ୍ତ କହୁଛି, ରାମାୟଣ ମହାଭାରତ କହୁଛି, କୋରାନ୍ କହୁଛି, ବାଇବେଲ କହୁଛି କାହାଁନ୍ତି ସେ ଭଗବାନ ? କିଏ ଦେଖିଛି ସେ ଭଗବାନଙ୍କୁ ? କିଏ ତାଙ୍କର ସାନ୍ନିଧ୍ୟ ଲାଭ କରିଛି ? ଖାଲି ମିଛ, ପ୍ରବଞ୍ଚନା । ସବୁ କାଳ୍ପନିକ କାହାଣୀ । ଏବେ ମଣିଷ ସେଇ ତଥାକଥିତ ଭଗବାନଙ୍କୁ ଟପି ଗଲାଣି । ଏ ମଣିଷ ଚନ୍ଦ୍ରରେ ପହଞ୍ଚିଲାଣି । ଅନ୍ୟ ଗ୍ରହ ନକ୍ଷତ୍ର ମଧ୍ୟ ଜୟ କରିବ । ଏଣିକି ସେଇ ତଥାକଥିତ ଭଗବାନଙ୍କର କୌଣସି ମାୟା, ଯାଦୁକରୀ ପ୍ରଭାବ ମଣିଷ ଉପରେ କାଟୁ କରିବନି, ଓଲଟି ମଣିଷ ତାଙ୍କୁ ଚିତା କାଟିଦେବ । ବୋଧହୁଏ ଭଗବାନ (ଯଦି ଥା’ନ୍ତି) ଏକଥା ଜାଣିପାରି ଆତ୍ମଗୋପନ କରିଛନ୍ତି ।

 

ବାହାରକୁ ଅନେକ ମୁଣ୍ଡକୁ ଭାରାକ୍ରାନ୍ତ କରିବାକୁ ଆଉ ମନ ବଳିଲା ନାହିଁ । ମୋର ଧୈର୍ଯ୍ୟଚ୍ୟୁତି ଘଟିଲା । ସଶବ୍ଦେ ଝରକାଟା ବନ୍ଦ କରିଦେଲି ।

 

ଝରକା ବାହାରର ଦୁଃଖଦାୟକ ଘଟଣାଟା ଭୁଲିବା ପାଇଁ ମୁଁ ମମତା କଥା ମନେ ପକାଇବାକୁ ଚେଷ୍ଟା କଲି । ମମତା, ପଞ୍ଚମ ବାର୍ଷିକ ଓଡ଼ିଆ ବିଭାଗର ଛାତ୍ରୀ ମମତା ଦାସ, ଅଧ୍ୟାପକ ପ୍ରଶାନ୍ତ ଦାସଙ୍କ ଏକମାତ୍ର ଦୁଲାଳୀ ମମତା ଦାସ, ସୁନ୍ଦରୀ ସୁଶ୍ରୀ ତନ୍ୱୀ ମମତା ଦାସ । ବନ ହରିଣୀର ଚଞ୍ଚଳତା ନେଇ ଯିଏ ନାଚିପାରେ, ନଚେଇ ପାରେ, ହସେଇପାରେ, କାନ୍ଦିପାରେ, କନ୍ଦେଇ ପାରେ । ସେଇ ମମତା ଦାସ ମୋ ଜୀବନର ବୃତ୍ତ ଭିତରେ ଏକ ବ୍ୟାସ ହୋଇ ମୋର ଦୁର୍ବଳ ତନ୍ତ୍ରୀ ଗୁଡ଼ିକୁ ରୋମାଞ୍ଚିତ କରୁଛି, ମତେ ଆନମନା କରୁଛି । ମତେ ତା’ର ନିକଟତମ କରିବାକୁ ଚୁମ୍ବକ ପରି ଆକର୍ଷିତ କରୁଛି ।

 

ଜୀବନର ସଂଜ୍ଞା ଜାଣିବାକୁ, ଦେହର ଗନ୍ଧ ଚାଖିବାକୁ, ମନ ସହିତ ମନକୁ ଯୋଡ଼ି ଦୁନିଆଁକୁ ଉପଭୋଗ କରିବାର ଏକ ଅଦ୍‌ଭୁତ କଳାର ଅଧିକାରୀ ହୋଇ ସେ ମତେ ଏକ ଖେଳନା କରିଦେଲାଣି । ମୋ ଦେହରେ ଲାଗିଥିବା ସୂତା ଗୁଡ଼ାକୁ ଧରି ସେ ମତେ ବେଶ୍ ନଚେଇ ପାରୁଛି । ନାଚିବା ବ୍ୟତୀତ ମୋର ଅନ୍ୟ ଗତି ନାହିଁ । ନାଚିବାଟା ମୋର ଧର୍ମ ହେଇଗଲାଣି । ନିର୍ବୋଧ ନାୟକ ଭଳି ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶକୁ ମାନିବାକୁ ମୁଁ ବାଧ୍ୟ ହେଉଛି । ଏଇ ତ ଜୀବନ । ଏଇ ଜୀବନକୁ ମମତା ନୂଆ ରୂପ ଦେଇଛି, ମତେ ଇନ୍ଦ୍ରଧନୁର ରଙ୍ଗରେ ରଙ୍ଗିନ କରି ଉପଭୋଗ କରିବାର କଳା ଶିଖାଇଛି ।

 

ମମତା– । ଏକ ଅଦ୍ଭୁତ ଚରିତ୍ର ।

 

ମୋ କୋଠରୀଟା ସାରା ମମତା, ମମତା ଆଉ ମମତା, ଖାଲି ମମତାମୟ । ପ୍ରତ୍ୟେକ ମମତାଙ୍କ ମୋନାଲିସା ମୁହଁରେ ସେଇ ଗୋଟିଏ ପ୍ରଶ୍ନ, ଉତ୍ତର କାହିଁ ? ମମତା ଚିଠି ଦେଇଥିଲା, ମୁଁ ତା’ର ଉତ୍ତର ଦେଇ ପାରିନି ।

 

କାଗଜ କଲମ ଧରିଲି । ଚୌକିରେ ଭଲ କରି ବସିଲି । ପ୍ରଥମେ ମନକୁ ପରିଷ୍କାର କରିବା କଥା, ମନରୁ ସମସ୍ତ ବିକାର ଏବଂ ଦୁର୍ଭାବନାକୁ ଫୋପାଡ଼ି ଦେଲି । ପ୍ରସ୍ତୁତି ପର୍ବ ସରିଲା । ଏଥର ଚିଠି ଲେଖା ଆରମ୍ଭ କରିବା କଥା ।

 

ଝରକାଟା ସଂପୂର୍ଣ୍ଣ ବନ୍ଦଥିବାରୁ କୋଠରୀରେ ଆଲୋକର ଅଭାବ ଅନୁଭୂତ ହେଲା । ଟେବୁଲ୍ ଲ୍ୟାମ୍ପର ସୁଇଚ୍ ଟିପିଲି । କିନ୍ତୁ ଆଲୋକ କାହିଁ । ବିଜୁଳି ବିଭାଗ କର୍ମଚାରୀଙ୍କୁ ମନେ ମନେ ଗାଳି ଦେବାକୁ ହେଲା । କିନ୍ତୁ ଲାଭ କ’ଣ ? କୋଠରୀଟା ଆହୁରି ଗାଢ଼ ଅନ୍ଧାରରେ ଖୁନ୍ଦି ହୋଇଗଲା ପରି ଲାଗିଲା । ଅନ୍ଧାର କଥା ଇଚ୍ଛାକୃତଭାବେ ମନେ ନ ପକାଇଥିଲେ ବୋଧହୁଏ ଭଲ ହୋଇଥାନ୍ତା । ଏ ଅସ୍ୱଚ୍ଛ ଆଲୋକରେ ମଧ୍ୟ ଚିଠିଟା ଲେଖି ହୋଇ ପାରନ୍ତା । ବାସ୍ତବିକ ବିଜୁଳି ଆଲୁଅ ବ୍ୟବହାର କରିବାର ଅଭ୍ୟାସଟା ମଣିଷକୁ ପଙ୍ଗୁ କରିଦିଏ, ନିର୍ଭରଶୀଳ କରାଇଦିଏ-। ଅନ୍ଧାରଟା ବଡ଼ ମାରାତ୍ମକ (ଅବଶ୍ୟ ଚୋରମାନଙ୍କ ପାଇଁ ଆଶୀର୍ବାଦ) ।

 

ଅନ୍ଧାରଟା ମୋ ହୃଦୟ ତନ୍ତ୍ରୀର କୋଣ ଅନୁକୋଣରେ ଚୋର ଭଳି ଅନୁପ୍ରବେଶ କରି ଭୟ ସଞ୍ଚାର କଲା । (ଦିନେ ମମତା ଅନ୍ଧାରରେ ଆସି ପଛରୁ ମତେ ଡରେଇ ଦେଇଥିଲା ।)

 

ଅନେକ ଦିନ ତଳେ ଦୀପାବଳୀ ଉତ୍ସବରେ ବ୍ୟବହୃତ ହେବାପାଇଁ ଆସି କାମରେ ଲାଗି ନ ପାରି ଅବଶିଷ୍ଟ ରହି ଯାଇଥିବା ମହମବତୀଟା କଥା ହଠାତ୍ ମୋ ମଗଜରେ ପଶିଲା । ଯେତେଦୂର ମନେଥିଲା ସେଟା ବହିଥିବା କାଠ ଆଲମିରା ଉପରେ ପଡ଼ିଥିଲା ବୋଧହୁଏ । ଆଲମିରାଟା ମୋଠୁ’ ପ୍ରାୟ ହାତେ ବଡ଼ । ତା’ରି ଉପରୁ ଛୋଟିଆ ମହମବତୀଟାକୁ ଖୋଜି ପାଇବା ଅସୁବିଧାଜନକ ବ୍ୟାପାର । ହାତ ଅଳନ୍ଧୁ ହେଲା, ମୂଷା ନଣ୍ଡିକୁ ଘାଣ୍ଟିବାକୁ ହେଲା, ଅସରପାକୁ ତଡ଼ିବାକୁ ହେଲା ଇତ୍ୟାଦି । ଯାହାହେଉ ମହମବତୀଟା ପାଇଲି । ତା’ପରେ ? ତା’ପରେ ଦରକାର ଦିଆସିଲି । ଦିଆସିଲି ? ଦିଆସିଲି କାହିଁ ? (ମୁଁ ଜଣେ ଭୁଲା ମଣିଷ ।) ଅନେକ ଖୋଜା ଖୋଜି ପରେ ପାଇଲି ଝରକା ତଳର ଧାରରୁ । ଏ ଖୋଜା ଖୋଜିରେ ବୋତଲେ କିରୋସିନି ଇଡ଼ିଥିଲା । ପୁଣି ଏକ ସମସ୍ୟା । ବର୍ଷା ପାଣିରେ ଦିଆସିଲି ପେଡ଼ିଟା ସମ୍ପୂର୍ଣ୍ଣ ଭିଜି ସାରିଥିଲା । ଦିଆସିଲିଟା ଉପରୁ ମୁଁ ଆସ୍ଥା ହରାଇ ବସିଲି ।

 

ଏଥର ନିଜକୁ ଗାଳିଦେଲି, ଅଜସ୍ର ଗାଳି । ଅନ୍ୟ କେହି ମୋ ପାଖରେ ଥିଲେ ନିଶ୍ଚୟ ମତେ ବୋକା ବୋଲି ସାର୍ଟିଫିକେଟ୍ ଦେଇଥାନ୍ତେ । ଚାକିରି କରିବା ପୂର୍ବରୁ ସାର୍ଟିଫିକେଟ୍ ସଂଗ୍ରହ କରିବା ପାଇଁ ମତେ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା ଏବଂ ବାପାଙ୍କର ବହୁ ଅର୍ଥ ଶ୍ରାଦ୍ଧ କରିବାକୁ ପଡ଼ିଥିଲା । ଚାକିରି ପାଇବା ପରେ ମୁଁ ଆଉ ସାର୍ଟିଫିକେଟ୍‌ର ଆବଶ୍ୟକତା ଜମା ଅନୁଭବ କରୁନି ।

 

ଏଥର ଝରକାଟା ଖୋଲିବା ପାଇଁ ମନସ୍ଥ କଲି ଏବଂ ସଙ୍ଗେ ସଙ୍ଗେ କାର୍ଯ୍ୟରେ ପରିଣତ କଲି । କିଛି ଆଲୋକ ସହିତ କିଛି ଶୀତୁଆ ପବନ କୋଠରୀ ଭିତରେ ପ୍ରବେଶ କଲା ।

 

ପବନର ଆଘାତରେ କାନ୍ଥର କ୍ୟାଲେଣ୍ଡରଟାରେ ଅଜସ୍ର କମ୍ପନ । ଏ ମାସର କାଗଜ ଫର୍ଦ୍ଦଟା ବାରମ୍ୱାର ଉଡ଼ି ଆସନ୍ତା ମାସ ଲାଗି ଉଦ୍ଦିଷ୍ଟ ଥିବା ଅକ୍ଷରଗୁଡ଼ାକ ଅନ୍ଧାରରେ ଗୁଡ଼ାଏ ବିରାଡ଼ି ଆଖି ପରି ମନେହେଲା । ଅକ୍ଷର ଗୁଡ଼ାକ ସ୍ପଷ୍ଟ, ଅଥଚ ସ୍ପଷ୍ଟ ନୁହେଁ । ଅକ୍ଷର ଗୁଡ଼ାକ କେଉଁ ଭାଷାର ସେକଥା ବି ଜାଣିବା ସହଜ ନଥିଲା । ଅବୋଧ୍ୟ କବିତା ଭଳି ମୋ ଜୀବନ ସ୍ମୃତିର ଦୁର୍ଭେଦ୍ୟ ପୃଷ୍ଠାଗୁଡ଼ିକୁ ମୁଁ ମୋଟା ଚଷମାରେ ନୂଆ କରି ଭଲ ଭାବରେ ପରୀକ୍ଷା କରିବାକୁ ଚେଷ୍ଟାକଲି । ଜୀବନଟା କ’ଣ ? ଜୀବନ କ’ଣ କେତେଗୁଡ଼ାଏ ଭୁଲ୍‌ର ସମଷ୍ଟି ? ଏ ଜୀବନରେ ସୁଖ ଅଛି, ଦୁଃଖ ବି ଅଛି, ଯନ୍ତ୍ରଣା ଅଛି, ପୁଣି ଅଛି ଅନେକ କିଛି । କେବଳ ଅନୁଭୂତିକୁ ନେଇ ମଣିଷ କ’ଣ ବଞ୍ଚିପାରେ ? ମୋର ମନେହେଲା ‘ଆଶା’ ଶବ୍ଦଟା ମଣିଷକୁ ଆଶଙ୍କାର ଦ୍ୱନ୍ଦ୍ୱରେ ଛନ୍ଦିଦିଏ । ବାସ୍ତବିକ୍ ମଣିଷ ଏକ ଅଦ୍‌ଭୁତ ପ୍ରାଣୀ । ନାଟକର ଅଭିନେତା ଭଳି ସେ ଜୀବନ ରଙ୍ଗମଞ୍ଚରେ ସକ୍ରିୟ । ତାହାହେଲେ ଜୀବନର ଅନ୍ୟ ନାମ କ’ଣ ମଧୁର ଯନ୍ତ୍ରଣା ?

 

କ୍ୟାଲେଣ୍ଡାର । ଦେଖୁ ଦେଖୁ ଏକ ଦୁଇ ତିନି, ଚାରି ପାଞ୍ଚ....ହୋଇ ମାସ ସରିଯାଏ । ପୁଣି ଏକ, ଦୁଇ, ତିନି, ଚାରି, ପାଞ୍ଚ, ଛ’.....ଏମିତି ଚକ୍ରାକାର ଗତିରେ ସମୟର ରଥଚକ୍ର ଗଡ଼ି ଚାଲିଛି । ସେ କାହାରିକୁ ଅପେକ୍ଷା କରେନା ।

 

କ୍ୟାଲେଣ୍ଡରରୁ ଦୃଷ୍ଟି ଫେରାଇ ଆଣି ମୁଁ ପତ୍ରରେ ମୋର ଦୃଷ୍ଟି କେନ୍ଦ୍ରୀଭୂତ କଲି ।

 

କ’ଣ ବୋଲି ସମ୍ୱୋଧନ କରିବି ? ପ୍ରାଣର ମମତା ? ନା ନା, ‘ପ୍ରାଣର’ ଶବ୍ଦର ପ୍ରୟୋଗ ବହୁ ପୁରାତନ । ସ୍ନେହର ? ମାନସୀ ? ପ୍ରେୟସୀ ? ହୃଦୟର ରାଣୀ ? କେବଳ ମମତା ବୋଲି ସମ୍ୱୋଧନ କଲେ କେମିତି ହୁଅନ୍ତା ? ହେତ୍‌ତେରି । ଓଡ଼ିଆ ଭାଷାରେ କ’ଣ ବିଶେଷଣ ପଦର ଅଭାବ ଅଛି ?

 

ଥାଉ, ସମ୍ୱୋଧନଟା ଶେଷରେ ଲେଖିଲେ କ୍ଷତି କ’ଣ ? ଚିଠିର ଉପରିଭାଗରେ କିଛି ସ୍ଥାନ ଛାଡ଼ି ଦିଆଯାଉ ।

 

ଚିଠିଲେଖା ଆରମ୍ଭ ହେଲା । ଅନେକ ଗୁଡ଼ାଏ ଉପନ୍ୟାସର ଭାଷାକୁ ରୋମନ୍ଥନ କରି ବିଭିନ୍ନ ଶୈଳ୍ପିକ ଶବ୍ଦ ଖଞ୍ଜି ଗୋଲ ଗୋଲ ଅକ୍ଷରରେ ଚିଠିଟା ଆରମ୍ଭ ହେଲା । ଯଥାସମ୍ଭବ ଶବ୍ଦର ଭାରସାମ୍ୟ ରକ୍ଷାକରି ନିଜସ୍ୱ ଭାଷାରେ (ଅନ୍ୟ କୌଣସି ସ୍ରଷ୍ଟା ଯେମିତି ତାଙ୍କ ଉପନ୍ୟାସର ଭାଷା ବୋଲି ଜାଣି ନ ପାରିବେ ସେଥିପ୍ରତି ଯଥାସମ୍ଭବ ସତର୍କ ରହି) ଲେଖିବାକୁ ଚେଷ୍ଟା କଲି ।

 

ଲେଖା ଆରମ୍ଭ ହେଉ ହେଉ ବାହାରେ ଖଟ୍ ଖଟ୍ । ଏତେ ବଡ଼ କାମଟାର ଶୁଭାରମ୍ଭ କରୁ କରୁ ବିଲେଇ ଛିଙ୍କି ଦେଲା । ଏ ଅନ୍ଧବିଶ୍ୱାସ ଉପରେ ମୋର ବିଶ୍ୱାସ ନ ଥିଲେ ମଧ୍ୟ ମୁଁ ପ୍ରମାଦ ଗଣିଲି ।

 

ଏ ଅସମୟରେ କିଏ କବାଟ ଖଟ୍ ଖଟ୍ କରୁଛି ? ମନେ ମନେ ବିରକ୍ତ ହୋଇ କବାଟଆଡ଼କୁ ଗଲି ।

 

ଆଗନ୍ତୁକ ମୋ ମୁହଁକୁ ବଲବଲ ଅନେଇ ନରମ ଗଳାରେ ପ୍ରଶ୍ନ କଲେ, ଆଜ୍ଞା, ଏଟା କ’ଣ ବିପ୍ର ଚରଣ ଜେନାଙ୍କ ଘର ?

 

ଆଜ୍ଞା ନା, ସଂକ୍ଷିପ୍ତ ଉତ୍ତର ଦେଇ ମୁଁ ଦ୍ୱାର ବନ୍ଦକଲି ।

 

ଫ୍ଲାସରୁ ଗରମ କଫି କପେ ବାହାର କରି ଟେବୁଲ ଉପରେ ରଖିଲି । ଶୀତ ଦାଉରୁ ନିଜକୁ ଉଦ୍ଧାର କରିବାକୁ ସାର୍ଟଟାଏ ପିନ୍ଧି ଟେବୁଲ ପାଖକୁ ଗଲି । କଫିଖିଆ ପର୍ବ ସରିଲା, ଚିଠି ଲେଖା ପର୍ବ ଆରମ୍ଭ ହେଲା । ଦୁଇ ଧାଡ଼ି ଲେଖିଲାବେଳକୁ ପୁଣି କବାଟରେ କିଏ କରାଘାତ କରିବାର କର୍କଶ ଶବ୍ଦ ଶୁଣାଗଲା । ଏମାନଙ୍କର ଯେମିତି ଆଉ କିଛି କାମ ନାହିଁ, ଅନ୍ୟମାନଙ୍କୁ ବିରକ୍ତ କରିବାକୁ ଏମାନଙ୍କର ଜନ୍ମ । କିଛି କାମ ନ ଥିବ ହଠାତ୍ ଆସି ଏଣୁ ତେଣୁ ଗପିବେ, କାହାର ଚରିତ୍ର ସଂହାର କରିବେ, ନିଜର ବଡ଼ିମା ପ୍ରକାଶ କରିବେ, ନ ହେଲେ ଗଲାବେଳେ କିଛି ଟଙ୍କା ଧାର ମାଗିବେ । ଟଙ୍କା ଫେରେଇବା କଥା ଦୂରେ ଥାଉ ଥାଉ କିଛି କେମିତି ମାରି ନେଇହେବ ସେ ସୁଯୋଗ ଖୋଜି ବୁଲିବେ । ଏଇମାନେ କୁଆଡ଼େ ବନ୍ଧୁ ଏବଂ ହିତଚିନ୍ତକ । ଏମିତି ବନ୍ଧୁ ଥିଲେ କେତେ, ନ ଥିଲେ କେତେ ?

 

ମୁଁ ଭାବିଥିଲି କୌଣସି ଅନିମନ୍ତ୍ରିତ ବନ୍ଧୁ ଦ୍ୱାର ବାହାରେ ଅଛନ୍ତି; କିନ୍ତୁ ଦେଖିଲାବେଳକୁ ଡାକବାଲା । ମୁଁ ଭାବିଲି ମୋଠାରୁ ଉତ୍ତର ନ ପାଇ ମମତା ବୋଧହୁଏ ତୃତୀୟ ଚିଠି ଦେଇଥିବ; କିନ୍ତୁ ହାୟ, ନୂଆ ଡାକବାଲା କୌଣସି ଚିଠି ନ ଦେଇ ପ୍ରଶ୍ନ କଲା, ଜେନାବାବୁ ନାହାଁନ୍ତି ?

 

ଏଠି ତ ଜେନାବାବୁ ଫେନାବାବୁ କେହି ନାହାନ୍ତି, ମୁଁ ସାଗର ମହାନ୍ତି ଅଛି ।

 

ଡାକବାଲା ଟିକିଏ ଥତମତ ହୋଇଯାଇ କହିଲା; ଥିଲେ ଆଜ୍ଞା, ବୋଧହୁଏ ସେ ଚାଲିଗଲେଣି ।

 

ମୁଁ–ମୁଁ ଏଇ ମାସେ ହେଲା ଏ ଘରକୁ ଆସିଛି । ମୋ ପୂର୍ବରୁ ବୋଧହୁଏ ସେ ଥିଲେ । ସେ ବାବୁ କୋଉଠିକି ଗଲେ ମୁଁ ତ କହି ପାରିବିନି ।

 

ତା’ପରେ ଡାକବାଲାର ପ୍ରସ୍ଥାନ । ମୋର ବିରକ୍ତି । କବାଟ ବନ୍ଦ । ପୁଣି ଚିଠିଲେଖା ଆରମ୍ଭ ।

 

ଦୀର୍ଘ ୭ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଚିଠି ଲେଖା ସମାପ୍ତ ହେଲା, ବାକି ରହିଲା ସମ୍ୱୋଧନ । ଏ ଭିତରେ ଚାକରାଣୀ (ଘରକାମ କରିବା ପାଇଁ) ରମେଶ, ବୁଲୁ, ରଘୁବାବୁ (ଗପ ଜମେଇବା ପାଇଁ) ଆସିଛନ୍ତି ଏବଂ ଯାଇଛନ୍ତି । ଘଡ଼ିରେ ଚାବି ଦେଇଛି, ସାତୋଟି ସିଗାରେଟ ନିଃଶେଷ କରିଛି, ଦୁଇ କପ୍‌ କଫି ପିଇଛି ଇତ୍ୟାଦି ଇତ୍ୟାଦି ।

 

ସେ ଯାହାହେଉ, ବାକି ରହିଲା ସମ୍ୱୋଧନ । ପୁଣି ଏକ ସମସ୍ୟା ! ଦେଶର ଜନସଂଖ୍ୟା ବୃଦ୍ଧି ସମସ୍ୟା, ବେକାର ସମସ୍ୟା, ଖାଦ୍ୟ ସମସ୍ୟା, ଅର୍ଥନୈତିକ ସମସ୍ୟାଠାରୁ ମୋ ପକ୍ଷରେ ଏ ସମ୍ୱୋଧନ ସମସ୍ୟା କୌଣସି ଗୁଣରେ କମ୍‌ ନ ଥିଲା ।

 

କୌଣସି ସମ୍ୱୋଧନ ନ ଲେଖି କେବଳ ମମତା ବୋଲି ଲେଖିଲେ ମନ୍ଦ କ’ଣ ? ମୁଁ ମତେ ପ୍ରଶ୍ନ କଲି ଏବଂ ଏକମତ ହେଲି । ହୁଏତ ଏ ସମାଧାନ ବୀରତ୍ୱପୂର୍ଣ୍ଣ ପଛଘୁଞ୍ଚା ହୋଇପାରେ, ତା’ ଛଡ଼ା ଅନ୍ୟ ପନ୍ଥା ନ ଥିଲା ।

 

ଈଷତ୍‌ ନୀଳରଙ୍ଗର ଚିଠିଟାକୁ ଚାରିଚଉତା କରି ଏକ ଲଫାପାରେ ଭର୍ତ୍ତି କଲି । ଅଠା ଲଗେଇ ଭଲଭାବେ ବନ୍ଦକଲି । ଏଥର ଠିକଣା ଲେଖିବା କଥା । ଠିକଣା ? ଖୋଜାଖୋଜି ଚାଲିଲା । ଟେବୁଲ ଉପର, ସୁଟ୍‌କେଶ, ବହିଥାକ, ସାଟ୍‌ ପକେଟ, ତକିଆତଳ ଏମିତି ସବୁ ପ୍ରକାର ସମ୍ଭାବ୍ୟ ସ୍ଥାନ ଖୋଜିଲି; କିନ୍ତୁ ଠିକଣା କାହିଁ ? ରାଉରକେଲା ତ କିଛି ଛୋଟ ଜାଗା ନୁହେଁ ଯେ ମମତା ଦାସ, ରାଉରକେଲା ଲେଖିଦେଲେ ଚିଠି ଚାଲିଯିବ । କାହା ମାର୍ଫତ, ଘର ନମ୍ୱର, ଟାଇପ୍‌, ସେକ୍‌ଟର, ପୋଷ୍ଟ ଅଫିସ ନମ୍ୱର, ସ୍ଥାନର ନାମ, ଜିଲାର ନାମ ଦରକାର । ଏତେଗୁଡ଼ାଏ ତଥ୍ୟ କାହୁଁ ପାଇବି ? କୁଆଡ଼େ ଗଲା ସେ ଠିକଣା ? ଆଉ କୋଉ ଜାଗା ଖୋଜିବି ? ମୁଁ କବିସମ୍ରାଟ ହୋଇଥିଲେ ଗାଇଥାନ୍ତି ।

 

ମୁଁ ନିଜକୁ ଅସହାୟ ଅସହାୟ ମନେକଲି । ମୋ ମନରେ ଗୋଟାଏ ଅଦ୍ଭୁତ ବିକୃତ ଖିଆଲ ଢୁକିଲା । ଚିଠିଟିକୁ ଚିରି ଟୁକୁରା ଟୁକୁରା କରି ଝରକା ବାହାରକୁ ଫୋପାଡ଼ି ଦେଲି । ବାହାରେ ପବନର ବେଗ ଯଥେଷ୍ଟ ବଢ଼ି ଯାଇଥିଲା । ନିଶ୍ଚୟ ଚିଠିର ଟୁକୁରାଗୁଡ଼ାକ ବହୁତ ଦୂର ଉଡ଼ି ଯାଇଥିବ; କିନ୍ତୁ ତା’ କ’ଣ ରାଉରକେଲାରେ ପହଞ୍ଚିଥିବ ?

 

[ଯିଏ ନିଜ ଠିକଣା ଜାଣେନା, ସେ ଅନ୍ୟ ଜଣେ ଝିଅର ଠିକଣା କେମିତି ରଖିପାରିବ-?]

Image

 

ନଳକୂଅ ଉପାଖ୍ୟାନ

 

କାନ୍ଦୁରୀ, ବ୍ରହ୍ମପୁର ସହରଠାରୁ ପ୍ରାୟ ସାତକୋଶ ଦୂରରେ ଅବସ୍ଥିତ ଏକ ଛୋଟ ଗାଁ । ଲୋକସଂଖ୍ୟା ପ୍ରାୟ ପାଞ୍ଚଶହ । ଗାଁଟା ସାରା କେବଳ ଛପର ଘର । ସବୁ ସାଲରେ ଗାଁକୁ ବଢ଼ି, ମରୁଡ଼ି, କିଛି ନ ହେଲେ ଘରପୋଡ଼ି ଲାଗି ରହିଛି । ଗଲାସନ ଯୋଉ ଘରପୋଡ଼ି ହୋଇଥିଲା ତା’ର ଚିହ୍ନ ଏବେ ବି ହରିଜନ ସାଇରେ ରହିଛି । ଅଧାପୋଡ଼ା ବାଉଁଶ ଗୁରାକ ଦାନ୍ତ ଦେଖେଇଲା ପରି ଖତେଇ ହେଉଛନ୍ତି ଗାଁବାଲାଙ୍କୁ । ଧନୀଲୋକଙ୍କ ସଂଖ୍ୟା ଊଣା ହେଲେ ବି କାନ୍ଦୁରୀର ଅବସ୍ଥା ଯେ ଏକଦମ୍ ଶୋଚନୀୟ ଏକଥା କହି ହବନି । ସେଇ ଅଳ୍ପ କେତେଜଣ ଧନୀଲୋକ ଇଚ୍ଛା କରିଥିଲେ ଏ ଅଧାପୋଡ଼ା ଘରଗୁରାକ ପୁନର୍ଜୀବନ ପାଇବାକୁ ବେଶି ସମୟ ଲାଗନ୍ତା ନାହିଁ । ସବୁଠୁଁ ଦୁଃଖର କଥା ସରକାରୀ ସାହାଯ୍ୟ କିମ୍ୱା ଋଣ ନ ପାଇ ହରିଜନ ବସ୍ତିବାଲା ନିଜ ଭାଗ୍ୟକୁ ନିନ୍ଦୁଛନ୍ତି । ପିତା ମାତା ଜନ୍ମ ସିନା ଦେଇଛନ୍ତି ଭାଗ୍ୟ ତ ଦେଇ ନାହାଁନ୍ତି । ଏ ଗରିବ ଲୋକଗୁରାକ ଭାଗ୍ୟକୁ ଆଦରି ନିଜକୁ ଗାଳି ଦେଉଛନ୍ତି ସିନା ଭଗବାନଙ୍କଠାରୁ ବିଶ୍ୱାସ ହରେଇ ନାହାଁନ୍ତି । ଗାଁ ଲୋକେ ସାଧାରଣତଃ ସରଳ ବିଶ୍ୱାସୀ । କୂଟ କପଟର ଧାର ଧାରନ୍ତିନି । ଯେତେ ଦୁଃଖରେ ଥିଲେ ବି ଭଗବାନଙ୍କ ଉପରେ ଭରସା ରଖି ଥାଆନ୍ତି । ଆଜିକାଲି କିନ୍ତୁ ମଫସଲର ରୂପ ବଦଳି ଗଲାଣି । ମଫସଲିଆଙ୍କ ଚାଲିଚଳଣ କଥାଭାଷା ବଦଳି ଗଲାଣି । ମଫସଲ ଜୀବନ ଜଟିଳ ହୋଇଗଲାଣି । କୁଜି ନେତାମାନଙ୍କ ପ୍ରାଦୁର୍ଭାବ ବଢ଼ିଗଲାଣି । ସେମାନେ ଏବେ ଏମିତି ମାତିବାକୁ ଆରମ୍ଭ କଲେଣି ଯେ ସେଠାରେ ରହିବା ଅସହ୍ୟ ହୋଇ ପଡ଼ିଲାଣି । ସେମାନଙ୍କଠାରୁ ଦୂରରେ ରହିବା ମଧ୍ୟ କାଠିକର ପାଠ । ମଫସଲ ଆଉ ଆଗର ମଫସଲ ହୋଇ ନାହିଁ । ସେଠି ମଧ୍ୟ ରାତାରାତ୍‌ ହଟଚମକ, ଆଖି ପିଛୁଳାକେ କୋଉଠି କ’ଣ ହେଇଯାଉଛି ଜାଣି ହେଉନି । ମହାଜନେ ଦରଦାମ୍ ତେଜି ଦେଉଛନ୍ତି । ଟାଉଟର ଓ ନେତାମାନେ ରାଜନୀତି ପୂରେଇ ଗାଁବାଲାଙ୍କ ସରଳ ମନକୁ କେଞ୍ଚି ଜଟିଳ କରି ପକାଉଛନ୍ତି । ଗାଁ ଗାଁରେ ସାଇ ସାଇରେ ମଦଭାଟି ମୁଣ୍ଡ ଟେକିଲାଣି । ଅନ୍ୟକୁ ଠକି, ପଇସାକୁ ଖେଳେଇ କିମ୍ୱା ଘରେ ଘରେ କଳି ମଞ୍ଜି ପୋତି କେମିତି ଚାରି ପଇସା ରୋଜଗାର କରିହୁଏ ଲୋକେ ଜାଣି ଗଲେଣି ।

 

ଯାହାହେଉ, ସେ ସବୁ ସତ୍ତ୍ୱେ କାନ୍ଦୁରୀ ଗାଁର ଅଧେଲୋକ ଏଯାଏଁ ବିଜୁଳି ଆଲୁଅ ଦେଖି ନାହାଁନ୍ତି, ଏପରିକି ପିଚୁ ରାସ୍ତା ମଧ୍ୟ ଦେଖି ନାହାଁନ୍ତି । ନାଲି ପଗଡ଼ିଆ କନେଷ୍ଟବଲ୍‌ଟିଏ ଆଖିରେ ପଡ଼ିଲେ ଲୋକେ ଭୟରେ କବାଟ କିଳି ଦେଉଛନ୍ତି । ଆକାଶରେ ଉଡ଼ାଜାହାଜ ଦେଖିଲେ ସେମାନଙ୍କର ଆଖି ଖୋସି ହୋଇଯାଉଛି । ଅଥଚ ସାଇ ସାଇରେ କଳି ମାଡ଼ଗୋଳ । ଏ କନ୍ଦଳ ଆରମ୍ଭ ହେଇଛି ଗଲାସନ ଠାକୁରାଣୀ ଯାତ ବେଳୁ । ଖୁବ୍ ଗୋଟାଏ ବଡ଼ କଥାକୁ ନେଇ ଏ ଗୋଳମାଳ ତା’ ନୁହେଁ । ଠାକୁରାଣୀ କୋଉ ବାଟ ଦେଇ ମଣ୍ଡପକୁ ବିଜେ କରିବେ ସେଇ କଥାକୁ ନେଇ ମତାନ୍ତର, ମନାନ୍ତର, କଥା କଟାକଟି, ମୁହଁ ଫୁଲାଫୁଲି, ତା’ପରେ ଝଗଡ଼ା । ସେଇଦିନଠୁଁ ଉପର ସାଇ ତଳ ସାଇର ଲୋକଙ୍କ ଭିତରେ ଛକାପଞ୍ଝା ଟଣା ଓଟରା ଚାଲିଛି । ଉଭୟ ସାଇବାଲା ସୁଯୋଗ ଉଣ୍ଡୁଛନ୍ତି, ଟିକିଏ ସୁବିଧା ପାଇଲେ ଅପରକୁ ହଲାପଟା କରିଦେବାକୁ । ସେଇଥିପାଇଁ ଉଭୟ ପଟରେ ଚାରି ପାଞ୍ଚଥର ନିଆଁ ଲାଗିଲାଣି । ଉପର ମୁଣ୍ଡରେ ଥିବା କୂଅରେ ତଳ ସାଇ ଲୋକେ ବିଷ ମିଶେଇଛନ୍ତି ବୋଲି ଆପତ୍ତି କରି ହଠାତ୍ ଦିନେ ରାତିରେ ଦି’ସାଇ ଭିତରେ ଲାଗିଲା ତୁମୁଳ କାଣ୍ଡ । ଯୋଗକୁ ସେଦିନ କାନ୍ଦୁରୀ ଗାଁକୁ ବି.ଡ଼ି.ଓ. ଆସିଥିଲେ । କୌଣସି ପ୍ରକାରେ ସେ ଘଟଣାକୁ ଆୟତ୍ତ କରି ଲୋକଙ୍କୁ ଶାନ୍ତ କରାଇଲେ । ଏହାଛଡ଼ା ଲୋକଙ୍କୁ ଏକ ପ୍ରସ୍ତାବ ଦେଲେ ଯେ କାନ୍ଦୁରୀ ଗାଁରେ ସରକାରଙ୍କ ତରଫରୁ ଏକ ନଳକୂଅ ଖୋଳାଯିବ, ଯାହା ଫଳରେ ଆଉ ବିଷ ମିଶିବାର ଭୟ ରହିବନି, ମିଠା ଏବଂ ନିର୍ମଳ ପାଣି ମଧ୍ୟ ମିଳି ପାରିବ । ଉଭୟ ଦଳ ଖୁସି ହେଲେ; ବି.ଡ଼ି.ଓ.ଙ୍କୁ ଧନ୍ୟ ଧନ୍ୟ କଲେ । ତା’ପରେ ବୁଝୁ ବୁଝୁ ଏକ ମହା ବିପଦ ମୁଣ୍ଡ ଟେକିଲା । ଥୋକେ କହିଲେ ବଜାଇ ଛକରେ ନଳକୂଅ ବସେଇଲେ ସମସ୍ତଙ୍କର ଉପକାର ହବ, ଆଉ ଥୋକେ ଯୁକ୍ତି କଲେ ଉପର ସାଇରେ ଦି’ ଦିଟା କୂଅ ଅଛି, ତଳ ସାଇରେ ପାଣିର ଘୋର ଅଭାବ, ସେଇଠି ନଳକୂଅ ଖୋଳାଯାଉ । ଏତିକିବେଳେ ହଠାତ୍ ରଘୁ ମଳିକ ମଝିରୁ ଉଠିପଡ଼ି ଗଡ଼ ଗଡ଼ କରି କହି ପକାଇଲା, ନବା ପଧାନର ଯୋଉ ଦି’ ଏକରିଆ କିଆରିଟା ଅଛି, ସେଇଟା ସେ ନଳକୂଅ ପେଇଁ କୋଠକୁ ଛାଡ଼ିଦଉ ।

 

ବୀର ସେଠୀ ଦି’ ଅକ୍ଷର ପାଠ ପଢ଼ିଛି, ନଳକୂଅ ବିଷୟରେ ତା’ର ଅଳ୍ପ ଜ୍ଞାନ ଅଛି । ରଘୁ ମଳିକର କଥା ଶୁଣି ଠୋ ଠୋ ହସି ପକାଇ ଉତ୍ତର ଦେଲା, ନବାଆଇ, ଦି’ ଏକରରେ ନଳକୂଅ ପାଇଁ ଜାଗା ହବନି, ପାଞ୍ଚ ଏକର ଲୋଡ଼ା ।

 

ଏଣେ ନବା ପଧାନ ରକ୍ତ ଚାଉଳ ଚୋବେଇବାକୁ ଆରମ୍ଭ କଲେଣି । ପଧାନେ ରାଗିଗଲେ ତାଙ୍କ ମୁହଁଟା ଲାଲ ପଡ଼ିଯାଏ । ଆଖି ଡୋଳା ଯୋଡ଼ିକ ଡିମା ଡିମା ହେଇ ବଡ଼ ବିକଟାଳ ଦେଖାଯାଏ । ନବା ପଧାନେ ରଘୁ ମଳିକ ଆଡ଼କୁ ହୁଙ୍କାରି ଉଠୁଥିଲେ, ବି.ଡ଼ି.ଓ. ଏ କୌତୂହଳ ଉପଭୋଗ କରୁ କରୁ ବୁଝାଇ କହିଲେ, ଇମିତି କିଅଣ ପେଇଁ ହେଉଛି ? ମୁଁ କଉଚି କିସ, ତେମେ କଉଚ କିସ । ଯାହା ସମସ୍ତଙ୍କର ନିଧାର୍ଯ୍ୟ ହବ ସେୟା କରିବା । ଇଆଡ଼ୁ ସିଆଡ଼ୁ କଥା ହେଇ ସମୟ ନଷ୍ଟକଲେ ଲାଭନାଇଁ ।

 

ଉପର ମୁଣ୍ଡର ଲୋକେ ଜିଦ୍ ଧରିଲେ ତାଙ୍କ ଛକରେ ହବ, ତଳ ମୁଣ୍ଡର ଲୋକେ ଜିଦ୍‌ ଧରିଲେ ତାଙ୍କ ଠାକୁରଘର ପାଖରେ ହବ । ଏମିତି ବାଦାନୁବାଦ, କଥାକୁ ଦି’ କଥା, ଥଟ୍ଟା, ରାଗ, ଯୁକ୍ତି ଏମିତି କେତେ କଥା ଚାଲିଲା । କେହି କାହା କଥା ମାନି ନବାକୁ ରାଜି ହେଲେନି । ଦୁଇ ପକ୍ଷକୁ ବହୁତ ବୁଝେଇଲା ପରେ ମଧ୍ୟ ସମାଧାନ ନ ହବାରୁ ବି.ଡ଼ି.ଓ. ନିରାଶ ହେଇ ଠିଆହେଲେ ଫେରିଯିବାକୁ । ବୀର ସେଠୀ ଟିକିଏ ଅକଲ ଥିବା ଲୋକ । ନୂଆ ନୂଆ ମାମଲତ କରୁଛି । ଘଟଣାଟା ଗୋଳମାଳିଆ ଆଡ଼କୁ ଚାଲି ଯାଉଥିବା ଜାଣିପାରି ସେ ବି.ଡ଼ି.ଓ.ଙ୍କୁ ପ୍ରସ୍ତାବ ଦେଲା– ଆମକୁ ଦି’ଦିନ ସମୟ ଦେଲେ ଆମେ ନିଶାପ କରି କୋଉଠି ନଳକୂଅ କଲେ ଭଲ ହବ, ଆପଣଙ୍କୁ ଜଣେଇ ଦବୁ ।

 

ବି.ଡ଼ି.ଓ. ଏକ ଲମ୍ବା ଦୀର୍ଘ ନିଃଶ୍ୱାସ ପକାଇଲେ । ତାଙ୍କ ମନରେ ଆଶାର ସରୁ ଦୀପ ଶିଖାଟିଏ ଜଳି ଉଠିଲା । ସେ ବି ବ୍ୟସ୍ତ ହୋଇ ପଡ଼ିଛନ୍ତି । ନଳ କୂଅଟା ଯେମିତି ହେଲେ କାନ୍ଦୁରୀ ଗାଁରେ କରିବାକୁ ହବ । କାହିଁକି ନା କଣ୍ଟ୍ରାକ୍‌ଟରଙ୍କ ସହିତ ତାଙ୍କର ଚୁକ୍ତି ହେଇସାରିଛି ଯେ ନଳକୂଅ କାମଟା ତାଙ୍କୁ ଦେଲେ ସେ ଦୁଇ ଶହ ଟଙ୍କା ଦେବ । ଦୁଇ ଶହ ଟଙ୍କା । ଦୁଇଶହ ଟଙ୍କା ଉପୁରି ମିଳୁଛି, କିଏ ଛାଡ଼େ । ଅନ୍ତତଃ ଶ୍ରୀମତୀଙ୍କ ପାଇଁ ହାତ ଘଡ଼ିଟାଏ ତ ହୋଇଯିବ । ଅନେକ ଦିନ ହେଲା ସେ ଜିଦ୍ ଧରି ବସିଛନ୍ତି । ଏବେ ଏବେ ରାଗ ରୁଷା ମଧ୍ୟ ଆରମ୍ଭ ହୋଇ ଗଲାଣି । ବାପ ଘରକୁ ଚାଲିଯିବି ବୋଲି ଧମକ ମଧ୍ୟ ଦେଇ ସାରିଲେଣି । ପ୍ରଥମ ପୁଅଟା ପେଟରେ ଥିଲାବେଳେ ପୁଅ ହେଲେ ଘଡ଼ିଟିଏ କରିଦେବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ଅଭାବରୁ ଏ ଯାଏଁ ଘଡ଼ିଟା ହେଇପାରିନି । ନୂଆ ଚାକିରି । ପଢ଼ାବେଳର ୠଣ ଏ ଯାଏଁ ଶୁଝା ହେଇନି । ବେତନ ଟଙ୍କାଟା କୁଆଡ଼କୁ କୁଳୋଉନି । ମାଗି ଆଣିବା ତୁଣ ସୁଡ଼ୁକେ ଭଳି ପନ୍ଦର ତାରିଖବେଳକୁ ଦରମା ଟଙ୍କା ଉଭେଇ ଯାଉଛି । ଦୁଇ ଶହ ଟଙ୍କା ଏମିତି ଏମିତି ମିଳୁଛି ଯେତେବେଳେ ଜାଣି ଜାଣି ହରେଇବା ବୁଦ୍ଧିମାନର କାମ ନୁହେଁ । ସବୁ କଥାକୁ ବିଚାର କରି ବି.ଡ଼ି.ଓ. କଣ୍ଟ୍ରାକ୍‌ଟରଙ୍କ କଥାରେ ରାଜି ହେଇଗଲେ । ଏଣେ ଦେଖିଲାବେଳକୁ କାନ୍ଦୁରୀ ଗାଁରେ ଦୁଇ ଫାଙ୍କ । ନଳକୂଅ କୋଉଠି ହବ ଠିକ୍ ହେଇ ପାରୁନି । ଆଶା ନିରାଶା ମଝିରେ ଆଉଟୁ ପାଉଟୁ ହେଇ ବି. ଡ଼ି. ଓ. ସରକାରୀ ଜିପ୍‌ରେ ଫେରି ଆସିଲେ ।

 

କାନ୍ଦୁରୀ ଗାଁରୁ ଫେରିଲା ପରେ ବି. ଡ଼ି. ଓ. ଟିକିଏ ବିବ୍ରତ ଜଣା ପଡ଼ୁଥିଲେ । ତାଙ୍କ କ୍ୟାଲେଣ୍ଡରରେ ସାତଟା ତାରିଖ ବଦଳିଗଲା । କଣ୍ଟ୍ରାକ୍‌ଟର ଦୁଇଥର ଆସି ନଳକୂଅ କଥା ପଚାରି ସାରିଲେଣି । ବି. ଡ଼ି. ଓ.ଙ୍କର ଧର୍ଯ୍ୟ ବନ୍ଧ ଭାଙ୍ଗିଗଲା । ଗ୍ରାମ ସେବକଙ୍କୁ ଡକେଇ ପଠେଇଲେ । ତାଙ୍କୁ ବୁଝେଇ ଦେଲେ ଯେ କୌଣସି ପ୍ରକାରେ କାନ୍ଦୁରୀ ଗାଁ ଲୋକଙ୍କୁ ରାଜି କରେଇବାକୁ ହବ ନଳକୂଅ ସେଠାରେ ଖୋଳେଇବାକୁ । ଗ୍ରାମସେବକ କାନ୍ଦୁରୀ ଗାଁକୁ ଯିବାକୁ ସଜବାଜ ହେଇ ବାହାରୁଥିଲେ । ବି. ଡ଼ି. ଓ. ଙ୍କ ସ୍ତ୍ରୀ ଆଦେଶଦେଲେ ବଜାର ସଉଦାଟା ସାରିଦେଇ ଯିବାକୁ । ବି. ଡ଼ି. ଓ. ଶ୍ରୀମତୀଙ୍କ ଉପରେ ବିରକ୍ତ ହେଇ ଉଠିଲେ, ଆଜିକ ଆଉ କାହା ହାତରେ ସଉଦାଟା ମଗେଇଦେଲେ ହୁଅନ୍ତାନି ? ଶୁଭ କାମରେ ବାହାରିଲାବେଳକୁ ତମେ ପଛରୁ ବିରାଡ଼ିଭଳିଆ ଛିଙ୍କି ଦଉଛ ।

 

ଶ୍ରୀମତୀ ସ୍ୱାମୀଙ୍କ ଆଡ଼କୁ ଧପାଲି ଆସି ଗର ଗର ହେଇ ପଚାରିଲେ, ମୁଁ ବିରାଡ଼ି ? ନାଇଁ ନାଇଁ ମୁଁ ବିରାଡ଼ି ? ମୁଁ ଆସିଲି ବୋଲି ତ ତମେ ବି. ଡ଼ି. ଓ. ଚାକିରି ପାଇଲ । ମତେ ନିନ୍ଦୁଛ-?

 

ତା’ପରେ ରାଗ, ଅଭିମାନ, ନାକ ସୁଁ ସୁଁ ଇତ୍ୟାଦି ଇତ୍ୟାଦି । ସେ ଯାହାହେଉ ସଉଦା ଆଣି ସାରି ଗ୍ରାମସେବକ କାନ୍ଦୁରୀ ଗାଁରେ ପହଞ୍ଚିଲେ । ସେଠି ଯାହା ଶୁଣିଲେ ତାଙ୍କ ମନ ଦବିଗଲା, ସେ ପ୍ରମାଦ ଗଣିଲେ । ବି. ଡ଼ି. ଓ ଙ୍କର ନାଲି ଆଖି ଯୋଡ଼ିକ ତାଙ୍କ ଆଖି ଆଗରେ ନାଚିଗଲା । କାନ୍ଦୁରୀ ଗାଁର ଅବୁଝା ଲୋକଙ୍କୁ ବୁଝେଇ ବୁଝେଇ ଗ୍ରାମସେବକ ଥକିଗଲେ । ଶେଷରେ ସେ ତାଙ୍କର କଳ, ବଳ, କୌଶଳ ପ୍ରୟୋଗ କରିବାକୁ ସଂକଳ୍ପ କଲେ । ବହୁତ ଖୋଜି ଖୋଜି ପେଟୁ ମହାରଣାକୁ ଠାବ କଲେ ଯେ କି ଉପର ମୁଣ୍ଡରେ ଘର କରିଛି ଏବଂ ଯାହାର ପୁଅ ତଳ ସାଇରେ ରହିଛି । ସେଇ ବାପ ପୁଅଙ୍କୁ ହାତ କରି ଗ୍ରାମସେବକ ଦି’ପକ୍ଷ ଲୋକଙ୍କର ମୁଣ୍ଡ ଧୂଲେଇ କରିବାକୁ ଆରମ୍ଭ କରିଦେଲେ । ଗ୍ରାମ ସେବକ ମୁକୁନ୍ଦପୁର ସରପଞ୍ଚଙ୍କ ଜରିଆରେ ନିଶାପ କରିବାକୁ ଅଣ୍ଟା ଭିଡ଼ି ବାହାରିଲେ । ଦି’ ଦଳରୁ ପାଞ୍ଚ ପାଞ୍ଚ ଜଣ ସାଇ ମୁଖିଆଙ୍କୁ ନେଇ ଆପଣା ଘରେ ଆଲୋଚନା ଚାଲିଲା । ଅବସ୍ଥା ସେମିତି ସରଗରମ ଆଉ ଅସମ୍ଭାଳ ଥିଲା । ଏ ସାତ ଆଠ ଦିନ ଭିତରେ ସାଇ ମୁଖିଆଙ୍କର ଜିଦ୍ ଆହୁରି ବଢ଼ି ଯାଇଥିଲା । ସମସ୍ତ ପ୍ରକାର ଦୋ ଅକ୍ଷରି ନୂଆ ଖାଣ୍ଟି ସଂସ୍କୃତ ଭାଷାର ସଦ୍‌ବ୍ୟବହାର ହେଇ ସାରିଥିଲା । କେବଳ ଠେଙ୍ଗା, ଢେଲା, ହାତ, ଗୋଡ଼ ଗୁଡ଼ାକ ବ୍ୟବହାର ହେବାକୁ ବାକିଥିଲା । ଯୁଦ୍ଧ କ୍ଷେତ୍ରର ସଜାଗ ସୈନିକ ଭଳି ଏମାନେ ସୁଯୋଗ ଉଣ୍ଡୁଥିଲେ ସୁବିଧା ମିଳିଲେ, ଦେଖିଲା କାମ କରି ଦବାକୁ ।

 

କଥା ବୁଲି ବୁଲି ରଘୁ ମଳିକର ସେଇ ପୁରୁଣା କଥା ପାଖରେ ପହଞ୍ଚିଲା । ସେ କହିଥିଲା, ନବା ପଧାନର ଯୋଉ ଦି’ ଏକରିଆ କିଆରୀଟା ଅଛି, ସେଇଟା ନଳକୂଅ ପେଇଁ କୋଠକୁ ଛାଡ଼ିଦଉ । ଉପର ସାଇର ଦାମ ଏଥର ତା’ର ସୁଯୋଗ ନେଇ ସେଇ କଥାର ଖିଅ ଧରି କହିଲା, ତେମେ ତଳସାଇ ନୋକେ ତ ନଳ କୂଅ କିସ ଜାଣିନ କି ଶୁଣିନ । ତମ ସାଇରେ ହେଲେ ଚଲେଇବାର ଆସିବନି । ଖରାପ କରିଦେବ । ସେଥିପେଇଁ ଆମ ସାଇରେ ହଉ । ଦାମ ଗୌଡ଼ର ଏକଥା ରଘୁ ମଳିକକୁ ବଡ଼ ବାଧିଲା । ମହାଭାରତର ଭୀମ ଚରିତ୍ର ଭଳି ହୁଂକାର ଛାଡ଼ି ଅଣ୍ଟାରେ ଲୁଗା ଭିଡ଼ି ସେ ଠିଆହେଲା । ମଙ୍ଗୁ ଘଡ଼େଇ ରଘୁ ମଳିକର ବାହୁ ଯୋଡ଼ିକୁ ଧରି ତାକୁ ବୁଝେଇ ନ ଥିଲେ ହାତାହାତି ହେବାକୁ ବେଶି ଡେରି ଲାଗି ନ ଥାନ୍ତା । କିଛି ସମୟ ପାଇଁ ପୁଣି ଦୋ ଅକ୍ଷରି ଗାଳି ବର୍ଷଣ ହେଲା ।

 

ଗୋଟାଏ କୋଣରେ ଚୁପ୍‌ଚାପ୍‌ ଠିଆ ହୋଇଥିବା ଜଣେ ଗଜା ଟୋକା (ରଘୁ ମଳିକର ପୁଅ) ହଠାତ୍ କ’ଣ ଭାବି ତଳୁ ଗୋଟାଏ ବଡ଼ ଭଙ୍ଗା ଇଟା ଗୋଟାଇ ଦାମ ଆଡ଼କୁ ଫୋପାଡ଼ିଲା । ଇଟାଟା ନିର୍ଭୁଲ ଜାଗାରେ ବାଜିଲା । ଦାମର କ’ଣ ହେଇଥିବ ସହଜରେ ବୁଝା ଯାଉଛି । ତା’ ପରେ ଆଉ ସବୁ ମଧ୍ୟ କ’ଣ ହେଇଥିବ ସହଜରେ ବୁଝାଉଛି ।

 

ଗ୍ରାମସେବକ କାନ୍ଦୁରୀ ଗାଁରେ ବାଁ ଗୋଡ଼ର ଗୋଟାଏ ନଖ ହରେଇ ବ୍ଲକ୍ ଅଫିସ୍‌ରେ ପହଞ୍ଚିଲେ ।

 

X X X

 

ଗତ ଘଟଣାର ପ୍ରାୟ ମାସେ ପରେ ସୈନ୍ୟ ବାହିନୀରେ ଚାକିରି କରୁଥିବା କାନ୍ଦୁରୀ ଗାଁର ଏକମାତ୍ର ଶିକ୍ଷିତ ଯୁବକ ରଘୁନାଥ ଛୁଟିରେ ଗାଁକୁ ଫେରି ନଳକୂଅର ଇତିହାସ ଶୁଣିଲା । ଭଲ ପାଣି ଟୋପେ ପାଇଁ ଗାଁ ଲୋକେ କେମିତି ହଇରାଣ ହେଉଛନ୍ତି ତା’ ମଧ୍ୟ ଦେଖିଲା । ବର୍ଷାରେ ଗୋଳିଆ ହୋଇଯାଉଥିବା ଅଧା ଭଙ୍ଗା କୂଅ ଗୁଡ଼ିକର ଅବସ୍ଥା ଦେଖିଲା । ଗାଁ ଲୋକଙ୍କୁ (ଦି’ ସାଇର) ଏକାଠି କରି ଅସୁବିଧା ଗୁଡ଼ାକ ବୁଝେଇ ମିଳାମିଶା କରେଇ ଦବାପାଇଁ ଇଚ୍ଛାକଲା; କିନ୍ତୁ କେହି ଧରାଛୁଆଁ ଦେଲେନି । ତା’ପରେ ତା’ ମୁଣ୍ଡରେ ଗୋଟାଏ ଭଲ ଖିଆଲ ପଶିଲା । ସେଇଟି ହେଉଛି– ଦି’ ସାଇ ମଝିରେ ନଳକୂଅ କରି ସମସ୍ତଙ୍କୁ ଏକାଠି କରିହବ । ଘର ଘର ବୁଲି ତା’ର ମତାମତ ଜଣାଇଲା । ଏଥରର ପ୍ରସ୍ତାବଟା ଉଭୟ ସାଇବାଲାଙ୍କ ମନକୁ ଘେନିଲା । ଉପର ସାଇ ଭାଗବତ ଟୁଙ୍ଗିରେ ସାଇ ମୁଖିଆମାନେ ଏକାଠି ହେଲେ । ଅଳ୍ପ ସମୟ ଆଲୋଚନା ପରେ କଥାଟା ପକ୍‌କା ହେଇଗଲା । ରଘୁନାଥ ଛାଡ଼ିବା ପିଲା ନୁହେଁ । ମିଲିଟାରୀ କାଇଦାରେ ସମସ୍ତଙ୍କଠାରୁ ଦସ୍ତଖତ ଆଦାୟ ନ କରି ଛାଡ଼ିଲାନି । ସେଇ କାଗଜରେ ଯେଉଁ ପ୍ରସ୍ତାବଗୁଡ଼ିକ ସର୍ବସମ୍ମତିକ୍ରମେ ଗୃହୀତ ହେଇଥିଲା, ତାହା ସ୍ପଷ୍ଟ ଭାବରେ ନିମ୍ନ ପ୍ରକାରେ ଲେଖା ରହିଲା ।

 

୧ ।

ଦି’ ସାଇ ମଝିରେ ନଳକୂଅ ତିଆରି ହେବ ।

୨ ।

ନଳକୂଅ ପାଇଁ ଦରକାର ପଡ଼ୁଥିବା ଜାଗା ଏବଂ ଚଉତରା ପାଇଁ ଦରକାର ପଡ଼ୁଥିବା ଟଙ୍କା ଦୁଇ ସାଇ ଅଧା ଅଧା ଭରଣା କରିବେ ।

୩ ।

ନଳକୂଅ ଖରାପ ହେଲେ ଦି’ ସାଇର ଲୋକେ ତା’ର ମରାମତର ବ୍ୟବସ୍ଥା କରିବେ ଓ ଏଥିପାଇଁ ଦରକାର ପଡ଼ିଲେ ଭାଗ କରି ଟଙ୍କା ଦେବେ ।

୪ ।

ଦି’ ସାଇର ସବୁ ପ୍ରକାର ବାଦ ବିବାଦ ଆଲୋଚନା କରି ତୁଟେଇ ଦିଆଯିବ ।

୫ ।

ଦି’ ସାଇ ମଧ୍ୟରେ ମନାନ୍ତର ପାଇଁ କେହି ଚେଷ୍ଟାକଲେ ତାକୁ ଏକଘରିଆ ବା ବାଛନ୍ଦ କରି ରଖାଯିବ ।

 

ପ୍ରସ୍ତାବ ଗୁଡ଼ିକ ତଳେ ସମସ୍ତେ ସଇକଲା ପରେ ରଘୁନାଥ ଏବଂ ଆଉ ସାତ ଆଠଜଣ ମିଶି ବାହାରିଲେ ବି. ଡ଼ି. ଓ. ଙ୍କୁ ଦେଖାକରି କାଗଜ ଖଣ୍ଡିକ ଦେଖାଇ ଦି’ ସାଇର ମଝିରେ ନଳକୂଅ କରାଇବା ପାଇଁ ଗୁହାରି କରିବାକୁ ।

 

କାନ୍ଦୁରୀ ଗାଁ ବାଲାଙ୍କଠାରୁ ସବୁକଥା ଶୁଣିସାରି ବି. ଡ଼ି. ଓ. ଭାରି ଖୁସି ହେଲେ । ସାଇବାଲାଙ୍କୁ ବିଶେଷ କରି ରଘୁନାଥକୁ ଭୁରି ଭୁରି ପ୍ରଶଂସା କଲେ, ତାରିଫ୍ କଲେ; କିନ୍ତୁ ଶେଷରେ କହିଲେ, ସରକାରଙ୍କଠାରୁ ନଳକୂଅ ପାଇଁ ଆସିଥିବା ଟଙ୍କା ମାର୍ଚ୍ଚ ମାସ ଭିତରେ ଖର୍ଚ୍ଚ ନ ହେଇ ପାରିବାରୁ ଗତକାଲି ଫେରିଗଲା ।

 

(ସୌରଭ)

Image

 

ମରୁତୀର୍ଥ

 

ଚନ୍ଦ୍ରଭାଗା ବୁକୁର ଦୂର ଦିଗ୍‌ବଳୟରେ ବହୁ ପ୍ରତୀକ୍ଷିତ ରଥାରୂଢ଼ ମାଘ ସପ୍ତମୀର ସୂର୍ଯ୍ୟ ପାପୀମାନଙ୍କ ପରିତ୍ରାଣ ଉଦ୍ଦେଶ୍ୟରେ ଦେଖାଦେଲେ । ନାତିଶୀତୋଷ୍ଣ ସକାଳର କାକ ଜ୍ୟୋତ୍ସ୍ନା ଆମ୍ରବନର ପତ୍ର ଭେଦକରି ମାଟି ଉପରେ ଅନେକ ସୂର୍ଯ୍ୟର ମରୀଚିକା ସୃଷ୍ଟି କଲା ।

 

ଚନ୍ଦ୍ରଭାଗା କ୍ରମଶଃ ଲୋକାରଣ୍ୟ ହୋଇ ଉଠିଲା । ମାଘ ସପ୍ତମୀ ବୁଡ଼ ଲାଗି ପ୍ରତ୍ୟେକ ବର୍ଷ ଭିଡ଼ ହୁଏ । ଏମାନେ ପିତୃ ପୁରୁଷଙ୍କୁ ପିଣ୍ଡ ଦେବେ । ଚନ୍ଦ୍ରଭାଗାରେ ସ୍ନାନ କରି ମୁକ୍ତ ହେବେ, ପାପରୁ ଉଦ୍ଧାର ହେବେ । ଏଇଠି ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ସୂର୍ଯ୍ୟ ପୂଜା କରି କୁଷ୍ଠ ରୋଗରୁ ମୁକ୍ତ ହୋଇଥିଲେ । କୋଣାର୍କର ମୁଣ୍ଡି ମାରି ବିଶୁ ମହାରଣାର ବାର ବର୍ଷର ପୁତ୍ର ଧରମା ବାରଶହ ବଢ଼େଇଙ୍କ ଜୀବନ ରକ୍ଷା କରିବାକୁ ଏଇ ସାଗର ବକ୍ଷରେ ନିଜକୁ ଉତ୍ସର୍ଗ କରିଥିଲା । ଚନ୍ଦ୍ରଭାଗା ପଛରେ ଅନେକ ଇତିହାସ ଅନେକ କାହାଣୀ ।

 

ଜନସଂଖ୍ୟା ଆହୁରି ଆହୁରି ବଢ଼ୁଛି ।

 

ଅନତି ଦୂରରେ ସ୍ୱାମୀ ସଦାନନ୍ଦଙ୍କ ଆଶ୍ରମ । ଚାରୋଟି ବାଉଁଶକୁ ଆଶ୍ରା କରି ଠିଆ ହୋଇଛି ତାଳ ପତରର ଛୋଟ କୁଡ଼ିଆଟି । ଖରା, ବର୍ଷା, ଶୀତକୁ ତା’ର ଭ୍ରୂକ୍ଷେପ ନାହିଁ । ଦୀର୍ଘ ଚାରିମାସ ହେଲା ସେ ଚନ୍ଦ୍ରଭାଗା କୂଳରେ ଠିଆହୋଇ ସାଧକ ସ୍ୱାମୀ ସଦାନନ୍ଦଙ୍କୁ ଆଶ୍ରା ଦେଉଛି ।

 

ସ୍ୱାମୀ ସଦାନନ୍ଦ । ବୟସ ପଚାଶ ପାଖାପାଖି । ବୟସ ଯଥେଷ୍ଟ ବଢ଼ି ଯାଇଥିଲେ ବି ସ୍ୱାମୀଜୀଙ୍କ ଶ୍ମଶ୍ରୁପୂର୍ଣ୍ଣ ମୁଖମଣ୍ଡଳ ଅପୂର୍ବ ଏକ ଜ୍ୟୋତିରେ ଝଲସି ଉଠୁଛି । ଦେହରେ ଗୈରିକ କାଛା ବ୍ୟତୀତ ଆଉ କିଛି ବସ୍ତ୍ର ନାହିଁ । ତାଙ୍କର ଭସ୍ମ ବିଲେପିତ ହୃଷ୍ଟପୃଷ୍ଟ ଚେହେରା ଧର୍ମ ବିଶ୍ୱାସୀ ଲୋକଙ୍କୁ ଚୁମ୍ବନ ପରି ଆକର୍ଷଣ କରେ ।

 

ଜନସଂଖ୍ୟା ଯେତିକି ଯେତିକି ବଢ଼ୁଛି ସ୍ୱାମୀ ସଦାନନ୍ଦଙ୍କ ଜୟଗାନ ସେତିକି ସେତିକି ବଢ଼ୁଛି । ଆଶ୍ରମ ଚାରିପାଖରେ ଖାଲି ଲୋକ ଆଉ ଲୋକ । ଦେଖୁ ଦେଖୁ ସ୍ୱାମୀଜୀଙ୍କ ଦର୍ଶନ ଲାଗି ଠେଲାପେଲା ଆରମ୍ଭ ହୋଇଗଲା ।

 

ସ୍ୱାମୀଜୀ ସେ ଛୋଟ କୁଡ଼ିଆଟି ଭିତରେ ସାଧନା କରୁଛନ୍ତି ଗ୍ରହ ଶାନ୍ତି କରିବା ଲାଗି । ଭୂମିରେ ମୁଣ୍ଡ ଦେଇ ଗୋଡ଼ ଉପରକୁ ଟେକି ନିର୍ଜଳ ଉପବାସ କରୁଛନ୍ତି । ତାଙ୍କ କହିବା ଅନୁସାରେ ବର୍ତ୍ତମାନର ସମୟ ଅତ୍ୟନ୍ତ ଖରାପ । ପୃଥିବୀ ଉପରେ ଖରାପ ଗ୍ରହର ଦୃଷ୍ଟି ପଡ଼ିଛି । ମରୁଡ଼ି ଏବଂ ହଇଜାରେ ହଜାର ହଜାର ଲୋକ ପୋକ ମାଛିପରି ମରିଯିବେ । ଚାରିଆଡ଼େ ଅନୀତି, ଅନାଚାର ବଢ଼ିଯିବାରୁ ପୃଥିବୀକୁ ଏ ଦୁର୍ଦ୍ଦିନ ଆସିଛି । ଏ ବିପଦରୁ ଉଦ୍ଧାର ଲାଗି ଏକ ଯଜ୍ଞ କରିବାକୁ ହେବ । ଏହି ଯଜ୍ଞ ନ’ଦିନ ବ୍ୟାପୀ ଚାଲିବ । ନ’ ହଜାର ବ୍ରାହ୍ମଣଙ୍କୁ ଦାନ ଦିଆଯିବ । ନ’ ଶହ ଗଉଣୀ ଘିଅ ପୋଡ଼ାଯିବ ।

 

ସପ୍ତମୀ ଦିନ ସ୍ୱାମୀଜୀଙ୍କ ଉପବାସ ଷଷ୍ଠ ଦିନରେ ପହଞ୍ଚିଲା । ବହୁ ନେତୃସ୍ଥାନୀୟ ବ୍ୟକ୍ତି, ବହୁ ଧର୍ମାବଲମ୍ୱୀ ସେଠି ପହଞ୍ଚିଲେ । ବହୁ ଲୋକଙ୍କର ସାହାଯ୍ୟ ସହାନୁଭୂତି ମିଳିଲା ।

 

ଅର୍ଥ ସଂଗ୍ରହ ଲାଗି ଦଳ ଦଳ ସ୍ୱେଚ୍ଛାସେବକ ସ୍ୱାମୀଜୀଙ୍କ ଆଶୀର୍ବାଦ ଘେନି ଗାଁକୁ ଗାଁ ବୁଲିବାକୁ ଆରମ୍ଭ କଲେ ।

 

ଅଳ୍ପଦିନ ମଧ୍ୟରେ ଆଶାତୀତ ଭାବରେ ଲକ୍ଷାଧିକ ଟଙ୍କା ସଂଗୃହୀତ ହେବାରୁ ଚନ୍ଦ୍ରଭାଗା କୂଳରେ ଏକ ମନ୍ଦିର ଗଢ଼ିବାର ମଧ୍ୟ ଯୋଜନା କରାଗଲା । ସ୍ୱାମୀଜୀଙ୍କର ଏ ପ୍ରସ୍ତାବ ସମସ୍ତଙ୍କ ମନକୁ ଘେନିଲା । ଖବର କାଗଜମାନଙ୍କରେ ସ୍ୱାମୀଜୀଙ୍କର ଫଟୋସହ ଅଦ୍‌ଭୁତ ସାଧନାକୁ ଭୁରିଭୁରି ପ୍ରଶଂସା କରି ଲେଖାମାନ ପ୍ରକାଶ ପାଇଲା । ଅର୍ଥ ସାହାଯ୍ୟ ପାଇଁ ସ୍ୱାମୀଜୀ ଖବର କାଗଜ ମାଧ୍ୟମରେ ନିବେଦନ କଲେ । ବିଭିନ୍ନ ସ୍ଥାନରୁ ଡାକ ଯୋଗେ ମଧ୍ୟ ଟଙ୍କା ଆସିଲା ।

ଦଶମୀ ଦିନ ସ୍ୱାମୀଜୀଙ୍କ ଉପବାସ ଶେଷ ହେବ । ମନ୍ଦିର ଏବଂ ଯଜ୍ଞର ଶୁଭ ଦିଆଯିବ-

ସପ୍ତମୀ ହୋଇଗଲା । ଆଉ ମାତ୍ର ମଝିରେ ଦୁଇଟି ଦିନ । ସ୍ଥାନୀୟ ନେତାମାନେ ଏକାଠି ହେଲେ । କେଉଁ ଅଞ୍ଚଳରୁ କେତେ ବ୍ରାହ୍ମଣଙ୍କୁ ନିମନ୍ତ୍ରଣ କରାଯିବ ତା’ର ତାଲିକା ପ୍ରସ୍ତୁତ ହେଲା । ଚାରିଧାମର ଶଙ୍କରାଚାର୍ଯ୍ୟଙ୍କ ନାମ ତାଲିକାର ସର୍ବୋଚ୍ଚରେ ରହିଲା । ପୁରୀର ଶଙ୍କରାଚାର୍ଯ୍ୟ ମନ୍ଦିରର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ଏବଂ ଯଜ୍ଞ ଉଦ୍‌ଘାଟନ କରିବେ ବୋଲି ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହେଲା । ସେହି ଅନୁସାରେ ଶଙ୍କରାଚାର୍ଯ୍ୟଙ୍କ ନିକଟକୁ ପତ୍ରସହ ଲୋକ ପଠାଗଲା । ଦୁଇଜଣ ମାରୱାଡ଼ି ନଅଶହ ଗଉଣି ଘିଅର ସମସ୍ତ ଖର୍ଚ୍ଚ ବହନ କରିବା ପାଇଁ ସମ୍ମତି ପ୍ରଦାନ କଲେ । ଜଣେ ମନ୍ତ୍ରୀ ଯଜ୍ଞକୁଣ୍ଡ, ଛାମୁଣ୍ଡିଆ ତିଆରି ଏବଂ ବ୍ରାହ୍ମଣମାନେ ରହିବା ଲାଗି ତମ୍ୱୁ ପକାଇବା ପାଇଁ ଦରକାର ପଡ଼ୁଥିବା ସମସ୍ତ ଖର୍ଚ୍ଚ ବହନ କଲେ ।

ଅଷ୍ଟମୀ ଦିନ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଗଲା । ଲୋକେ ନୂତନ ପ୍ରେରଣା ପାଇ କାମରେ ଲାଗିଗଲେ । ସହରରୁ ନାନା ପ୍ରକାର ଦରକାରୀ ଜିନିଷ ବୁହାହୋଇ ଆସିଲା । ସ୍ଥାନୀୟ ଲୋକଙ୍କ ସହଯୋଗରେ କାମ ଦ୍ରୁତ ଗତିରେ ଆଗେଇ ଚାଲିଲା ।

 

ଏଣେ ସ୍ୱାମୀଜୀଙ୍କ ଓଜନ କମିବାକୁ ଲାଗିଲା । ମୁହଁର ଜ୍ୟୋତି କ୍ରମଶଃ ମଳିନ ପଡ଼ିଆସିଲା । ତାଙ୍କର ଭକ୍ତମାନେ ପ୍ରମାଦ ଗଣିଲେ । ସ୍ୱାମୀଜୀଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କଲେ । ଦିନ ରାତି ତାଙ୍କ ପାଖରେ ଜଗି ରହିଲେ ।

 

ନବମୀ ଆସିଲା । ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସେ ଦିନ ରାତି ବାରଟା ପରେ ସ୍ୱାମୀଜୀ ଦୀର୍ଘ ନ’ ଦିନର କଷ୍ଟସାଧ୍ୟ ସାଧନା ଛାଡ଼ି ନିତ୍ୟକର୍ମ ଶେଷକରି ଜଳ ସ୍ପର୍ଶ କରିବେ । ସେଇ ସମୟରେ ତାଙ୍କ ପାଖରେ କେହି ରହିବେ ନାହିଁ । ସୂର୍ଯ୍ୟୋଦୟ ପରେ ସେ ସର୍ବସାଧାରଣଙ୍କୁ ଦର୍ଶନ ଦେବେ । ତା’ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହେବ ।

 

ଚନ୍ଦ୍ରଭାଗାର ଦୂର ଦିଗନ୍ତରେ ଦଶମୀର ସୂର୍ଯ୍ୟ ମୁଣ୍ଡ ଟେକିଲେ । ରକ୍ତିମ ପୂର୍ବାକାଶ ସୂର୍ଯ୍ୟଦେବଙ୍କ ଔଜ୍ଜ୍ୱଲ୍ୟରେ ଆହୁରି ଆହୁରି ଉଦ୍‌ଭାସିତ ହୋଇଉଠିଲା ।

 

ଦେଖୁ ଦେଖୁ ଆଶ୍ରମ ଚାରିପାଖରେ ହଜାର ହଜାର ଲୋକଙ୍କର ଭିଡ଼ ଜମିଗଲା । ସ୍ୱାମୀଜୀଙ୍କ ଦର୍ଶନାଭିଳାଷୀ ଭକ୍ତଗଣ ସ୍ୱାମୀଜୀଙ୍କ ଜୟ ଜୟ କାରରେ ସେ ଖଣ୍ଡମଣ୍ଡଳ କମ୍ପାଇ ଦେଲେ । ଖବର କାଗଜର ପ୍ରତିନିଧି ଏବଂ ଫଟୋଗ୍ରାଫରମାନେ ପ୍ରସ୍ତୁତ ହୋଇ ରହିଲେ । ଲକ୍ଷ ଲକ୍ଷ ଉତ୍କଣ୍ଠିତ ଆଖି ଛୋଟ ଆଶ୍ରମଟି ଉପରେ କେନ୍ଦ୍ରୀଭୂତ ହୋଇ ରହିଲା ।

 

ପାଞ୍ଚଟାରୁ ଛ’ଟା, ଛ’ଟାରୁ ସାତଟା, ସାତଟାରୁ ଆଠଟା ହେଲା । ଆଶ୍ରମର ଦ୍ୱାରବନ୍ଦ । ଉଦ୍ୟୋକ୍ତାମାନଙ୍କ ମନରେ ନୀଳାଚଳନାଥଙ୍କ ସେଇ କାହାଣୀ ପ୍ରତିଧ୍ୱନିତ ହେଲା । ଆଉ କେତେକେ ସନ୍ଦେହ ଜାଲରେ ଛନ୍ଦି ହୋଇଗଲେ ।

 

ଦ୍ୱାର ଖୋଲାଗଲା, ଦେଖାଗଲା ସ୍ୱାମୀଜୀ ଛ ହ୍ରସ୍ୱଉକାରେ ଛୁ, ସାଙ୍ଗରେ ନେଇ ଯାଇଛନ୍ତି ସଂଗୃହୀତ ହୋଇଥିବା ସମସ୍ତ ଧନ ସମ୍ପଦ ।

 

(ମରୁତୀର୍ଥ)

Image

 

ମାନବବାଦ

 

ପୁରୀ ସମୁଦ୍ରକୂଳ । ବାଲୁକା ଶଯ୍ୟା ଉପରେ ମୁଁ ମୋର ପୃଥୁଳ ଦେହଟାକୁ ଏକ ପ୍ରକାର ବେଢ଼ଙ୍ଗିଆ ମୁଦ୍ରାରେ ଲୋଟାଇ ଦେଇ ମୋ ଅତୀତର କେତୋଟି ଅର୍ଦ୍ଧଦଗ୍‌ଧ ପୃଷ୍ଠାକୁ ରୋମନ୍ଥନ କରୁଥିଲି । ମୁଁ ଜାଣିଥିଲି ଏ ସ୍ମୃତିଚାରଣ ମୋ ପାଇଁ ଦୁଃଖ ଓ ଯନ୍ତ୍ରଣାଦାୟକ । ତଥାପି କାହିଁକି କେଜାଣି ସେଇ ନିର୍ଦ୍ଦିଷ୍ଟ କେତୋଟି ଘଟଣା ସମୁଦ୍ରର ଢେଉ ଭଳି ବାରମ୍ୱାର ମାଡ଼ିଆସି ମୋ ମନ ଉପକୂଳରେ ଧକ୍‌କା ଦେଇ ପୁଣି ଫେରି ଯାଉଥିଲା ।

 

ନିହାତି ଆକସ୍ମିକ ଭାବରେ ଧୂମକେତୁ ଭଳି ଆସି ମୋ ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ସେଇ ଭଦ୍ରଲୋକ, ଯିଏ ଅଳ୍ପ ସମୟ ପୂର୍ବେ ହୋଟେଲର ଅଠର ନମ୍ୱର ରୁମ୍‌ର ପରଦା ଆଡ଼େଇ ମୋ ଆଡ଼କୁ ପ୍ରଶ୍ଳୀଳ ଦୃଷ୍ଟିରେ ଚାହୁଁଥିଲେ । ଭଦ୍ରଲୋକ ନିଶ୍ଚିତ ଭାବରେ ଯେ ବୈଦେଶିକ, ଏଥିରେ ମୋର ସନ୍ଦେହ ନ ଥିଲା । ତାଙ୍କ ବିଷୟରେ ଜାଣିବା ପାଇଁ ମୋ ମନରେ ମଧ୍ୟ କେତୋଟି ପ୍ରଶ୍ନ ଜମାଟ ବାନ୍ଧିଥିଲା; କିନ୍ତୁ ଉତ୍ତରଗୁଡ଼ିକ ମୋ ପାଇଁ ଅନାବଶ୍ୟକ ଭାବି ମୁଁ ସେ ସମ୍ପର୍କରେ ବିଶେଷ ଗୁରୁତ୍ୱ ଆରୋପ କରି ନ ଥିଲି ।

 

ଭଦ୍ରଲୋକ ବୁଲାବିକାଳିଠୁ କିଛି ପୋହଳା ମାଳି କିଣିବାକୁ ଚାହୁଁଥିଲେ । ବୁଲାବିକାଳି ତାଙ୍କ ଭାଷା ବୁଝିପାରୁ ନ ଥିବାରୁ ସେ ମୋର ସାହାଯ୍ୟ ଚାହୁଁଥିଲେ । ଭଦ୍ରଲୋକ ମାଳିଟିଏ କିଣି ନିଜ ବେକରେ ଲମ୍ବାଇଲେ । ମାଳିରେ ଜଗନ୍ନାଥଙ୍କ ଛୋଟ ପଦକଟିଏ ଲାଗିଥିଲା । ସେଥିପାଇଁ ଭଦ୍ରଲୋକଙ୍କ ସମ୍ପର୍କରେ ଜାଣିବାର ଉତ୍କଣ୍ଠା ମୋର ଦ୍ୱିଗୁଣିତ ହୋଇ ଯାଇଥିଲା । ପଚାରିଲି, ‘‘ଆପଣଙ୍କ ପରିଚୟ ଜାଣିପାରେ କି ?’’

 

‘‘ମୋ ନା କ୍ଲିଫୋର୍ଡ଼, ମୁଁ ଆସିଛି ଆମେରିକାରୁ ।’’ ସେ ସଂକ୍ଷିପ୍ତ ଉତ୍ତର ଦେଲେ ।

 

‘‘ବୁଲି ଆସିଛନ୍ତି ?’’ ମୁଁ ପ୍ରଶ୍ନ କଲି ।

 

‘‘ହଁ’’, ମୁଣ୍ଡ ହଲେଇଲେ ସେ ।

 

‘‘ଆପଣ ଯଦି କିଛି ନ ଭାବନ୍ତି ପ୍ରଶ୍ନଟିଏ ପଚାରିବି’’, ମୁଁ କହିଲି ।

 

‘‘ଆମ ଦେଶ ଆପଣଙ୍କୁ କେମିତି ଲାଗୁଛି ?’’

 

‘‘ଏଠି ଜୀବନ ସାରା ରହି ଯିବାକୁ ଇଚ୍ଛା ହେଉଛି । ଏ ପବିତ୍ର ମାଟିରେ ପାଦ ଦେଇ ନିଜକୁ ଭାଗ୍ୟବାନ ମନେ କରୁଛି ।’’

 

ମୁଁ ବିଶ୍ୱାସ କରିପାରୁ ନ ଥିଲି । କିନ୍ତୁ ତାଙ୍କ ସହିତ ଅଧିକ ଘନିଷ୍ଠ ହେବାରୁ ତାଙ୍କ ବିଷୟରେ ଆହୁରି ଅନେକ କଥା ଜାଣିବାର ସୁଯୋଗ ପାଇଲି ।

 

କ୍ଲି ଫୋର୍ଡ଼ ରହୁଥିଲେ ୧୮ ନମ୍ବରରେ ଏବଂ ମୁଁ ରହୁଥିଲି ୯ ନମ୍ବର ରୁମ୍‌ରେ, ସାମନା ସାମ୍‌ନି । ତା’ ପରଦିନ ପୁଣି ହୋଟେଲରେ ଦେଖାହେଲା, ଡାକିନେଲେ ତାଙ୍କ ରୁମ୍‌କୁ । ରୁମ୍‌ର ଚତୁର୍ଦ୍ଦିଗରେ ଆଖି ବୁଲେଇ ଆଣିଲି । ଜଣେ ବୈଦେଶିକ ବ୍ୟକ୍ତିଙ୍କର ରୁମ୍ ଏକଥା ଆଦୌ ବିଶ୍ୱାସ ହେଲାନି । ଟେବୁଲ ଉପରେ ସୁନ୍ଦର, କମନୀୟ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମୂର୍ତ୍ତି । ବାଇବେଲ୍‌, କୋରାନ୍ ସହିତ ବେଦ, ମହାଭାରତ, ରାମାୟଣ ପୁସ୍ତକ ସୁସଜ୍ଜିତ ହୋଇ ରହିଛି । ବହି ଥାକ ଉପରେ ରୁଦ୍ରାକ୍ଷ ମାଳ ।

 

ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ମୁର୍ତ୍ତି ପାଖରେ ଧୂପକାଠିଟିଏ ଲଗାଉ ଲଗାଉ କହିଲେ, ‘‘ପୃଥିବୀର ପ୍ରଥମ ଆବ୍‌ସଡ଼୍ ଆର୍ଟିଷ୍ଟ କିଏ ଜାଣନ୍ତି ?’’

 

‘‘ପିକାସୋ’’ ମୁଁ ଉତ୍ତର ଦେଲି ।

 

ସେ ସ୍ମିତ ହସିଲେ, ମୁହଁ ହଲେଇ ଅସ୍ୱୀକାର କଲେ । କହିଲେ, ‘‘ନା, ଭୁଲ୍ କହିଲେ । ପିକାସୋ ନୁହଁନ୍ତି ବିଶ୍ୱକର୍ମା, ଯିଏ ଏଇ ଜଗନ୍ନାଥ, ବଳଭଦ୍ର ସୁଭଦ୍ରାଙ୍କର ସ୍ରଷ୍ଟା ।’’

 

ମୁଁ ମନେ ମନେ ଲଜ୍ଜିତ ହେଲି । ଏଭଳି ପ୍ରଶ୍ନର ସମ୍ମୁଖୀନ ହେବି ବୋଲି ଆଶା କରି ନ ଥିଲି । ଯଥାସମ୍ଭବ ନିଜକୁ ସଞ୍ଜତ କରିନେଲି ।

 

‘‘ବିଶ୍ୱକର୍ମା ଯାହା କରି ଯାଇଛନ୍ତି ଏବର ଅତ୍ୟାଧୁନିକ ଆର୍ଟିଷ୍ଟ ମଧ୍ୟ ଚିନ୍ତା କରିବା ସମ୍ଭବ ନୁହେଁ । ଏଥିରେ ଯେଉଁ ଅନ୍ତର୍ନିହିତ ରହସ୍ୟ ରହିଛି ତାକୁ ଭେଦ କରି କଳନା କରିବା ସାଧାରଣ ମଣିଷ ପକ୍ଷରେ କଷ୍ଟକର । ସେ ଅନନ୍ତ, ସର୍ବବ୍ୟାପୀ । ସତ୍ୟ, ଶିବ, ସୁନ୍ଦର । ତାଙ୍କ ସମ୍ପର୍କରେ ଯେତେ ଜାଣିଲେ ବି ସେତେ ଅବୁଝା ରହିଯାଏ ।’’ ସେ କହି ଚାଲିଥିଲେ ।

 

ମୁଁ ପଚାରିଲି, ‘‘ଜଗନ୍ନାଥଙ୍କ ସମ୍ପର୍କରେ ଆପଣଙ୍କର ଧାରଣା କ’ଣ ?’’

 

ସେ ପୁଣି ଆରମ୍ଭ କଲେ, ‘‘ଜଗନ୍ନାଥଙ୍କ ମୂର୍ତ୍ତି ଗଠନ ଅଭୂତ, ବିରଳ । ତାଙ୍କର ପ୍ରତି ଅଙ୍ଗ ପ୍ରତ୍ୟଙ୍ଗର କିଛିନା କିଛି ବୈଶିଷ୍ଟ୍ୟ ରହିଛି । ଜଗନ୍ନାଥଙ୍କର ରହିଛି ବଡ଼ ବଡ଼ ଚକା ଆଖି । ୟାର ସିମ୍ୱଲ ହେଲା– ତୁମେ ଏ ଗୋଲାକାର ବିରାଟ ପୃଥିବୀରେ ଯେଉଁଠାରେ ଥାଅନା କାହିଁକି, ତୁମେ ଯାହା କରୁଛ ମୁଁ ମୋର ଗୋଲାକାର ବିରାଟ ବିରାଟ ଆଖିରେ ସବୁ ଦେଖୁଛି । ମତେ କେହି ଫାଙ୍କି ଦେଇ ପାରିବନି ।

 

ସୁଭଦ୍ରାଙ୍କ ହାତ ଗୋଡ଼ ନାହିଁ, ଜଗନ୍ନାଥ ବଳଭଦ୍ରଙ୍କର ହାତ ଖଣ୍ଡିଆ, ଗୋଡ଼ ନାହିଁ । ତାଙ୍କର ନିର୍ଦ୍ଦିଷ୍ଟ ରୂପରେଖ ନାହିଁ । ସେ ଅନନ୍ତ, ଅରୂପ, ଅଣାକାର । ସବୁ ଧର୍ମ, ସବୁ ଜାତିର ସମନ୍ୱୟ ଘଟିଛି ଏଇଠି ।

 

ତାଙ୍କର ହସ୍ତ ସମ୍ମୁଖକୁ ପ୍ରସାରିତ ହୋଇଛି । ହସ୍ତ ପ୍ରସାରିତ କରି ସେ ସମସ୍ତଙ୍କୁ ଆହ୍ୱାନ କରୁଛନ୍ତି–ସମସ୍ତେ ଆସ, ମୋ ନିକଟରେ ଆଶ୍ରା ନିଅ । ମୁଁ ସମସ୍ତଙ୍କୁ ଆପଣାର କରିବାକୁ ଚାହୁଁଛି । ମୁଁ ସମସ୍ତଙ୍କୁ ଆଶୀର୍ବାଦ କରୁଛି ।

 

ଜଗନ୍ନାଥଙ୍କ ରଙ୍ଗ କଳା, ବଳଭଦ୍ରଙ୍କ ରଙ୍ଗ ଧଳା, ସୁଭଦ୍ରାଙ୍କ ରଙ୍ଗ ହଳଦିଆ । ପୃଥିବୀରେ ଏହି ତିନି ରଙ୍ଗର ଲୋକ ଅଛନ୍ତି । ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏକାଠି ରତ୍ନସିଂହାସନ ଉପରେ ଆସୀନ । ସେ ଶିକ୍ଷା ଦେଉଛନ୍ତି ଆମେ ସମସ୍ତେ ଏକ ଅଭିନ୍ନ । ସମସ୍ତେ ଆମର ଆତ୍ମୀୟ ସ୍ୱଜନ । ବିଭିନ୍ନତା ଭିତରେ ମଧ୍ୟ ଐକ୍ୟ ଆମର ଧ୍ୟେୟ ହେଉ, ସହାବସ୍ଥାନ ଆମର ଲକ୍ଷ୍ୟ ହେଉ ।

 

‘‘ଅଥଚ ଆମେ......’’

 

ସେ ବାକ୍ୟଟିକୁ ଶେଷ କଲେ ନାହିଁ । କିନ୍ତୁ ତାଙ୍କ ମନର ଅବ୍ୟକ୍ତ ବକ୍ତବ୍ୟ ବେଶ୍ ବୁଝିହେଉଥିଲା । ସତରେ ଆମେ କରୁଛୁ କ’ଣ ? ପରସ୍ପରକୁ ଘୃଣା କରୁଛୁ, ଶତ୍ରୁ ପରି ବ୍ୟବହାର କରୁଛୁ, ନିଜର ସ୍ୱାର୍ଥ ସାଧନ ପାଇଁ ଅନ୍ୟକୁ ହତ୍ୟା କରିବାକୁ ମଧ୍ୟ କୁଣ୍ଠା ପ୍ରକାଶ କରୁନା ।

 

ଆମ ଦେଶ, ଜାତି, ଧର୍ମ, ମଣିଷ, ଠାକୁରଙ୍କ ସମ୍ପର୍କରେ କ୍ଲି ଫେର୍ଡ଼ ଯେ ଏତେ ଗବେଷଣା କରିଛନ୍ତି ଜାଣି ଆଶ୍ଚର୍ଯ୍ୟ ହେଲି । ଆମ ସମ୍ପର୍କରେ ଆମେ ମଧ୍ୟ ଏତେକଥା ଜାଣୁନା । ପ୍ରଥମେ ପ୍ରଥମେ ମୁଁ ତାଙ୍କ କଥାକୁ ବିଶେଷ ଗୁରୁତ୍ୱ ଦେଉ ନ ଥିଲି, ବଡ଼କୁହା ଲୋକଟାଏ ବୋଲି ଭାବୁଥିଲି । କିନ୍ତୁ ତାଙ୍କୁ ଯେତିକି ଯେତିକି ଜାଣିଲି ମୁଁ ନିଜକୁ ସେତିକି ସେତିକି ଅଜ୍ଞ ବୋଲି ଅନୁଭବ କଲି । ମୁଁ ଯେମିତି ଗୋଟାଏ ଜଙ୍ଗଲ ଭିତରେ ପଶିଯାଇଛି, ଜଗନ୍ନାଥ ସଂସ୍କୃତି କେଡ଼େ ବିରାଟ କେଡ଼େ ମହାନ । ସେ କଥା ଭାବି ଭାବି ମୁଁ ଅଭିଭୂତ ହୋଇ ପଡ଼ୁଥିଲି ।

 

ଏ ଭିତରେ କଫି ଆସି ଯାଇଥିଲା । କ୍ଲି ଫୋର୍ଡ ମୋ ହାତକୁ କଫି କପ୍‌ଟାଏ ବଢ଼ାଇ ଦେଇ କହିଲେ, ‘‘କ’ଣ ଭାବୁଛନ୍ତି ?’’

 

‘‘ଭାବୁଛି ଜଗନ୍ନାଥ ସଂସ୍କୃତି ସଂପର୍କରେ ଆପଣ କେତେ ଗଭୀର ଅନୁଧ୍ୟାନ କରିଛନ୍ତି ।’’ ମୁଁ କଫି କପ୍‌ରେ ଚୁମ୍ୱନ ଦେଲି ।

 

‘‘କିନ୍ତୁ ମୁଁ କୁଆଡ଼େ ଭିନ୍ନ ଧର୍ମାବଲମ୍ୱୀ । କାହିଁ ଏକଥା ତ ମୁଁ ଜନ୍ମ ହେଲାବେଳେ ମୋ ଦେହରେ ଲେଖା ନ ଥିଲା । ଆପଣ ଆଉ ମୋ ଭିତରେ ଏ ପାଚେରୀ କାହିଁକି ? କିଏ ଠିଆ କରିଛି ଏ ପାଚେରୀ ?’’ ଏକଥା କହିଲାବେଳେ ତାଙ୍କ କପାଳର ରେଖାଗୁଡ଼ିକ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା-

‘‘ଏ ପାଚେରୀ ମଣିଷ ଠିଆ କରିଛି, ଆମର ଅନ୍ଧବିଶ୍ୱାସ ଠିଆ କରିଛି ।’’ ମୁଁ କହିଲି ।

‘‘ଆମେ କ’ଣ ଏ ଅନ୍ଧବିଶ୍ୱାସର ପାଚେରୀକୁ ଭାଙ୍ଗିଦେଇ ପାରିବାନି ?’’ କଥାରେ ତାଙ୍କର ଗଭୀର ଆତ୍ମବିଶ୍ୱାସ ଥିଲା ।

‘‘ଏକଥା କିନ୍ତୁ ରାତାରାତ୍ ହୋଇ ପାରିବନି, ଲୋକଙ୍କୁ ଶିକ୍ଷିତ କରିବାକୁ ପଡ଼ିବ । ତାଙ୍କ ମନରୁ ଅନ୍ଧବିଶ୍ୱାସକୁ ଦୂର କରିବାକୁ ପଡ଼ିବ । ତା’ହେଲେ ଏ ପାଚେରୀ ଆପେ ଆପେ ଦୂର ହୋଇଯିବ ।’’

‘‘ଆପଣ ଜାଣନ୍ତି, ପବିତ୍ର ହିନ୍ଦୁଧର୍ମ ବହୁ ପୁରାତନ । ଏହାର ପରମ୍ପରା, ଐତିହ୍ୟ ରହିଛି । ଏହା ସୁସ୍ଥ, ବିଜ୍ଞାନ ସମ୍ମତ ପୃଷ୍ଠଭୂମି ଉପରେ ପ୍ରତିଷ୍ଠିତ । ପୃଥିବୀରେ ଥିବା ବହୁ ମୁଖ୍ୟ ଧର୍ମ ମଧ୍ୟରୁ ହିନ୍ଦୁ ଧର୍ମ ଅନ୍ୟତମ । କିନ୍ତୁ ଦୁଃଖର କଥା, ହିନ୍ଦୁ ଧର୍ମ ହେଉଛି ଏକମାତ୍ର ଧର୍ମ ଯାହାର ଲୋକସଂଖ୍ୟା ଦିନକୁ ଦିନ ଆନୁପାତିକ ଦୃଷ୍ଟିରୁ କମି କମି ଯାଉଛି । ଅନ୍ୟାନ୍ୟ ସମସ୍ତ ମୁଖ୍ୟ ଧର୍ମାବଲମ୍ୱୀମାନଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ।

ତା’ର ଏକମାତ୍ର କାରଣ ହେଲା ଆମେ ଆମ ଧର୍ମ ସଂପର୍କରେ ପ୍ରଚାର କରୁନା ଏବଂ ଅନ୍ୟ ଧର୍ମର ଆଗ୍ରହୀ ଲୋକଙ୍କୁ ଆମ ଧର୍ମରେ ଗ୍ରହଣ କରିବା ପାଇଁ ମଧ୍ୟ ଆମେ ପଦକ୍ଷେପ ନେଉନା । ସେଇଥିପାଇଁ ଜଣେ ସମାଲୋଚକ ଆଶଙ୍କା ପ୍ରକାଶ କରି କହିଥିଲେ, ଆମେ ଯଦି ଆମର ମହାନ ଧର୍ମ ସଂସ୍କୃତି ଐତିହ୍ୟ ସଂପର୍କରେ ଅନ୍ୟମାନଙ୍କୁ ଜାଣିବାର ସୁଯୋଗ ନ ଦେଉ, ଆଗ୍ରହୀ ଲୋକଙ୍କୁ ଆମ ଧର୍ମରେ ଗ୍ରହଣ ନ କରୁ ତେବେ ଆସନ୍ତା ପାଞ୍ଚ ହଜାର ବର୍ଷବେଳକୁ ଏ ପୃଥିବୀରୁ ହିନ୍ଦୁ ଧର୍ମ ନିଶ୍ଚିହ୍ନ ହୋଇଯିବ ।

ହିନ୍ଦୁ ଧର୍ମରୁ ଯେଉଁମାନେ ଅନ୍ୟ ଧର୍ମକୁ ଚାଲି ଯାଇଥିଲେ ସେମାନେ ଯଦି ପୁଣି ହିନ୍ଦୁଧର୍ମକୁ ଫେରିବାକୁ ଚାହାଁନ୍ତି ସେମାନଙ୍କୁ ପୁଣି ଗ୍ରହଣ କରିବା ପାଇଁ ଆମେ କୁଣ୍ଠିତ । କାହିଁକି ? ଏପରିକି ଆମ ପାଇଁ ମନ୍ଦିର ପ୍ରବେଶ ମଧ୍ୟ ମନା କାହିଁକି ? ଆମେ କ’ଣ ମଣିଷ ନୋହୁ ? ଆମ ଦେହ କ’ଣ ଭିନ୍ନ ଉପାଦାନରେ ଗଢ଼ା ? ଆମେ ଜଗତର ନାଥ ଜଗନ୍ନାଥଙ୍କ ଦର୍ଶନ କଲେ ମନ୍ଦିର ଅପବିତ୍ର ହୋଇଯିବ ?’’

ଏଭଳି ଆହୁରି ଅନେକ ଅନେକ ପ୍ରଶ୍ନ । କିଏ ଦେବ ତା’ର ଉତ୍ତର । ମୁଁ ସେଦିନ ଏ ପ୍ରଶ୍ନ ଗୁଡ଼ିକର ଉତ୍ତର ଦେଇ ପାରି ନ ଥିଲି । ଆମ ସମାଜର ବଡ଼ପଣ୍ଡାମାନେ ମଧ୍ୟ ଆଜିଯାଏଁ ଦେଇପାରି ନାହାଁନ୍ତି ।

କିନ୍ତୁ ମୁଁ ଏ ପ୍ରଶ୍ନ ଗୁଡ଼ିକର ଉତ୍ତର ପାଇଗଲି ସେଦିନ, ଯେଉଁଦିନ ବଡ଼ ଦେଉଳ ସାମନାରେ ଥିବା ଅରୁଣ ସ୍ତମ୍ଭରେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ଲୋକଟିକି ଦେଖିଲି, ଯିଏ ତାଙ୍କର ଦେହସାରା ଲେଖିଥିଲେ– ‘‘ମୁଁ ଖ୍ରୀଷ୍ଟିଆନ ନୁହେଁ, ହିନ୍ଦୁ ନୁହେଁ, ମୁସଲମାନ ନୁହେଁ, ବୌଦ୍ଧ ନୁହେଁ, ଜୈନ ନୁହେଁ, ମୁଁ ମଣିଷ । ମୋର ଧର୍ମ ମାନବବାଦ । ପୃଥିବୀରୁ ବୈଷମ୍ୟ ଦୂର ହେଉ, ଭେଦଭାବ ଦୂର ହେଉ, ଶାନ୍ତି ପ୍ରତିଷ୍ଠା ହେଉ । ଆମେ ସମସ୍ତେ ଏକ, ଅଭିନ୍ନ ।

ଆତ୍ମହତ୍ୟା କରିଥିବା ବ୍ୟକ୍ତି ଆଉ କେହି ନୁହଁନ୍ତି ସେ ହେଉଛନ୍ତି କ୍ଲି ଫୋର୍ଡ଼ ।

(ଝଙ୍କାର)

Image

 

ନୂତନ ଅଧ୍ୟାୟ

 

ଅଷ୍ଟ୍ରେଲିଆର କୌଣସି ଏକ ଉପାନ୍ତ ଅଞ୍ଚଳର ଏକ ପୁରୁଣା କୋଠା ମଧ୍ୟରେ ଗବେଷଣା ଲାଗି ଦୀର୍ଘ ସାତବର୍ଷକାଳ ନିଜକୁ ବନ୍ଦୀ ଭଳି ରଖି କିଛି ନ ପାଇବାର ଯନ୍ତ୍ରଣାରେ ହଠାତ୍‌ ଚିତ୍କାର କରି ଉଠିଲେ ଡାକ୍ତର ସ୍ମିଥ୍ । ଦୀର୍ଘ ୩୭ ବର୍ଷର ପାଠପଢ଼ା, ଡାକ୍ତରୀ ବିଦ୍ୟାଶିକ୍ଷା, ଗବେଷଣା ସାଧନା ସବୁ କ’ଣ ବୃଥା ? ଏ ବହି, ଏ ଗବେଷଣା, ଏ ଔଷଧ ସବୁ କ’ଣ ମିଥ୍ୟା ?

 

ନିଜ ଉପରୁ ସମସ୍ତ ଆସ୍ଥା, ବିଶ୍ୱାସ ତୁଟାଇ ଡାକ୍ତର ସ୍ମିଥ୍ ଗବେଷଣାଗାରର ଯନ୍ତ୍ରପାତି ଗୁଡ଼ିକୁ ଫୋପାଡ଼ି ଚୂନା କରିଦେଲେ । ବିରାଟ କୋଠାରୀଟା ସାରା ଟୁକୁରା ଟୁକୁରା କାଚ ବିଛାଡ଼ି ହୋଇ ପଡ଼ିଲା । ତଳେ ପଡ଼ିଥିବା ମିକ୍‌ସଚର (ଅନେକ ଔଷଧର ମିଶ୍ରଣ) କ୍ରମଶଃ ସ୍ୱର୍ଣ୍ଣାଭ ରଙ୍ଗ ଧାରଣ କଲା ।

 

ଡାକ୍ତର ସ୍ମିଥ୍ ‘ୟୂରେକ୍‌କା’ କହି ଚୌକି ଉପରୁ ତଳକୁ ଡେଇଁ ପଡ଼ିଲେ । ସେ ଆନନ୍ଦରେ ଏତେ ଆତ୍ମବିହ୍ୱଳ ହୋଇ ଯାଇଥିଲେ ଯେ ତାଙ୍କ ଗୋଡ଼ରେ କାଚ ପଶି ରକ୍ତ ବୋହିବା କଥା ସେ ଆଦୌ ଜାଣି ପାରିଲେନି ।

 

ଧ୍ୱଂସରୁ ସୃଷ୍ଟିର ଆରମ୍ଭ ।

 

ଡାକ୍ତର ସ୍ମିଥ୍ ଅସଂଖ୍ୟ ଡଲାର ଖର୍ଚ୍ଚ କରି ପାଠ ପଢ଼ିଲେ । ଆର୍ଥିକ ଅନାଟନରେ ବିବ୍ରତ ନ ହୋଇ ସେ ଖବର କାଗଜ ମଧ୍ୟ ବିକ୍ରି କରିବାକୁ କୁଣ୍ଠା ପ୍ରକାଶ କରି ନ ଥିଲେ । ମାସରେ ଅନ୍ତତଃ ଚାରିଦିନ ତାଙ୍କୁ ଉପବାସ ରହିବାକୁ ପଡ଼ୁଥିଲା । ଗବେଷଣାରେ ସେ ନିଜକୁ ଏମିତି ଭାବରେ ହଜାଇ ଦେଇଥିଲେ ଯେ କେବଳ ନିଜ କଥା ନୁହେଁ ଘରକଥା ମଧ୍ୟ ପୂରାପୂରି ଭୁଲି ଯାଇଥିଲେ । କେବଳ ଏଇଥିପାଇଁ ସ୍ତ୍ରୀଙ୍କ ସହିତ ତାଙ୍କର ମନାନ୍ତର । ଏ ମନାନ୍ତର ଦିନେ ଛାଡ଼ପତ୍ରରେ ପରିସମାପ୍ତି ଘଟିଥିଲା । ବର୍ତ୍ତମାନ ଡାକ୍ତରଙ୍କ ଘରେ ଅଛି କେବଳ ଜଣେ ବୃଦ୍ଧ ଚାକର, ଡେଭିଡ଼୍ । ବୁଢ଼ା ଅଶିକ୍ଷିତ ହେଲେ କ’ଣ ହେବ ଭାରି ବୁଦ୍ଧିମାନ । ବେଳେ ବେଳେ ବାବୁଙ୍କୁ ମଧ୍ୟ ସେ ତାଗିଦା କରେ । ଠିକ୍ ସମୟରେ ନିତ୍ୟକର୍ମ କରିବାକୁ ଏବଂ ଖାଇବାକୁ ମନେ ପକାଇ ଦିଏ ।

 

ବାବୁଙ୍କ ଚିତ୍କାର ଶୁଣି ଦୌଡ଼ି ଆସିଲା ଡେଭିଡ଼ । ଗବେଷଣାଗାରରେ ଏ ଅଦ୍‌ଭୂତ ଘଟଣା ଦେଖି ଡେଭିଡ଼୍ ପ୍ରଥମେ ଭୟଭୀତ ହୋଇଗଲା । କଥାଟା କ’ଣ ସେ କିଛି ବୁଝି ପାରିଲାନି-

 

X X X

 

କଳା ଲୋକ ଗୋରା ହେବା ଲାଗି ଏକ ଅଦ୍ଭୁତ ଔଷଧ ଉଦ୍‌ଭାବନ କରି ଡାକ୍ତର ସ୍ମିଥ୍‌ ମାତ୍ର ଛ’ଟି ମାସରେ ଅଷ୍ଟ୍ରେଲିଆର ଧନୀମାନଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କଲେ । ତାଙ୍କର ଔଷଧ କେବଳ ଅଷ୍ଟ୍ରେଲିଆରେ ସୀମିତ ନ ରହି ପୃଥିବୀର ପ୍ରତ୍ୟେକ ଦେଶକୁ ରପ୍ତାନି ହେଲା । ସମସ୍ତେ ତାଙ୍କ ଔଷଧର ସୁଫଳ ପାଇଲେ । ଦୁଇଟା ବର୍ଷ ମଧ୍ୟରେ ପୃଥିବୀର ଅର୍ଦ୍ଧାଧିକ ଲୋକ ଗୋରା ହୋଇଗଲେ ।

 

ଡାକ୍ତର ସ୍ମିଥ୍ ପୃଥିବୀର ସର୍ବୋଚ୍ଚ ଉପାଧି ‘କିଙ୍ଗ୍ ଅଫ୍ ଦି ମେଡ଼ିସିନ୍‌ସ’ ପାଇବାର ଗୌରବ ଅର୍ଜନ କଲେ । ଡାକ୍ତର ସ୍ମିଥ୍ ଏ ଉପାଧି ପାଇଲା ପରଠାରୁ ଦ୍ୱିଗୁଣ ଉତ୍ସାହରେ ଡାକ୍ତରୀ ବିଦ୍ୟାର ଉନ୍ନତି ପାଇଁ ଲାଗିପଡ଼ିଲେ ।

 

ମେଲବୋନ୍ ସହରର ଉପାନ୍ତରେ ଅସଂଖ୍ୟ ଡଲାର ବ୍ୟୟରେ ଏକ ବିରାଟ ଔଷଧ କାରଖାନା ସ୍ଥାପନ କଲେ । ସେଥିରେ ମନୁଷ୍ୟ ତଥା ପ୍ରାଣୀମାନଙ୍କର ପ୍ରାୟ ସବୁ ପ୍ରକାର ରୋଗର ଉପଶମ ଲାଗି ଔଷଧ ପ୍ରସ୍ତୁତ କରାଗଲା ।

 

ହଠାତ୍ କଳାଲୋକେ ଗୋରା ହୋଇଯିବା ଫଳରେ କେତେକ କ୍ଷେତ୍ରରେ ଅନେକ ମଜା ମଜା ଘଟଣା ଘଟିଲା ଓ ସ୍ଥାନେ ସ୍ଥାନେ ଅନେକ ଅପ୍ରୀତିକର ଘଟଣା ଘଟିବା ମଧ୍ୟ ଶୁଣାଗଲା । ଆଫ୍ରିକାର ଏକ ଘଟଣା ବହୁଲୋକର ଦୃଷ୍ଟି ଆକର୍ଷଣ କରିଥିଲା । ଘଟଣାଟି ହେଉଛି ଯେ, ଜଣେ ନାରୀ ରଙ୍ଗ ବଦଳାଇଥିବା ତା’ର ସ୍ୱାମୀଙ୍କୁ ଚିହ୍ନି ପାରି ନ ଥିଲା । ସ୍ତ୍ରୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଦେବା ପାଇଁ ଚିନ୍ତାକରି ଗୃହ ସ୍ୱାମୀ ରଙ୍ଗ ବଦଳାଇ ଆସି ତା’ର ସ୍ତ୍ରୀକୁ ଧରି ପକାଇବାରୁ ସ୍ତ୍ରୀ ତା’ ପାଖରେ ଥିବା ଏସିଡ଼ି ବୋତଲଟା ଗୃହ ସ୍ୱାମୀଙ୍କ ଉପରେ ଢାଳି ଦେଇଥିଲା । ଫଳରେ ଲୋକଟି କଷ୍ଟ ପାଇ ପ୍ରାଣତ୍ୟାଗ କଲା ।

 

X X X

 

ହଠାତ୍ ଚହଳ ପଡ଼ିଗଲା ଯେ ଡାକ୍ତର ସ୍ମିଥ୍‌ଙ୍କର କୌଣସି ଔଷଧ ଆଉ ରୋଗୀମାନଙ୍କୁ କାଟୁ କରୁନି । ଡାକ୍ତର ସ୍ମିଥ୍ ଆଶ୍ଚର୍ଯ୍ୟ ହେଲେ, ଚିନ୍ତିତ ହେଲେ ।

 

ସବୁଠୁଁ ଆଶ୍ଚର୍ଯ୍ୟର କଥା ଭେଜାଲ ଔଷଧ ବିକ୍ରି କରୁଥିବା ଅପରାଧରେ ଡାକ୍ତର ସ୍ମିଥ୍‌ଙ୍କୁ ଗିରଫ କରାଗଲା ।

 

ହଠାତ୍ ଔଷଧଗୁଡ଼ିକ କାହିଁକି ତା’ର ଗୁଣ ହରାଇ ବସିଲା ସେ ସମ୍ପର୍କରେ ଜାଣିବା ପାଇଁ ସରକାରଙ୍କ ତରଫରୁ ମଧ୍ୟ ଜୋରସୋରରେ ଅନୁସନ୍ଧାନ ଚାଲିଲା । ଡାକ୍ତର ସ୍ମିଥ୍‌ଙ୍କର ବିଚାର ଆରମ୍ଭ ହେବା ପୂର୍ବରୁ ଔଷଧଗୁଡ଼ିକ ଗୁଣ ହରାଇବାର କାରଣ ସମ୍ପର୍କରେ ଜାଣିବା ପାଇଁ ଡାକ୍ତର ଏବଂ ବୈଜ୍ଞାନିକମାନେ ତତ୍‌ପର ହୋଇ ଉଠିଲେ । ରାତି ଦିନ ଅନୁସନ୍ଧାନ ଚାଲିଲା, ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ ଯାହା ରିପୋର୍ଟ ପ୍ରକାଶ ପାଇଲା ତାହା ନିମ୍ନରେ ପ୍ରଦତ୍ତ ହେଲା ।

 

‘‘ଚଳିତ ମାସ ୮ ତାରିଖ ଦିନ ଆମେରିକା ଏବଂ ୯ ତାରିଖ ଦିନ ଚୀନ ଗୋଟିଏ ଲେଖାଏଁ ଶକ୍ତିଶାଳୀ ପରମାଣୁ ବୋମା ଭୂଗର୍ଭରେ ପରୀକ୍ଷା କରିବା ଫଳରେ ପୃଥିବୀର ବାୟୁମଣ୍ଡଳ ଦୂଷିତ ହୋଇ ଯାଇଛି । ଭୂପୃଷ୍ଠର ଅମ୍ଳଜାନ ପରିମାଣ ହ୍ରାସ ପାଇବା ସଙ୍ଗେ ସଙ୍ଗେ ଅଙ୍ଗାରକାମ୍ଳଜାନର ପରିମାଣ ବୃଦ୍ଧି ପାଇଛି । ପୃଥିବୀ ପୃଷ୍ଠରେ ଥିବା ଜଳକଣାଗୁଡ଼ିକ ପରୀକ୍ଷିତ ପରମାଣୁ ବୋମାର ଧୂମ୍ର ପ୍ରଲେପର ସଂସ୍ପର୍ଶରେ ଆସିଛି, ଯାହା କ୍ରମଶଃ ପ୍ରାଣୀମାନଙ୍କ ଶ୍ୱାସକ୍ରିୟାରେ ପ୍ରତିକ୍ରିୟା ସୃଷ୍ଟି କରୁଛି । ପ୍ରାୟ ପ୍ରତ୍ୟେକ ଦେଶରେ ଆଶାତୀତ ବର୍ଷା ହେବାର ସମ୍ଭାବନା ରହିଛି । ଋତୁ ଚକ୍ରରେ ମଧ୍ୟ କେତେକ ପରିବର୍ତ୍ତନ ହୋଇଥିବାର ସୂଚନା ମିଳେ । ପୃଥିବୀର ଏ ସବୁ ପରିବର୍ତ୍ତନ ଫଳରେ ମଣିଷର ମାନସିକ ଏବଂ ଦୈହିକ ପରିବର୍ତ୍ତନ ଘଟିଥିଲା ପରି ମନେହୁଏ । ଏହି କାରଣରୁ ‘ଡାକ୍ତର ସ୍ମିଥ୍ କମ୍ପାନୀ’ର ଔଷଧ ବୋମା ପରୀକ୍ଷା ହେଲା ଦିନଠାରୁ ଅକାମି ହୋଇ ଯାଇଛି । ଏ ସମ୍ପର୍କରେ ଗବେଷଣା ଲାଗି ଆହୁରି ଅନେକ କିଛି ବାକି ରହିଛି । ଏହା କିନ୍ତୁ ବହୁ ସମୟ ଓ ବହୁ ଅର୍ଥ ସାପେକ୍ଷ ।’’

 

X X X

 

ମୋର ବକ୍ତବ୍ୟ ଶେଷ ହୋଇଛି । ଏଥର ଆପଣମାନେ କହିଲେ– ଡାକ୍ତର ସ୍ମିଥ୍‌ଙ୍କୁ ଦଣ୍ଡ ଦିଆଯିବା ଉଚିତ କି ?

 

(ସୌରଭ)

Image

 

ମାଧ୍ୟାକର୍ଷଣ

।। ଏକ ।।

 

ହମିଦ୍ ଚମକି ପଡ଼ିଲା । ଏ କ’ଣ ? କ’ଣ ସେ ଦେଖୁଛି ? ସ୍ୱପ୍ନ ନୁହେଁ ତ ? ଡାକ୍ତର ସାଜି ନିଜକୁ ନିଜେ ଥରେ ପରୀକ୍ଷା କରିନେଲା । ନା, ସ୍ୱପ୍ନ ନୁହେଁ, ସତ୍ୟ ।

 

ଡାକ୍ତରଖାନାର ଏକ ପ୍ରକୋଷ୍ଠ । ଖାଲି ରୋଗୀ ଆଉ ରୋଗୀ । ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ ଅନ୍ୟ ସମସ୍ତେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି । ବଞ୍ଚିବା ପାଇଁ ଜୀବନ ସହିତ ଯୁଦ୍ଧ କରୁଛନ୍ତି । ବଞ୍ଚିବାଟା ସେମାନଙ୍କ ପାଇଁ ଯେମିତି ନିହାତି ପ୍ରୟୋଜନ । ହୁଏତ ଆଉ କେହି କେହି ବ୍ୟର୍ଥ ଜୀବନର ସ୍ମୃତି ବିଜଡ଼ିତ ମୁହୂର୍ତ୍ତଗୁଡ଼ିକୁ ରୋମନ୍ଥନ କରି ପରବର୍ତ୍ତୀ ନବକଳେବର ପାଇଁ ପ୍ରତୀକ୍ଷା କରିଛନ୍ତି । ବାସ୍ତବିକ ରୋଗଶଯ୍ୟା ହିଁ ଜୀବନର ମୂଲ୍ୟାୟନ କରି ହିସାବ ନିକାଶ କାରିବାର ଉପଯୁକ୍ତ ସମୟ । ଏତିକିବେଳେ ଜୀବନର ସଂଚିତ ପାପ ପୁଣ୍ୟ ତଉଲା ହୁଏ । ପୁଣ୍ୟ କରିଥିଲେ ସ୍ୱର୍ଗକୁ, ପାପ କରିଥିଲେ ନର୍କକୁ ଯିବାକୁ ହେବ, ଏ ଉକ୍ତିର ସତ୍ୟତା ଥାଉ ବା ନ ଥାଉ ରୋଗୀ ନିଜକୁ ସେ ଭୟର ଶିକାର ହେବାକୁ ଛାଡ଼ିଦିଏ । ଦୁର୍ବଳ ପୁଣି ରକ୍ତଚାପ ରୋଗୀ ହମିଦ୍ ନିଜକୁ ସଂଯତ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରି ଶେଷରେ ନିରାଶ ହୋଇ ଅତୀତ ଏବଂ ଭବିଷ୍ୟତରେ ଧକ୍‌କା ଖାଇ ବର୍ତ୍ତମାନଟାକୁ ଜାବୁଡ଼ି ଧରିଛି । ତା’ର ଅତୀତ ଏବଂ ଭବିଷ୍ୟତ ଅମାବାସ୍ୟାର ନିର୍ଜନ ଘନ ଅନ୍ଧକାର ଭଳି ଅବୋଧ୍ୟ ଦୁର୍ଭେଦ୍ୟ । ତଥାପି ଦୋଦୁଲ୍ୟମାନ ବର୍ତ୍ତମାନ ଉପରେ ନିଜକୁ ଶକ୍ତି କରି ସ୍ଥିର ରଖିବାକୁ ତା’ର ସାଧନା ଚାଲୁ ରହିଛି । ହମିଦ୍‌ ଆଶାବାଦୀ ପଳାୟନପନ୍ଥୀ ନୁହେଁ ।

 

ହମିଦ୍‌ ମନେ ପକାଇବାକୁ ଚେଷ୍ଟା କଲା ଜୀବନ ଇତିହାସର ପୁରୁଣା ପୃଷ୍ଠାର ସ୍ମୃତି ଗୁଡ଼ିକୁ ।

 

ସେଦିନ ରାତି ଏଗାରଟା । ଗାଡ଼ି ମାଲିକଙ୍କର ଆଦେଶ, ମାଲ୍ ନେଇ ଚଣ୍ଡୀଗଡ଼ରେ ଓହ୍ଲେଇ ଦେଇ ରାତାରାତ୍‌ ଫେରିବାକୁ ହେବ । ହମିଦ୍‌ ନିରୂପାୟ । ଗତ ରାତିରେ ସେକେଣ୍ଡ ସୋ ସିନେମା ଦେଖା ହୋଇଛି । ପୁଣି ସକାଳୁ ସନ୍ଧ୍ୟା ଯାଏ ଜିନିଷ ବୁହା ହୋଇଛି । ବିଶ୍ରାମ ନାହିଁ । ରାତି ଅନିଦ୍ରା ହୋଇ ଚଣ୍ଡୀଗଡ଼ ଯାଇ ଫେରିବାକୁ ହିଁ ହବ । ନିଜର ଶକ୍ତ ବାହୁ ଦି’ଟା ଉପରେ ହମିଦ୍‌ର ଆସ୍ଥା ରହିଛି । ତନ୍ଦ୍ରା ବିଜଡ଼ିତ ଆଖି ପତାରେ ହାତ ବୁଲେଇ ଆଣି ହମିଦ୍‌ ଷ୍ଟେରିଙ୍ଗ୍‌ରେ ହାତ ଦେଲା । ଟ୍ରକ ଚାଲିଲା ଚଣ୍ଡୀଗଡ଼ ଅଭିମୁଖେ ।

 

କିନ୍ତୁ ହାୟ । ଚଣ୍ଡୀଗଡ଼ରେ ଟ୍ରକ ପହଞ୍ଚି ପାରିଲାନି । ନିଦ ତା’ର କାଳ ହେଲା । ଟ୍ରକ୍‌ ଯାଇ ଗୋଟାଏ ଗଛରେ ଧକ୍‌କା ହେଲା । ତା’ପରେ ?

 

ହମିଦ୍‌ ମନେ ପକାଇବାକୁ ଚେଷ୍ଟା କଲା । ନା, ତା’ର ଆଉ କିଛି ମନେ ନାହିଁ । ସେ ବୋଧହୁଏ ବେହୋସ ହୋଇଗଲା । ତା’ ପରେ ସେ ନିଜକୁ ଆବିଷ୍କାର କରିଛି ଚଣ୍ଡୀଗଡ଼ର ଡାକ୍ତରଖାନାର ଶଯ୍ୟା ଉପରେ । ହାତ, ଗୋଡ଼, ମୁଣ୍ଡରେ ପଟି ବନ୍ଧା ହୋଇଛି । ଦେହରେ ହଲଚଲ ହେବାର ଶକ୍ତି ବି ନାହିଁ ।

 

ହମିଦ୍‌ ସମସ୍ତଙ୍କୁ ଭଲ କରି ଅନେଇଲା । ତା’ର ମନେହେଲା ସତେ ଯେମିତି ସେ ଅନ୍ଧ ହେଇ ଯାଇଥିଲା, ହଠାତ୍‌ ଦୃଷ୍ଟିଶକ୍ତି ଫେରି ପାଇଛି । ଆନନ୍ଦ ଏବଂ ହତାଶାରେ ଅଧୀର ହୋଇ ରଫିକ୍‌କୁ ଚାହିଁ ଛୋଟ ଛୁଆ ଭଳି କାନ୍ଦି ଉଠିଲା । କାନ୍ଦିଲେ କୁଆଡ଼େ ଦୁଃଖଭାର ଲାଘବ ହୋଇଯାଏ... ମୁଣ୍ଡ ହାଲୁକା ହୁଏ ।

 

ହମିଦ୍‌ର ଦୁଃଖ ନିଜ ପାଇଁ ନୁହେଁ ରଫିକ୍‌ ପାଇଁ । ଏକମାତ୍ର ପୁଅ ରଫିକ୍‌ । ନବମ ଶ୍ରେଣୀରେ ପାଠ ପଢ଼ୁଛି । ତାକୁ ମଣିଷ ଭଳି ମଣିଷଟିଏ କରିବା ପାଇଁ ହମିଦ୍‌ ମଦ ଛାଡ଼ି ଦେଇଛି, ଘର ଖର୍ଚ୍ଚ କମେଇ ଦେଇଛି । ରଫିକ୍‌ର ବହି ଜାମା କିଣିବା ଲାଗି, ସ୍କୁଲ ଦରମା ଦାଖଲ କରିବା ପାଇଁ ସେ ସଦାସର୍ବଦା ମୁକ୍ତ ହସ୍ତରେ ଟଙ୍କା ଦେଇଛି । ବିରାଟ ଦାନବ ସଦୃଶ ଟ୍ରକ୍‌ଟା ଚଳେଇଲାବେଳେ ସେ ଯେତିକି ସତର୍କ, ପୁଅର ସୁବିଧା ଅସୁବିଧା ବୁଝିବା ଲାଗି ସେତିକି ସତର୍କ । ମଝିରେ, ମଝିରେ ରଫିକ୍‌ର ସ୍କୁଲ ପାଖରେ ଗାଡ଼ି ରଖି ଶିକ୍ଷକଙ୍କୁ ଦେଖା କରି ପୁଅର ପଢ଼ା ଖବର ବୁଝେ । ତା’ର ଜିଦ୍‌, ମୋ ବଂଶରେ କେହି କେବେ ବେଶି ପାଠ ପଢ଼ିନି; ମୁଁ ମୋ ପୁଅକୁ ପାଠ ପଢ଼େଇ ନିଶ୍ଚୟ ବଡ଼ ହାକିମ କରିବି ।

 

ଡ୍ରାଇଭର ଚାକିରି । ମାସକୁ ଦରମା ମାତ୍ର ଦେଢ଼ଶହ ଟଙ୍କା । ଏଣୁ ତେଣୁ ଆଉ ଖୁବ୍‌ ବେଶି ହେଲେ ମାସରେ ଚାଳିଶ ପଚାଶ ଟଙ୍କା ରୋଜଗାର ହୋଇଥାଏ । ବାର ବର୍ଷର ଚାକିରିରେ ଶହେଟା ଟଙ୍କା ବି ବଳେଇ ଜମା ରଖି ପାରିନି । ଆସୁଛି ଖର୍ଚ୍ଚ ହେଉଛି । ହମିଦ୍‌ କେବେ କାହାରି ପାଖରେ ହାତ ପତେଇ ପଇସାଟିଏ ବି ସାହାଯ୍ୟ ମାଗିନି । ପରିଶ୍ରମ କରି ଯେତିକି ରୋଜଗାର କରିଛି ସେତିକି ଖର୍ଚ୍ଚ କରିଛି । ସବୁ ରୋଜଗାର ପରିବାର ଖର୍ଚ୍ଚରେ ଶେଷ । ଚାକିରିରେ ନା ପ୍ରୋଭିଡ଼େଣ୍ଟ ଫଣ୍ଡ୍‌ ଅଛି ନା ପେନ୍‌ସନ୍‌ ଅଛି, କିଛି ନାହିଁ । ହାତ, ଗୋଡ଼ ଭାଙ୍ଗି ଗଲେ କି ଆଖି ଖରାପ ହୋଇଗଲେ ଚାକିରି ଶେଷ । ହମିଦ୍‌ର ଅନ୍ତର ହାହାକାରରେ ମନ୍ଥି ହେବାକୁ ଲାଗିଲା ।

 

ଟ୍ରକ୍‌, ଗଛ, ରଫିକ୍‌, ହୁସ୍‌ନାରା, ମାଲିକ, ଡାକ୍ତର, ନର୍ସ, ଡାକ୍ତରଖାନା ଏମିତି କେତେ କ’ଣ ତା’ ଭାବନାକୁ କେନ୍ଦ୍ର କରି ଲକ୍ଷାଧିକ ମାଇଲ ବେଗରେ ଘୂରି ବୁଲିଲେ । ସେ ଘୂର୍ଣ୍ଣିବାତ୍ୟା ଭିତରେ ହମିଦ୍‌ ଜଣେ ପରାସ୍ତ ସୈନିକ ଭଳି ଭାଙ୍ଗି ପଡ଼ିଥିଲା ।

 

।। ଦୁଇ ।।

 

ଡାକ୍ତର ଗୁରୁବଚନ ସିଂହଙ୍କ ମୁହଁର କୁଞ୍ଚିତ ରେଖା ଗୁଡ଼ିକ ବୁଢ଼ିଆଣୀ ଜାଲ ପରି ଆହୁରି ଜଟିଳ ହୋଇଗଲା ଠିକ୍‌ ତାଙ୍କ ଭାବନାର ସୁଅ ଭଳି ।

 

ହମିଦ୍‌ ଲଟେରୀ ଟିକେଟ କିଣିଥିଲା । ସେ ପ୍ରଥମ ପୁରସ୍କାର ପାଇଛି ତିନି ଲକ୍ଷ ଟଙ୍କା । ତିନି ଲକ୍ଷ ଟଙ୍କାର ପ୍ରଥମ ପୁରସ୍କାର ପାଇଛି ବୋଲି ଜାଣିଲେ ତା’ର ଦୁର୍ବଳ ହୃତ୍‌ଯନ୍ତ୍ର କ୍ରିୟା ବନ୍ଦହୋଇ ଯାଇପାରେ । ଏଣେ ସେ ଦସ୍ତଖତ ନ କଲେ ଟଙ୍କା ମିଳିବନି । କି ଉପାୟ କରାଯିବ ସେ ଚିନ୍ତାରେ ସମସ୍ତେ ମର୍ମାହତ ।

 

ଡାକ୍ତର ସିଂହ ନୀରବ । ରଫିକ୍‌ ନୀରବ । ହୁସ୍‌ନାରା ନୀରବ । ଡାକ୍ତର ଭାଟିଆ ନୀରବ-। ନର୍ସ ସୁପ୍ରଭା କାଉର୍‌ ନୀରବ । କେବଳ ନୀରବ...ନୀରବ... । ନୀରବ କୋଠରୀଟା ଡାକ୍ତର ସିଂହଂକ ଚିତ୍କାରରେ ଚମକି ଉଠିଲା ।

 

ଡାକ୍ତର ସିଂହ ବିଜୟୋଲ୍ଲାସରେ ହାତ ଟେକି ଠିଆ ହୋଇପଡ଼ିଲେ । ଆଠଟା କମ୍ପିତ ଉତ୍କଣ୍ଠିତ ଆଖି ଡାକ୍ତର ସିଂହଙ୍କ ଉପରେ କେନ୍ଦ୍ରୀଭୂତ ହୋଇଗଲା ।

 

ଡାକ୍ତର ସିଂହ ବହୁତ ପୂର୍ବରୁ ପ୍ରସ୍ତୁତ ଥିଲା ଭଳି କହି ଚାଲିଲେ, ପ୍ରଥମେ ହମିଦ୍‌ ବାବୁଙ୍କୁ ପଚରାଯିବ ଯେ ଲଟେରୀରୁ ଶହେ ଟଙ୍କା ପୁରସ୍କାର ପାଇଲେ ସେ କ’ଣ କରିବେ ?

 

ତାହାହିଁ ହେଲା । ନିର୍ଦ୍ଧାରିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ହମିଦ୍‌ କହିଲା, ଆଲ୍ଲାଙ୍କ ଉଦ୍ଦେଶ୍ୟରେ ଗରିବମାନଙ୍କୁ ଖାଇବାକୁ ଦେବି ।

 

X X X

 

ତା’ପରଦିନ ସନ୍ଧ୍ୟା । ଅନତିଦୂରସ୍ଥ ମସ୍‌ଜିଦରୁ ନମାଜ ଆବୃତ୍ତିର ଅସ୍ପଷ୍ଟ ସ୍ୱର ଡାକ୍ତରଖାନାର କାଚ ଝରକା ଭେଦ କରି ହମିଦ୍‌କୁ ଖୋଦାଙ୍କ କଥା ସ୍ମରଣ କରାଇ ଦେଉଛି । ହମିଦ୍‌ ନୀରବ, ନିଶ୍ଚଳ ।

 

ଆସିଛନ୍ତି ଡାକ୍ତର ସିଂହ । ଆଦାବର୍‌ କହି ସ୍ୱାଗତ କଲା ହମିଦ୍‌ । ଡାକ୍ତର ପରୀକ୍ଷା କରି ଜିଜ୍ଞାସୁ ଦୃଷ୍ଟିରେ ତାକୁ ଚାହିଁଲେ । ହମିଦ୍‌ ଏହାର ଅର୍ଥ କିଛି ବୁଝି ଅନେକଟା ବୁଝି ପାରିଲାନି । ଡାକ୍ତରଙ୍କୁ ଏହାର କାରଣ ସମ୍ପର୍କରେ ପଚାରିବା ପାଇଁ ନିଜକୁ ପ୍ରସ୍ତୁତ କରୁ କରୁ ଡାକ୍ତର ସିଂହ ପ୍ରଶ୍ନ କଲେ, ଆଚ୍ଛା ହମିଦ୍‌, ଲଟେରୀରୁ ତୁମକୁ ଯଦି ହଜାରେ ଟଙ୍କା ମିଳିବ ।

 

ହମିଦ୍‌ ଯଦିଓ ପ୍ରଶ୍ନଟାକୁ ଅବାନ୍ତର କାଳ୍ପନିକ ମନେ କରି ଉତ୍ତର ଦେବାକୁ ଇଚ୍ଛା କରୁ ନ ଥିଲା, ତଥାପି ଜଣେ ଡିଗ୍ରୀଧାରୀ ପ୍ରତିଭାବାନ୍‌ ଛାତ୍ର ଏକ ସହଜ ମୌଖିକ ପ୍ରଶ୍ନର ଉତ୍ତର ଦେଲା ଭଳି ଅତି ସାଧାରଣ ଭାବରେ କହିଲା, ଆପଣ ଦୁହେଁ ମୋର ଜୀବନ ରକ୍ଷା କଲେ । ଆପଣଙ୍କୁ ଅଧା ଦେଇ ଆଉ ଅଧା ଡାକ୍ତର ଭାଟିଆଙ୍କୁ ଦେଇଦେବି ।

 

ଦନ୍ତହୀନ ଡାକ୍ତର ଗୁରୁବଚନ ସିଂହ ହସି ଉଠିଲେ । ତାଙ୍କର ସହଯୋଗୀ ଡାକ୍ତର ଭାଟିଆ ହମିଦ୍‌ଆଡ଼େ ସିଧାସଳଖ ଅନେଇଲେ । ରଙ୍ଗିନ୍‌ ଔଷଧ ଶିଶିର ଠିପି ଖୋଲୁ ଖୋଲୁ ଅଟକି ଗଲେ ସେ । ହୁସ୍‌ନାରା କ’ଣ ଦି’ପଦ କହିବାକୁ ଇଚ୍ଛାକରି ମଧ୍ୟ ସଂକୋଚରେ କିଛି କହି ପାରିଲାନି ।

 

ଏଥର ଡାକ୍ତର ସିଂହ ଟିକିଏ ଦମ୍‌ ନେଲେ । ପୁଣି ପଚାରିଲେ, ତୁମକୁ ଯଦି ତିନି ଲକ୍ଷ ଟଙ୍କାର ପ୍ରଥମ ପୁରସ୍କାର ମିଳେ ତୁମେ ସେ ଟଙ୍କା କ’ଣ କରିବ ?

 

ଡାକ୍ତର ସିଂହଙ୍କ ସହ ହମିଦ୍‌ ଆଡ଼କୁ ସଂକ୍ରମିତ ହୋଇଗଲା । ତା’ ବ୍ୟତୀତ ହମିଦ୍‌ ମନରେ ଅନ୍ୟ କୌଣସି ବିକୃତି କିମ୍ବା ପ୍ରତିକ୍ରିୟା ସୃଷ୍ଟି ହେଲାନାହିଁ । ଆଈ ମାଆର ‘ସୁନ୍ଦରୀ ଅଲିଅଳୀ ରାଜଜେମାର ଶହେ ହାତ ଲମ୍ବ ବେଣୀ’ କାହାଣୀର ଚାରି ପାଞ୍ଚ ବର୍ଷିଆ ଶ୍ରୋତା ଭଳି ହମିଦ୍‌ ମୁହୂର୍ତ୍ତେ ନୀରବ ରହି ଉତ୍ତର ଦେଲା; ଆପଣଙ୍କୁ ଅଧା ଦେଇଦେବି, ଆଉ...

 

ହମିଦ୍‌ର ବାକ୍ୟ ଶେଷ ହେଲା ବେଳକୁ ଡାକ୍ତର ସିଂହ ଆଉ ସଚେତ ଅବସ୍ଥାରେ ନ ଥିଲେ । ତାଙ୍କ ହୃଦ୍‌ଯନ୍ତ୍ର କ୍ରିୟା ହଠାତ୍‌ ଅଟକିଗଲା ।

 

(ଜୀବନ ରଙ୍ଗ)

Image

 

ମଲା ମଣିଷ କଥା କହେ

 

ଅନ୍ଧ କନ୍ଧ ଭକ୍ତ ଭୀମ ଭୋଇ ଗାଇଥିଲେ ‘‘ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ ।’’ କିନ୍ତୁ ଆଜିର ମଣିଷ ଚାହେଁ ‘‘ଜଗତ ପଛେ ନର୍କେ ପଡ଼ିଥାଉ ମୋ ଜୀବନ ଉଦ୍ଧାର ହେଉ ।’’

 

ଜନମ ମରଣ ପୁନର୍ଜନ୍ମ ପାପ ପୁଣ୍ୟ ସ୍ୱର୍ଗ ନର୍କ ଏସବୁ ବାଦାନୁବାଦ ମଣିଷ ଜୀବନକୁ ଜଟିଳ କରିଦେଲାଣି । ଯିଏ ମରିବାକୁ ଚାହୁଁଛି ସେ ମରିପାରୁନି ଅଥଚ ଯିଏ ମରିବାକୁ ଚାହୁଁନି ଯମ ଦେବତା ତାକୁ ନେଇ ଯାଉଛନ୍ତି । ଏ ସଂସାରର ଲୀଳା ବଡ଼ ବିଚିତ୍ର ।

 

ଗଲା ପୁଷ ମାସରୁ ନବଘନ ଦାସେ ବାଧିକୀ ପଡ଼ିଛନ୍ତି ଯେ ଦେଖୁ ଦେଖୁ ଚାରି ମାସ ହୋଇଗଲା । କାଶ କମୁନାହିଁ କି ଗୋଡ଼ଫୁଲା କମୁନାହିଁ । ଜରଟା ମଧ୍ୟ ଦାଉ ସାଧୁଛି । ବଇଦ କହିଛି ମାଲେରିଆ ଜର । ବୁଢ଼ାଙ୍କର ବଳ ବଅସ ଆସିଲାବେଳକୁ ଏ ରୋଗଗୁଡ଼ାକ କେଉଁଠି ଥିଲେ ଆସି ଝୁଣି ପକେଇଲେଣି । ବୁଢ଼ାଙ୍କୁ ତିନି କୋଡ଼ି ପାଞ୍ଚ ଛୁଇଁଲାଣି, ତଥାପି ବାଡ଼ି ଧରିବାକୁ ପଡ଼ି ନ ଥିଲା କି ଆଖିଆ ଲଗେଇବାକୁ ପଡ଼ି ନ ଥିଲା । ରୋଗ ତ ପାଖ ପଶୁ ନ ଥିଲେ । କେବଳ କେତେବେଳେ କେମିତି ମୁଣ୍ଡବିନ୍ଧା କି ପେଟ ଗୋଳମାଳ ହେଉଥିଲା । ସେଥିପାଇଁ ଦାସେ ବଟୁଆରେ ସବୁବେଳେ ଚେରମୂଳ ରଖୁଥିଲେ । ଏବେ କି ରୋଗ ହେଲା ଯେ ଆଉ କାହାର ଔଷଧ କାଟୁ କରୁନି । ବୁଢ଼ାଙ୍କୁ ଚାରି ମାସ ହେଲା ଖଟିଆରେ ଶୁଆଇ ଦେଲାଣି । ତାଙ୍କର ସବୁ ଆଶା ଭରସାକୁ ଦୋହଲାଇ ଦେଲାଣି । ଗାଁର ବୁଢ଼ାମାନେ ତାଙ୍କର ପୂରିଲା ପୂରିଲା ବାହୁ, ନିରୋଗ ଦିହକୁ ଦେଖି ହିଂସା କରୁଥିଲେ । ଏବେ ଦାସେ ଦଉଡ଼ିଆ ଖଟଟାରେ ଶୋଇ ଶୋଇ ସେ ପୁରକୁ ଯିବା କଥା ଭାବୁଛନ୍ତି । ଦିହ କଣ୍ଟା ହୋଇଗଲାଣି । ଆଖି ଯୋଡ଼ିକ ଭିତରକୁ ପଶି ଗଲାଣି, ପୋଶେ ଚାଉଳ ଧରିବ । ଆଖିରେ ପରଳ ମାଡ଼ି ଯାଉଛି । ମୁହଁରେ ପାଚିଲା ଦାଢ଼ି ଗୁଡ଼ାକ ସାଙ୍ଗକୁ ବୁଢ଼ିଆଣୀ ଜାଲ ଭଳି ମୁହଁର ରେଖା ଗୁଡ଼ାକ ଛନ୍ଦାଛନ୍ଦି ହେଇ ବଡ଼ ବିକଟାଳ ଦିଶୁଛି । ସାମନାର ଦାନ୍ତତକ ପଡ଼ିଗଲା ପରେ ଯୋଉ ଯୋଡ଼ିକ ଦାନ୍ତ ରହି ଯାଇଛି ସେ ଯୋଡ଼ିକ ଦି ଓଠକୁ ପଛକୁ ଠେଲି ଆଗକୁ ବାହାରି ରହିଛି । ଦାସେ ଏତେ ପାନ ଖାଉଥିଲେ ଯେ ସେ ଦାନ୍ତ ଯୋଡ଼ିକ କଳା ପଡ଼ି ବଡ଼ ଅସୁନ୍ଦର ଦିଶୁଛି । ମୁଣ୍ଡର ବାଳ ଝୋଟ ହେଲାଣି । ବାଳରେ ତେଲ ବାଜିବାକୁ ନାହିଁ କି ଚିରୁଣୀ ବାଜିବାକୁ ନାହିଁ । ସ୍ତ୍ରୀ ଚଞ୍ଚଳା କେତେଥର ବୁଝେଇଲେଣି ବାଳ ଜଟ ହେଇଯିବ । ଦାସେଙ୍କର ସେଇ ଏକା ଉତ୍ତର ହେଇଯାଉ, ମୁଁ ଆଉ କି ବଞ୍ଚିବି ଯେ ଏତେ ଚିନ୍ତା ?

 

ଦାସେ ପିଣ୍ଡରୁ ପାଣି ଛଡ଼େଇ ସାରିଲେଣି । ସଂସାରର ମାୟା, ମମତା ତୁଟେଇ ଜୀବନ ଛାଡ଼ିବାକୁ ଅନେଇ ବସିଛନ୍ତି କେବେ ଯମଦୂତଙ୍କଠାରୁ ଡାକରା ଆସିବ । ଗୋଟିଏ ଦିହରେ ଅନେକ କମେଇଲେ, ଅନେକ ଖର୍ଚ୍ଚ କଲେ । କୌଣସିଥିରେ ଊଣା ନାହିଁ । ଧାନ, ମୁଗ, ବିରି ଅମାରରେ ଖୁନ୍ଦି ହେଇ ରହେ । ମରିଚତକ ତୋଳା ହେଇ ଶୁଖା ହବା ପରେ ବସ୍ତାରେ ଠେସା ହେଇ ଥାକ ମରାହୁଏ । ଦର ଚଢ଼ିଲେ ବଜାରକୁ ଛଡ଼ାଯାଏ । ଏଣେ ଆଖୁ ଫସଲ ଏସନ ନୂଆରେ ଆରମ୍ଭ କରିଥିଲେ ମଧ୍ୟ ଭଲ କରି ଦି’ ପଇସା ଛାଣିଲା । ଆହୁରି ପ୍ରାୟ ଶହେଟା ଗୁଡ଼ କଣ୍ଟ ହାତ ଭାଡ଼ିରେ ଥୁଆ ହେଇଛି । ଏସନ ବୁଢ଼ା ଏବଂ ପୁଏ ହାଡ଼ଭଙ୍ଗା ଖଟଣି କରି ଏଇତକ କମେଇଛନ୍ତି । ବୁଢ଼ା ବରଷକର ଖୋରାକ ରଖି ବାକିତକ ବିକି ଦେଲେ । କେବଳ ଯାହା ଚାଉଳ କିଛି ଏବଂ ଗୁଡ଼ କିଛି ବିକା ନ ହେଇପାରି ରହିଛି ।

 

ବୁଢ଼ାଙ୍କର ଦିହ ଖରାପ ହେଲାଠୁ ବୁଢ଼ୀକି ନିଦ ନାହିଁ । ସବୁବେଳେ ଜଗି ବସିଛି । ଆଗ ଆଗ ବଡ଼ ବୋହୂ ଆସି ଶଶୁରର ସେବା କରୁଥିଲା । ଗୋଡ଼ ମୋଡ଼ି ଦେଉଥିଲା । ଆଙ୍ଗୁଠି ଫୁଟାଇ ଦେଉଥିଲା । ମୁଣ୍ଡ ଚିପି ଦେଉଥିଲା । ଠିକ୍‌ ସମୟରେ ଓଷଦ ଦେଉଥିଲା । ପାଣି ପିଇବାକୁ ଦେଉଥିଲା । କିନ୍ତୁ ଏବେ କିଛିଦିନ ହେଲା ବୁଢ଼ା ହଗାମୁତା କଲାରୁ ସେ ଆଉ ତାଙ୍କର ପାଖ ପଶୁନି-। ବୁଢ଼ାଙ୍କର ଦିହ ଦିନକୁ ଦିନ ବେଶି ଖରାପ ଆଡ଼କୁ ଗତି କରୁଛି । ମଣିଷ ଚିହ୍ନିବା କଷ୍ଟ ହେଉଛି-। ସହଜେ ତ ଦି’ବର୍ଷ ହେଲା ଶୁଭିବା ଊଣା । ବେଳେବେଳେ ବେହୋସ ହେଇ ଯାଉଛନ୍ତି । କିଛି ଭଲ ମନ୍ଦ ଜାଣିପାରୁ ନାହାଁନ୍ତି । ବିଳିବିଳେଇ ଉଠି ଏଣୁ ତେଣୁ କ’ଣ କହି ଯାଉଛନ୍ତି । ଖଟରେ ଝାଡ଼ା ପରିସ୍ରା କରି ପକଉଛନ୍ତି । ବଡ଼ବୋହୂ ବୁଢ଼ାଙ୍କ ପାଖକୁ ନ ଆସିବା ଦିନଠୁଁ ଏବେ ବୁଢ଼ୀ ଉପରେ ସବୁ କାମ ପଡ଼ିଛି । ବୁଢ଼ୀକି ମଧ୍ୟ ତିନି କୋଡ଼ି ପାଖାପାଖି ହେଲାଣି । ତା’ ଅଣ୍ଟାର ଜୋର୍ କମି ଆସିଲାଣି । ବାଡ଼ି ଖଣ୍ଡେ ନ ଧରିଲେ ସେ ଉଠି ବସି ପାରୁନି । ଚାଳିଶିଆ ହେଲାଠୁଁ ଦିଶିବାର ମଧ୍ୟ ଊଣା । ସବୁବେଳେ ତା’ର ଗୋଡ଼ହାତ ବିନ୍ଧା ଛିଟିକା କରୁଛି ବୋଲି ଆହା ଉହୁ ହେଉଛି-। ଗିରସ୍ତଙ୍କର କି ସେବା କରିବ ? ତଥାପି ଯେତିକି ପାରୁଛି ସେ ତା’ କର୍ତ୍ତବ୍ୟରେ କେବେ ହେଳା କରିନି । ବୁଢ଼ାଙ୍କର ଦିହକୁ ଜଗିବାଠାରୁ ଆରମ୍ଭ କରି ମଇଳା ଲୁଗା ସଫା କରିବା, ଓଷଦ ଦବା, ଗୋଡ଼ ମୋଡ଼ିଦବା ପର୍ଯ୍ୟନ୍ତ ସବୁ କାମ କରିବାକୁ ହେଉଛି । ତଥାପି ବୁଢ଼ୀ ମୁହଁ ଖୋଲି କାହାକୁ କଡ଼ା କରି ଦି’ପଦ ଗାଳି ଦେଇନି । କାମ ନ ଥିଲେ ବୁଢ଼ାଙ୍କର ଖଟିଆକୁ ଆଉଜି ତାଙ୍କର ଯୁଆନ ବେଳର କଥା ମନେ ପକାଇ ଆଖିରୁ ଲୁହ ବୁହାଏ, ଲୁଗା କାନିରେ ପୋଛେ, ସେମିତି କାନ୍ଦି କାନ୍ଦି ଶୋଇଯାଏ । ମନ ସୁଖ ନାହିଁ ବୋଲି ତା’ର କୋଉ କାମରେ ମନ ଲାଗେନି । ଖାଇବା ପିଇବା କି ଶୋଇବା ଠିକ୍ ଠିକଣା ନାହିଁ । ସମୟ ମିଳିଲେ ଗାଧୋଉଛି ନ ହେଲେ ବି ନାହିଁ । ସବୁ କାମ ଖାପଛଡ଼ା ବେତାଳିଆ ହେଇ ଯାଇଛି, ହେଇ ଯାଉଛି ।

 

ବୁଢ଼ାଙ୍କର ମୁଣ୍ଡପାଖ ଠଣାରେ ଡିବିରି ଆଲୁଅଟା ମିଞ୍ଜି ମିଞ୍ଜି ହେଇ ଜଳୁଛି । ବୋଧହୁଏ କିରୋସିନି ସରି ଆସିଲାଣି । ଛୋଟିଆ ଘରଟିକୁ ମଧ୍ୟ ଆଲୋକିତ କରିବାର ଶକ୍ତି ତା’ର ନାହିଁ । ବୁଢ଼ାଙ୍କର ଜୀବନ ଦୀପଭଳି ଏ ଦୀପଟା କୋଉ ମୁହୂର୍ତ୍ତରେ ଯେ ଲିଭିଯିବ କିଏ ଜାଣେ ?

 

ଦାସେ ଖଟରେ ଶୋଇ ଶୋଇ ମରଣ ସହିତ ଲଢ଼େଇ କରୁଛନ୍ତି ?

 

ଜୀବନସାରା କଷ୍ଟ କରି ଅର୍ଜିଥିବା ଧନ ଜନ ଛାଡ଼ି ଏ ସଂସାରର ମାୟା ଲୋଭ ମୋହ ତୁଟେଇବା କ’ଣ ଏତେ ସହଜ ? ମଣିଷ ଜୀବନ ପାଣିଫୋଟକା ପରି । ନିଶ୍ଚୟ ଦିନେ ମରିବାକୁ ହିଁ ହେବ । ଏ ଜନ୍ମର ଫଳ ଆସନ୍ତା ଜନ୍ମରେ ଭୋଗ କରିବାକୁ ହବ (ଯଦି ପୁନର୍ଜନ୍ମ ଥାଏ) । ମଣିଷ ନଙ୍ଗଳା ହେଇ ଏ ସଂସାରକୁ ଆସେ, ମଲାବେଳେ ମଧ୍ୟ ନଙ୍ଗଳା ହୋଇ ଯାଏ । ଧନ,ଜନ, ପରିବାର, ବନ୍ଧୁ କେହି ସେତେବେଳେ ସାଥି ହୋଇ ପାରେନି । ପୁଣ୍ୟ ଅର୍ଜିଥିଲେ ହିଁ ସାଙ୍ଗରେ ଯାଏ, ଜୀବନ ସାର୍ଥକ ହୁଏ । ଏ ଧନ, ଜନ, ତୋର ମୋର ଏସବୁ ମିଛ, ମାୟା, ଦି’ ଦିନ ପାଇଁ । କେହି ସବୁଦିନ ପାଇଁ ରହି ପାରିନି, ରହି ପାରିବନି ।

 

‘‘ଧନ ଜନ ପାଇଁ ମାତି ଭୁଲା ମନ ଭୁଲ କରନା

ଦୁଇ ଦିନ ପାଇଁ ତୋର ଏ ଜନମ ଭୁଲି ଯାଅନା ।’’

 

ସବୁ ଜାଣି ସୁଦ୍ଧା ମଣିଷ ବଞ୍ଚିବାକୁ ଚାହୁଁଛି । ଦୁନିଆଁର ଜଞ୍ଜାଳରେ ବେଶି ବେଶି ଜଡ଼ିତ ହୋଇ ଯାଉଛି । ବିଷୟ ବାସନାରେ ମାତି ନିଜର ସ୍ୱାର୍ଥ ପାଇଁ ପାପ କରି ପକାଉଛି । ଭଲ ମନ୍ଦ ହିତାହିତ ଜ୍ଞାନ ପାଶୋରି ଦେଉଛି ।

 

ନବଘନ ଦାସଙ୍କର ଛୋଟିଆ ପରିବାରଟିରେ ଆଜି ସେଇ ଝଡ଼ । ବୁଢ଼ାଙ୍କର ତିନି ପୁଅ ଗୋଟିଏ ଝିଅ । ଝିଅ ସୀତା ପାଖ ମୌଜାରେ ବୀରବର ଦାସଙ୍କୁ ବାହା ହେଇଛି । ଜୋଇଁ ଏବେ ସରପଞ୍ଚ ହେଇ ମାମଲତକାର କରୁଛି । ଭଲ ଦି’ପଇସା ରୋଜଗାର କରୁଛି । ପେଞ୍ଚପାଞ୍ଚ ବେଶ୍ ଭଲ ଜଣା । ତା’ର ମହକିଲ ବୁଦ୍ଧି ବଳରେ ପଞ୍ଚାୟତଟାକୁ ଉଠାଉଛି ପକାଉଛି । ବୀରବରର ପ୍ରଭାବରେ ସୀତାର ଅକଲ ମଧ୍ୟ ବଢ଼ିଗଲାଣି । ବାପାଙ୍କର ଦିହ ଅସୁକ ଖବର ପାଇବା କ୍ଷଣି ଝିଅ ଜୋଇଁ ଆସି ହାଜର ।

 

ବଡ଼ ପୁଅ ଅନାଥ ଜମିବାଡ଼ି ବୁଝାବୁଝି କରୁଛି । ତିନିଟା ଛୁଆର ବାପ । ମଝିଆଁ ପୁଅ ଯୋଗୀ ଗାଁ ଇସ୍କୁଲରେ ମାଷ୍ଟ୍ର । ଗାଁର ଗୋପାଳ ରଥଙ୍କ ଝିଅ ରଙ୍ଗଲତାକୁ ବାହା ହେଇଛି । ରଙ୍ଗଲତା ସୁନ୍ଦରୀ, ଗୋଟିଏ ଚାଉଳରେ ଗଢ଼ା ବୋଲି ନବଘନ ଦାସେ ବାଛି ବାଛି ବିନା ଯୌତୁକରେ ବୋହୂକରି ଆଣିଛନ୍ତି । ତା’ର ଝିଅଟିଏ ହୋଇଛି ଦୁଇ ବର୍ଷ ତଳେ, ପୁଣି କ’ଣ ହବାର ଅଛି । ବୁଢ଼ାଙ୍କର ସବା ସାନପୁଅ ନକୁଳ ତାଙ୍କ ପୁଞ୍ଜାରୁ ଅଲଗା । ସହର ମାଡ଼ିଲାଣି । ମାଟ୍ରିକ ପାଶ୍ କରି ଏବେ ଏବେ ସହରରୁ ଫେରିଛି । ସହରର ଚାକଚକ୍ୟରେ ନିଜକୁ ଭୁଲି ଯାଇଛି । ଲମ୍ୱା ବାଳ, ଲମ୍ୱା କଲି, ଚିପା ପେଣ୍ଟ, ମୁନିଆଁ ଜୋତା ପିନ୍ଧି ଦି ଚକିଆ ଗାଡ଼ିରେ ବସି ଫର୍‌ ଫର୍ ହେଉଛି । ତାକୁ ଦେଖି ଗାଁ ଲୋକଙ୍କ ଆଖି ଖୋସି ହେଇ ଯାଉଛି । ଗାଁର ଝିଅ ବୋହୂଙ୍କୁ କଳା ଚଷମାରେ ଅନେଇଲାବେଳେ ନକୁଳ ଯେଉଁ ବୀଭତ୍ସ ହସ ହସୁଛି ସେ କଥା ଦି’ ଚାରିଜଣଙ୍କ ନଜରରେ ପଡ଼ିଲାଣି ଏବଂ ଦଶ ପଚିଶି ଜଣଙ୍କ କାନକୁ ଆସିଲାଣି । କେବଳ ନବଘନ ଦାସଙ୍କ ପୁଅ ବୋଲି କେହି ଭରସି କରି କିଛି କହି ପାରୁନାହାନ୍ତି, ଆଉ କିଏ ହେଇଥିଲେ ଭଲ କରି ଉତ୍ତମ ମଧ୍ୟମ ଏବଂ କିଛି ଅର୍ଦ୍ଧଚନ୍ଦ୍ର ହେଇ ସାରନ୍ତାଣି ।

 

ବାପା ରୋଗରେ ପଡ଼ି ଘାଣ୍ଟି ହେଉଛନ୍ତି । କଷ୍ଟ ପାଉଛନ୍ତି । ସେଥିପ୍ରତି ସହର ଫେରନ୍ତା ବାବୁ ନକୁଳ ଚନ୍ଦ୍ର ଦାସଙ୍କର ଖିଆଲ ନାହିଁ । ସକାଳ ହେଲେ ମୁଣ୍ଡ କୁଣ୍ଡେଇ ପାଉଡ଼ର ମାଖି ମାଇକିନିଆମାନଙ୍କ ପରି ଛିଟ କନାରେ ଜାମା ପିନ୍ଧି ବାବୁ ବାହାରନ୍ତି ବୁଲି । ଫେରିବେ ବାରଟାବେଳେ । ଖାଇ ଦେଇ ଶୋଇବେ ଯେ ଚାରିଟା । ପୁଣି ଜଳଖିଆ ଚା’ ଖାଇଦେଇ ବାହାରିବେ ଯେ ରାତି ଆଠ ନ’ । ନବଘନ ଦାସେ ମଧ୍ୟ ସାନ ପୁଅଟା ବାଳୁଙ୍ଗା ହୋଇଗଲା ବୋଲି ଧରି ନେଇଛନ୍ତି ବର୍ଷେ ହେଲା, ଯେଉଁଦିନ ନକୁଳ କଲିକତା ବୁଲିଯିବା ପାଇଁ ଜିଦ୍‌ ଧରି ମାଡ଼ ଗାଳି ଖାଇ ତାଙ୍କଠୁଁ ସାତକୋଡ଼ି ଟଙ୍କା ନେଇ ଯାଇଥିଲା । ପ୍ରତି ମାସରେ ସାଇକେଲରେ ଗାଁକୁ ଆସି ପାଠ ପଢ଼ା, ବହି କିଣା, ଦରମା ବନ୍ଧା, ସ୍କୁଲ ଚାନ୍ଦା ନାଁରେ ମିଠା ମିଠା ଗୁଲି କଥା କହି ମୁଠା ମୁଠା ଟଙ୍କା ନେଇ ଯାଉଛି । ସିନେମା ଦେଖି; ଥିଏଟର ଦେଖି, ହୋଟେଲରେ ମାଛ ମାଉଁସ, ଡିମ୍ୱ ଖାଇ, ଏଣୁ ତେଣୁ ବାଜେ କନା କିଣି, ବଜାରି ସାଙ୍ଗମାନଙ୍କ ସହିତ ମିଶି ଉଡ଼େଇ ଦେଉଛି । ତା’ ଖର୍ଚ୍ଚର ହିସାବ ନାହିଁ । ଟଙ୍କାଟା କେତେ କଷ୍ଟରେ ମୁଣ୍ଡର ଝାଳ ତୁଣ୍ଡରେ ମାରି ରୋଜଗାର କରାଯାଉଛି ସେ କଥା ସେ ଜାଣି ପାରୁନି । ଷୋହଳ ସତର ବର୍ଷ ହେଲାଣି ଏ ଯାଏଁ ପିଲାଳିଆମୀ ଯାଇନି । ଚାଲିଗଲା ଶଗଡ଼ରେ ହାତ ଦିଏ । କାହାକୁ ମାନେନି । ଉପଦେଶ ଦେଲେ ତାକୁ ବିଷ ପରି ଲାଗେ-। କେବଳ ଟଙ୍କା ଭଲ ତ ସିଏ ଭଲ । ପକେଟରେ କିଛି ଟଙ୍କା ଗୁଞ୍ଜି ଦେଲେ ଦେଖୁ ଦେଖୁ ଆଖି ପିଛୁଳାକେ ସାଇକେଲ ଖଣ୍ଡେ ଧରି କୁଆଡ଼େ ଉଭେଇ ଯିବ । ସନେଇ ନାହାକ କହୁଥିଲା ଏବେ କୁଆଡ଼େ ନକୁଳ ସିଗାରେଟ ଟାଣୁଛି । କେହି ତାଗିଦ କରିବାକୁ ମଙ୍ଗୁ ନାହାନ୍ତି । କାରଣ ସମସ୍ତେ ଜାଣନ୍ତି ସେ କାହା କଥା ଶୁଣିବନି । ଓଲଟି ମୁହେଁ ମୁହେଁ ଜବାବ ଦେଇଦବ, ମହତ ସାରିଦବ-। ତା’ ତୁଣ୍ଡରେ ବାଡ଼ବତା ନାହିଁ । ସିଏ ସ୍ଥାନ, କାଳ ପାତ୍ରକୁ ନିଘା କରିବା ପିଲା ନୁହେଁ । ଯାହା ବୁଝିଥିବ ସେୟା ।

 

ଅନାଥ ତା’ ସ୍ତ୍ରୀକୁ କେତେ ବୁଝେଇଲା, ଯା’, ଶଶୁରର ଟିକିଏ ସେବା କର । ଯେତେ ହେଲେ ସିଏ ତ ତୋର ଶଶୁର । ମୁଁ ବେମାର ପଡ଼ିଗଲେ ମୋର ବି ସେବା କରିବୁନି ?

 

ବଡ଼ବୋହୂ କି ବୁଝିବା ଜନ୍ତୁ ? ବଡ଼ ଘରର ଝିଅ । ଏଇଠିକି ଆସି ବହୁତ ଖଟିଲାଣି, ଠିକିଲାଣି । ତା’ର ରାଗ ହେଉଛି ବୁଢ଼ାର ଏତେ ସେବା କଲି, ବୁଢ଼ା ଖୁସି ହେଇ ସୁନା ଟିକିଏ ଦେଲାନି କି ପଦେ ଭଲ କରି କଥା ମଧ୍ୟ କହିଲାନି । ବୁଢ଼ା ଏମିତି ବର୍ଷ ବର୍ଷ ପଡ଼ିଥିବ ଯେ ମୁଁ ଘୁଅ ମୂତ ହେଇ ତା’ର ସେବା କରୁଥିବି ? ମୋର କି ଦୁଃଖ ସିଏ ବୁଝିଲା ଯେ ? ହେଇତିନି.., ଯୋଗୀ ଭିତରେ ଭିତରେ ସବୁ କୋରଡ଼ କରିଦେଲେଣି । ଟଙ୍କା ସୁନା ରୂପା ବୋହି ନେଇ ପେଡ଼ିରେ କଞ୍ଚି ପକେଇଲେଣି । ତେମେ ଜଳକାଙ୍କ ପରି ଅନେଇଥା । ମୁଁ ଜାଣେପରା, ମତେ ଭସେଇବ, ମୋ ପିଲାଙ୍କୁ ବି ବୁଡ଼େଇବ ।

 

ଅନାଥ ହସିଲା । ସେ ହସରେ ଭରି ରହିଥିଲା କେତେ ଅକୁହା କଥା । ମୁଣ୍ଡର ଠେକିଟା ସଜାଡ଼ୁ ସଜାଡ଼ୁ ଚୁପ୍‌ଚୁପ୍ କହିଲା, ମୁଁ ବି ମହାଜନ ଠିକ୍‌ କରି ସାରିଲିଣି । କାଲି ଧାନ ଥୋଡ଼ାଏ ବିକିଦେବି ।

 

ଯୋଗୀ ପଚାରିଲେ କ’ଣ କହିବ ? ବଡ଼ବୋହୂ ଦୋଦୋପାଞ୍ଚ ହେଇ ଆଗକୁ ପଛକୁ ବିଚାରି ପଚାରିଲା ।

 

ଆଗରୁ ପ୍ରସ୍ତୁତ ଥିଲା ଭଳି ଅନାଥ ଉତ୍ତର ଦେଲା, କହିବି ବୁଢ଼ାର ଓଷଦରେ ନାଗିବ । ଦାନ ଧରମରେ ନାଗିବ ।

 

ଧାନ ବିକା ହବାର ଦେଖି ଯୋଗୀ ମନରେ ଛନକା ପଶିଲା । ସେ ମଧ୍ୟ ବଡ଼ ଭାଇ, ଭାଉଜର ହାବଭାବ ଠଉରେଇ ସାରିଲାଣି । ଏଇ ଛୋଟକାଟିଆ ଜିନିଷରେ ଲୋଭ ନ କରି ସେ ଆଖି ପକେଇଛି ବାପାର କୋଚଟ ପଇତାରେ ଝୁଲୁଥିବା ଚାବି କାଠିଟା ଉପରେ । କାରଣ ସେ ଅନେକ ଥର ଦେଖିଛି ଲୁହା ସିନ୍ଦୁକଟାରେ ରୂପା ଟଙ୍କା, ଆଠଣି, ସୁନା ରୂପା ଭର୍ତ୍ତି ହେଇଛି । କୌଣସି ପ୍ରକାରେ ପଇତାରୁ ଚାବି କାଠିଟିକୁ ହାତ ସଫେଇ କରି ଦେଲେ କାମ ଫତେ । ବୁଢ଼ା କାହାରିକୁ ସେ ଚାବି କାଠିଟା ଦିଅନ୍ତିନି ଏପରିକି ବୁଢ଼ୀକି ମଧ୍ୟ । ବୁଢ଼ା ହାତରୁ ଭୋକିଲା ଭିକାରୀଟିଏ ବି ଚାଉଳ ମୁଠେ କି ପଇସାଟିଏ ପାଏନି । ସୁଧ ଦେଇ ଠକି ଭଣ୍ଡି ବୁଢ଼ା ଗୁଡ଼ାଏ ପଇସା ସଞ୍ଚିଛି । ବନ୍ଧା ପଡ଼ିଥିବା ସୁନା ରୂପା ମୁକୁଳି ନ ପାରି ବୁଢ଼ାର ଲୁହା ସିନ୍ଦୁକରେ ବନ୍ଦୀ ହେଇ ରହିଛି । ସେଇ କଞ୍ଚିକାଠିଟା ହିଁ ସବୁ । ସେଇଟିକୁ ହାତ କଲେ...ବାସ୍....

 

ରଙ୍ଗଲତା ଯୋଗୀର ଏ ଫିକର ଜାଣି ଖୁସି ହେଲା । ସେ ବାପଘରକୁ ଚାଲିଯିବାକୁ ବସିଥିଲା, ଏ କଥା ଶୁଣି କେବେ କଞ୍ଚିକାଠି ହାତକୁ ଆସିବ ସେ ଶୁଭ ବେଳାକୁ ଚାହିଁ ସବୁର୍ କରି ରହିଲା ।

 

ଆର ଘରେ ସୀତା ଏବଂ ବୀରବରଙ୍କ ମଧ୍ୟରେ ମନ୍ତ୍ରଣା ଚାଲିଛି । ସୁଯୋଗ ଉଣ୍ଡି ସୀତା ଆସି ସକେଇ ହେଇ ବାପାଙ୍କ ଗୋଡ଼ ପାଖରେ ବସିଲା । ବାପାଙ୍କ ଗୋଡ଼ ଟିପୁ ଟିପୁ କାନ୍ଦକାନ୍ଦ ହେଇ ତାଙ୍କ କାନରେ କଥାଟା ପକେଇ ଦେଲା, ଏମିତି ଘରେ ମତେ ଦେଲ ଯେ ପେଟପୂରା ଦି’ ଓଳି ଖାଇବାକୁ ମିଳୁନି । ପଲେ ଛୁଆ ଧରି ଘାଣ୍ଟି ହେଉଛି । ୟାଙ୍କର ଚାକିରି ନାଇଁ କି ରୋଜଗାର ନାହିଁ । ମୋର ତ ହୀନିମାନିଆ କପାଳ । ମୋ ନାଁରେ ଦି’ ଚାରି ମାଣ କରି ନ ଦେଲେ ମୁଁ କେମିତି ଚଳିବି, କ’ଣ ଖାଇବି ?

 

ଦାସେ ଝିଅର ସବୁ କଥା ଶୁଣି ମୁଣ୍ଡ ଟୁଙ୍ଗାରି କହିଲେ, ହଉ, ଦେଖିବା ।

 

ହଉ, ଦେଖିବା ଦେଖିବା, ଏ କଥାତ ମୁଁ ଦି’ ବର୍ଷ ହେଲା ଶୁଣୁଛି । ସୀତା ଅଭିଯୋଗ କରି କହିଲା–ଯାହା କରିବା କଥା ଆଜି ଫଇସଲା କରିଦିଅ । ନହେଲେ ମୋ ପିଲାଏ ଭାସିଯିବେ-। ଭାଇମାନେ ତ....

 

ଘର ଭିତରକୁ ପଶି ଆସିଲାବେଳେ ଯୋଗୀ ସୀତାର କଥା ଗୁଡ଼ାକ ଭଲ ଭାବରେ ଶୁଣି ପାରିଲା । ସୀତାର କଥା ଅଧା ରହିଗଲା । ସୁଯୋଗ ଦେଖି ସୀତା ଆରଘରକୁ ଖସି ଚାଲି ଯାଉଥିଲା । ଯୋଗୀ ମୁହେଁ ମୁହେଁ ପଚାରି ଦେଲା, ବାପା କେମିତି ଭଲ ହବ ସେ ଭାବନା ତୋର ନାହିଁ, ଖାଲି ତାଙ୍କର ଧନ ସମ୍ପତ୍ତିକି ଲୋଭ ।

 

ସୀତା ବୋଧହୁଏ କିଛି ଉତ୍ତର ନ ଦେଇ ସକସକ ହେଇ କାନ୍ଦି ଚାଲି ଯାଇଥାନ୍ତା । ହେଲେ ବୀରବର ଗରଗର ହେଇ ଆରଘରୁ ଝପଟି ଆସିଲେ ଉତ୍ତର ଦବାକୁ ।

 

ମୁଁ କ’ଣ ତମର ଚେରକଟା ବୁଦ୍ଧିର ଇସାରା ପାଇନି କି ? ବୀରବର ଖୁବ୍‌ ପାଟି କରି କହୁଥିଲେ, ବାପାଙ୍କୁ ଭଲଭାବେ ଖାଇବାକୁ ନ ଦେଇ ଓଷଦ ନ ଦେଇ ତାଙ୍କୁ ତ’ ମାରିଦବାକୁ ବସିଛ-। ତମର କ’ଣ ତାଙ୍କ ଧନରେ ଲୋଭ ନାଇଁ ? ନକଲି ଚାବି କରି ଲୁହା ସିନ୍ଦୁକରୁ ତ ଅଧେ ସମ୍ପତ୍ତି ନେଲେଣି । ଆଉ କ’ଣ ରଖିଛ ଯେ..... ?

 

କଥାକୁ କଥା ହେଇ ଅବସ୍ଥା ଅସମ୍ଭାଳ ହେଇ ଉଠିଲା । ପାଟିତୁଣ୍ଡ ପରେ ହାତାହାତି ହବାକୁ ବେଶି ଡେରି ଲାଗିଲାନି । ସୁବିଧା ପାଇ ସୀତା ମଧ୍ୟ ଭାଇକି ଦି’ ଚାରି ଚାପୁଡ଼ା, ବିଧା ବସେଇ ଦେଲା । ଯୋଗୀ ଦିହରେ ମଧ୍ୟ ଅମାପ ବଳ । ଏକା ହେଲେ ମଧ୍ୟ ତା’ ମନରେ ଆଦୌ ଶଙ୍କା ନ ଥିଲା । ଭିଣେଇ ଭଉଣୀଙ୍କୁ ସାବାଡ଼ କରିଦେଲା । ସୀତା ‘‘ମରିଗଲି ଲୋ ବୋଉ’’ ବୋଲି ଚିତ୍କାର କରି ଉଠିଲା । ବୀରବର କଚେରୀର ଧମକ ଦେଇ ଖସି ପଳେଇଲା ।

 

ବୁଢ଼ା ନବଘନ ଦାସେ ଜଳକାଙ୍କ ପରି ମଟମଟ ଅନେଇଥିଲେ । ତାଙ୍କ ଆଖି ଆଗରେ ଏତେ ବଡ଼ ଘଟଣା ଘଟିଗଲା; ଅଥଚ ତାଙ୍କ ମନରେ ଟିକିଏ ହେଲେ ବିକାର ନ ଥିଲା । ବୁଢ଼ୀ, ଝିଅ, ପୁଅ, ଜୋଇଁଙ୍କି କଳିରୁ ନିବର୍ତ୍ତାଇବାକୁ ଚେଷ୍ଟାକରି ଠେଲାଠେଲିରେ ପଡ଼ି କାନ୍ଦୁଛି । ତା’ ପ୍ରତି କାହାରି ନିଘା ନ ଥିଲା । ବୁଢ଼ୀର ଆଖିରେ ଲୁହ ରହୁ ନ ଥିଲା । ଏଡ଼େ ବେଗି ଏମିତି ସୁନାର ଘରଟା ଯେ ଚୂନା ହେଇଯିବ ବୁଢ଼ୀ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା ।

 

ରଙ୍ଗଲତା ଚାରି ପାଞ୍ଚ ଜଣଙ୍କ ଗହଣରେ ପୋଖରୀ ହୁଡ଼ାରେ ଝାଡ଼ା ବସି ଗୁଡ଼ାଖୁ ଘଷୁଥିଲା । ଝାଡ଼ା ବସିଲାବେଳେ ପୋଖରୀ ହୁଡ଼ାରେ ମାଇପିଙ୍କ ପଞ୍ଚୁଆତି ବସେ । ସେଠି କୋଉ ଝିଅ କାହା ଫାନ୍ଦରେ ପଡ଼ିଛି, କୋଉ ବୋହୂ କବାଟ ଫାଙ୍କରେ ପରପୁରୁଷକୁ ଅନେଇ ଦେଲା, କାହା ଘରେ କ’ଣ ହେଉଛି, କିଏ କ’ଣ ଖାଇଲା, କିଏ କ’ଣ ପିନ୍ଧିଲା ଏମିତି ସବୁ କଥା ପଡ଼େ । ରଙ୍ଗଲତା ବେଶି ଭଡ଼ଭଡ଼ ହେଇ ବେଶି କଥା କହେ । ତା’ ଆଖିକୁ ପରର ବେଶି ଛିଦ୍ର ଦେଖାଯାଏ-। ସେଦିନ ତୁଳସୀ କଥା ଚାଲିଥିଲା । ହଠାତ୍ ଗୁରୁବାରୀ ଦୌଡ଼ି ଆସି ଖବର ଦେଲା, ରଙ୍ଗଲତା....., ତୋ ବରକୁ ସୀତା ଆଉ ତା’ ଘଇତା ମାରି ପକେଇଲେଣି । ବେଇଗି ଯା’...ବେଇଗି ଯା’- ।

 

ଗୁରୁବାରୀର କଥା ସରିଚିକି ନାଇଁ ରଙ୍ଗଲତା ଶଉଚ କରିବା କଥା ଭୁଲି ନଙ୍ଗଳା ମୁକୁଳା ହେଇ ଘରଆଡ଼େ ମୁହେଁଇଲା । କ’ଣ ସିଏ ଗାଳି ଦେଇ ଦେଇ ଆସୁଥିଲା ଭଲ ଭାବରେ ଶୁଣାଯାଉ ନ ଥିଲା । ସେ ବୋଧହୁଏ କହୁଥିଲା, ରଇଜଳା, ପୋଡ଼ାମୁହାଁ, ଅଳପେଇଶା, ବାଡ଼ିପଡ଼ା, ୟାଙ୍କ ଦିହରେ ତୁ ହାତ ଦେଲୁ ? ତୁ ଆଣ୍ଠୁକୁଡ଼ା ହେଇଯିବୁରେ, ତତେ ବଡ଼ରୋଗ ହବରେ, ତତେ ଠାକୁରାଣୀ ଖାଇବରେ...ଇତ୍ୟାଦି...ଇତ୍ୟାଦି ।

 

ରଙ୍ଗଲତା ଘରେ ପହଞ୍ଚିଲାବେଳକୁ ସେ କଳି ଥଣ୍ଡାପଡ଼ି ନୂଆ କଳି ଆରମ୍ଭ ହୋଇଯାଇଥିଲା । ଏ କଳି ଭାଇ ଭାଇ ଭିତରେ । ଅନାଦି ଏବଂ ଯୋଗୀ ଅଗଣାରେ ବୋଲାବୋଲି ହେଉଥିଲେ । ବଡ଼ବୋହୂ ମଝିରେ ମଝିରେ ଦିଅରକୁ ବାକ୍ୟ ବାଣରେ ଆକ୍ରମଣ କରୁଥିଲା । ସମସ୍ତେ ପଞ୍ଚମରେ । ମନେ ହେଉଥିଲା ଯେ କୌଣସି ମୁହୂର୍ତ୍ତରେ ହାତ ଗୋଡ଼ ବି ବ୍ୟବହାର ହୋଇଯାଇପାରେ । ଅନାଥ ସୀତା କଥାକୁ ବିଶ୍ୱାସ କରି ଯୋଗୀକୁ ଗାଳି ଦେବାରୁ କଥା ବଢ଼ି ବଢ଼ି ଏତେଦୂର ଗଲା । ଯୋଗୀ ମଧ୍ୟ ଧାନ ବିକିବାଠାରୁ ଆରମ୍ଭ କରି ଟଙ୍କା ଲୁଚେଇ ରଖିବା ପର୍ଯ୍ୟନ୍ତ ସବୁକଥା ଖୋଲି ବଡ଼ ଭାଇକୁ ଶୁଣେଇ ଦେଲା ।

 

ରଙ୍ଗଲତାର ଗାଳି ଶୁଣି ଅନାଥ ଭାବିଲା ଯେ ତାକୁ ଗାଳି ଦେଉଛି ବୋଲି । ଏଥର ଅସଲ କଳି ଆରମ୍ଭ ହେଲା । ବଡ଼ବୋହୂ ମଧ୍ୟ ରଙ୍ଗଲତାକୁ କଡ଼୍‌ଡ଼ା କରି ଦି’ ଚାରି ପଦ ଶୁଣେଇ ଦେଲା । ତା’ପରେ କେବଳ ମାଡ଼ ବସିବାର ଶବ୍ଦ ।

 

ବଡ଼ ଭାଇ ବାପାଙ୍କ ପଇତା ଛିଣ୍ଡେଇ କଞ୍ଚିକାଠି ନେଇ ପାର୍ । ତା’ ପଛେ ପଛେ ଯୋଗୀ ଦୌଡ଼ିଲା । ଏଣେ ଲୁହା ସିନ୍ଦୁକ ପାଖରେ ଦୁଇ ଯା’ ଭିଡ଼ା ଓଟରା ହେଉଛନ୍ତି । ବଡ଼ ଯା’ ସେଇଟାକୁ ଉଠେଇ ନେଇ ଯାଉଥିଲା ଲୁଚେଇ ଦବାକୁ । ସାନ ଯା’ ଦେଖିପାରି ବଡ ଯା’ଠୁଁ ଛଡ଼େଇ ନେଇ ଆସିଲା । ବୀରବର କେଉଁଠି ଥିଲା ଖବର ପାଇ ଦୌଡ଼ି ଆସିଲା ଏବଂ ସାନ ଯା’ ହାତରୁ ଲୁହା ସିନ୍ଦୁକଟା ଜୋର ଜବରଦସ୍ତ ଛଡ଼େଇ ନେଇ ଯିବାକୁ ଚେଷ୍ଟା କଲା । ରଙ୍ଗଲତା କିଛି କମ୍‌ ପାରିବାର ନୁହେଁ । ତା’ ଦିହରେ ବି ଅମାପ ବଳ । କିନ୍ତୁ ପୁରୁଷ ପାଖରେ ନାରୀ ସବୁବେଳେ ପରାଜୟ ସ୍ୱୀକାର କରିଛି ଶାରୀରିକ ଶକ୍ତିରେ । ବୀର କି ସହଜେ ଛାଡ଼େ । ରଙ୍ଗଲତା ଅନ୍ୟ କୌଣସି ଉପାୟ ନ ପାଇ ଲୁହା ସିନ୍ଦୁକଟାକୁ କୂଅ ଚାନ୍ଦିନୀ ଉପରେ ଫୋପାଡ଼ି ଦେଲା । ଚାନ୍ଦିନୀ ଉପରର ପୁରୁଣା ପଥରଟା ଭାଙ୍ଗି ଦି’ଫାଳ ହୋଇଗଲା ଏବଂ ତା’ ସଙ୍ଗେ ସଙ୍ଗେ ଛୋଟ ଲୁହା ସିନ୍ଦୁକର ଢାଙ୍କୁଣୀଟା ମଧ୍ୟ ସିନ୍ଦୁକରୁ ଖସି ଅଲଗା ହୋଇଗଲା । ଦେଖାଗଲା ସିନ୍ଦୁକ ଭିତରେ କିଛି ନାହିଁ, ଖାଲି ଶୂନ୍ୟ । ସମସ୍ତେ ହାଁ କରି ଅନେଇ ରହିଲେ ଯାଦୁକରର କାଉଁରୀ କାଠିର ଛୁଆଁରେ ଚମକିଲା ପରି । ସିନ୍ଦୁକ ଖୋଲିଲାବେଳକୁ ଦି’ ଭାଇ ରକ୍ତାକ୍ତ ହେଇ କୂଅ ପାଖରେ ପହଞ୍ଚି ସାରିଥିଲେ । ଉଭୟଙ୍କର ଦୌଡ଼ା ହଠାତ୍‌ ବନ୍ଦ ହୋଇଗଲା ଚାରିଆଡ଼େ ଖାଁ ଖାଁ, ଚୁପ୍‌ଚାପ୍‌ । ଦି’ ଭାଇ, ଦି’ ଯା’ ବୀର ଏବଂ ସୀତା, କାହାରି ପାଟିରୁ କଥା ବାହାରିଲା ନାହିଁ । ସମସ୍ତେ ଯେମିତି ମୂକ ପାଲଟି ଯାଇଛନ୍ତି ।

 

ହଠାତ୍‌ ଘର ଭିତରୁ ନକୁଳ ଚିତ୍କାର କରି ଉଠିଲା । ସମସ୍ତେ ଘର ଭିତରକୁ ଦୌଡ଼ିଲେ । ନବଘନ ଦାସେ ଆଉ ଇହଜଗତରେ ନ ଥିଲେ ।

 

ଚଞ୍ଚଳା ହାତର କାଚ ଭାଙ୍ଗୁ ଭାଙ୍ଗୁ ମୁଣ୍ଡ ପିଟି ବେହୋସ ହୋଇଗଲା । ଦେଖୁ ଦେଖୁ ସେ ବି ଚାଲିଗଲା ବୁଢ଼ାଙ୍କ ସାଙ୍ଗରେ । ଏକା ନାଆରେ ଦିହେଁ ସେ କୂଳକୁ ଚାଲିଗଲେ । ବୁଢ଼ୀର ଭାଗ୍ୟ ବୋଲି କହିବାକୁ ହବ । ମରିଗଲାନି ଯେ ତରିଗଲା ।

 

ବାହୁନା ଏବଂ କାନ୍ଦରେ ଦାସଙ୍କ ଘରଟା ଫାଟି ପଡ଼ିଲା । ସାଇ ପଡ଼ିଶାଏ କିଏ କେଉଁଠି ଥିଲେ ଦୌଡ଼ି ଆସିଲେ । ବୁଢ଼ା ବୁଢ଼ୀଙ୍କ ଗୁଣ ସୁମରି ସଭିଏଁ ଦୁଃଖ କଲେ । କିଏ କହିଲା, ଦାସେ ସରଳ ଲୋକ ଥିଲେ । କିଏ କହିଲା, ବହୁ ଦାନ ଧର୍ମ କରିଛନ୍ତି, ଆଉ କିଏ କହିଲା, ବୁଢ଼ାବୁଢ଼ୀ ଦୁହିଁଙ୍କର ଖୋଲା ହାତ, ଠାକୁରେ ତାଙ୍କୁ ସବୁ ଭଲ ଗୁଣ ଦେଇଥିଲେ ।

 

ସୀତା ବୁଢ଼ାଙ୍କ ମୁଣ୍ଡତଳୁ ଚିଠି ଖଣ୍ଡେ ବାହାର କଲା । ସମସ୍ତଙ୍କ ଆଖି ସେ ଚିଠି ଖଣ୍ଡକରେ ଲାଖି ରହିଲା । ଅନାଥ ସୀତା ହାତରୁ ଚିଠିଟା ନେଇ ପଡ଼ିଲା ଯେଉଁଥିରେ ଲେଖାଥିଲା– ‘‘ପିଲାଏ, ତମେ ତ ଜାଣିଛ ଜୀବନସାରା ମୁଁ କାହାରିକୁ ପଇସାଟି ଦେଇନି । ଜୀବନରେ ଅନେକ ପାପ ସଞ୍ଚିଛି । ମୋର ମୁକ୍ତି ନାହିଁ । ପାପ ଭାରରେ ମୁଁ ଜଳୁଛି । ଶେଷ ସମୟରେ ମୋ ମୁଣ୍ଡରେ ବୁଦ୍ଧି ପଶିଲା । ପିଲାଏ ଦୁଃଖ କରିବନି । ମୋର ସ୍ୱଅର୍ଜିତ ସମସ୍ତ ସମ୍ପତ୍ତି ବାଳିକା ସ୍କୁଲକୁ ଦାନ କରି ଦେଇଛି । ପିତୃଅର୍ଜିତ ସମ୍ପତ୍ତିରେ ମୁଁ ଜମା ହାତ ଦେଇନି । ତଥାପି ପିଲାଏ ମୋର ଏତିକି ସାନକୁହା ମାନିବ, ତମ ଭାଗ୍ୟ ତମରି ହାତରେ । କଷ୍ଟ କଲେ କୃଷ୍ଣ ମିଳେ । ସବୁଦିନେ ମିଳିମିଶି ଏକାଠି ରହିବ, ପରିଶ୍ରମ କରିବ । ଦେଖିବ, ନିଶ୍ଚୟ ସୁଫଳ ମିଳିବ । ଭଗବାନ ତୁମର ମଙ୍ଗଳ କରନ୍ତୁ । ମୁଁ ତୁମ ସମସ୍ତିଙ୍କି ଆଶୀର୍ବାଦ କରୁଛି ।’’

 

(ଗଳ୍ପ ସଂକଳନ)

Image

 

କିସାନ୍‌ଲାଲ୍‌ଙ୍କ ଡାଏରୀ ପଢ଼ିଲା ପରେ

 

ସାଧାରଣ ସ୍ପିଡ଼୍‍ଠାରୁ ଯଥେଷ୍ଟ ଜୋରରେ ଆସି ହଠାତ୍ ବ୍ରେକ୍ ଦେଲା ନୀଳ ରଙ୍ଗର ଫିଆଟ୍‌ ଗାଡ଼ିଟା । ଗାଡ଼ିରୁ ଓହ୍ଲାଇଲେ ଜଣେ ଭଦ୍ର ମହିଳା । ଏ ନିଅଣ୍ଟିଆ ଯୁଗରେ ମଧ୍ୟ ତାଙ୍କ ଦେହର ଗଢ଼ଣ ଅସ୍ୱାଭାବିକ ପୃଥୁଳ । ଭଲ ଭାବରେ ଲକ୍ଷ୍ୟ କଲେ ଦେହର କୃତ୍ରିମ ପ୍ରଲେପ ଧରା ପକେଇ ଦିଏ ଭଦ୍ର ମହିଳାଙ୍କର ଲୁକ୍‌କାୟିତ ବୟସ । କାନରେ ଦୁଇଟା ଦକ୍ଷିଣୀ ଝରାଝୁମ୍ପା । ଡାହାଣ ହାତରେ ଗୋଟାଏ ମଣିପୁରୀ ସୁନା ରୁଲି, ଅନ୍ୟ ହାତରେ କଳା ଡାଏଲ ଥିବା ଏକ ଚାରିକୋଣିଆ ବିଦେଶୀ ଘଣ୍ଟା । ବାମହାତର ପରି ଅଙ୍ଗୁଳିର ମୁଦିଟା ବୋଧହୁଏ ହୀରା ଖଚିତ । ଶାଢ଼ିଟା ଦାମିକା । ଶାଢ଼ି, ବ୍ଲାଉସ୍‌, ଟୋପା, ଘଡ଼ିର ଫିତା ଏବଂ ଜୋତା ସବୁ ଗୋଲାପୀ । ରଙ୍ଗ ମ୍ୟାଚ କରି ପିନ୍ଧିବା ମଧ୍ୟ ଗୋଟାଏ ଫ୍ୟାସନ । ଯାହାହେଉ ସେଗୁଡ଼ିକ ଆଭିଜାତ୍ୟର ସଙ୍କେତ ବହନ କରି ଭଦ୍ରମହିଳାଙ୍କର ଗୋରା ଦେହକୁ ବେଶ୍ ମାନୁଥିଲା ।

 

ପଣତଟା ସଜାଡ଼ୁ ସଜାଡ଼ୁ ଭଦ୍ରମହିଳା ଧୀର ପଦକ୍ଷେପରେ ଗହଣା ଦୋକାନ ଉପରକୁ ଉଠିଲେ । ପଲିସ୍‌ଡ଼ ବାରଣ୍ଡାରେ ହାଇହିଲ ଜୋତାର ସଂଘର୍ଷ । ବଣିଆର ହାତୁଡ଼ି ମାଡ଼ ଭଳି କେମିତି ଏକ ଛନ୍ଦବଦ୍ଧ ଠକ୍ ଠକ୍ ଶବ୍ଦ ସୃଷ୍ଟି କଲା । ପାଞ୍ଚଜଣ ଗରାଖଙ୍କୁ ଗୌଣ ମନେକରି ଶେଠ୍‌ କିସାନଲାଲଙ୍କ ଢେଲା ଢେଲା ଆଖି ଯୋଡ଼ିକ ଭଦ୍ରମହିଳାଙ୍କ ଉପରେ ତୀର୍ଯ୍ୟକ ଭାବରେ କେନ୍ଦ୍ରୀଭୂତ ହେଲା । ରୂପରେ ମୁଗ୍‌ଧ ହୋଇ ନୁହେଁ, କିଛି ଅର୍ଥ ଲାଭ ଆଶାରେ ତାଙ୍କ ମୁଖ ମଣ୍ଡଳ ଉଜ୍ଜ୍ୱଳ ହୋଇ ଉଠିଲା । କିସାନ୍‌ଲାଲ କଲିକତାର ବିଶିଷ୍ଟ ବ୍ୟବସାୟୀ ୰ ରଙ୍ଗଲାଲ ମୋଦୀଙ୍କର ଏକମାତ୍ର ପୁତ୍ର ଏବଂ ଉତ୍ତରାଧିକାରୀ । ଦଶ ବର୍ଷ ବୟସରୁ କିସାନ୍‌ଲାଲ ପିତାଙ୍କଠାରୁ ବ୍ୟବସାୟ ସମ୍ପର୍କରେ ଗଭୀର ଜ୍ଞାନଲାଭ କରିଛନ୍ତି । ଚେହେରା ଦେଖି ସେ ଠଉରେଇ ପାରନ୍ତି ଅସଲ ଗରାଖ କିଏ ଏବଂ ଦେଖଣାହାରୀ କିଏ ? କଡ଼ା ଇସ୍ତ୍ରୀକରା ଗାନ୍ଧୀ ଟୋପିଟା ଯେ ଏପଟ ସେପଟ ହୋଇ ଯାଇଥିଲା ତା’ ନୁହେଁ, ତଥାପି ସଜାଡ଼ିବାର ଉପକ୍ରମ କରି ବ୍ୟସ୍ତ ହୋଇ ଉଠିଲେ କିସାନ୍‌ଲାଲ । ଚାକର ଉଦ୍ଦେଶ୍ୟରେ ଆଦେଶ ଦେଲେ, ଆବେ ଶର୍ମା....

 

ବାସ୍ ସେତିକି । ଶର୍ମା ନାମଧାରୀ ଚାକର ଭଦ୍ରମହିଳାଙ୍କୁ ନାନା ରକମର ସୁନା ଗହଣା ଦେଖାଇବାକୁ ଲାଗିଲା । ଭଦ୍ରମହିଳା ପ୍ରାୟ ପ୍ରତ୍ୟେକ ଦାମିକା ଗହଣାକୁ ଉଠାଇ ଭଲ ଭାବରେ ଦେଖିଲେ ।

 

ତାଙ୍କ ଦେହର ନର୍ତ୍ତନଶୀଳ ମାଂସପେଶୀ ଗୁଡ଼ିକ ଭାରି ଲୋଭନୀୟ ମନେ ହେଉଥିଲା ଅର୍ଥଲୋଭୀ କିସାନ୍‌ଲାଲ୍‌ଙ୍କ ପାଇଁ । କିସାନ୍‌ଲାଲ୍‌ଙ୍କ ଆଖି ଯୋଡ଼ିକ ଆହୁରି ଆହୁରି ଉଜ୍ଜ୍ୱଳ ହୋଇ ଉଠିଲା । ଏଥର କିନ୍ତୁ ମନେହେଲା କେବଳ ଅର୍ଥ ଲୋଭରେ ନୁହେଁ, ରୂପ ଲୋଭରେ ମଧ୍ୟ କିସାନ୍‌ଲାଲ୍‌ଙ୍କ ମନ ଆନନ୍ଦରେ ଭରି ଯାଉଛି । ଦୋକାନର ପୁରୁଣା ଚାକର ଶର୍ମା ଉପରେ ବିରକ୍ତି ଆସୁଛି । ଭଦ୍ରମହିଳାଙ୍କ ସାଙ୍ଗରେ ଶର୍ମା କ’ଣ ଏଣୁ ତେଣୁ କଥା (ଅଳଙ୍କାର ସମ୍ପର୍କରେ ନିଶ୍ଚୟ) ହେଉଥିବାରୁ ତା’ ଉପରେ ହିଂସା ହେଉଛି । ପର ମୁହୂର୍ତ୍ତରେ ଆନନ୍ଦ ବି ଲାଗୁଛି । କାରଣ ଶର୍ମା ହସି ହସି ମୁଣ୍ଡହଲାଇ ଭଦ୍ରମହିଳାଙ୍କୁ ପଟାପଟି କରି ଅଳଙ୍କାର କିଛି ବିକ୍ରି କରାଇ ଦେବାପାଇଁ ଆପ୍ରାଣ ଚେଷ୍ଟା କରୁଛି । ତା’ର କଥା କହିବାର ଭଙ୍ଗୀ ମନ୍ଦ ନୁହେଁ । ମେଲ୍‌ ଗାଡ଼ି ପରି ଖୁବ୍ ତରତର ହେଇ କହେ, ଅଥଚ ପ୍ରତିଟି ଶବ୍ଦ ପରିଷ୍କାର, ସ୍ପଷ୍ଟ । ପ୍ରତିଟି ଶବ୍ଦରେ ଭାଷାର ଗାମ୍ଭୀର୍ଯ୍ୟ ଏବଂ ନିଷ୍କପଟ ହୃଦୟ ଖୋଲା ଆବେଦନ । ରଙ୍ଗମଞ୍ଚର ଜଣେ ପେଶାଦାର ପୋଖତ ଶିଳ୍ପୀ ଭଳି ନିର୍ଭୁଲ ଅଭିନୟ କରିବାର କଳା ଶର୍ମାକୁ ବେଶ୍‌ ଜଣା । ସେଇଥିପାଇଁ ତ ସୁନା ଦୋକାନରେ ଶର୍ମା ଭଳିଆ ବଦରସିକ ଲୋକଟାଏ ନିଜକୁ ଖାପ ଖୁଆଇ ଚଳି ପାରୁଛି । ଶର୍ମା ଏକାଧାରରେ ବିଶ୍ୱାସୀ ଏବଂ କର୍ମଠ ମଧ୍ୟ ।

 

ଭଦ୍ରମହିଳା ବୋଧହୁଏ ଆହୁରି ଦାମିକା ହାରଟିଏ କିଣିବାକୁ ଚାହୁଁଛନ୍ତି । ଭ୍ରୂଲତାକୁ ଅଦ୍‌ଭୂତ ଏକ ଛନ୍ଦରେ ନଚେଇ ନଚେଇ ସହାସ୍ୟ ବଦନରେ ସେ ଶର୍ମାକୁ କ’ଣ ପଚାରୁଛନ୍ତି । ସୋମାନଙ୍କ କଥା କିସାନ୍‌ଲାଲ୍‌ଙ୍କ ପାଖରେ ଠିକ୍‌ ପହଞ୍ଚି ପାରୁନି (କିସାନ୍‌ଲାଲ୍‌ଙ୍କୁ କମ୍ ଶୁଣାଯାଏ)-। କଥା ଏବଂ କଥାର ସମ୍ପର୍କ ସ୍ଥାପନ ଲାଗି କିସାନ୍‌ଲାଲ୍‌ଙ୍କ ପୌରୁଷ ଚିତ୍କାର କରି ଉଠିଲା । ତାଙ୍କ ଦେହସାରା କେମିତି ଏକ ଶୀତ୍କାର ଖେଳିଗଲା । ଦୁଇ ଦୁଇଥର ଉଠିବାକୁ ଉପକ୍ରମ କରି ବିବେକର ଦଂଶନରେ ସେଥିରୁ ନିବୃତ ହେଲେ । କିନ୍ତୁ ନୀରବ ରହିବାର ସମସ୍ତ ଧୈର୍ଯ୍ୟ ହରାଇ ତୃତୀୟଥର ଠିଆ ହେଲେ । ଉଠିବା ଛଡ଼ା ତାଙ୍କର ଅନ୍ୟ ଗତି ନ ଥିଲା ।

 

ଦାମିକା ଦାମିକା ପଥରବସା ମୁଦି, ହାର, ହାତବନ୍ଧା ଘଡ଼ିର ସୁନାଫିତା, ରୁଲି ଖେଳେଇ ହୋଇ ରହିଥିଲା । ଭଦ୍ରମହିଳାଙ୍କ ସହିତ ଦି’ପଦ କଥା ହେବା ପାଇଁ ତାଙ୍କ ମନର କୋଣ ଅନୁକୋଣରେ ଯେଉଁ ଉତ୍କଣ୍ଠା ନାମକ କାମନାର ଅଙ୍କୁରୋଦ୍‌ଗମ ହୋଇଥିଲା ତା’ ପ୍ରଶମିତ କରିବାକୁ କିସାନ୍‌ଲାଲ୍‌ ତାଙ୍କର ପ୍ରତ୍ୟେକଟି ସୁନା ଗହଣାର ତାରିଫ୍‌ କରିବାକୁ ଲାଗିଲେ । ଭଦ୍ରମହିଳା ମଧ୍ୟ ଆଗ୍ରହ ସହକାରେ ସୁନା ଗହଣା ଗୁଡ଼ିକୁ ଦେଖି ଖୁସି ହେଲେ । ଭ୍ୟାନିଟି ବ୍ୟାଗ୍‌ରୁ ଖଣ୍ଡେ ପାନ (ବିଡ଼ିଆ ବୋଧହୁଏ) ବାହାର କରି ପାଟିରେ ଗୁଞ୍ଜି କଥା ଛଳରେ କହିଲେ, ମୋ ଝିଅର ବାହାଘର ଯେ ମତେ ନାକେଦମ୍‌ କରିଦେଲାଣି । ତା’ର ପୁଣି ମନ ନ ପାଇଲେ...

 

ଭଦ୍ରମହିଳା ତାଙ୍କ ବାକ୍ୟଟିକୁ ଅଧାକରି ଛାଡ଼ିଦେଲେ ଏବଂ କିସାନ୍‌ଲାଲ୍‌ ତାଙ୍କ କଥାର ଖିଅ ଧରି ଥଙ୍ଗ ଥଙ୍ଗ ହୋଇ ପ୍ରଶ୍ନ କଲେ, ସଙ୍ଗରେ ତାଙ୍କୁ ନେଇ ଆସିଲେନି ?

 

ତା’ର ଦିହ ଭଲ ନାହିଁ, ଭଦ୍ରମହିଳା କହିଲେ, ତା’ ନ ହୋଇଥିଲେ ସେ ନ ଆସି ମୋ ଭଳି ଜଣେ ପୁରାତନପନ୍ଥୀ ମାଆକୁ ଗହଣା କିଣିବା ପାଇଁ କହିଥାନ୍ତା ? ହାତରେ ବି ବେଶି ଦିନ ସମୟ ନାହିଁ, ଦୁଇଦିନ ଗଲେ ବାହାଘର ।

 

ଆଚ୍ଛା ଆଚ୍ଛା କହି ସବୁ ବୁଝିଗଲା ଭଙ୍ଗୀରେ କିସାନ୍‌ଲାଲ୍‌ ମୁଣ୍ଡ ଟୁଙ୍ଗାରିଲେ ।

 

ହିସାବ ହେଲା ବତିଶ ହଜାର ତିନିଶହ ଟଙ୍କା । ବିଲ୍‌ ନେଲେ ସରକାରୀ ଟେକ୍‌ସ ବାବଦକୁ ଅଧିକା ପ୍ରାୟ ଅଢ଼େଇ ହଜାର ଦେବାକୁ ହେବ । ବିଲ୍‌କୁ ବାଦ୍ ଦେଇ ବତିଶ ହଜାରରେ ରାଜି କରେଇବା ପାଇଁ ଭଦ୍ରମହିଳା ଶେଠଜୀଙ୍କୁ ଅନୁରୋଧ କଲେ । କିସାନ୍‌ଲାଲ୍ ବୁଝେଇବାକୁ ଚେଷ୍ଟା କଲେ ଯେ ସେ ବିଶେଷ କିଛି ଲାଭ ନେଉ ନାହାଁନ୍ତି, ଖାଣ୍ଟି ଜିନିଷ ଦେଇଛନ୍ତି ଇତ୍ୟାଦି ଇତ୍ୟାଦି । ତଥାପି ଭଦ୍ରମହିଳା ନଛୋଡ଼ ବନ୍ଧା । ଶେଷରେ ଭଦ୍ରମହିଳାଙ୍କର ବିଜୟ ହେଲା । କିସାନ୍‌ଲାଲ୍‌ ବତିଶ ହଜାର ଟଙ୍କା ଭଲ ଭାବରେ ତିନିଥର ଗଣି ଲୁହା ସିନ୍ଦୁକରେ ଭର୍ତ୍ତି କଲେ ।

 

X X X

 

ଠିକ୍ ତା’ ପରଦିନ । ଘଡ଼ିରେ ସାଢ଼େଦଶ । କିସାନ୍‌ଲାଲ୍‌ଙ୍କ ଦୋକାନରେ ପୁଣି ସେହି ଭଦ୍ରମହିଳାଙ୍କର ଆବିର୍ଭାବ । ଶେଠଜୀ ପ୍ରସ୍ତୁତ ହେଉଥିଲେ ବ୍ୟାଙ୍କକୁ ଯିବାଲାଗି । ଭଦ୍ରମହିଳାଙ୍କୁ ଦେଖି ନମସ୍କାର କରୁ କରୁ ତାଙ୍କ ମୁଖମଣ୍ଡଳ ଭାରାକ୍ରାନ୍ତ ହୋଇ ଉଠିଲା ନାନା ଆଶଙ୍କାରେ । କୌଣସି କାରଣରୁ ସୁନା ସମ୍ପର୍କରେ କିଛି ଅଭିଯୋଗ କରିବାକୁ କିମ୍ୱା ସୁନା ଫେରାଇ ଦେବାକୁ ଆସିଛନ୍ତି ବୋଲି ଆଶଙ୍କା କରି ଶେଠଜୀ ବ୍ୟବସାୟୀ କାଇଦାରେ ସ୍ୱାଗତ କଲେ ଭଦ୍ରମହିଳାଙ୍କୁ ।

 

ଯାହାହେଉ, ସେ ଆଉ କିଛି ସୁନା ନେବେ ଶୁଣି ଆଶ୍ୱସ୍ତ ହେଲେ କିସାନ୍‌ଲାଲ୍‌ ।

 

ପୁଣି ସୁନା ଦେଖା ଚାଲିଲା । ଏଥର କିନ୍ତୁ ଖୁବ୍‌ କମ୍‌ ମସୟ ସୁନା ଦେଖା ଏବଂ ହିସାବ ସରିଲା । ମୋଟ ହିସାବ ହେଲା ଅଠାଇଶ ହଜାର ଦୁଇଶହ ପଚାଶ । ଭଦ୍ରମହିଳା ଏଥର କ୍ୟାସ୍‌ମେମୋ ଚାହିଁବାରୁ ସେଲ୍‌ସଟ୍ୟାକ୍‌ସ ଦୁଇ ହଜାର ଷାଠିଏ ଟଙ୍କା ସହ କ୍ୟାସ୍‌ମେମୋ ଲେଖାଗଲା । ଭଦ୍ରମହିଳା ଡ୍ରାଇଭର୍‍ ହାତରେ ସୁନା ଏବଂ କ୍ୟାସମେମୋ ଗାଡ଼ି ପାଖକୁ ପଠାଇ ଦେଇ ଯିବାକୁ ଉଦ୍ୟତ ହୁଅନ୍ତେ ଶେଠ୍‌ କିସାନ୍‌ଲାଲ୍‌ ସ୍ୱାଭାବିକ ପ୍ରଶ୍ନଟାଏ କଲେ । ତାଙ୍କର ମନେ ହେଉଥିଲା, ଭଦ୍ରମହିଳା ବୋଧହୁଏ ଟଙ୍କା ଦେବା କଥା ଭୁଲି ଯାଇଛନ୍ତି କିମ୍ୱା ଥଟ୍ଟା କରୁଛନ୍ତି । କିନ୍ତୁ ଭଦ୍ରମହିଳାଙ୍କଠାରୁ ଉତ୍ତର ଶୁଣିଲା ପରେ ତାଙ୍କ ମୁହଁ କଳା ପଡ଼ିଗଲା, ଦେହର ସମସ୍ତ ରକ୍ତ ଶୁଖିଗଲା ପରି ମନେହେଲା । ପାଟିରୁ ହଠାତ୍ କିଛି କଥା ବାହାରିଲା ନାହିଁ, ସତେ ଯେମିତି କୌଣସି ଏକ ଦାନବ ଗଳା ଚିପି ଧରି ତାଙ୍କ ବାକ୍‌ଶକ୍ତି ରୁଦ୍ଧ କରି ଦେଇଛି ।

 

ଶର୍ମା ଦୌଡ଼ିଯାଇ ଡ୍ରାଇଭର୍‌କୁ ଅଟକାଇ ଦେଲା । ପାଟିତୁଣ୍ଡ ଧସ୍ତାଧସ୍ତିରେ ପାଖ ପଡ଼ିଶାରୁ ତିରିଶ ଚାଳିଶ ଜଣ ଲୋକ ଜମିଗଲେ । ବହୁ ଯୁକ୍ତି ତର୍କ ପରେ ଟେଲିଫୋନ୍‌ରେ କିସାନ୍‌ଲାଲ୍‌ ଖବର ଦେଲେ ଥାନାକୁ । ଇନିସ୍‌ପେକ୍‌ଟର ବାବୁ ଦୁଇଜଣ କନେଷ୍ଟବଲ୍‌ଙ୍କ ସହ ପହଞ୍ଚିଲେ ।

 

ଏଥର ଆରମ୍ଭ ହେଲା ଜେରା । କିନ୍ତୁ କୌଣସି ପ୍ରଶ୍ନରେ ଭଦ୍ରମହିଳା ବିବ୍ରତ କିମ୍ୱା ବିରକ୍ତ ହେବାର ଦେଖାଗଲା ନାହିଁ; ବରଂ କିସାନ୍‌ଲାଲ୍‌ଙ୍କ ମୁଣ୍ଡ ଅଧିକରୁ ଅଧିକ ଭାରାକ୍ରାନ୍ତ ହେବାକୁ ଲାଗିଲା ।

 

ଭଦ୍ରମହିଳା ନିଜର ଡାଏରୀ ଖୋଲି ନୋଟ୍‌ର ନମ୍ୱର ଗୁଡ଼ିକ ପଢ଼ି ଦେଇ କହିଲେ, ଏ ନୋଟ୍‌ ଗୁଡ଼ିକ କାଲି ମୁଁ ଷ୍ଟେଟ୍‌ ବ୍ୟାଙ୍କ୍ ରୁ ଆଣିଛି । ଶେଠ୍‌ଜୀଙ୍କୁ ସେଗୁଡ଼ିକ ବର୍ତ୍ତମାନ ଦେଇଛି । ଏ ଦୋକାନ ତନଖି କଲେ ନିଶ୍ଚୟ ସେ ନୋଟ୍‌ ଗୁଡ଼ିକ ବାହାରିବ ।

 

ସତକୁ ସତ କିସାନ୍‌ଲାଲ୍‌ଙ୍କ ଲୁହା ସିନ୍ଦୁକରୁ ଭଦ୍ରମହିଳା କହିବା ପ୍ରକାରେ ନମ୍ୱର ଥିବା ନୋଟ୍‌ ଗୁଡ଼ିକ ବାହାରିଲା । ବ୍ୟାଙ୍କ୍‌କୁ ଟେଲିଫୋନ୍‌ କରି ଭଦ୍ରମହିଳାଙ୍କ ନାମରେ ଗତ କାଲି ଟଙ୍କା ଡ୍ର କରାଯାଇଛି କି ନା ପଚାରି ବୁଝାଗଲା ଏବଂ ଭଦ୍ରମହିଳାଙ୍କ ସପକ୍ଷରେ ଉତ୍ତର ମିଳିଲା ।

 

କ୍ଷମା ମାଗିଲେ ଶେଠଜୀ । ଭଦ୍ରମହିଳା ଏଥର ଗମ୍ଭୀର ହୋଇ ଶେଠଜୀଙ୍କ ଆଡ଼କୁ କୋପ ଦୃଷ୍ଟିରେ ଚାହିଁଲେ । ମାନହାନୀ ମୋକଦ୍ଦମା କରିବି ବୋଲି ଧମକ ଦେଇ ଦୋକାନରୁ ନିଷ୍କ୍ରାନ୍ତ ହେଲେ । ତାଙ୍କର ନୀଳରଙ୍ଗର ଗାଡ଼ିଟା ଶେଠ୍‌ କିସାନ୍‍ଲାଲ୍‌ଙ୍କ ଚାଳିଶ ବର୍ଷର ବ୍ୟବସାୟୀ ବୁଦ୍ଧିକୁ ଧୂଳିରେ ପୋତି ପକାଇ ବିଜୟ ଦର୍ପରେ ଚାଲିଗଲା ।

 

କିସାନ୍‌ଲାଲ୍‌ ଲଥ୍‍କିନା ବସିପଡ଼ିଲେ । ତାଙ୍କ ଚାରିପାଖରେ ସୁନାଗହଣା, ଟଙ୍କା, ଫ୍ୟାନ, ଲାଇଟ, ନିକିତି, ଫଟୋ, କ୍ୟାଲେଣ୍ଡର ଏବଂ ଚାକରମାନେ ଯେମିତି ଅଦ୍ଭୁତ ଏକ ତାଳରେ ଘୂରି ବୁଲୁଛନ୍ତି, ତାଙ୍କୁ ଅସହାୟ ଭାବରେ ଏକା ଛାଡ଼ି ଦେଇ । ତାଙ୍କ ଗୋଡ଼ ତଳର ମାଟି ତଳକୁ ତଳକୁ ଧସି ଯାଉଛି । ସେ ଏକ ଅନ୍ଧକାର ଗର୍ତ୍ତ ମଧ୍ୟରେ ନିପତିତ ହେଉଚନ୍ତି । ତାଙ୍କ ଭାବନାର ଖିଅଗୁଡ଼ିକ ଛିଣ୍ଡି ଛିଣ୍ଡି ଯାଉଛି । କଥାସହିତ କଥାର ଯୋଗସୂତ୍ର ରହୁନି । ତାଙ୍କର ମନେ ହେଉଛି, ସେ ଯେମିତି କ୍ରମଶଃ ପାଗଳ ହୋଇ ଯାଉଛନ୍ତି ।

 

ଇନିସ୍‌ପେକ୍‌ଟର ବାବୁ ବିଦାୟ ନେଲେଣି (ବୋଧହୁଏ କିଛି ଟଙ୍କା ନେଇ) । ଦୋକାନର ଚାକରମାନେ ଘଟଣାର କୌଣସି ଖିଅ ଖୋଜି ପାଇଲେନି । ମାଲିକଙ୍କର ଏ ଶୋଚନୀୟ ପରିସ୍ଥିତି ଦେଖି କାହାରି ପାଟିରୁ ପଦେହେଲେ କଥା ବାହାରୁନାହିଁ ।

 

କିଛି ସମୟ ପରେ ଶର୍ମାର ଟେଲିଫୋନ ସମ୍ୱାଦ ପାଇ ପହଞ୍ଚିଲା କିସାନ୍‌ଲାଲ୍‌ଙ୍କ ବଡ଼ପୁଅ ସୁଶିଲ । ଶର୍ମାଠାରୁ ଗତକାଲି ଏବଂ ଆଜିର ସମସ୍ତ ବିବରଣୀ ଶୁଣିଲା ପରେ ବାପାଙ୍କୁ ପଚାରିଲା, ତୁମେ କାହିଁକି କ୍ଷମାମାଗି ତାକୁ ଛାଡ଼ିଦେଲ ?

 

କିସାନ୍‌ଲାଲ୍‌ ପୁଅକୁ ପାଖକୁ ଡାକିନେଇ ତା’ କାନ ପାଖରେ କହିଲେ, ତୁ ବୁଝୁନୁ, ଗତକାଲି କ୍ୟାସମେମୋ ନ କାଟି ସେଲଟ୍ୟାକ୍‌ସ ଫାଙ୍କିଥିବା ଅପରାଧରେ ଜେଲକୁ ଯିବାକୁ ପଡ଼ିଥାନ୍ତା । ତାକୁ ନ ଛାଡ଼ି ପୋଲିସ ଜିମା ଦେଇଥିଲେ ସବୁକଥା ବାହାରିଥାନ୍ତା । ଶେଷରେ ଆମକୁ ହିଁ ଅପଦସ୍ଥ ହବାକୁ ପଡ଼ିଥାନ୍ତା । ଯାଉ, କିଛି ଟଙ୍କା ନେଲା ତ ଆଉ କ’ଣ ? ଆମ ଭାଗ୍ୟଟା ତ ନେଇ ଯାଇନି ?

 

ଠିକ୍‌ ଏତିକିବେଳେ ଫୋନ୍‌ ବାଜିଉଠିଲା ।

 

‘ହାଲୋ......’

 

‘ଇନିସ୍‌ପେକ୍‌ଟର କହୁଛି । ଆପଣଙ୍କ ଦୋକାନରେ ଆଜି ଯେଉଁ ସ୍ତ୍ରୀ ଲୋକଟିକୁ ଦେଖିଥିଲି ତା’ର ପିଛାଧରି ଗୋଟାଏ ସାତଜଣିଆ ଠକ ଦଳ ଏରୋଡ଼୍ରମରୁ ଧରିଛି । ଦୋକାନର ଘଟଣା ସମ୍ପର୍କରେ ମୋର ଆଉ କିଛି ଜାଣିବାର ଅଛି । ଦୟାକରି ଶୀଘ୍ର କିଛି ସମୟ ପାଇଁ ଥାନାକୁ ଆସନ୍ତୁ ।

 

‘ଯାଉଛି ଆଜ୍ଞା’ କହି ରିସିଭରଟା ରଖୁ ରଖୁ କିସାନ୍‌ଲାଲ୍‌ଙ୍କ ହାତଟା ଏକ ଅଜଣା ଆତଙ୍କରେ କେମିତି କେମିତି ହୋଇଗଲା ।

 

(ଜୀବନ ରଙ୍ଗ)

Image

 

Unknown

ମଲାନଈ

 

ମଣିଷର ପ୍ରକୃତ ସଂଜ୍ଞା କ’ଣ ?

 

ମଣିଷ ଆଉ ପଶୁ ମଧ୍ୟରେ କ’ଣ କେବଳ ଆକାରଗତ ପାର୍ଥକ୍ୟ ରହିଛି, ନା ଆଉ କିଛି ପାର୍ଥକ୍ୟ ? ମଣିଷ କ’ଣ ପ୍ରକୃତରେ ଜ୍ଞାନୀ ? ପ୍ରଗତିଶୀଳ ?

 

ଅପରାଧ ବିଜ୍ଞାନ ପ୍ରତିଷ୍ଠାନର କର୍ମକର୍ତ୍ତା ଡକ୍‌ଟର କେ. ଏସ୍. ଶୁକ୍ଳଙ୍କ ଭାଷାରେ– ଭାରତରେ ହାରାହାରି ଶହେ ଦଶଜଣ ଆତ୍ମହତ୍ୟା କରନ୍ତି । କେବଳ ଭାରତରେ ନୁହେଁ, ପୃଥିବୀର ପ୍ରତ୍ୟେକ ଦେଶର ମଣିଷ ହତ୍ୟା, ଲୁଣ୍ଠନ, ଅନୀତି, ଅତ୍ୟାଚାର, କ୍ଷୁଧା, ରୋଗ, ଶୋକର ଶୀକାର ହୋଇ ଜୀବନ ପ୍ରତି ବୀତସ୍ପୃହ । ପୃଥିବୀରେ ପ୍ରତ୍ୟେହ ହାରାହାରି ଏକ ହଜାର ଲୋକ ଆତ୍ମହତ୍ୟା କରନ୍ତି । ରେଡ଼ିଓରେ ପ୍ରତିଦିନ ପ୍ରଚାରିତ ହେଉଛି । ଖବର କାଗଜରେ ପ୍ରତିଦିନ ପ୍ରକାଶ ପାଉଛି ଅମୁକଙ୍କ ଅମୁକ ଘର ଛାଡ଼ି ଚାଲି ଯାଇଛନ୍ତି । ଏ ପଳାୟନ ପଛରେ କିଛି ମନସ୍ତାତ୍ତ୍ୱିକ କାରଣ ରହିଛି ?

 

ସବୁଠୁ ବଡ଼ ପ୍ରଶ୍ନ ହେଉଛି, ମଣିଷ ଆଗେଇଛି ନା ପଛେଇଛି ?

 

ସୁଦର୍ଶନ ବାବୁ ଗୁଡ଼ାଏ ସମସ୍ୟାର ସମାଧାନ ସୂତ୍ର ବାହାର କରିବା ପାଇଁ ଯେମିତି ପ୍ରତିଜ୍ଞାବଦ୍ଧ । ଜଣେ ଅଭିଜ୍ଞ ଗବେଷକ ଭଳି ମୁଣ୍ଡ ଭିତରେ ସେ ସମସ୍ୟାଗୁଡ଼ିକୁ ରୋମନ୍ଥନ କରି ଖୋଜି ବୁଲୁଛନ୍ତି ଗୋଟାଏ କେନ୍ଦ୍ରବିନ୍ଦୁ । କିନ୍ତୁ କାହିଁ ସେ କେନ୍ଦ୍ରବିନ୍ଦୁ ?

 

ଗତ ନଭେମ୍ୱର ମାସରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରି ସୁଦର୍ଶନ ବାବୁ ଯଥେଷ୍ଟ ସମୟ ପାଇଛନ୍ତି ଆଧ୍ୟାତ୍ମିକ ଚିନ୍ତା କରିବା ପାଇଁ, ଦେହର ଯତ୍ନ ନେବା ପାଇଁ, ଘରକଥା ବୁଝିବା ପାଇଁ । ଦୀର୍ଘଦିନ ଧରି ପୋଲିସ ଚାକିରି କରି ବେଶ୍‌ ଦି’ପଇସା ରୋଜଗାର ହୋଇଛି । କଟକରେ ତାଙ୍କର ଖଣ୍ଡେ ଛୋଟ କୋଠା ମୁଣ୍ଡ ଟେକିଛି । ବଡ଼ପୁଅ ବ୍ୟବସାୟରେ ମନ ଦେଇଛି । ମଝିଆଁ ପୁଅ ଏବେ ଓକିଲାତି ଆରମ୍ଭ କରିଛି । ସାନଟା ଡାକ୍ତରୀ ପାଶ୍‌କରି ବାଳୁଙ୍ଗା ହୋଇ ବୁଲୁଛି, ଚାକିରି ପାଇନି । ଗୋଟିଏ ବୋଲି ଝିଅ, ରୀତା । ସ୍ଥାନୀୟ କଲେଜରେ ସେ ବି. ଏ. ପଢ଼ୁଛି । ବଡ଼ପୁଅର ପୁଅ ରାଜୀବ ବି କଲେଜରେ ପାଦ ଦେଲାଣି । ବୁଢ଼ୀ ତ ଦୁଇ ବର୍ଷ ହେଲା ତାଙ୍କୁ ଛାଡ଼ି ଦେଇ ଆରପାରିକୁ ଚାଲିଗଲେଣି । ଏଇ ତ ସୁଦର୍ଶନବାବୁଙ୍କ ପରିବାର ।

 

ସୁଦର୍ଶନବାବୁଙ୍କୁ ଦେଖୁ ଦେଖୁ ଷାଠିଏ ବର୍ଷ ହୋଇଗଲା । ମାଟ୍ରିକ ସାର୍ଟିଫିକେଟରେ ବାବା ଦୁଇ ବର୍ଷ କମାଇ ଦେଇଥିଲେ ବୋଲି ସେ ଅଧିକା ଦୁଇ ବର୍ଷ ସରକାରୀ ଚାକିରିରେ ଠାକିଗଲେ । ବୃଦ୍ଧ ସୁଦର୍ଶନ ମହାନ୍ତିଙ୍କ ଚେହେରା କେମିତି ଶେଥା, ମଳିନ ପଡ଼ି ଆସିଲାଣି । ଆଗର ଶ୍ରୀ ଆଉ ନାହିଁ । ମୁଣ୍ଡର ବାଳସବୁ ଝୋଟ ପରି ହେଲାଣି । ଆଖି କୋଟରଗତ । ମୁହଁର ଶିରା ପ୍ରଶିରାଗୁଡ଼ାକ ବୁଢ଼ିଆଣୀ ଜାଲପରି ଛନ୍ଦାଛନ୍ଦି ହୋଇ ତାଙ୍କ ଚେହେରାକୁ ଆହୁରି ବିକୃତ କରିଦେଇଛି । ଦି’ପାଦ ଆଗେଇବାକୁ ହେଲେ ଆଶାବାଡ଼ି ଉପରେ ଆଶ୍ରା କରିବାକୁ ହେଉଛି । ପାଖରେ ଆଶା ଭରସା ଦେବାକୁ କେହି ନାହିଁ । ପାଖରେ ସମସ୍ତେ ଥାଇ ବି କେହି ନାହାନ୍ତି ଯେମିତି ! ସମସ୍ତେ ତାଙ୍କର ଅଭାବ ଅସୁବିଧା ଦେଖୁଛନ୍ତି; କିନ୍ତୁ କେହି କିଛି ବୁଝୁ ନାହାନ୍ତି ।

 

ଏ ମଣିଷ ବଡ଼ ଦୁର୍ବୋଧ୍ୟ । ବଡ଼ ବିଚିତ୍ର ତା’ର ପ୍ରକୃତି ।

 

ଚାକିରି କାଳତକ ପରିବାରଟା ଠିକ୍‌ ଥିଲା, ଏପରିକି ଅବସର ନେବାର ଆଠ ଦଶ ମାସଯାଏଁ ବି କିଛି ଖାପଛଡ଼ା ଲାଗୁ ନ ଥିଲା ସୁଦର୍ଶନବାବୁଙ୍କୁ । କିନ୍ତୁ ଏଇ କେଇମାସ ହେଲା ତାଙ୍କ ପରିବାରଟି ତାଙ୍କୁ ବିଷତୁଲ୍ୟ ମନେ ହେଉଛି । ନିଜ ପେଟରୁ କାଟି ଯେଉଁମାନଙ୍କୁ ମଣିଷ କରି ଆଜି ସମାଜରେ ସେ ପ୍ରତିଷ୍ଠିତ କରିଛନ୍ତି ସେମାନେ ଏପରି ବଦଳିଗଲେ କେମିତି ? ପୁଅ, ଝିଅ, ବୋହୂ ବୋଲି ଯେତେ ହାତ ବଢ଼େଇଲେ ବି ହାତ ପାଉନି । ସମ୍ପର୍କର ବନ୍ଧନୀଗୁଡ଼ାକ ଯେମିତି ଛିଣ୍ଡି ଛିଣ୍ଡି ଯାଉଛି । ଛଳନାର ମୁଖା ପିନ୍ଧି ସମସ୍ତେ ଯେମିତି ଆପଣା ଆପଣା ଭୂମିକାରେ ନିଜ ବ୍ୟକ୍ତିସତ୍ତାର ପ୍ରତିଷ୍ଠା ପାଇଁ ଅଭିନୟ କରିବାରେ ବ୍ୟସ୍ତ ।

 

ସୁଦର୍ଶନବାବୁଙ୍କର ମନେ ହେଉଛି, ତାଙ୍କ ପରିବାରର ପ୍ରତ୍ୟେକେ ଏକ ଆସନ୍ନ ବିପଦଆଡ଼କୁ ଟାଣିହୋଇ ଯାଉଛନ୍ତି ନିଜ ଅଜାଣତରେ । ପରସ୍ପର ମଧ୍ୟରେ ବ୍ୟବଧାନ ବଢ଼ି ବଢ଼ି ଯାଉଛି ।

 

ସାନ ପୁଅର ହିପ୍‌ପୀ ବେଶ, ସିଗାରେଟ୍‌ ଏବଂ ଟାବଲେଟ ଖିଆରୁ ତା’ର ସଂପୂର୍ଣ୍ଣ ପରିଚୟ ମିଳୁଛି । ପୁଅମାନଙ୍କ ପରି ରୀତାର ପ୍ୟାଣ୍ଟ ସାର୍ଟ ପିନ୍ଧା, ଘରେ ବୟଫ୍ରେଣ୍ଡମାନଙ୍କ ସହ ଆଡ଼୍‌ଡ଼ା ଜମେଇବା ସମ୍ପର୍କରେ ତାକୁ ପ୍ରଶ୍ନ କଲେ ସେ ଯୁକ୍ତି ବାଢ଼େ, ଏସବୁ ଆଭିଜାତ୍ୟର ଚିହ୍ନ, ପ୍ରଗତିର ସଂକେତ । ମଝିଆଁ ପୁଅର ରୋଜଗାର ଅପେକ୍ଷା ଖର୍ଚ୍ଚ ଦୁଇ ଗୁଣ । ନୂଆ ନୂଆ ସେ ରାଜନୀତିରେ ପାଦ ଦେଇଛି । ରାଜନୀତି ଯେ ଖସଡ଼ାପଥ ଏକଥା ସେ ବୁଝିପାରିନି । ଆଜିକାଲି ସେ କୁଆଡ଼େ ବିଦେଶୀ ପାନୀୟର ଭକ୍ତ ହେଲାଣି ବୋଲି ରାଜୁବାବୁ ଆଉ ମନୋଜ କହୁଥିଲେ; ସତ କି ମିଛ ଭଗବାନ ଜାଣନ୍ତି । ବଡ଼ ପୁଅ ତ ଅଧିକାଂଶ ଦିନ ଘରେ ଅନୁପସ୍ଥିତ । ସକାଳେ ଗଲେ ଫେରୁ ଫେରୁ ରାତି ବାରଟା ଗୋଟାଏ । ଘର କେମିତି ଚାଲିଛି, କ’ଣ କ’ଣ ସୁବିଧା ଅସୁବିଧା ହେଉଛି, ଘରେ କିଏ କ’ଣ କରୁଛି କୌଣସି ଖବର ସେ ରଖେନି । ରାଜୀବଟା ବଜାରୀମାନଙ୍କ ସହିତ ସାଙ୍ଗ ହୋଇ ସିଗାରେଟ ଟାଣି, ସିନେମା ଦେଖି, ଅର୍ଥ ଶ୍ରାଦ୍ଧ କରିବାରେ ଲାଗିଛି । ତାକୁ ଆକଟ କରିବାକୁ କେହି ନାହିଁ । ବିଚାରୀ ବୋହୂ କାମ କରି କରି କଣ୍ଟା ହୋଇଗଲାଣି । ଭୋର୍‌ ତିନିଟାରୁ ରାତି ବାରଟାଯାଏଁ ସେଇ ରୋଷେଇଘରେ ସେ ପଡ଼ିଛି । କାହାପାଇଁ ଭାତ ହେବ, କାହାପାଇଁ ପରଟା, କାହାପାଇଁ ରୁଟି, କାହାପାଇଁ ବା ଚା’ ଜଳଖିଆ ହେବ ସେଇ କାମରେ ସେ ବ୍ୟସ୍ତ । ପିଠିରେ ଗୋଟେ, ପେଟ ଭିତରେ ଗୋଟେ ଛୁଆ ଧରି ସାରା ପରିବାରଟାକୁ ଚଳେଇବାକୁ ସେ ଚେଷ୍ଟା କରୁଛି; କିନ୍ତୁ ପାରୁନି, ଭାରି କଷ୍ଟ ପାଉଚି ବିଚାରୀ । ଏବେ ଛ’ ସାତ ମାସ ହେଲା ଘରଟା ବେଶି ବେଶି ଖାପଛଡ଼ା ମନେ ହେଉଛି ସୁଦର୍ଶନବାବୁଙ୍କୁ । କିଏ କେତେବେଳେ ଆସୁଛି, କେତେବେଳେ ଯାଉଛି, କୁଆଡ଼େ ଯାଉଛି, କାହିଁକି ଯାଉଛି, ଏକଥା ବୁଝିବାକୁ କେହି ନାହିଁ । ପିଲାଗୁଡ଼ାକ ଦିନକୁ ଦିନ ବେଶି ବେଶି ଉଚ୍ଛୃଙ୍ଖଳ ହେଇ ଯାଉଛନ୍ତି । ସେମାନଙ୍କ ଉପରେ କାହାର ଶାସନ ନାହିଁ, ଆକଟ ନାହିଁ । ସୁଦର୍ଶନବାବୁ ଭାବୁଛନ୍ତି, ଅଳ୍ପ କେଇଟା ମାସ ଭିତରେ କେତେ ବଦଳିଗଲା ଘରଟା—ଚାକିରିରେ ଥିଲାବେଳେ କେତେ ସାନ ବଡ଼ ବାବୁଙ୍କୁ ସେ ଖେଳେଇ ନାହାନ୍ତି-। ଦିନକୁ ସହସ୍ର ସଲାମ । କୁଆଡ଼େ ଗଲା ସେ କ୍ଷମତା ?

 

ସୁଦର୍ଶନବାବୁ ଭାବୁଥିଲେ–

 

ଯୌବନ ପ୍ରାରମ୍ଭର ସେଇ ସ୍ମୃତି–ଏବେ ବି ବୃଦ୍ଧ ମନକୁ ରଙ୍ଗିନ କରି ତୋଳେ । ଆହା, ବୟସକୁ ଧରି ରଖିହୁଅନ୍ତା କି... । ନିୟତିର ନିଷ୍ଠୁର ହାତୁଡ଼ିରେ ସ୍ୱପ୍ନ ସବୁ ଭାଙ୍ଗି ଚୁରମାର ହୋଇଯାଏ ।

 

ସୁଦର୍ଶନବାବୁ ଭାବୁଥିଲେ–

 

ପଚାଶ ବର୍ଷ ତଳର ଜଣେ ଯୁବକ ଆଉ ଆଜିର ଜଣେ ଯୁବକ ଭିତରେ କେତେ ଫରକ୍‌-। କେତେ ଭୟ, ଭକ୍ତି ଶୃଙ୍ଖଳା ଭିତରେ ମଣିଷ ହେବାକୁ ପଡ଼ିଥିଲା ତାଙ୍କୁ, କିନ୍ତୁ ଏମାନେ-? ଯୁଗଟା ବଦଳିଗଲା ।

 

ସୁଦର୍ଶନ ବାବୁ ଭାବୁଥିଲେ–

 

ହଁ, ଯୁଗଟା ପୂରାପୂରି ବଦଳିଗଲା । ଚାକିରି କରୁଥିଲେ, ରୋଜଗାର କରୁଥିଲେ ବୋଲି ପିଲାଗୁଡ଼ାକ କେତେ ସମ୍ମାନ, ଭକ୍ତି, ସ୍ନେହ କରୁଥିଲେ । କିନ୍ତୁ ଅବସର ଗ୍ରହଣ କଲା ପରଠାରୁ ପିଲାଙ୍କର ଆଚାର, ବ୍ୟବହାର ହଠାତ୍‌ ବଦଳିଗଲା ।

 

ସୁଦର୍ଶନବାବୁ ଭାବୁଥିଲେ–

 

ଖାଇଲି କି ନାହିଁ, ଦେହ ଭଲ ଅଛି କି ନାହିଁ, ମୁଁ କ’ଣ କରୁଛି, କେହି ଥରେ ହେଲେ ପଚାରୁ ନାହାନ୍ତି । କାମ ବତେଇଲେ ବୋହୂଟା ଆଜିକାଲି ଚିଡ଼ି ଚିଡ଼ି ହେଉଛି ।

 

ସେଦିନ ହାତରୁ ପଡ଼ି ଦର୍ପଣଟା ଭାଙ୍ଗିଗଲା ଯେ ବୋହୂ ଶୁଣେଇ ଶୁଣେଇ କହିଦେଲା, ପିଲାଙ୍କ ପରି ତୁମେ ବି ଭଙ୍ଗାଭଙ୍ଗି କରିବା ଆରମ୍ଭ କରିଦେଲଣି । ଘରକୁ କେତେ କୋଉଠୁ ଦର୍ପଣ ଆସିବ– ?

 

ଆଉ ଦିନେ ଘରର ସମସ୍ତେ ସିନେମା ଚାଲିଗଲେ, ମୁଁ ଏକା ଘର ଜଗିବାକୁ ରହିଲି (ଆଜିକାଲି ଚୋର ଭୟ ଲାଗି ରହିଛି କିନା, ପୁଣି ମୁଁ ପୋଲିସ ବିଭାଗରେ ଚାକିରି କରୁଥିଲି କି ନା, ସେଇଥିପାଇଁ) । ଦୁଇଦିନ ହେଲା ଜ୍ୱର ହୋଇଛି ଯେ ଔଷଧ କି ପଥି ଟିକିଏ ଆଣିବା ତ ଦୂରର କଥା, ସମବେଦନା ପ୍ରକାଶ କରିବା ପାଇଁ ମଧ୍ୟ ଏମାନେ କୁଣ୍ଠିତ ।

 

ସୁଦର୍ଶନବାବୁ ଭାବୁଛନ୍ତି–

 

ହଠାତ୍ ଦିନେ ସକାଳେ ଦେଖିଲାବେଳକୁ ମୋ ନେମ୍‌ପ୍ଲେଟ ଜାଗାରେ ଲାଗିଛି ପୁଅର ନେମ୍‌ପ୍ଲେଟ ।

 

ସୁଦର୍ଶନବାବୁ ଭାବୁଛନ୍ତି–

 

ଘରେ ମୋର ଉପସ୍ଥିତି ଏମାନେ ବୋଧହୁଏ ଚାହୁଁନାହାନ୍ତି । ମୁଁ ଯେମିତି ଜଣେ ଅନାବଶ୍ୟକ, ଅତିରିକ୍ତ ଚରିତ୍ର ଯାହାର ଉପସ୍ଥିତି ଅନ୍ୟମାନଙ୍କ ପାଇଁ ଅସହ୍ୟ ।

 

ସୁଦର୍ଶନବାବୁ ଭାବୁଛନ୍ତି–

 

ସତକଥା, ଦରଦାମ ବଢ଼ିଯାଇଛି । ଘର ଚଳେଇବା ଅସୁବିଧା ହେଉଛି । ମୋ ପରି ଜଣେ ଅଥର୍ବ, ପଙ୍ଗୁ ମଣିଷକୁ ବସେଇ ବସେଇ ଅଯଥା ଖାଇବାକୁ ଦେବାପାଇଁ ବାଧୁଛି; କିନ୍ତୁ ମୁଁ କରିବି କ’ଣ, ବଂଚିବି କେମିତି ? ମତେ ତ ବଞ୍ଚିବାକୁ ହବ ।

 

ଆଜିର ଦୁନିଆଁରେ ବଞ୍ଚିବା ମଧ୍ୟ ଗୋଟାଏ ଆଶ୍ଚର୍ଯ୍ୟ । ବଞ୍ଚିବା ପାଇଁ ପ୍ରତି ମୁହୂର୍ତ୍ତରେ ମଣିଷକୁ ଜୀବନ ସହିତ ଯୁଦ୍ଧ କରିବାକୁ ହେଉଛି । ପୋକମାଛି ପରି ବଞ୍ଚିବା ପାଇଁ ମଧ୍ୟ ମଣିଷ ଶ୍ରେୟସ୍କର ମଣୁଛି । କାହିଁକି ?

 

ଆତ୍ମହତ୍ୟା କରିବା କ’ଣ ଏତେ ସହଜ ?

 

ସୁଦର୍ଶନ ବାବୁଙ୍କୁ ଜୀବନଟା ଅସହାୟ ଅସହାୟ ମନେ ହେଉଛି । ତାଙ୍କ ପାଇଁ ସବୁ ଦିଗର ସବୁ ରାସ୍ତା ଯେମିତି ବନ୍ଦ, ଚାରିଆଡ଼ ଅନ୍ଧାର ଆଉ ଅନ୍ଧାର । ଆଖି ଥାଉ ଥାଉ ଅନ୍ଧାର ଭିତରେ ଅଣ୍ଡାଳି ଅଣ୍ଡାଳି ଚାଲିବା ଯେ କେଡ଼େ କଷ୍ଟକର, ଯନ୍ତ୍ରଣାଦାୟକ ସେ ଅନୁଭୂତି ଅବସର ପରଠାରୁ ମିଳିଛି । ଜୀବନ ଯନ୍ତ୍ରଣାରୁ ମୁକ୍ତି ପାଇଁ ପଳାୟନ ଶ୍ରେୟ ପନ୍ଥା ? ଆତ୍ମହତ୍ୟା ଶ୍ରେୟ ପନ୍ଥା-?

 

ସବୁ ଅବୋଧ୍ୟ, ଦୁର୍ଭେଦ୍ୟ ।

 

ପାଖ ଗୀର୍ଜାର ଘଣ୍ଟାଟା ରହି ରହି ଚିତ୍କାର କରୁଛି । କର୍ଣ୍ଣ କୁହରଟାକୁ ଆନ୍ଦୋଳିତ କରି ଦେଉଛି । ଗୋଟାଏ ପ୍ରକାଣ୍ଡକାୟ ରାକ୍ଷସ ବିକଟାଳ ରଡ଼ି ଛାଡ଼ି ଯେମିତି ପାଖକୁ ପାଖକୁ ମାଡ଼ି ଆସୁଛି । ମୁହୂର୍ତ୍ତକ ଭିତରେ ସାରା ବିଶ୍ୱ ବ୍ରହ୍ମାଣ୍ଡକୁ ପାଦରେ ଦଳି ମକଚି ଧ୍ୱଂସ କରିଦେବାକୁ । ବାରହାତର ଖଣ୍ଡାଟା ଶୂନ୍ୟେ ଶୂନ୍ୟେ ବୁଲିଯାଉଛି । ଶହ ଶହ, ହଜାର ହଜାର, ଲକ୍ଷ ଲକ୍ଷ, କୋଟି କୋଟି ମଣିଷର ମୁଣ୍ଡକୁ ଦେହରୁ ଅଲଗା କରିଦେଉଛି । ରକ୍ତର ନଦୀରେ ସାରା ପୃଥିବୀଟା ଲାଲେଲାଲ ହୋଇଯାଉଛି । ରକ୍ତ, ରକ୍ତ ଆଉ ରକ୍ତ, ଖାଲି ରକ୍ତ । ଯେଉଁଆଡ଼େ ଚାହିଁବ ଖାଲି ରକ୍ତ-। ଆଉ ସବୁ ଅନ୍ଧାର, ଶୂନ୍ୟ....

 

ସେ ଆଖି ବୁଜି ନାକସିଧା ଦୌଡ଼ିବାକୁ ଆରମ୍ଭ କରିଦେଲେ ।

 

(ଝଙ୍କାର)

Image

 

ସ୍ୱପ୍ନ : ପୂର୍ବରୁ ଏବଂ ପରେ

 

ମୁଁ ପାଗଳ, ଆପଣ ପାଗଳ, ସେ ପାଗଳ, ଆମେ ସମସ୍ତେ ପାଗଳ । କେତେବେଳେ ଜାଣି ଜାଣି ତ କେତେବେଳେ ନିଜ ଅଜାଣତରେ ଏଇ ପାଗଳାମୀର ଉଦ୍‌ଗୀରଣ ହୁଏ । ପାଗଳ ନ ହେଲେ କେହି ଲେଖକ ହୋଇ ନପାରେ, ପାଗଳ ନ ହେଲେ କେହି କଳାକାର ହୋଇ ନ ପାରେ । ଅତଏବ ପାଗଳ ନ ହେଲେ କେହି ମଣିଷ ହୋଇ ନ ପାରେ । ଏ ପାଗଳାମୀ ଆମକୁ ପଙ୍ଗୁ କରି ଦେଇଛି, ଆମ ସମସ୍ତଙ୍କୁ ଅଥର୍ବ କରି ଦେଇଛି, ଅନ୍ଧ କରି ଦେଇଛି । କହିବାର ଶକ୍ତି ଅଛି, ପ୍ରତିବାଦ କରିବାର ଉପାୟ ଅଛି ଅଥଚ ଓଠରୁ ଭାଷା ସ୍ଫୁରୁ ନାହିଁ । ଦେହରେ ଅମାପ ବଳ ଥାଇ ବି ନିର୍ଜୀବ । ମୋର ବେଳେବେଳେ ମନେହୁଏ ସତେ ଯେମିତି ମୋର ଦେହ, ମୋର ମନ, ମୋର ଆୟତ୍ତରେ ନାହିଁ, ମୋର କୌଣସି ଆଦେଶ ମାନିବାକୁ ସେମାନେ ପ୍ରସ୍ତୁତ ନୁହଁନ୍ତି, ଏକତରଫା ଭାବରେ ସେମାନେ ସ୍ୱାଧୀନତା ଘୋଷଣା କରିଛନ୍ତି । ମତେ ବରଂ ସେମାନଙ୍କର ଆଦେଶ ବାଧ୍ୟ ଶିଶୁ ଭଳି ମାନିନେବାକୁ ହେବ । ଏଟା ଗୋଟାଏ ପାଗଳାମୀ ଛଡ଼ା ଆଉ କ’ଣ ହୋଇପାରେ ? ପାଗଳ ନ ହେଲେ ମଣିଷ ଏ ବିଚିତ୍ର ସୃଷ୍ଟିରେ ବଞ୍ଚି ପାରିବନି ।

 

ମୁଁ ବଞ୍ଚିଛି, ଆପଣ ବଞ୍ଚିଛନ୍ତି, ଆମେ ସମସ୍ତେ ବଞ୍ଚିଛୁ । କାରଣ ଆମେ ସମସ୍ତେ ପାଗଳ-

 

ମୁଁ କିଏ ? କେଉଁଠୁ ଆସିଲି, କାହିଁକି ଏ ପୃଥିବୀକୁ ଆସିଛି ତା’ର ସଠିକ୍‌ ଉତ୍ତର ମୁଁ ଜାଣେନା । ଜାଣିବାକୁ ଚେଷ୍ଟା ବି କରିନି । ଦରକାର କ’ଣ ?

 

ମୁଁ ଶାନ୍ତନୁ ପଣ୍ଡା (ଗୁରୁଜନ ପ୍ରଦତ୍ତ ନାମ), ଯୋଗ୍ୟତା ବି ଏ., ବୟସ ସତେଇଶି, ରଙ୍ଗ କଳା, ଜାତି ବ୍ରାହ୍ମଣ, ଦରମା ନଅଶହ ଦଶ, ରାଜ୍ୟ ସରକାରଙ୍କର ଜଣେ ଉପରିସ୍ଥ କର୍ମଚାରୀ । ଏତିକି ମାତ୍ର ମୋର ପରିଚୟ ।

 

ମୁଁ ଜଣେ ଯୁବକ, ସୁତରାଂ ମୋର ଯୁବ ସୁଲଭ ଚପଳତା ଅଛି । ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବରେ ଏ ଚପଳତା ମତେ ପାଗଳାମୀର ଶିକାର ହେବାକୁ ବାଧ୍ୟ କରେ ।

 

ମୋ ସମ୍ପର୍କରେ ଏ ବୟାନ ଶୁଣିଲା ପରେ ଆପଣ ହୁଏତ ପ୍ରଶ୍ନ କରିପାରନ୍ତି ମୁଁ ଆସ୍ତିକ ନା ନାସ୍ତିକ । ମୁଁ କିନ୍ତୁ ଠିକ୍‌ କହି ପାରିବିନି ମୁଁ କ’ଣ ? ଆସ୍ତିକ ନା ନାସ୍ତିକ । ମୋ ପାଖରେ ମଧ୍ୟ ମୁଁ ଅବୋଧ୍ୟ । ତେବେ ମୋ ମତରେ କ୍ଷୁଧାର୍ତ୍ତ ପାଖରେ ପରମାତ୍ମାଙ୍କ ମହିମା ମୂଲ୍ୟହୀନ । ତା’ର କ୍ଷୁଧା ନିବାରଣ ପାଇଁ ପ୍ରୟୋଜନ ଖାଦ୍ୟ, ଲଜ୍ଜା ନିବାରଣ ପାଇଁ ପ୍ରୟୋଜନ ବସ୍ତ୍ର, ରହିବା ପାଇଁ ପ୍ରୟୋଜନ ଖଣ୍ଡେ ଘର । ବାକି ସବୁ ଗୌଣ, ଏପରିକି ଭଗବାନ ବି ।

 

ବିଜ୍ଞାନର ଚରମ ସଫଳତା ଆଜିର ମଣିଷ ପାଇଁ ଆଣି ଦେଇଛି ପ୍ରାଚୁର୍ଯ୍ୟ । ସେହି ପ୍ରାଚୁର୍ଯ୍ୟ ଏବଂ ତଦ୍‌ଭବ ଭୋଗ ଲାଳସା ମଣିଷ ମନରେ ଈଶ୍ୱର ଓ ଅଦୃଷ୍ଟାଶ୍ରିତ ପୁରାତନ ଜୀବନଧାରାର ଭିତ୍ତିଭୂମି ଉପରେ ପ୍ରଚଣ୍ଡ ଆଘାତ ଦେଇଛି ଏବଂ ପରିବେଶକୁ ଅଧିକ ଜଟିଳ ଓ କଳୁଷିତ କରି ଦେଇଛି । ଅଭାବ, ଅନାଟନ, ବ୍ୟାଧି, ଅସନ୍ତୋଷ ଏବଂ ଶୋକରୁ ମୁକ୍ତି ପାଇଁ ସେ ଘୂରି ବୁଲୁଛି କୌଣସି ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟରେ ପହଞ୍ଚିବା ଲାଗି । କିନ୍ତୁ ହାୟ, ନ୍ୟାୟ ଥିଲେ ସିନା ମିଳିବ, ଖାଦ୍ୟ ଥିଲେ ସିନା ମିଳିବ, ବସ୍ତ୍ର ଥିଲେ ସିନା ମିଳିବ । ସେଇ ଅଭାବ, ରୋଗ, ଶୋକରେ ପେଷି ହୋଇ ଯେତେ ଚିତ୍କାର କଲେ ବି କିଏ ଶୁଣିବ ? ଯେଡ଼େ ଗଛକୁ ସେଡ଼େ ପବନ । ମୁଁ ଯେମିତି ସମସ୍ତେ ସେମିତି ।

 

ମୁଁ ବଡ଼ ଚାକିରି ପାଇଛି, କିନ୍ତୁ କ’ଣ ହେବ– ବଜାରରେ ଚାଉଳ ନାହିଁ । ଚାରୋଟି ସନ୍ତାନର ଜନକ, କିନ୍ତୁ କ’ଣ ହେବ– ବଜାରରେ ଗୁଣ୍ଡ କ୍ଷୀର ମିଳୁନି (ଗାଈ କ୍ଷୀର ତ ଦୂରର କଥା)-। କିରୋସିନି ନାହିଁ, ଚିନି ନାହିଁ ସାବୁନ ନାହିଁ, ଅଟା ନାହିଁ, ତେଲ ନାହିଁ, ଏପରିକି ବେଳେବେଳେ ଲୁଣ ବି ନାହିଁ ବଜାରରେ । ଖାଲି ନାହିଁ ନାହିଁ ନାହିଁ । ନାହିଁ ନାହିଁ ଶୁଣି କାନ ବଧୀର ହୋଇଗଲାଣି, ଦେହସୁଆ ହୋଇଗଲାଣି ।

 

କୁଆଡ଼େ ଗଲା ସେ ଦିନ ! ବାପା ଅଜାଙ୍କ କଥା ସ୍ୱପ୍ନ ପରି ଲାଗୁଛି, କାହାଣୀ ପରି ଲାଗୁଛି । ଧାନ ଶଗଡ଼ ୨୦ ଟଙ୍କା, ସୁନା ଭରି କୋଡ଼ିଏ ଟଙ୍କା । ଦୁଇ ପଇସାରେ ଫିନ୍‌ଫିନ୍ ସୁପର୍‌ଫାଇନ୍‌ ଧୋତି । ଖାଣ୍ଟି ଗୁଆଘିଅ, କ୍ଷୀରରେ ଦେଶ ଭାସୁଥିଲା । ଆଜି ସେସବୁ କାହିଁ ? ସବୁ ଭେଜାଲ । ଜିନିଷ ଭେଜାଲ, ସମ୍ପର୍କ ଭେଜାଲ, କଥା ଭେଜାଲ ସବୁ ଭେଜାଲ । ଆଜି ବିଷ ଖାଇଲେ ବି ମଣିଷ ମରୁନି, କାରଣ ବିଷ ବି ଭେଜାଲ ।

 

ସମସ୍ତେ ସ୍ୱାର୍ଥ ପଛରେ ଧାଇଁଛନ୍ତି । ନିଜର ସ୍ୱାର୍ଥ ହାସଲ ପାଇଁ ଦରକାର ପଡ଼ିଲେ ହତ୍ୟା କରିବାକୁ ମଧ୍ୟ ପ୍ରସ୍ତୁତ । ଏଠି ପାପ ପୁଣ୍ୟର ବିଚାର ହୁଏନି । ସ୍ୱାର୍ଥ ପକାଇଁ ମଣିଷ ସବୁକିଛି କରିପାରେ । ସ୍ୱାର୍ଥାନ୍ଧ ମଣିଷ ପାଗଳାମୀ ଆରମ୍ଭ କରେ । ଆମେ ସମସ୍ତେ ଯେହେତୁ ସ୍ୱାର୍ଥାନ୍ଧ ଅତଏବ ଆମେ ସମସ୍ତେ ପାଗଳ ।

 

ପେଟ ଚାଖଣ୍ଡକ ପାଇଁ ସବୁ ନାଟ । ହତ୍ୟା, ଲୁଣ୍ଠନ, ଚୋରି ସବୁରି ମୂଳରେ ସେଇ ପେଟ । ପେଟ ହିଁ ମଣିଷକୁ ପାଗଳ କରିଛି । ଏଇ ପେଟ ଚାଖଣ୍ଡକ ନ ଥିଲେ ମଣିଷ ଘରେ ଆରାମରେ ଶୁଅନ୍ତା । ଶାନ୍ତିରେ ରହନ୍ତା; କିନ୍ତୁ ପେଟ ମଣିଷକୁ ପିତୁଳା ଭଳି ନଚାଉଛି । ପେଟ ଯେମିତି ନଚାଉଛି ମଣିଷ ସେମିତି ନାଚୁଛି ।

ସେଇ ପେଟ ଲାଗି ମୁଁ ବି ଖଣ୍ଡେ ଚାକିରି କରିଛି । ମତେ କେତେ ଖାତିର ସମସ୍ତଙ୍କର । ଦିନକୁ ଶହ ଶହ ଦଣ୍ଡବତ ମିଳୁଛି । କିନ୍ତୁ ପୋଷେ ଚାଉଳ ମିଳିବାର ସମ୍ଭାବନା ନାହିଁ କାହାରି ପାଖରୁ । ସମସ୍ତ ସମ୍ଭାବନା ମଳିନ ପଡ଼ି ଯାଇଛି । ତଥାପି ଖାଦ୍ୟ ଆବଶ୍ୟକ । କାରଣ ମତେ ବଞ୍ଚିବାକୁ ହେବ । ବଞ୍ଚିବାକୁ ହେଲେ ସଂଗ୍ରାମ ଲୋଡ଼ା । ସରକାରୀ ଚାକିରିର ନିୟମ କାନୁନ୍ ମୋ ବେକରେ କାଳସର୍ପ ପରି ଗୁଡ଼େଇ ହୋଇ ରହିଛି, ମୁକୁଳିବାର ଉପାୟ ନାହିଁ । ମୋ ପଛରେ ଚାରି ଚାରିଟା ଛୁଆ ଏବଂ ରୋଗିଣା ସ୍ତ୍ରୀ ।

ଏ ସବୁ ସତ୍ତ୍ୱେ ମତେ ଦାମିକା ପେଣ୍ଟ ସାର୍ଟ ପିନ୍ଧିବାକୁ ହେଉଛି, ସିନେମା ଟିକେଟ୍‌ ବ୍ଲାକ୍‌ରେ କିଣିବାକୁ ହେଉଛି । ଶ୍ରୀମତୀଙ୍କ ପାଇଁ ଦୁଇଶହ ଟଙ୍କାର ଶାଢ଼ି ନ କିଣିଲେ ନ ଚଳେ । ଛୁଆଙ୍କୁ ମିଶନାରୀ ସ୍କୁଲରେ ପଢ଼େଇବାକୁ ବାଧ୍ୟ । କାରଣ ମୁଁ ଅଫିସର, କାରଣ ମୁଁ ବଡ଼ଲୋକ ଏବଂ କାରଣ ସମାଜ ସହିତ ମତେ ଚାଲିବାକୁ ପଡ଼ିବ । ତା’ ନହେଲେ ପଛରେ ପଡ଼ିଯିବି । ବନ୍ଧୁମାନେ ଥଟ୍ଟା କରିବେ । ମୋର ଆଭିଜାତ୍ୟ ଅଛି, ବଂଶ ପରମ୍ପରା ଅଛି ।

ମୋ ଜୀବନ ଗାଡ଼ି ଠିକ୍‌ ଚାଲିଥିଲା ଉତ୍‌ଥାନ ପତନକୁ ନ ଡରି ଗାଡ଼ି ଗଡ଼ି ଚାଲିଥିଲା-। କିନ୍ତୁ ହଠାତ୍ ଦିନେ ଅଟକି ଗଲା । ମୁଁ ହାରିଗଲି । ହାରିଗଲି ଠିକ୍‌ ନୁହେଁ, ତେବେ ମୁଁ ଜାଣି ଜାଣି ପରାଜୟ ସ୍ୱୀକାର କରି ନେଲି । ଉପାୟ ନଥିଲା । ସେ ଦିନଟି ମୋ ଜୀବନ ପୃଷ୍ଠାରେ ଅଲିଭା ସ୍ମୃତି ହୋଇ ରହିଥିବ ।

ସେଇଦିନ, ଯେଉଁଦିନ ମୁଁ ନିଜ ଗାଁ ମାଟିରେ ପାଦଦେଲି ଦୀର୍ଘ ସାତ ବର୍ଷର ବ୍ୟବଧାନ ପରେ ।

ଦୀର୍ଘ ସାତ ବର୍ଷ କାଳ ସହରର ଚାକଚକ୍ୟରେ ମାତି ନିଜକୁ ପୂରାପୂରି ସହରୀ କଲା ପରେ ବାପାଙ୍କ ଜରୁରୀ ଟେଲିଗ୍ରାମ ପାଇ ମତେ ବାଧ୍ୟ ହୋଇ ଗାଁକୁ ଯିବାକୁ ହେଲା । ଖବର ନେଇ ବୁଝିଲି ଅଳ୍ପ କେଇ ମାସ ହେଲା ଗାଁ ପାଖକୁ ସିଧା ସଳଖ ବସ୍‌ ଯାଉଛି । ଯାହାହେଉ ମୋର ଭାଗ୍ୟ । ରାତି ଆଠଟାରେ ବସ୍‌ରେ ବସି ଗାଁ ପାଖ ବସ୍‌ଷ୍ଟାଣ୍ଡରେ ଓହ୍ଲାଇଲି ତା’ ପର ଦିନ ଭୋର ସାତଟାରେ ।

ମୋର ଧାରଣା ଥିଲା ଏ ସାତ ବର୍ଷ ଭିତରେ ଆମ ଗାଁ ବହୁତ ବଦଳି ଯାଇଥିବ । ଇଲେକ୍‌ଟ୍ରିକ ଆସି ଯାଇଥିବ, ରାସ୍ତା ପକ୍‌କା ହୋଇ ଯାଇଥିବ, କୋଠାଘର ଅନେକ ହୋଇ ଯାଇଥିବ, ଅନେକ ଲୋକ ଶିକ୍ଷିତ ହୋଇ ବାହାରିଥିବେ । ଅନେକ ଅନେକ ପରିବର୍ତ୍ତନ ହୋଇ ଯାଇଥିବ ଆମ ଗାଁର ।

କିନ୍ତୁ ଗାଁ ବସ୍‌ଷ୍ଟାଣ୍ଡରେ ଓହ୍ଲାଇ ମୁଁ ପ୍ରଥମେ ଦେଖିଲି ମୋର ସମବୟସ୍କ ମୂର୍ଖ, ଅପରିଷ୍କାର ଟୋକାଗୁଡ଼ାଙ୍କୁ । ମୋ ଅଜାଣତରେ କେମିତି ଗୋଟାଏ ବିକୃତ ଘୃଣାଭାବ ଜୋର ଜବରଦସ୍ତ ମୋ ମନ ଭିତରେ ପଶିଗଲା । ମୋ ନାକ ଝାଳ ଗନ୍ଧକୁ ଆଦୌ ବରଦାସ୍ତ କରି ପାରିଲାନି । ମୋ ରୁମାଲ ନାକ ପାଖକୁ ଚାଲିଗଲା । ସୂର୍ଯ୍ୟାଲୋକର ପ୍ରଖରତା ନ ଥିଲେ ମଧ୍ୟ କଳା ଚଷମାଟା ବ୍ୟବହାର କରିବାକୁ ପଡ଼ିଲା । ମୁଁ ସେମାନଙ୍କ ସହିତ ନିଜକୁ ପରଖିଲି ଏବଂ ତୁଳନା କଲି । ମୁଁ ଯେ ସେମାନଙ୍କ ଠାରୁ ଯଥେଷ୍ଟ ଭଦ୍ର, ଶିକ୍ଷିତ, ସଭ୍ୟ ଏବଂ ପ୍ରଗତିଶୀଳ– ଏଇ ସିଦ୍ଧାନ୍ତରେ ଉପନୀତ ହେଲି ।

ମୋ ବାପାଙ୍କର ମଧ୍ୟ ଗାଁରେ ଯଥେଷ୍ଟ ସମ୍ମାନ ଓ ପ୍ରତିପତ୍ତି । କେବଳ ବିତ୍ତଶାଳୀ ବୋଲି ନୁହେଁ, ସେ ଜଣେ ବିଦ୍ୱାନ ମଧ୍ୟ । ତାଙ୍କ ଆଗରେ କଥା କହିବାକୁ ଅନେକେ ଡରନ୍ତି । ଗର୍ଭଣୀ ଗାଈ ମଧ୍ୟ ତାଙ୍କୁ ବାଟ ଛାଡ଼ିଦିଏ । ଏସବୁ କଥାକୁ ମନେ ମନେ ବିଶ୍ଳେଷଣ କରି ମୁଁ ସ୍ଥିର କଲି ଯେ ଏ ମଫସଲି ମଳିମୁଣ୍ଡିଆଙ୍କ ସହିତ ମିଶିବା ଉଚିତ ହେବ ନାହିଁ । ସେମାନଙ୍କୁ ଦେଖି ନ ଦେଖିଲା ପରି ଚାଲିଯିବାକୁ ମନ କହିଲା । କିନ୍ତୁ ସେମାନେ, ଯେଉଁମାନଙ୍କୁ ମୁଁ ଦୂରେଇ ଦେବାକୁ ଚାହୁଁଥିଲି ସେମାନେ ମୋର ଆହୁରି ନିକଟ, ନିକଟତର, ନିକଟତମ ହେବାକୁ ଚେଷ୍ଟା କଲେ ଏବଂ ମତେ କୁଶଳ ପୁଚ୍ଛା କଲେ । ସୌଜନ୍ୟ ଦୃଷ୍ଟିରୁ ବାଧ୍ୟ ହେଇ ଉତ୍ତର ଦେଲି (ସଂକ୍ଷେପରେ) ଏବଂ ବ୍ୟସ୍ତ ହୋଇ ଖସି ପଳେଇବାକୁ ଇଚ୍ଛା କଲି । କିନ୍ତୁ ମୋ ପାଖରେ ଯେ ଆଟାଚିଟାଏ । ନେବି କେମିତି ? ମୁଁ ନିଜେ ନେବି ? ନେଇ ପାରିବି ତ ? ହଁ, ନେଇ ପାରିବି ଯେ... କିନ୍ତୁ.....ଏତେବାଟ ବୋହି ନେବାକୁ ଖରାପ ଲାଗିବ, କିଏ କ’ଣ ଭାବିପାରେ । ଅଫିସର ହେଲିଣି, ଅଳ୍ପ ପଇସାକୁ ଡରି ନିଜେ ଆଟାଚିଟା ବୋହୁଛି ବୋଲି ମଧ୍ୟ କାହାର ଧାରଣା ହୋଇପାରେ ।

 

ଏଭଳି ଅନିଶ୍ଚିତ ଦ୍ୱନ୍ଦ୍ୱ ଭିତରେ ପଥହରା ହୋଇ ହତାଶାର ଦୀର୍ଘଶ୍ୱାସ ତ୍ୟାଗ କଲି । ଠିକ୍‌ ଏତିକିବେଳେ ମୋର ଭାଗ୍ୟକୁ ପିଲାଟିଏ ଜୁଟିଗଲା, ଦଶ ବାର ବର୍ଷର ଛୁଆଟା । ମୋର ଆଦେଶ ପାଇଁ କରୁଣ ଦୃଷ୍ଟିରେ ସେ ମୋ ଆଡ଼କୁ ଅନେଇ ରହିଲା । ମୁଁ ଆଟାଚିଟା ତା’ ହାତକୁ ବଢ଼ାଇ ଦେଲି ।

 

ପ୍ରାୟ ଦୁଇ ଫର୍ଲଙ୍ଗ ରାସ୍ତା ଚାଲିବାକୁ ହେବ । ପୁଣି ଏକ ଦୀର୍ଘଶ୍ୱାସ । ସହର ହେଇନି ଯେ ରିକ୍‌ସା କିମ୍ୱା ଅଟୋରିକ୍‌ସା ମିଳିବ । ମଫସଲରେ ପହଞ୍ଚିଲେ ପାଦ ହିଁ ଏକମାତ୍ର ଭରସା । ଧୂଳି ବାଲିରେ ମୋ ଜୋତା ଏବଂ ପ୍ୟାଣ୍ଟର ରଙ୍ଗ ବଦଳୁଥିଲା । ମୁଁ ମନେ ମନେ ମ୍ୟୁନିସପାଲିଟିବାଲାକୁ ବହେ ଗାଳି ଦେଲି । ଗାଳି ଦେଇ ସାରିବା ପରେ ମୋର ମନେ ପଡ଼ିଲା ଆମ ଗାଁରେ ମ୍ୟୁନିସପାଲିଟ୍‌ ନାହିଁ- ପଞ୍ଚାୟତ, ଯେଉଁ ପଞ୍ଚାୟତର ସରପଞ୍ଚ ଖୋଦ୍‌ ମୋ ବାପା । ସୁତରାଂ ପୁଣି ମନେ ମନେ ମୁଁ ମୋ ଗାଳି ଫେରେଇ ନେଲି ।

ଦେଖିଲି ଏଇ ସାତ ବର୍ଷ ଭିତରେ ଆମ ଗାଁରେ ବହୁ କୋଠା ମୁଣ୍ଡ ଟେକିଲାଣି । ଅନେକ ରେଡ଼ିଓ ଆସିଲାଣି । ସାଇକେଲ ଚଢ଼ି ଟୋକାଏ ନହର ନପର ହେଲେଣି ।

ପଛକୁ ଚାହିଁଲାବେଳକୁ ରୋଗୀଣା ପିଲାଟା ବହୁତ ପଛରେ ପଡ଼ି ଯାଇଛି । ଚାଲି ପାରୁନି, ଆହା ବିଚରା । ନାକରୁ ସିଙ୍ଗାଣି ବୋହି ଯାଉଛି । ତେଲ ଅଭାବରୁ ବାଳ ଗୁଡ଼ିକ ବିବର୍ଣ୍ଣ ହୋଇ ଯାଇଛି ଏବଂ ଇତଃସ୍ତତ ଉଡ଼ୁଛି । ଛାତିର ହାଡ଼ ଗଣି ହୋଇ ଯାଉଛି । ପେଟଟା ପିଠିରେ ଲାଗିଛି, ଦିନେ ଦି’ଦିନ ହେଲା କିଛି ଖାଇନି ବୋଧହୁଏ । ଦେହରେ ବଳ ନାହିଁ, ସେଥିରେ ପୁଣି ହାତରେ ଗୋଟାଏ ଆଟାଚି । ତା’ର ସରୁ ସରୁ ଲମ୍ୱା ହାତରେ ସଞ୍ଚିତ ସମସ୍ତ ଶକ୍ତି ଖଟାଇ ଜାବୁଡ଼ି ଧରିଛି ଆଟାଚିଟାକୁ ।

ପିଲାଟାର ଆସିବା ବାଟକୁ ଅଳ୍ପକ୍ଷଣ ଅପେକ୍ଷା କରି ପୁଣି ଆଗକୁ ପାଦ ବଢ଼ାଇଲି । ବାପା ବୋଉଙ୍କୁ ଦେଖିବାର ଉତ୍କଣ୍ଠା ମୋର ବଢ଼ି ଯାଇଥିଲା । ଆମ ଘର ଆଉ ଅଳ୍ପ ବାଟ । ଆଗ ମୋଡ଼ଟା ବୁଲିଗଲେ ଯେଉଁ ସବୁ ନାଳି ରାସ୍ତାଟା ପଡ଼ିବ ସେଠୁ ପାଞ୍ଚ ସାତଟି ଘର ପରେ ଆମ ଘର-। ଆଶ୍ୱସ୍ତ ହେଲି ।

 

ଆକାଶ ମେଘାଚ୍ଛନ୍ନ ଥିଲା, ଦେଖୁ ଦେଖୁ କୃପଣର ଦାନ ଭଳି ଟୋପେ ଟୋପେ ବର୍ଷା ପାଣି ଦେହରେ ପଡ଼ିଲା । ମୋ ପାଦର ଗତିକୁ ଆହୁରି ବଢ଼ାଇ ଦେଲା । ହଠାତ୍ ଆମ ଘରେ ପୋଲିସଙ୍କୁ ଆବିଷ୍କାର କରି ମୋ ଆଖି ଅଜଣା ଆତଙ୍କରେ ବିସ୍ଫାରିତ ହୋଇଗଲା । ଗଣିଆ, ରାଧୁ ପଧାନ, ମିଶ୍ର ଆପଣେ, ହଗୁରା ନନା ଏବଂ ସାହିର ଛୁଆମାନେ ମତେ ଦେଖି ପରସ୍ପର ଫୁସ୍‌ଫାସ୍‌ ହେଲେ । ମିଶ୍ର ଆପଣେ କିଛି ନ ଜାଣିଲାପରି ନିର୍ବିକାର ଭାବରେ ଖସି ପଳେଇଲେ । ଗଣିଆ ଏବଂ ହଗୁରା ନନାଙ୍କ ଅଙ୍ଗଭଙ୍ଗୀରୁ ଜଣାଯାଉଥିଲା ଆମ ଘରେ ପୋଲିସ ପଶିବାରୁ ସେମାନେ ଭାରି ଖୁସି, ମନେ ମନେ କୁରୁଳି ଉଠୁଥିଲେ ସେମାନେ-

 

ପଚାରି ବୁଝିଲି, ପଞ୍ଚାୟତ ପୋଖରୀରୁ ମାଛଧରା ଟଙ୍କା ଆତ୍ମସାତ୍‌ କରିଥିବା ଅପରାଧରେ ବାପାଙ୍କୁ ହାତକଡ଼ି ପିନ୍ଧାଇବା ପାଇଁ ପୋଲିସଙ୍କର ଆବିର୍ଭାବ । ପୋଲିସ୍‌ ଆସିବା ପଛରେ ଦାଦାଙ୍କର ପ୍ରଚ୍ଛନ୍ନ ହାତ ଅଛି ।

 

ମୋର ବଡ଼ଲୋକୀ ଅହଙ୍କାର, ଆଭିଜାତ୍ୟର ବିଶାଳ ଅଟ୍ଟାଳିକା ପାଣି ଫୋଟକା ପରି ମୁହୂର୍ତ୍ତକ ଭିତରେ କୁଆଡ଼େ ମିଳେଇଗଲା । ମୋର ମନେହେଲା ମୋ ପାଦ ତଳର ମାଟି ଧସି ଯାଉଛି......ମୁଁ ରସାତଳଗାମୀ ହେଉଛି......ମୋର ଜ୍ଞାନ କ୍ରମଶଃ ଲୋପ ପାଇ ଯାଉଛି ଏବଂ ମୁଁ ଜଡ଼ ପାଲଟି ଯାଉଛି ।

 

(ଝଙ୍କାର)

Image

 

ସୂର୍ଯ୍ୟୋଦୟ

 

ପେନ୍‌ସିଲ୍‌ ଭାନିଆ ଛାଡ଼ି ନିଉୟର୍କରେ ପାଦ ଦେଲା ପରଠାରୁ ହେୟାର୍‌ଷ୍ଟୋନ୍‌ଙ୍କ ଚାଲିଚଳନ ଓ କଥାଭାଷାରେ କ୍ରମଶଃ କେମିତି ଏକ ଅସ୍ୱାଭାବିକ ପରିବର୍ତ୍ତନ ହୋଇଗଲା । ଯେଉଁ ହେୟାର୍‌ଷ୍ଟୋନ୍‌ କଲେଜ ଜୀବନରୁ ପ୍ରଗତିଶୀଳ ମାର୍କସ୍‌ବାଦ୍‌ ଓ ସାମ୍ୟବାଦର ପୃଷ୍ଠଭୂମି ଉପରେ ଦୃଢ଼ ଭାବରେ ଠିଆ ହୋଇ ଦେଶର ନେତୃତ୍ୱର ବୈପ୍ଳବିକ ପରିବର୍ତ୍ତନ ଲାଗି ସହକର୍ମୀମାନଙ୍କ ନିକଟରେ ଦରକାର ପଡ଼ିଲେ ଜୀବନ ପର୍ଯ୍ୟନ୍ତ ଦେବାକୁ ପ୍ରତିଜ୍ଞାବଦ୍ଧ ହୋଇଥିଲେ, ସାମାନ୍ୟ ଅଧ୍ୟାପକ ଚାକିରିଟିଏ ପାଇ ସେ ଯେ ଏତେ ଶୀଘ୍ର ନରମପନ୍ଥୀ ହୋଇଯିବେ ଏ କଥା କେହି କଳ୍ପନା ସୁଦ୍ଧା କରି ନ ଥିଲା । ହେୟାର୍‌ଷ୍ଟୋନ୍ କଲେଜର ଉଗ୍ରପନ୍ଥୀ ଛାତ୍ର ଛାତ୍ରୀଙ୍କୁ ଏକାଠି କରି ଏକ ୟୁନିଅନ୍‌ ଗଢ଼ିଥିଲେ ଏବଂ ସର୍ବସମ୍ମତିକ୍ରମେ ସେ ତା’ର ସମ୍ପାଦକ ହୋଇଥିଲେ । ହେୟାର୍‌ଷ୍ଟୋନ୍‌ ଅସଂଖ୍ୟ ବିକ୍ଷୋଭ, ଆନ୍ଦୋଳନ, ଅନଶନ, ଧର୍ମଘଟ, ଘେରାଉ ପରି ଅମୋଘ ଅସ୍ତ୍ର ପ୍ରୟୋଗ କରି ଦାବି ହାସଲ କରିବା ଦିଗରେ ସଫଳ ହୋଇଥିଲେ । ତାଙ୍କୁ ଦେଖିଲେ ସେତେବେଳେ କ୍ଷମତାସୀନ ନେତାଏ ବିପଦ ଗଣୁଥିଲେ । ହେୟାର୍‌ଷ୍ଟୋନ୍‌ଙ୍କ ଅକାଟ୍ୟ ଯୁକ୍ତିର ସମ୍ମୁଖୀନ ହେବା ପାଇଁ ଦୁଃସାହସ ନ ଥିଲା ସେମାନଙ୍କର । ଅଧ୍ୟାପକ ହେୟାର୍‌ଷ୍ଟୋନ୍‌ଙ୍କୁ ଦେଖି ତାଙ୍କର ବନ୍ଧୁ ତଥା ସହକର୍ମୀ ଏବଂ ସହପାଠୀ ମାନେ ବିସ୍ମିତ ହେଲେ । ଛାତ୍ର ନେତା ହେୟାର୍‌ଷ୍ଟୋନ୍‌ ଏବଂ ଅଧ୍ୟାପକ ହେୟାର୍‌ଷ୍ଟୋନ୍‌ଙ୍କ ମଧ୍ୟରେ ଅସମ୍ଭବ ସାମଞ୍ଜସ୍ୟ ।

 

ଜନ୍‌କିଙ୍ଗ୍ ହସିଲେ, ହସଟା ସେମିତି କିଛି ଅର୍ଥପୂର୍ଣ୍ଣ ନ ଥିଲା ।

 

ହେୟାର୍‌ଷ୍ଟୋନ୍ ଯଦିଓ ଜନ୍‌କିଙ୍ଗ୍‌ଙ୍କର ସହପାଠୀ ଥିଲେ, ତାଙ୍କର ହସର ମର୍ମ ବୁଝି ନ ପାରି ହଠାତ୍ ଉତ୍ତେଜିତ ହୋଇ ଚିତ୍କାର କରି ଉଠିଲେ, Non sense, Get out, Get out from my house.

 

ବ୍ୟାଘ୍ରର ଆଖି ପରି ତାଙ୍କର ଡୋଳା ଯୋଡ଼ିକ ଅସମ୍ଭବ ରକମର ବଡ଼ ବଡ଼ ଏବଂ ହିଂସ୍ର ହୋଇ ଉଠିଲା । ହଳଦିଆ ମୁହଁଟା ରାଗ, ଘୃଣା ଏବଂ ଉତ୍ତେଜନାରେ ରକ୍ତାଭ ହୋଇ ଉଠିଲା । ଜନ୍‌କିଙ୍ଗ୍‌ ନିଜର ମୋଟା ଲେନ୍‌ସର ଚଷମାଟା ପୋଛୁଥିଲେ, ଚଷମାଟା ଆଖିରେ ଦେଇ ହେୟାରଷ୍ଟୋନ୍‌ଙ୍କ ଆଡ଼କୁ ବିସ୍ମୟାଭିଭୂତ ଦୃଷ୍ଟିରେ ଅନେଇଲେ କିଛିକ୍ଷଣ । ଆଉ ପରିସ୍ଥିତିକୁ ଯୁକ୍ତି କିମ୍ୱା ପରିହାସରେ ହାଲୁକା କରିବା ପାଇଁ ସାହସ କରି ନ ପାରି ସେ ନୀରବରେ କୋଠରୀରୁ ନିଷ୍କ୍ରାନ୍ତ ହେଲେ ।

 

ହେୟାରଷ୍ଟୋନ୍‌ ଜନ୍‌କିଙ୍ଗ୍‌ଙ୍କର ପରାଜୟକୁ ଉପଭୋଗ କରିବା ପାଇଁ ଚୌକି ଛାଡ଼ି ଝରକା ବାଟେ ବାହାର ପିଚୁରାସ୍ତା ଉପରେ ଦୃଷ୍ଟି ନିକ୍ଷେପ କଲେ । ଉଭୟଙ୍କର ଘରର ବ୍ୟବଧାନ ଖୁବ୍‌ କମ୍‌ । ଦୁଇ ଘର ମଝିରେ କେବଳ ଗୋଟାଏ ଅପ୍ରଶସ୍ତ ରାସ୍ତା । ଜନ୍‌କିଙ୍ଗ୍ ଏକ ନିଶ୍ଚିତ ବିପଦରୁ ରକ୍ଷା ପାଇ କେତୋଟି ଗାଡ଼ିର ଗତିରୋଧ କରି ଏକା ନିଶ୍ୱାସରେ ରାସ୍ତାଟା ପାରି ହେଇ ନିଜ ଘରକୁ ଚାଲି ଯାଉଥିଲେ, ହଠାତ୍‌ ତାଙ୍କର ପାଦ ଅଟକିଗଲା । ତାଙ୍କ ଝିଅ ମେରୀ ହେୟାରଷ୍ଟୋନ୍‌ଙ୍କ ପୁଅ ଡ୍ୟୁକ୍ ସହିତ ଲୁଚକାଳି ଖେଳୁଥିଲା । ମେରୀକୁ ଆଉ ଭବିଷ୍ୟତରେ ଡ୍ୟୁକ୍‌ ସହିତ ନ ଖେଳିବାପାଇଁ ତାଗିଦା କରି ତା’ର ନରମ ଛୋଟ ହାତଟାକୁ ଖୁବ୍‌ଜୋର୍‌ରେ ଟାଣି ଟାଣି ଘରକୁ ନେଇଗଲେ । ପାଞ୍ଚ ବର୍ଷର ଛୋଟ ସରଳ ଝିଅଟା ଡାଡ଼ିଙ୍କର ଭୟଙ୍କର ଆଖିଯୋଡ଼ିକୁ କେମିତି ଏକ ଅସହାୟ ଦୃଷ୍ଟିରେ ଅନେଇଥିଲା । ଡ୍ୟୁକ୍‌ ପାଇଁ ସବୁ ଅବୋଧ୍ୟ ହୋଇ ରହିଲା । ଅଣ୍ଟାର ହୁଗୁଳା ବେଲ୍‌ଟ୍‌ ଭିତରେ ଦି’ ହାତର ଦୁଇ ବୁଢ଼ା ଆଙ୍ଗୁଳି ପୂରେଇ ଡ୍ୟୁକ୍‌ ତା’ର ଚପଳ ବୁଦ୍ଧିରେ ଏ ଘଟଣାର କାରଣ ଜାଣିବାକୁ ଚେଷ୍ଟା କଲା । କିଛିକ୍ଷଣ ପରେ କ’ଣ ଭାବି ଘରକୁ ଦୌଡ଼ି ଆସିଲା ଏବଂ ଡାଡ଼ିଙ୍କ ଉପରେ ସବାର ହୋଇ ଘଟଣାଟିର ପୁନରାବୃତ୍ତି କଲା ।

 

ଡ୍ୟୁକ୍‌କୁ ତା’ର ବକ୍ତବ୍ୟ ଶେଷ କରିବାକୁ ନ ଦେଇ ହେୟାରଷ୍ଟୋନ୍‌ ସଂକ୍ଷିପ୍ତରେ ଯାହା କହିଲେ ତା’ର ଓଡ଼ିଆ ତର୍ଜମା କଲେ ଏୟା ହେବ ଯେ, ରୀନାର ଡାଡ଼ି ଅଭଦ୍ର, ଛୋଟଲୋକ, ସୌଜନ୍ୟ କ’ଣ ଜାଣନ୍ତିନି । ତୁ ଆଉ ସେମାନଙ୍କୁ କଥା କହିବୁନି । ମେରୀ ସହିତ ଖେଳିବୁନି । ବୁଝିଲୁ ?

 

ଡ୍ୟୁକ୍‌ ସବୁ ବୁଝିଲା ଭଙ୍ଗୀରେ ମୁଣ୍ଡ ହଲେଇ ହଁ ଭରିଲା ।

 

X X X

 

ପ୍ରତ୍ୟେକ ଦିନ ପରି ପରବର୍ତ୍ତୀ ଦିନ ସୂର୍ଯ୍ୟୋଦୟର ପରେ ପରେ ଡ୍ୟୁକ୍‌ ଏବଂ ମେରୀର ସାକ୍ଷାତ ହେଲା । ହଠାତ୍‌ ଡ୍ୟୁକ୍‌କୁ ଦେଖି ସବୁଦିନ ପରି ସୁପ୍ରଭାତର ଶୁଭେଚ୍ଛା ‘ହାଲୋ’ ଶବ୍ଦଟା ମେରୀ କଣ୍ଠରୁ ତା’ର ଅଜାଣତରେ ଉଚ୍ଚାରିତ ହୋଇଗଲା । ଅପ୍ରତିଭ ହୋଇ ଜିଭ କାମୁଡ଼ି ମେରୀ ଜଣେଇ ଦେଲା ଯେ ତା ଡାଡ଼ିଙ୍କ ସହିତ ଡ୍ୟୁକ୍‌ର ଡାଡ଼ିଙ୍କର ଝଗଡ଼ା ହୋଇଛି । ତେଣୁ ସେ ଆଉ ଡ୍ୟୁକ୍‌କୁ କଥା କହିବନି, ତା’ ସହିତ ଆଉ ଖେଳିବନି କିମ୍ୱା ତାଙ୍କ ଘରକୁ ଯିବନି ।

 

ଡ୍ୟୁକ୍‌ ଧୀର ଗଳାରେ ମେରୀକୁ ତା’ ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ ପରାମର୍ଶ ଦେବାକୁ ଯାଉଥିଲା, ହଠାତ୍‌ ଡାଡ଼ିଙ୍କ ଆଦେଶ ତା’ର ମନେ ପଡ଼ିଗଲା । ମେରୀ ପାଖରୁ ଦୃଷ୍ଟି ଫେରାଇଆଣି ଚାରିଆଡ଼କୁ ଥରେ ସତର୍କ ଦୃଷ୍ଟି ଘୂରାଇ କାହାକୁ ନ ଦେଖି ମଧ୍ୟ କାହିଁକି କେଜାଣି ‘ଡାଡି’ଙ୍କୁ ଡାକି ଡାକି ଘରକୁ ଚାଲିଗଲା ।

 

ପ୍ରତ୍ୟୁତ୍ତର ଦେବା ଛଳରେ ମେରୀ ମଧ୍ୟ ‘ଡାଡ଼ି ଡାଡ଼ି’ ବୋଲି ଘର ଭିତରକୁ ଫେରିଗଲା-

 

ଏକମାତ୍ର ସନ୍ତାନ ବୋଲି ପରିବାରର ସମସ୍ତ ସ୍ନେହ ମମତା ଡ୍ୟୁକ୍ ପାଇଁ ଗଚ୍ଛିତ ରହିଛି-। ପୁଅର ଯେମିତି କୌଣସି ଅଭାବ ଅସୁବିଧା ନ ହୁଏ, ସେଥିପାଇଁ ପିତା ମାତାଙ୍କର ସତର୍କ ଦୃଷ୍ଟି ରହିଛି । କିନ୍ତୁ ହଠାତ୍‌ ସେଦିନ ପ୍ରଥମ ବ୍ୟତିକ୍ରମ ଦେଖାଦେଲା । ସାଇକେଲଟିଏ ପାଇଁ ଡ୍ୟୁକ୍‌ ସେଦିନ ଯେତେ ଜିଦ୍‌ କଲା ତଥାପି ତା’ ଡାଡ଼ି ସ୍ପଷ୍ଟ ମନା କରିଦେଲେ । ଡ୍ୟୁକ୍‌ କି ସହଜେ ପରାଜିତ ହୁଏ ? ଖୁବ୍‌ ଉଚ୍ଚମନା ପିଲାଟା । ହାକିମ କାଇଦାରେ ଓଲଟି ଯୁକ୍ତି କଲା, ତୁମେ ମଟର ଗାଡ଼ିରେ ବୁଲୁଛ, ମୋ ପାଇଁ ଛୋଟ ସାଇକେଲଟିଏ ଆଣି ଦବନି କାହିଁକି ଯେ ? ଦେଖିବ ଡାଡ଼ି, ମୋ ପାଇଁ ସାଇକେଲଟିଏ ଆଣିଦେଲେ ମୁଁ ଆଉ ମୋଟେ ଦୁଷ୍ଟାମି କରିବିନି । ତମର ସବୁ ବୋଲ କରିଦେବି । ଭଲ ପିଲା ହୋଇଯିବି । ବୁଝିଲ ଏଥର ? ତମେ ତ କିଛି ବୁଝିବାକୁ ଚେଷ୍ଟା କରିବନି, ଆଉ ବୁଝିବ କଅଣ ?

 

ହେୟାରଷ୍ଟୋନ୍‌ ପୁଅକୁ ବୁଝେଇବାକୁ ଚେଷ୍ଟା କଲେ । ଡ୍ୟୁକ୍‌ ଏଥର କୌଣସି ପ୍ରକାର ମନ୍ତବ୍ୟ ନ ଦେଇ ଆଖି ଛଳ ଛଳ କରି ଅଭିମାନ ଆରମ୍ଭ କରିଦେଲା । ପରିସ୍ଥିତିକୁ ହାଲୁକା କରିଦେବା ପାଇଁ ହେୟାରଷ୍ଟୋନ୍‌ ହସି ଦେଇ ପୁଅକୁ କୋଳକୁ ନେଲେ । ନିକଟସ୍ଥ ଏକ ଆଲ୍‌ମିରାରୁ ଦି’ଟା ବିସ୍କୁଟ ବାହାର କରି ଡ୍ୟୁକ୍‌ର ପାଟିରେ ଭର୍ତ୍ତି କରିଦେଲେ । ଡ୍ୟୁକ ବିସ୍କୁଟ ଖାଉ ଖାଉ ଭୁଲ୍‌ରେ ବାପାଙ୍କ ମଧ୍ୟମା ଅଙ୍ଗୁଳିଟିକୁ କାମୁଡ଼ି ଦେଲା । ହେୟାରଷ୍ଟୋନ୍ ଆହା...ଆହା କହି ହାତ ଛିଞ୍ଚାଡ଼ି ଆଣିଲେ । ଡ୍ୟୁକ୍ ଦୋଷୀଟିଏ ପରି ଆଶ୍ଚର୍ଯ୍ୟ ଏବଂ ଭୟରେ ଡାଡ଼ିଙ୍କ ଆଡ଼କୁ କିଛି ସମୟ ଅନେଇଲା ପରେ ହଠାତ୍‌ ଭୋ କରି କାନ୍ଦି ଉଠିଲା । ହେୟାରଷ୍ଟୋନ୍‌ ଅଧାରୁ ଅଟକି ଯାଇଥିବା ଉଚ୍ଛ୍ୱସିତ ହସଟାର ଖିଅ ପୁଣି ଧରିଲେ । ଡ୍ୟୁକ୍‌ର କାନ୍ଦ ଯେତିକି ଗତିରେ କମି କମି ଆସିଲା ହେୟାରଷ୍ଟୋନ୍‌ଙ୍କ ହସର ଗତି ସେତିକି ସେତିକି ବଢ଼ି ଚାଲିଲା । ଡ୍ୟୁକ୍ ଦୁର୍ଭେଦ୍ୟ ସନ୍ଦେହରେ ଛନ୍ଦି ହୋଇଗଲା ପରେ ହସ ବନ୍ଦ ହୋଇଗଲା । ହେୟାରଷ୍ଟୋନ୍‌ ପୁଅର ପିଠି ଥାପୁଡ଼େଇ ବୁଝେଇ ଦେଲେ, ମୋର କିଛି ହୋଇନି । ମଜା କରିବାକୁ ତତେ ଡରେଇ ଦେଲି । ହଉ, ତୁନି ହେଇଯା । ଆଜି ତୋ ପାଇଁ ନିଶ୍ଚୟ ସାଇକେଲ୍ ଆସିବ ।

 

ଡ୍ୟୁକ୍‌ର କାନ୍ଦରେ ପୂର୍ଣ୍ଣଚ୍ଛେଦ ପଡ଼ିଲା ସିନା ହସିବା ପାଇଁ ଖୋରାକ ସଂଗୃହୀତ ହୋଇ ପାରିଲା ନାହିଁ । ଡ୍ୟୁକ୍‌ର ମୁହଁଟା ହସ କାନ୍ଦର ମଧ୍ୟବର୍ତ୍ତୀ ଅବସ୍ଥାରେ ସ୍ଥିର ହୋଇଗଲା । କ୍ରମଶଃ ତା’ର ବାହାଡ଼ା ଦାନ୍ତଟା ଦେଖାଗଲା । ମନେ ହେଉଥିଲା, ସେ ଯେମିତି ହସିବ ହସିବ ହୋଇ ହସୁନି କିମ୍ୱା ହସି ପାରୁନି ।

 

ବାସ୍ତବିକ୍‌ କାନ୍ଦିବା ଶିଶୁକୁ ହସେଇବାରେ ବାହାଦୁରି ଅଛି । କନ୍ଦେଇବା ଖୁବ୍‌ ସହଜ କିନ୍ତୁ ହସେଇବା ସମୟ ସାପେକ୍ଷ ।

 

ସେଇଦିନ ରାତିରେ ଘରକୁ ନୂଆ ଅତିଥି ହୋଇ ଆସିଲା ଗୋଟାଏ ତିନି ଚକିଆ ସାଇକେଲ । ସାଇକେଲ ଆସିଲାବେଳେ ଡ୍ୟୁକ୍‌ ଗଭୀର ନିଦ୍ରାରେ ସରୁ ଘୁଂଘୁଂଡ଼ି ମାରୁଥିଲା । ରାତିରେ ଦେଖିଥିଲେ ହୁଏତ ତା’ର ସ୍ୱାଭାବିକ ନିଦ୍ରା ହୋଇ ନ ଥାନ୍ତା ।

 

ରାତି ପାହିଛି କି ନାହିଁ ଡ୍ୟୁକ୍‌ର ନିଦ ଭାଙ୍ଗିଗଲା । କୋଠରୀ ଭିତରୁ ଅନ୍ଧାର ବିଦାୟ ନେଉଥିଲା । ଡ୍ୟୁକ୍‌ ରେଜେଇ ଉପରେ ବିରକ୍ତ ହୋଇ ନିଜ ଦେହ ଉପରୁ ସେଇଟିକୁ ଦୂରକୁ ଫୋପାଡ଼ି ଦେବାକୁ ସ୍ଥିର କଲା । କିନ୍ତୁ ରେଜେଇଟା ତା’ର ଶକ୍ତିକୁ ଉପହାସ କରି ତା’ର ଦି’ପାଦରେ ଅଜାଡ଼ି ହୋଇ ପଡ଼ିଲା । ଡ୍ୟୁକ୍ ଉଠି ବସି ରେଜେଇଟା ଉପରେ ଦାନ୍ତ କାମୁଡ଼ି ଦି’ଚାରିଟା ବିଧା ଲଦିଦେଲା । ତା’ପରେ ବିଜୟୋଲ୍ଳାସରେ ପଲଙ୍କ ଉପରୁ ଫକ୍‌କିନା ତଳକୁ ଡେଇଁ ପଡ଼ିଲା । ପାର୍ଶ୍ୱ କୋଠରୀଟିକୁ ଡ୍ୟୁକ୍‌ର ମାମି ଧୋଇ ସଫା କରୁଥିଲେ । ଶବ୍ଦଟା ଶୁଣି ସେ ଏକ ନିଶ୍ଚିତ ବିପଦର ଆଶଙ୍କା କରି ଭୀତତ୍ରସ୍ତା ହରିଣୀଟିଏ ପରି ଶୋଇବା ଘରକୁ ଦୌଡ଼ି ଆସିଲେ । ଡ୍ୟୁକ୍‌କୁ ଦେଖି ବ୍ୟସ୍ତ ହୋଇ ପ୍ରଶ୍ନ କଲେ, କିରେ କ’ଣ ହେଲା ?

 

କାଲି ରାତିରେ କ’ଣ ଡାଡ଼ି ମୋ ପାଇଁ ସାଇକେଲ ଆଣି ନାହାନ୍ତି ? ଡ୍ୟୁକ୍‌ ପଚାରିଲା ।

 

ସାଇକେଲ୍‌ ନା ରକେଟ୍‌ ? ଡ୍ୟୁକ୍‌ର ସମସ୍ତ ଆକାଂକ୍ଷାକୁ ଥଟ୍ଟାରେ ଉଡ଼ାଇ ଦେଲେ ତା’ର ମାମି ।

 

କିନ୍ତୁ ଡ୍ୟୁକ୍‌ ମୋଟେ ବିଚଳିତ ନ ହୋଇ ଉତ୍ତର ଦେଲା, ଦେଖିବୁ ମାମି, ରକେଟ୍‌ ଆଣିଦେଲେ ମୁଁ ମଙ୍ଗଳ ଗ୍ରହକୁ ଚାଲିଯିବି । ଆର୍ମଷ୍ଟ୍ରଙ୍ଗ୍‌ ସିନା ଚନ୍ଦ୍ର ପୃଷ୍ଠରେ ସର୍ବପ୍ରଥମେ ପହଞ୍ଚିଲେ, ମୁଁ କିନ୍ତୁ ମଙ୍ଗଳ ଆଉ ଶୁକ୍ର ଗ୍ରହରେ ସର୍ବପ୍ରଥମେ ପାଦ ଦେବି ।

 

ଶୟନ କକ୍ଷରୁ କର୍କଶ କଣ୍ଠରେ ଚିତ୍କାର କଲେ ହେୟାରଷ୍ଟୋନ୍‌; ମଙ୍ଗଳ କି ଶୁକ୍ର ଯୁଆଡ଼େ ଇଚ୍ଛା ଯା’ ପଛକେ ସକାଳୁ ସକାଳୁ ମତେ ବିରକ୍ତ କରନା । ବୈଠକ ଘରେ ତୋ ସାଇକେଲ୍‌ ଅଛି । ଯା ଯୁଆଡ଼େ ଯିବୁ ।

 

ଡାଡ଼ିଙ୍କ ବିରକ୍ତିପୂର୍ଣ୍ଣ ଉତ୍ତରଟିକୁ ନୀରବରେ ଶୁଣିସାରି ମନ୍ଥର ଗତିରେ ଯାଇ ବୈଠକ ଘରେ ପାଦ ଦେଲା ଡ୍ୟୁକ୍‌ । ସାଇକେଲଟିକୁ ଦେଖି ଖୁବ୍‌ ଖୁସି ହୋଇଗଲା ସେ । ତିନୋଟି ଚକ, ସାମନାରେ ଗୋଟିଏ ଏବଂ ପଛରେ ଦୁଇଟି । ରଙ୍ଗଟା ମନ୍ଦ ନୁହେଁ, ଈଷତ୍‌ ନୀଳ । ସାମନାରେ ଜଣେ ବସି ଚଳେଇବା ପାଇଁ ଏବଂ ପଛରେ ବସି ଜଣେ ଆରାମ କରିବା ପାଇଁ ବେଶ୍‌ ଜାଗା ଅଛି ।

 

ମେରୀକୁ ପଛରେ ବସେଇଲେ କେମିତି ହୁଅନ୍ତା, ଡ୍ୟୁକ୍‌ ଭାବିଲା ।

 

ନା-ନା, ମେରୀ ବରଂ ସାଇକେଲ୍‌ ଚଳାଉ, ମୁଁ ପଛରେ ମଜାରେ ବସିବି, ନିଜର ଭୁଲ୍ ନିଜେ ସଂଶୋଧନ କରିନେଲା ଡ୍ୟୁକ୍ ।

 

ସାଇକେଲଟିକୁ ପୁଣି ଥରେ ଏପଟ ସେପଟ କରି ଭଲ ଭାବରେ ଦେଖି ପରୀକ୍ଷା କରିନେଲା । ତା’ପରେ ସାଇକେଲ୍‌ଟିକୁ ବୈଠକଖାନାରୁ ଘୋଷାଡ଼ି ଘୋଷାଡ଼ି ବାହାରକୁ ଆଣିଲା । ସାଇକେଲ୍‌ଟି ଦେଖି ସେ ଏତେ ଖୁସି ହେଲା ଯେ ନିଜ କଥା ପୂରାପୂରି ଭୁଲିଗଲା । ନିଦରୁ ଉଠି ଦାନ୍ତ ଘଷି ହାତ ମୁହଁ ଧୋଇବା କଥା, ଅଥଚ ସେଦିନ ଡ୍ୟୁକ୍ ସେଥିପ୍ରତି ମୋଟେ ସଚେତନ ନ ଥିଲା ।

 

ମେରୀକୁ ସାଇକେଲ ଦେଖାଇ ଅଧିକ ଆନନ୍ଦ ଉପଭୋଗ କରିବା ପାଇଁ ଘଣ୍ଟି ବଜାଇ ମଝିରେ ମଝିରେ ହୋ ହଲ୍ଲା କଲା ଡ୍ୟୁକ୍ । ସେ ପୁଣି ସ୍ଥିର କରିନେଲା ଯେ ମେରୀକୁ ମୋଟେ କଥା କହିବନି ଏବଂ ସାଇକେଲରେ ବସେଇବନି ।

 

ମେରୀ ଘରୁ ଆସି ଦାଣ୍ଡ ଦୁଆରେ ଠିଆହେଲା । ଡ୍ୟୁକ୍‌ ମେରୀକୁ ଦେଖି ନ ଦେଖିଲା ପରି ଅଭିନୟ କରି ମୁହଁ ବୁଲାଇ ନେଲା । ମେରୀର ମୁହଁଟା ଅଭିମାନରେ ଫିକା ପଡ଼ିଯାଇ ଗମ୍ଭୀର ହୋଇଗଲା । ମୁହଁ ଉପରେ ପଡ଼ିଥିବା ତା’ର ବାବୁରି ବାଳକୁ ବାଁ ହାତରେ ଅନ୍ୟମନସ୍କ ଭାବରେ ଆଡ଼େଇ ଦେଇ ଜୋତା ମଚ୍‌ ମଚ୍ କରି ଘର ଭିତରକୁ ଫେରିଗଲା । ଅଳ୍ପ ସମୟ ପରେ ବିସ୍କୁଟ୍‌ ପୁଡ଼ିଆଟିଏ ଧରି ଆସି ବାରଣ୍ଡାରେ ଠିଆହେଲା ଏବଂ ପୁଡ଼ିଆ ଖୋଲି ବିସ୍କୁଟ୍ ଚୋବେଇବାକୁ ଲାଗିଲା ।

 

ବିସ୍କୁଟ୍‌ ଦେଖି ଡ୍ୟୁକ୍‌ ପାଖକୁ କ୍ଷୁଧା ନାମକ ରୋଗଟା ସଂକ୍ରମିତ ହୋଇଗଲା । ତା’ ପାଟିରୁ ଲାଳ ଗଡ଼ିବାକୁ ଆରମ୍ଭ କଲା । ସାଇକେଲ୍‌ଟିକୁ ସ୍ଥିର କରି ରଖି ଡ୍ୟୁକ୍‌ ମେରୀ ଆଡ଼କୁ ଅନେଇଲା । ମେରୀ ଆହୁରି ଶୀଘ୍ର ଶୀଘ୍ର ବିସ୍କୁଟ ପାଟିରେ ଭର୍ତ୍ତିକଲା । ଏଥର ଡ୍ୟୁକ୍ ଅପେକ୍ଷା କରିବାର ସମସ୍ତ ଧୈର୍ଯ୍ୟ ହରେଇ ବସିଲା । ମୁଣ୍ଡ ହଲେଇ ହାତ ଠାରି ମେରୀକୁ ଡାକିଲା । ମେରୀ ମଧ୍ୟ ବାକ୍ୟାଳାପ ନ କରି ହାତ ହଲେଇ ମନାକଲା ।

 

ଡ୍ୟୁକ୍‌ କ’ଣ କହିବ କ’ଣ ନ କହିବ ସ୍ଥିର କରି ନ ପାରି ଅତ ମତ ହେଲା । ତା’ର ମନେହେଲା ସତେ ଯେମିତି ତା’ ଜୀବନର ସବୁଠାରୁ ଏକ ବଡ଼ ପରୀକ୍ଷାର ସମ୍ମୁଖୀନ ।

 

ଡାଡ଼ି ଦେଖୁ ନାହାନ୍ତି ବୋଲି ଜାଣି ଆଶ୍ୱସ୍ତ ହୋଇ ଡ୍ୟୁକ୍‌ ମେରୀ ପାଖକୁ ଦୌଡ଼ିଗଲା । ମେରୀ ନିର୍ବିକାର ଭାବରେ ବିସ୍କୁଟ୍‌ ଖାଉଥିଲା । ମେରୀଠାରୁ ଅନତି ଦୂରରେ ରାସ୍ତା ଉପରେ ଠିଆ ହୋଇ ମେରୀକୁ ବୁଝେଇବାକୁ ଚେଷ୍ଟାକଲା; ମେରୀ, ମୋର ଦୋଷ କ’ଣ କହିଲୁ ? ଡାଡ଼ି ମତେ ମନାକଲେ ବୋଲି ସିନା......, ହଉ ଆ । ଆମେ ସାଇକେଲ୍‌ରେ ବୁଲିବା ।

 

ମେରୀ ଫିକ୍‌ କିନା ହସିଦେଇ ଫକ୍‌କିନା ବାରଣ୍ଡା ଉପରୁ ତଳକୁ ଡେଇଁ ପଡ଼ିଲା । ଡ୍ୟୁକ୍‌ର ହାତ ଧରି ସାଇକେଲ୍‌ ଆଡ଼କୁ ଦୌଡ଼ିଗଲା । ସାଇକେଲ୍‌ ପଛରେ ବସିଯାଇ ସାଇକେଲ୍‌ ଚଳେଇବା ପାଇଁ ମୁରବି ପରି ଡ୍ୟୁକ୍‌କୁ ଆଦେଶ ଦେଲା । ଡ୍ୟୁକ୍‌ ମେରୀର ମୁହଁକୁ ହାତକୁ ବଲବଲ ଅନେଇ କ’ଣ କହିବ କହିବ ହୋଇ କହିପାରୁ ନଥିଲା । କଥାଟା ତା’ର କଣ୍ଠାଗ୍ରପର୍ଯ୍ୟନ୍ତ ଆସି ପୁଣି ଫେରି ଯାଉଥିଲା । ମେରୀ ସାଇକେଲ୍‌ରେ ବସି ବୁଲିବାର ଏକ ନୂତନ ଅନୁଭୂତି ସଂଗ୍ରହ ପାଇଁ ଅଧୀର ହୋଇ ଉଠୁଥିଲା । ଡ୍ୟୁକ୍‌ ସାଇକେଲରେ ନବସି କେମିତି ଏକ ଉଦାସିଆ ଆଖିରେ ଅନେଇ ଥିବାର ଦେଖି ସାଇକେଲ୍‌ ଚଳେଇବା ପାଇଁ ମେରୀ ଡ୍ୟୁକ୍‌କୁ ମନେ ପକାଇ ଦେଲା ।

 

ଡ୍ୟୁକ୍ ଏଥର ମୁଣ୍ଡ କାନ କୁଣ୍ଡେଇ ଅତି ନରମ ଗଳାରେ ବିସ୍କୁଟ ମାଗିଲା । ମେରୀ ଡ୍ୟୁକ୍ ହାତକୁ ଦୁଇଟି ବିସ୍କୁଟ୍‌ ବଢ଼େଇ ଦେଇ ନିଜେ ଖଣ୍ଡେ ଖାଇ ପୁଡ଼ିଆଟା ମୁଦିଦେଲା ।

 

ଡ୍ୟୁକ୍‌ ଗୋଟିଏ ବିସ୍କୁଟ୍‌ ପକେଟରେ ରଖି ଅନ୍ୟଟି ପାଟିରେ ପୂରେଇ ସାଇକେଲ ପେଡ଼େଲରେ ପାଦ ରଖିଲା ।

 

ଝରକାର ପରଦା ଫାଙ୍କରୁ ସତର୍କତାର ସହିତ ସବୁ ଲକ୍ଷ୍ୟ କରୁଥିଲେ ହେୟାରଷ୍ଟୋନ୍‌ ।

 

ହସିଲେ ସେ ।

 

ଆଃ......ମୁଁ ସବୁଦିନ ପାଇଁ ଛୋଟ ଛୁଆଟିଏ ହେଇଥାନ୍ତିକି......ଲୋଭ, ମାୟା, କାମନା, ଅଶାନ୍ତି, ଦୁଶ୍ଚିନ୍ତା ପରି ଅସଂଖ୍ୟ ମାରାତ୍ମକ ରୋଗର ଜାଲରେ ଛନ୍ଦି ହୋଇ ଅଣନିଃଶ୍ୱାସୀ ହେଇ ଯାଉଛି ।

 

ସବୁଦିନେ ଛୁଆ ହେଇ ଥାଆନ୍ତିକି ।

 

(ଜୀବନ ରଙ୍ଗ)

Image

 

ବାଉଲ୍

 

ବାଉଲ୍ ବାଡ଼ି, ପଶ୍ଚିମ ବଙ୍ଗଳାର ଏକ ଉପାନ୍ତ ଅଞ୍ଚଳରେ ଅବସ୍ଥିତ ଏହି ଛୋଟିଆ ବସ୍ତିଟି ମୋର ଜିଜ୍ଞାସୁ ମନରେ ଗଭୀର ରେଖାପାତ କରିଛି । ପ୍ରଥମ ଦର୍ଶନରୁ ମୁଁ ତା’ର ପ୍ରେମରେ ପଡ଼ିଗଲି ।

 

କଥାଟା ଅବାନ୍ତର ହେଲେ ବି ଯୁକ୍ତିଯୁକ୍ତ । ବାଉଲ୍ ବାଡ଼ିର ପନ୍ଦରଟା ପରିବାରର ମାତ୍ର ପଞ୍ଚାବନ ଜଣ ଲୋକ ପ୍ରେମ ଜାଲରେ ମତେ ଏମିତି ଛନ୍ଦି ପକାଇଲେ ଯେ ମୁକୁଳିବାର ଉପାୟ ଖୋଜି ପାଇଲିନି । ବାଉଲ୍ ବାଡ଼ି କହିଲେ ପନ୍ଦରଟା ନୁଆଁଣିଆ ଚାଳଘର, ଗୋଟିଏ ଆଖଡ଼ା ଘର, ଗୋଟିଏ ପୋଖରୀ, ପଞ୍ଚାବନ ଜଣ ମଣିଷ, ଚଉତିରିଶଟି ଗୃହପାଳିତ ପଶୁ, ଆଉ କେବଳ ବୃକ୍ଷଲତା ।

 

ମୁଁ ସେଠାକୁ ଯାଇଥିଲି ସରକାରୀ କାର୍ଯ୍ୟରେ । ମତେ ଯଦି ପ୍ରଶ୍ନ କରାଯାଏ ବାଉଲ୍ ବାଡ଼ିରୁ କ’ଣ କ’ଣ ଅଭିଜ୍ଞତା ନେଇ ଫେରିଲେ ବୋଲି ତେବେ ମୁଁ ଉତ୍ତରରେ କହିବି, ଅନେକ କିଛି, ତେବେ ସେ ଅଭିଜ୍ଞତା କେବଳ ଅନୁଭବ କରିହେବ, ଭାଷାରେ ପ୍ରକାଶ କରି ହବନି । ତଥାପି ଚେଷ୍ଟା କରୁଛି ।

 

ବାଉଲ୍ ବାଡ଼ିର ସେଇ ଗୈରିକ ବସ୍ତ୍ର ପରିହିତ ଡେଙ୍ଗା ଡେଙ୍ଗା ମଣିଷମାନଙ୍କର ଭାଷା ବେଶ୍ ବୁଝି ହେଉଥିଲା । ମୁଁ ମତେ ସେମାନଙ୍କ ଭିତରେ ହଜେଇ ଦେଲି । ସେମାନେ ବି ମତେ ଆଦରରେ ଗ୍ରହଣ କଲେ । ମୋର ପରିବାର କଥା, ଘର କଥା, ସୁବିଧା ଅସୁବିଧା କଥା କେବଳ ନୁହେଁ, ମୋର କେତେକ ଏକାନ୍ତ ବ୍ୟକ୍ତିଗତ ଗୋପନୀୟ କଥା ମଧ୍ୟ ମୋ ମନର ଅତଳ ଗହ୍ୱରରୁ କାଢ଼ିନେଲେ । ତା’ ବଦଳରେ ସେମାନଙ୍କର ବହୁ ଅକୁହା କଥା (ବୋଧହୁଏ ସବୁତକ) ମୋ ପାଖରେ ନିଃସଙ୍କୋଚରେ ପ୍ରକାଶ କଲେ । ଏ ସୁଯୋଗ ନେଇ ମୁଁ ସେମାନଙ୍କ ସହିତ ମିଶିଲି, ହସିଲି, ମାତିଲି ଏବଂ ଜଣେ ବାଉଲ୍‌ ହେଲି (ମୋ ମତରେ) । ସୁତରାଂ ବାଉଲ୍‌ମାନଙ୍କ ସମ୍ପର୍କରେ ସମ୍ୟକ୍‌ ଧାରଣା କରିପାରି ନ ଥିଲେ ମଧ୍ୟ ସାମାନ୍ୟ କିଛି ଧାରଣା କରିପାରିଛି ବୋଲି ମୋର ବିଶ୍ୱାସ ।

 

ଚାନ୍ଦହୀନ, ନୀରସ ଜୀବନରେ ବାଉଲ୍‌ମାନଙ୍କ ସାନ୍ନିଧ୍ୟ ଅଳ୍ପ କେତୋଟି ଦିନ ପାଇଁ ହେଲେ ମଧ୍ୟ ମନେ ରହିଲା ଭଳି ବହୁ ଖୋରାକ ସଂଗୃହୀତ ହେଇ ପାରିଲା । ସେମାନଙ୍କ ବ୍ୟବହାର ଏବଂ ଆତିଥ୍ୟରେ ମୁଁ ମୁଗ୍‌ଧ ହେଲି, ଚକିତ ହେଲି ।

 

ବାଉଲ୍ ବାଡ଼ିର ସନ୍ଧ୍ୟା ବାସ୍ତବିକ୍‌ ରୋମାଞ୍ଚକର । ସତେ ଯେମିତି ‘ଭଗବାନ ସବୁ ସୌନ୍ଦର୍ଯ୍ୟକୁ ସେଇଠି ଅଜାଡ଼ି ଦେଇଛନ୍ତି । ଚାରିଆଡ଼େ ଯେମିତି ବର୍ଣ୍ଣୋତ୍ସବ, ରଙ୍ଗର ପ୍ରତିଯୋଗିତା-। ସନ୍ଧ୍ୟା ହେଲାମାତ୍ରେ ଅଧିକାଂଶ ଲୋକ ଆଖଡ଼ା ଘରେ ଏକାଠି ହୁଅନ୍ତି । ନାଚ ଗୀତର ତାଳେ ତାଳେ ବାଉଲ୍‌ବାଡ଼ି ମୁଖର ହୁଏ, ଆନ୍ଦୋଳିତ ହୁଏ, ଆସର ଜମେ ।

 

ଗୁରୁ ପାଇ ଯଦି ତୋମାରେ

ଆମାର ଗ୍ରହି କାତେ ମନ୍‌ ଚଲେନା, ଯାବୋନା ସଂସାରେ

ଗୁରୁ ପାଇ ଯଦି ତୋମାରେ...

 

X X X

 

ଗୁରୁ, ତୁମକୁ ଯଦି ମୁଁ ପାଏ

ଏ ସଂସାରକୁ ତ୍ୟାଗ କରିଦେବି

 

X X X

 

କାହାକୁ ମୁଁ ଗୁରୁ ବୋଲି ପ୍ରମାଣ କରିବି

ରେ ମନ, ଗୁରୁ ତ ଅନେକ ।

 

X X X

 

କଥା କହରେ ଦେଖା ଦିଏନା

ଐଶାନ୍ୟ କୋଣରେ ଚଲାବୁଲା କରେ ।

 

ଖୋଜିଲେ ପୃଥିବୀରେ ମିଳଇ ନାହିଁ

ଖୋଜିଛି ଆକାଶ ପାତାଳ

କିନ୍ତୁ ମୁଁ ମତେ ଚିହ୍ନେନି–

ଏକ ବିଷମ ଭ୍ରମରେ ଭ୍ରମି

ମୁଁ ବା କିଏ ? ସେ ବା କିଏ ?

ରାମ କି ରହିମ୍‌ ?

 

ସେଇଠି ନାଚ ଗୀତ, ଅଙ୍ଗଚାଳନା ଏବଂ ବିଭିନ୍ନ ଭଙ୍ଗୀ ସହ ଆଧ୍ୟାତ୍ମିକତାର ଏକ ଅପୂର୍ବ ମିଳନ । ହାତରେ ଏକ୍‌ତାରା, କମରରେ ତବଲାର ବାୟାଁ । ଗୀତରେ ଗୁରୁବାଦ ହିଁ ମୁଖ୍ୟ, ଅନ୍ୟସବୁ ଗୌଣ ଏବଂ ନାଚରେ ଶୂନ୍ୟ ବ୍ରହ୍ମ ଅନାଦି ପୁରୁଷଙ୍କ ସହ ସଂପୂର୍ଣ୍ଣ ଲୀନ ହେବାର ଉତ୍କଣ୍ଠା । ବଙ୍ଗଳାର ମୁର୍ସିଦା ଗୀତର ପ୍ରଚଳନ ମୁସଲମାନମାନଙ୍କ ମଧ୍ୟରେ ଅଛି । ଏହି ‘ମୁର୍ସିଦା’ର ଅର୍ଥ ହେଲା ମାଧ୍ୟମ । ବାଉଲ୍‌ମାନେ ଅନାଦି ପୁରୁଷଙ୍କ ସହ ଯୋଗାଯୋଗ ସ୍ଥାପନ ଲାଗି ମାଧ୍ୟମର ଆବଶ୍ୟକତା ଅନୁଭବ କରନ୍ତି । ଭଗବାନଙ୍କ ସହିତ ମିଳନ ଲାଗି ଯେ କୌଣସି ମାଧ୍ୟମ ବା ପନ୍ଥା ଅନୁସରଣ କରିବା ପାଇଁ ପ୍ରତ୍ୟେକ ବାଉଲ୍‌ଙ୍କୁ ସ୍ୱାଧୀନତା ମିଳିଛି । ଅଲେଖ ଧର୍ମ ପରି ଆଉଲ୍‌ ଏବଂ ବାଉଲ୍‌ ସଂପ୍ରଦାୟ ଶୂନ୍ୟବାଦରେ ବିଶ୍ୱାସ କରନ୍ତି ।

 

ବାଉଲ୍‌ ସଂପ୍ରଦାୟର ଜନ୍ମ ସପ୍ତଦଶ ଶତାବ୍ଦୀର ପ୍ରଥମ ଭାଗରେ । କାଳକ୍ରମେ ନାଥ ଓ ସୁଫି ସଂପ୍ରଦାୟର ପ୍ରଭାବରେ ବାଉଲ୍‌ ସଂପ୍ରଦାୟରେ ଗୁରୁବାଦର ଉଦ୍ରେକ ହୁଏ । ପରବର୍ତ୍ତୀ କାଳରେ ଚୈତନ୍ୟଙ୍କ ବୈଷ୍ଣବ ଧର୍ମର ସାମାନ୍ୟ ପ୍ରଭାବ ମଧ୍ୟ ପଡ଼ିଛି । ମୁସଲମାନ ବାଉଲ୍‌ମାନଙ୍କ ଫକୀର ସଂପ୍ରଦାୟ ଏ ବୈଷ୍ଣବୀୟ ପ୍ରଭାବ ସ୍ୱୀକାର କରି ନେଇଛନ୍ତି । ପଶ୍ଚିମ ବଙ୍ଗଳା ଏବଂ ବାଂଲା ଦେଶରେ ରାଢ଼ୀୟ ଏବଂ ନବଦ୍ୱୀପି ଏପରି ଦୁଇଟି ବାଉଲ୍‌ ସଂପ୍ରଦାୟ ଅଛି; କିନ୍ତୁ ସମସ୍ତେ ସଙ୍ଗୀତ ମାଧ୍ୟମରେ ହିଁ ତାଙ୍କ ମତବାଦ ପ୍ରଚାର କରନ୍ତି । ଏହି ଗୀତ ଗୁଡ଼ିକ ହେଉଛି ସେହି ସଂପ୍ରଦାୟର ମୂଳ ତତ୍ତ୍ୱ ଏବଂ ମୂଳ ତଥ୍ୟ । ସବୁଠୁଁ ଆଶ୍ଚର୍ଯ୍ୟର କଥା, ଏଇଠି ହିନ୍ଦୁ ମୁସଲମାନ ଧର୍ମର ଅପୂର୍ବ ମିଳନ । ସାଂପ୍ରଦାୟିକ ବିଭେଦଠାରୁ ଏମାନେ ବହୁ ଉର୍ଦ୍ଧ୍ୱରେ । ମୁଁ ସେଠାରେ ଏତେଦିନ ରହିଲି, ମତେ ବହୁ ପ୍ରଶ୍ନ କରି ମୋର ବହୁ ବ୍ୟକ୍ତିଗତ କଥା ବୁଝିଲେ ଅଥଚ ମୁଁ ହିନ୍ଦୁ କି ମୁସଲମାନ ସେ ପ୍ରଶ୍ନ କେହି କରିନି ।

 

ମନେ ମନେ ମୁଁ ନିଜକୁ ଜଣେ ଖାଣ୍ଟି ବାଉଲ୍‌ ବୋଲି ଯେଉଁଦିନ ସ୍ଥିର ନିଶ୍ଚିତ ହେଲି, ଠିକ୍‌ ସେହିଦିନ ଏକ ଦୁର୍ଘଟଣା ଘଟିଲା । ଘଟଣାଟା ସାମାନ୍ୟ ହୋଇଥିଲେ ମଧ୍ୟ ଏକ ବଡ଼ ସମସ୍ୟା ସୃଷ୍ଟି କଲା, ଯାହା ଫଳରେ ମୁଁ ବିଚଳିତ ହୋଇ ପଡ଼ିଲି ।

 

ଘଟଣାଟିକୁ ସଂକ୍ଷିପ୍ତୀକରଣ କଲେ ଏଇଆ ହେବ ଯେ ଏକ ଯୌନ ବିକୃତିର ଶେଷ ପରିଣତି ଯାହା ହେବାର କଥା ସେୟାହିଁ ହୋଇଛି । କଥାଟା କ’ଣ କି ମୋର ଜଣେ ସହକର୍ମୀ ଥିଲେ । ତାଙ୍କ ନାଁଟା ଅମରେନ୍ଦ୍ର ସାହୁ, ଘଟଣାଟା ବର୍ଣ୍ଣନା କରିବା ପୂର୍ବରୁ ଅମରେନ୍ଦ୍ରଙ୍କର ସାମାନ୍ୟ ପରିଚୟ ନ ଦେଲେ କଥାଟା ଜମିବନି । ସୁତରାଂ ପାଠକଙ୍କୁ ଆଉ ଟିକିଏ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ଅନୁରୋଧ କରୁଛି । ଅମରେନ୍ଦ୍ର ମୋର ଘନିଷ୍ଠ ବନ୍ଧୁ, ବୟସରେ ପାଞ୍ଚ ସାତ ବର୍ଷ ବଡ଼ । ବିବାହିତ, ଦୁଇଟି ସନ୍ତାନର ଜନକ, ବହୁ ଧର୍ମ ପୁସ୍ତକ ପଢ଼ିଛି ନିଶ୍ଚୟ । କାରଣ ଗୀତା, ବାଇବେଲ, କୋରାନ୍‌ର ଉଦାହରଣ ଦେଇ ମତେ ଅନେକ ସାଧୁ ଉପଦେଶ ଦିଅନ୍ତି; ବିଶେଷ କରି ସଂଯମ ସମ୍ପର୍କରେ । ଏଠି କହି ରଖେ ମୁଁ ଜଣେ ଅବିବାହିତ ଯୁବକ ।

 

ଏଥର ମୁଁ ଅସଲ ଘଟଣାକୁ ଫେରି ଆସୁଛି । ବାଉଲ୍‌ ବାଡ଼ିରେ ନବ ଦାସଙ୍କ ସହିତ ପରିଚୟ ହୁଏ । ଭାରି ଭଦ୍ର, ଅମାୟିକ, ବନ୍ଧୁପ୍ରେମୀ ଲୋକ । ଅପରିଚିତ ଲୋକଙ୍କୁ ମଧ୍ୟ କଥାରେ କିପରି ନିଜର କରିବାକୁ ହୁଏ– ସେ କଳା ତାଙ୍କୁ ବେଶ୍‌ ଜଣା । ସବୁବେଳେ ହସହସ ମୁହଁ । କିନ୍ତୁ ମୁଁ ଯେଉଁ ନିର୍ଦ୍ଦିଷ୍ଟ ଦିନ କଥା ଖୋଜିବାକୁ ଯାଉଛି ସେଦିନ ମୁଁ ପ୍ରଥମ କରି ଜାଣିଲି ଯେ ଅମରେନ୍ଦ୍ର, ନବ ଦାସେ ଦୁଇଟାଯାକ ଚରିତ୍ର ମୋ ପାଖରେ ଅବୋଧ୍ୟ ଏବଂ ଦୁର୍ଭେଦ୍ୟ ।

 

ମୁଁ ଜାଣେ, ମୁଁ ନିଜେ ସ୍ୱ-ଚକ୍ଷୁରେ ଦେଖିଛି ଅମରେନ୍ଦ୍ର ଏବଂ ନବ ଦାସେ ଖୁବ୍‌ ହସଖୁସି ଓ ପରିହାସ ହୁଅନ୍ତି । ହସ୍ତରେଖା ଗଣନା ସମ୍ପର୍କରେ ଉଭୟଙ୍କର କିଛି କିଛି ଧାରଣା ଅଛି । ଅମରେନ୍ଦ୍ରଙ୍କୁ ନବ ଦାସେ ଖାଇବା ପାଇଁ ଦୁଇଥର ଘରକୁ ନିମନ୍ତ୍ରଣ କରିଛନ୍ତି । ଏସବୁ ସତ୍ତ୍ୱେ ନବ ଦାସେ ଅମରେନ୍ଦ୍ରଙ୍କୁ କଦର୍ଯ୍ୟ ଭାଷାରେ ଭର୍ତ୍ସନା କଲେ କାହିଁକି ? ବୁଝୁ ବୁଝୁ ଜଣାଗଲା ଯେଉଁ ଅମରେନ୍ଦ୍ର ମତେ ସଂଯମ ସମ୍ପର୍କରେ ହିତୋପଦେଶ ଦେଉଥିଲେ ସେ ନିଜେ ନବ ଦାସଙ୍କ ଝିଅକୁ ଅଶ୍ଳୀଳ ଇଙ୍ଗିତ ପ୍ରଦର୍ଶନ କଲେ । ତା’ପରେ କୁଆଡ଼େ ମାଡ଼ ଆଉ ମାଡ଼ ।

ଖବରଟା ପାଇ ମୁଁ ଦୌଡ଼ିଗଲି ନବ ଦାସଙ୍କ ଘରଆଡ଼କୁ । ଅନତି ଦୂରରେ ଥାଇ ଏକ ଅଦ୍ଭୂତପୂର୍ବ ଘଟଣା ଦେଖି ମୁଁ ଅଭିଭୂତ ହୋଇ ପଡ଼ିଲି । କାହାକୁ କିଛି ନ ପଚାରି ମଧ୍ୟ ମୁଁ କଥାଟା ବୁଝିପାରିଲି ।

ନବଦାସେ ମତେ ଖବରଟା ଦେବାକୁ ଆସୁଥିଲେ ବୋଧହୁଏ । ହଠାତ୍‌ ଦେଖିପାରିଛନ୍ତି ଯେ ଅମରେନ୍ଦ୍ର ଗାଳି ଶୁଣି ଲଜ୍ଜାରେ ପୋଖରୀରେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଛନ୍ତି । ନବ ଦାସେ ମାନବିକତା ଦୃଷ୍ଟିରୁ ନିଜ ଜୀବନକୁ ଭ୍ରୂକ୍ଷେପ ନ କରି ଅମରେନ୍ଦ୍ରଙ୍କୁ ପାଣି ଭିତରୁ ଉଦ୍ଧାର କରୁଛନ୍ତି । ଅମରେନ୍ଦ୍ରଙ୍କୁ ନବ ଦାସେ ବୁଝୋଉଛନ୍ତି, ନା-ନା, ଆତ୍ମହତ୍ୟା ବୁଦ୍ଧିମାନ ଲୋକର କାମ ନୁହେଁ । ଆତ୍ମହତ୍ୟା କଲେ ସମସ୍ୟାର ସମାଧାନ ହୁଏନି । ବରଂ ବଢ଼େ । ଆତ୍ମଶୁଦ୍ଧି ଲୋଡ଼ା । ତୁମେ ଅନୁତାପ କରିଛ, ସେଇ ଯଥେଷ୍ଟ । ମଣିଷ ତ ଭୁଲ୍‌ର ସମଷ୍ଟି । ତା’ ନ ହୋଇଥିଲେ ତ ମଣିଷ ଦେବତା ହେଇ ଯାଇଥାନ୍ତା । ଦୁଃଖ କାହିଁକି ? ଆତ୍ମଶୁଦ୍ଧି କର, ଆତ୍ମଶୁଦ୍ଧି ।

(ଝଙ୍କାର)

Image

 

ଯନ୍ତ୍ରଣା, ଜୀବନର ଅନ୍ୟ ନାମ

 

ମୁଁ ଯାହା କଥା ଲେଖିବାକୁ ଯାଉଛି ସେ ବି ସମସ୍ତଙ୍କ ପରି ଜଣେ ସାଧାରଣ ମଣିଷ । ଚାକିରିଟିଏ କରିଛନ୍ତି, କିରାଣୀ ଚାକିରି । ହେଲେ କ’ଣ ହେଲା ମୁହଁଟା ସବୁବେଳେ ହସ ହସ । ତାଙ୍କର ନବାବି ଢଙ୍ଗର ଚାଲି ଏବଂ ବେଶ ପୋଷାକ ଦେଖିଲେ ଯେ କେହି ତାଙ୍କୁ ଜଣେ ଅଫିସର ବୋଲି ମନେ କରିବ । ଲମ୍ୱା ସରୁ ନିଶ ହଳକ ତାଙ୍କୁ ବେଶ୍‌ ମାନୁଥିଲା । ପ୍ରତିଦିନ ଖିଅର ହୁଅନ୍ତି । ବେଶ-ପୋଷାକ ପ୍ରତି ବେଶ୍‌ ସଚେତନ । ଦୂରରୁ ଜୋତାର ଠକ୍‌ଠକ୍‌ ଶବ୍ଦ ଶୁଣିଲେ ମୁଁ ଜାଣିପାରେ ନିତ୍ୟାନନ୍ଦ ବାବୁଙ୍କ ଆସିବା କଥା ।

 

ଗ୍ରନ୍ଥାଗାର ଭିତରେ ପାଦ ଦେଉ ଦେଉ ତାଙ୍କ କଣ୍ଠରେ ସେଇ ପୁରୁଣା ସଂଳାପ, କ’ଣ ପଟ୍ଟନାୟକ ବାବୁ, ଭଲ ? ମୁଁ ବି ପୁନରାବୃତ୍ତି କରେ, ହଁ, ଗାଡ଼ି ସେମିତି ସେମିତି ଚାଲିଛି । (‘ଗାଡ଼ି’ ଶବ୍ଦଟା ଯେ ‘ଜୀବନ ଗାଡ଼ି’ ଏକଥା ମୁଁ ବୁଝାଇ ଦେଇଥିଲି) । ନିତ୍ୟାନନ୍ଦ ବାବୁ ଦୈନିକ ଖବର କାଗଜ ଗୁଡ଼ିକୁ ଘାଣ୍ଟିବାକୁ ଆରମ୍ଭ କରିଦେଲେ । ସେ ଖବର କାଗଜରୁ କ’ଣ ସବୁ ଖୋଜା ଖୋଜି କରି ଖଣ୍ଡେ ପୁରୁଣା କାଗଜରେ ଟିପି ରଖିଲେ । ମୁଁ କାର୍ଯ୍ୟବ୍ୟସ୍ତ ଥିଲି, ତଥାପି ତିନିଦିନ ହେଲା ସେ କ’ଣ ଟିପୁଛନ୍ତି ସେକଥା ପଚାରିବାର ଉତ୍କଣ୍ଠାକୁ ରୋକି ପାରିଲିନି ।

 

ଉତ୍ତରରେ ସେ ଜଣାଇଲେ ତିନି ଦିନ ହେଲା ମାଟ୍ରିକର ପରୀକ୍ଷା ଫଳ ବାହାରୁଛି । ମୁଁ ସେଥିରୁ ଗୋଟାଏ ଭଲ ଝିଅ ନାଁ ଖୋଜୁଛି ।

 

ପଚାରି ଦେଲି, ନାଁଟା ଭଲ ହୋଇଥିଲେ ଝିଅଟା ବି ସୁନ୍ଦରୀ ହୋଇଥିବ ବୋଲି ଭାବୁଛନ୍ତି କି ? ନିତ୍ୟାନନ୍ଦ ବାବୁ ହସିଲେ, ସିଧା ହୋଇ ବସିଲେ । ରୁମାଲରେ ଘର୍ମାକ୍ତ ମୁହଁଟାକୁ ଭଲ କରି ପୋଛିସାରି କହିଲେ ମୋର ଝିଅଟିଏ ହୋଇଛି । ତା’ ପାଇଁ ଭଲ ନାଁଟିଏ ଖୋଜୁଛି ।

 

ତା’ ପରେ ମୋ ହାତକୁ ଟିପା କାଗଜଟା ବଢ଼େଇ ଦେଇ କହିଲେ ଦେଖିଲେ, କେଉଁ ନାଁଟା ଭଲ ।

 

ନାଁ ଗୁଡ଼ାକରେ ଦୁଇ ଦୁଇଥର ଆଖିବୁଲାଇ ଆଣି ଉତ୍ତର ଦେଲି; ଆପଣ ତ ବଢ଼ିଆ ନାଁ ବାଛିଛନ୍ତି । ସବୁଗୁଡ଼ାକ ଭଲ ହୋଇଛି । ତେବେ ଗୀତା, ସିପ୍ରା, ନନ୍ଦିତା, କବିତା, ବିନ୍ଦୁ ଏଇ ଚାରୋଟି ମତେ ବେଶି ଭଲ ଲାଗୁଛି ।

 

ନିତ୍ୟାନନ୍ଦ ବାବୁ– ଦେଖାଯାଉ, ତେବେ ଆଉ କେତୋଟି ନାଁ ଭାବନ୍ତୁ, ମୋତେ କାଲି କହିବେ ।

 

ଆଉ କିଛି ସୌଜନ୍ୟପୂର୍ଣ୍ଣ ଆଲୋଚନା ପରେ ନିତ୍ୟାନନ୍ଦ ବାବୁଙ୍କ ପ୍ରସ୍ଥାନ, ତା’ ପରେ ମୋର କାର୍ଯ୍ୟାରମ୍ଭ । ଖବରକାଗଜ, ବହି, ଚିଠି, ଫାଇଲ୍‌ ଓ ବିଲ୍‌ ଭିତରେ ମୁଁ ପୁଣି ନିଜକୁ ହଜେଇ ଦେଲି ।

 

ଦିନେ ଗଲା, ଦୁଇ ଦିନ ଗଲା, ଆଉ ନିତ୍ୟାନନ୍ଦ ବାବୁଙ୍କ ସହିତ ଦେଖା ହେଉନଥିଲା । ହଠାତ୍‌ ଚୌଧୁରୀ ବଜାର ଛକ ପାଖରେ ଭେଟା ଭେଟି ।

 

କ’ଣ ପଟ୍ଟନାୟକ ବାବୁ, ଭଲ ? ହଁ, ଗାଡ଼ି ସେମିତି ସେମିତି ଚାଲିଛି । ମୋର ନୂଆ ସଂଳାପ– ଝିଅର ନାଁ କ’ଣ ଦେଲେ ? ତିନିଦିନ କାଳ ଖବର କାଗଜ ଖୋଜି ଖୋଜି କେଉଁ ନାଁଟା ଦେଲେ ଶୁଣେ... ? ନିତ୍ୟାନନ୍ଦ ବାବୁଙ୍କ ମୁଖମଣ୍ଡଳ କ୍ରମଶଃ ଗମ୍ଭୀର ହେଲା । ଥରେ ଛେପ ଢୋକିଲେ-। କିଛିକ୍ଷଣ ପାଇଁ ନୀରବ ରହି ଉତ୍ତର ଦେଲେ, ମୋ ଝିଅ ପାଇଁ ଆଉ ନାଁ ଖୋଜିବାକୁ ହେବନି । ଯେଉଁଠୁ ଆସିଥିଲା ସେଇଠିକି ସେ ଫେରି ଗଲାଣି । ତାଙ୍କର ଶେଷ ଶବ୍ଦଗୁଡ଼ିକ ଅସ୍ପଷ୍ଟ ଶୁଣାଗଲା । ଅମୁଲ୍, ଫ୍ରକ୍ କଥା ଭୁଲି ଯାଇ ମୁଁ ଭାବୁଥିଲି ମୋ ଝିଅ କଥା, ଯିଏ ଦିନେ ସାଇକେଲ ଚେନ୍‌ ଭିତରେ ହାତ ପୂରାଇ ଦେଇଥିଲା ।

 

ଆଉ ଦିନେ ଖଟ ଉପରୁ ତଳକୁ ଖସି ପଡ଼ିଥିଲା ଏବଂ ଆଉ ଦିନେ ଏକ ଚଳନ୍ତା ମଟର ସାମନାରେ ଝୁଣ୍ଟି ପଡ଼ିଥିଲା ।

 

(ଆସନ୍ତା କାଲି ଓ ଚିତ୍ରପୁରୀ)

Image

 

ସଂସ୍କୃତ + ପଣ୍ଡିତ = ସଂସ୍କୃତ ପଣ୍ଡିତ

 

ଗୋପବନ୍ଧୁ ହାଇସ୍କୁଲଟା ସହର ମଝିରେ ହୋଇଥିବାରୁ ପିଲାମାନଙ୍କ ଯାତାୟାତ ଲାଗି ଖୁବ୍‌ ସୁବିଧା ହୁଏ । ଏହି ହାଇସ୍କୁଲର ଅନ୍ୟ ଏକ ବିଶେଷ ଆକର୍ଷଣ ହେଉଛି ଯେ ସେଠି ବହୁ ଉଚ୍ଚ ଶିକ୍ଷିତ, ସୁପରିଚିତ ଶିକ୍ଷକ ନିଯୁକ୍ତ ହୋଇଛନ୍ତି, ଯାହା ଫଳରେ ପଢ଼ାପଢ଼ି ଭଲ ହୁଏ । ସ୍କୁଲର ପରିଚାଳନାରେ ମଧ୍ୟ କୌଣସି ତ୍ରୁଟି କେବେ ପରିଲକ୍ଷିତ ହୋଇନାହିଁ । ପ୍ରତ୍ୟେକ ବର୍ଷ ଛାତ୍ର ସଂଖ୍ୟା ଆଶାତୀତ ଭାବରେ ବୃଦ୍ଧି ପାଇବାରେ ଲାଗିଲା । ସୁତରାଂ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ଶ୍ରେଣୀର ସେକ୍‌ସନ ବା ବିଭାଗ ବଢ଼ିବାରେ ଲାଗିଲା । କିଛିବର୍ଷ ପରେ ଦେଖାଗଲା ଶିକ୍ଷକଙ୍କ ତୁଳନାରେ ଛାତ୍ରଙ୍କ ସଂଖ୍ୟା ଖୁବ୍‌ ଅଧିକ ହୋଇଯାଇଛି । ଶିକ୍ଷକମାନଙ୍କ ଦାୟିତ୍ୱ ବଢ଼ିଗଲା । ସ୍କୁଲ ସମୟତକ ମୁହୂର୍ତ୍ତେ ଫୁରୁସତ ମିଳିଲାନି । ଖାଲି ପଢ଼ା, ପଢ଼ା, ଆଉ ପଢ଼ା । ଦିନେ ଏଭଳି ସମୟ ଆସି ପହଞ୍ଚିଲା ଯେ ଶିକ୍ଷକମାନଙ୍କୁ ଶଙ୍କିତ ହେବାକୁ ପଡ଼ିଲା । କ୍ରମଶଃ ଛାତ୍ରମାନଙ୍କ ପ୍ରାଦୁର୍ଭାବ ଦେଖାଦେଲା । ଅଳ୍ପ କେତେଜଣ ଛାତ୍ର ବିଭିନ୍ନ ରାଜନୈତିକ ଦଳ ବା ଉଗ୍ର ଜାତୀୟବାଦୀ ଅନୁଷ୍ଠାନମାନଙ୍କ ଶିକାର ହୋଇ ନିଜ କ୍ଷମତାକୁ ଅନ୍ୟମାନଙ୍କୁ ଦେଖାଇବା ପାଇଁ ପରୀକ୍ଷାମୂଳକ ଭାବରେ ସ୍କୁଲରେ ପାଲା ଆରମ୍ଭ କରିଦେଲେ । ଦଶମ ଶ୍ରେଣୀର କେତେଜଣ ଛାତ୍ର ପରୀକ୍ଷାବେଳେ କପି ଆଣିଥିଲେ । ଶିକ୍ଷକମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା, କଲେ । ସେଇଠୁ ଆରମ୍ଭ ହେଲା ଅସଲ ଲଢ଼େଇ । ଶିକ୍ଷକ ଓ ଛାତ୍ରଙ୍କ ମଧ୍ୟରେ ଯୁକ୍ତିତର୍କ ଚାଲିଲା, ଏପରିକି ଧମକ ଚମକ ପର୍ଯ୍ୟନ୍ତ କଥା ଚାଲିଗଲା । ପ୍ରଥମ ଦିନର ପରୀକ୍ଷାର ଏ ଘଟଣାଟି ପରେ ଆଶା କରାଯାଉଥିଲା କଥାଟାର ଏଇଠି ପରିସମାପ୍ତି ଘଟିବ । କିନ୍ତୁ ଅତି ପରିତାପର ବିଷୟ, ଦ୍ୱିତୀୟ ଦିନ ଆଉ ଏକ ବିଷମୟ ପରିସ୍ଥିତି ସୃଷ୍ଟି କଲା । ପରୀକ୍ଷାବେଳେ ଦେଖାଗଲା ଦଶ ଜଣ ଛାତ୍ରଙ୍କ ଟେବୁଲ ଉପରେ ଦଶଟି ଛୁରୀ ପୋତା ହେଇଛି । ଦାଢ଼ୁଆ ଛୁରୀଗୁଡ଼ିକ ଚିକ୍‌ଚିକ୍‌ କରୁଛି ବାହାରର ଆଲୁଅରେ ।

 

କେତେଜଣ ଶିକ୍ଷକ ପରୀକ୍ଷା ବନ୍ଦ କରିବା ପାଇଁ ପ୍ରଧାନ ଶିକ୍ଷକଙ୍କୁ ପରାମର୍ଶ ଦେଲେ । କିନ୍ତୁ ପ୍ରଧାନ ଶିକ୍ଷକ କାହାରି ପରାମର୍ଶ ଗ୍ରହଣ ନ କରି ପରୀକ୍ଷା ଯଥାରୀତି ଚାଲୁ ରଖିବାକୁ ଆଦେଶ ଦେଲେ । ପରୀକ୍ଷା ଚାଲିଲା, କପି ମଧ୍ୟ ଚାଲିଲା । ହଠାତ୍‌ ଦେଖାଗଲା ଦଶ ପନ୍ଦର ଜଣ ବାହାର ଲୋକ ପ୍ରବେଶ କରି ପିଲାମାନଙ୍କ ପାଖରେ ବସି ପିଲାମାନଙ୍କ ପାଇଁ ଲେଖି ଦେଉଛନ୍ତି । ପିଲାମାନେ କେବଳ ନିରୀହ ସଂସ୍କୃତ ଶିକ୍ଷକଙ୍କ ଆଡ଼କୁ ପରିହାସ ଭଙ୍ଗୀରେ ମଟ ମଟ କରି ଅନେଇଛନ୍ତି । ବିଚରା ସଂସ୍କୃତ ପଣ୍ଡିତ ଗୋଦର ଗୋଡ଼ଟିକୁ ଟେବୁଲ ଉପରେ ଥୋଇ ମୋଟା ଚଷମାଟା ବାଟେ ଝରକା ସେପାଖର ଦୃଶ୍ୟକୁ ଅନେଇ ରହିଛନ୍ତି । ଜୀବନ ପ୍ରତି କାହାର ଲୋଭ ନାହିଁ ? ଘରେ ପୁଣି ଚାରି ଚାରିଟା ଛୁଆ । ସେମାନେ ମଣିଷ ହେବେ । ଚାକିରି କରିବେ । ବାହା ହେଇ ଘର ସଂସାର କରିବେ । ପରେ ପରେ ଗୋଟାଏ ଦ୍ୱନ୍ଦ୍ୱ ଶିକ୍ଷକଙ୍କ ମନକୁ ଆଶଙ୍କାର ଜାଲରେ ଛନ୍ଦିଦେଲା । ସେଇଟି ହେଉଛି ମୋ ପିଲାମାନେ ଏମିତି ବାଳୁଙ୍ଗା ହେଇଯିବେନି ତ । ବଡ଼ ପୁଅ ବାବୁଲାର ଚାଲିଚଳଣ, ଢଙ୍ଗଢ଼ାଙ୍ଗ, ଖାପଛଡ଼ା ଭାବ ତାଙ୍କ ଆଗରେ ଏକ ବିରାଟ ପ୍ରଶ୍ନବାଚୀ ହୋଇ ଠିଆହେଲା । ବାବୁଲା ଚାରିଥର ଘରୁ ପଇସା ଚୋରି କରି ଧରାପଡ଼ିଛି । ମାସରେ ଅନ୍ତତଃ ଚାରିଥର ସିନେମା ଦେଖି ଡେରିରେ ଫେରୁଛି । ବଜାରୀ ଟୋକାଙ୍କ ସାଙ୍ଗରେ ମିଶି ଲୁଚେଇ ଲୁଚେଇ ସିଗାରେଟ୍‌ ଖାଇବାରେ ମଧ୍ୟ ଅଭ୍ୟସ୍ତ ହେଇଗଲାଣି । ଆଜିକାଲି ବାବୁଲା ମା’ର ପରାମର୍ଶ କିମ୍ୱା ତାଗିଦାକୁ ସେ ସେତେ ଗୁରୁତ୍ୱ ଦେଉନି । ହାଇସ୍କୁଲ ଜୀବନର ହାପ୍‌ପେଣ୍ଟ ଛାଡ଼ି କଲେଜରେ ପାଦଦେଇ ଥିବାରୁ ସେ ନିଜକୁ ଜଣେ ବୟସ୍କ ବୋଲି ଭାବୁଛି ଏବଂ କିଛି ଅହଂ ଭାବକୁ ମନରେ ସ୍ଥାନ ଦେଇଛି । ସୁତରାଂ ସେ ଯାହା କରୁଛି ସେଇଟାହିଁ ଠିକ୍‌ ବୋଲି ଭାବୁଛି ।

 

ହଠାତ୍ ଜଣେ ପାଟିକରି ଉଠିଲେ । ସାର୍‌, ମୋର କପି କାଗଜଟା ରୁଦ୍ର ଛଡ଼େଇ ନେଇଗଲା । ତଥାପି ପଣ୍ଡିତେ ନୀରବ । ପଣ୍ଡିତେ ଚୁପ୍‌ଚାପ୍‌ ବସିଥିଲେ ମଧ୍ୟ ତାଙ୍କ ମନ ଭାରାକ୍ରାନ୍ତ ହୋଇ ପଡ଼ିଥିଲା । ମୁଖମଣ୍ଡଳ ଘର୍ମାକ୍ତ ହେଇ ଆସିଲା । ଗାଲ ଉପରେ ଅସଂଖ୍ୟ ରେଖା ସୃଷ୍ଟିକରି ଆଖି ଯୋଡ଼ିକ ଯେମିତି ଖୋସିହୋଇ ଯାଇଛି । ମୁଣ୍ଡ ଉପରେ ବିରାଟ ପଙ୍ଖାଟା ଥଣ୍ଡା ପବନ ବଦଳେ ଗରମ ପବନ ଅଜାଡ଼ି ପଣ୍ଡିତଙ୍କ ସମଗ୍ର ଦେହଟାକୁ ଉତ୍ତାପରେ ଭରିଦେଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ପଣ୍ଡିତଙ୍କର ମନେହେଲା ସତେ ଯେମିତି ତାଙ୍କ ହାତ ପାପୁଲି ଏବଂ ପାଦ ତଳଗୁଡ଼ାକ ବରଫ ଭଳି ଥଣ୍ଡା ପାଲଟି ଯାଉଛି ଏବଂ କ୍ରମଶଃ ଯେମିତି ସେ ବାକ୍‌ଶକ୍ତି, ସ୍ମରଣ ଶକ୍ତି ହରାଇ ବସୁଛନ୍ତି । ମନେ ହେଉଛି ତାଙ୍କ ଚାରିପାଖରେ ଦାଢ଼ୁଆ ଦାଢ଼ୁଆ ଛୁରୀଗୁଡ଼ାକ ଘୂରି ବୁଲୁଛି, ସୂଯୋଗ ପାଇଲେ ମୁଣ୍ଡ ଗଣ୍ଡି ଅଲଗା କରିଦେବ । ପୈତୃକ ପ୍ରାଣଟାକୁ ରକ୍ଷା କରିବା ପାଇଁ ପଣ୍ଡିତେ ପ୍ରସ୍ତୁତ ହେଇଗଲେ । ନିର୍ବିକାର ଭାବରେ ଉଠି ସିଧାସଳଖ ଗୃହାଭିମୁଖୀ ହେଲେ । ଏଣେ ପରୀକ୍ଷା ଦେଉଥିବା ଛାତ୍ରମାନେ ବିପଦ ଗଣିଲେ । ପରୀକ୍ଷା ଖାତା ଯଦି ନ ନିଆଯାଏ ନମ୍ୱର ମିଳିବ କେମିତି ? ଏତେ ପରିଶ୍ରମ କରି କପି କରିବାର ମୂଲ୍ୟ କ’ଣ ? ଜଣେ ଛାତ୍ର ଠିଆହୋଇ ବଡ଼ ପାଟିରେ ପ୍ରସ୍ତାବ ଦେଲା, ସମସ୍ତେ ଲେଖାଲେଖି ସାରି ସନ୍ଧ୍ୟାବେଳେ ସାର୍‌ଙ୍କ ଘରେ ଦେଇ ଆସିବା । ଆଉ ଜଣେ ଥଙ୍ଗ ଥଙ୍ଗ ହେଇ କହିଲା, ଆଉ କାହିଁକି ଏତେ ପରିଶ୍ରମ କରି ଲେଖିବା, ସାର୍‌ଙ୍କ ଘରକୁ ପରୀକ୍ଷା ଖାତା ଦେବାକୁ ଯିବା; ସମସ୍ତଙ୍କୁ ଅଶି ନମ୍ୱର ଲେଖାଏଁ ଦେଇଦେବା ପାଇଁ ସାର୍‌ଙ୍କୁ ପରାମର୍ଶ ଦେବା । ପ୍ରଥମ ପ୍ରସ୍ତାବଟିକୁ ଅକୁଣ୍ଠ ଚିତ୍ତରେ ପ୍ରାୟ ସମସ୍ତଙ୍କର ସମର୍ଥନ ମିଳିଲା; କିନ୍ତୁ ଦ୍ୱିତୀୟ ପ୍ରସ୍ତାବଟି କାଟ ଖାଇଗଲା ।

 

X X X

 

ପରୀକ୍ଷା ସରିଲା । ସ୍କୁଲ ଛୁଟି ହେଲା । ପଣ୍ଡିତେ ମାତ୍ର ଚାରିଦିନରେ ସଂସ୍କୃତ ଖାତାଦେଖା କାମ ସାରିଦେଲେ । ସାରିଦେଲେ କହିଲେ ଭୁଲ୍‌ ହେବ, କାରଣ ଚାରି ଦିନ ଭିତରେ ଖାତାଦେଖା କାମ ସାରିଦେବା ପାଇଁ ଛାତ୍ରଙ୍କ ତରଫରୁ ଚାପ ପଡ଼ିଲା । ପ୍ରତ୍ୟେକ ଦିନ ଭୋରରୁ ଛାତ୍ର ପ୍ରତିନିଧିମାନେ ଆସି ଚାରି ଦିନ ଭିତରେ ନମ୍ୱର ଗୁଡ଼ାକ ଜାଣିଲେ ପାଶ୍‌ ହେଲୁ ବୋଲି ଆଶ୍ୱସ୍ତ ହୋଇ ଗାଁକୁ କିମ୍ୱା କେଉଁଆଡ଼େ ବୁଲି ଯିବୁ ବୋଲି ଏକପ୍ରକାର ଧମକ ଦେଲେ । ପଣ୍ଡିତଙ୍କ ଅବସ୍ଥା ସାଘାଂତିକ ।

 

X X X

 

ପଣ୍ଡିତେ ବହୁ ବନ୍ଧୁଙ୍କ ସହ ପରାମର୍ଶ କରି ସ୍ଥିର କଲେ ଇଂରେଜୀ ଭାଷା ଶିଖିବା ପାଇଁ । ଇଂରେଜୀ ଭାଷା ଶିଖିଲେ ବୋଧହୁଏ ମଣିଷ ଶିକ୍ଷିତ ଶ୍ରେଣୀଭୁକ୍ତ ହୁଏ, ଅନ୍ୟମାନଙ୍କ ସହିତ ତାଳ ଦେଇ ଚାଲିପାରେ । ତା’ ନ ହେଇଥିଲେ ଅନ୍ୟ କୌଣସି ଶ୍ରେଣୀରେ ଗଣ୍ଡଗୋଳ ନ ହେଇ ସଂସ୍କୃତ ପଣ୍ଡିତଙ୍କ ଉପସ୍ଥିତିରେ କାହିଁକି ଛୁରା ପ୍ରଦର୍ଶନ ପର୍ଯ୍ୟନ୍ତ କଥା ଗଲା ? ଭଲ ରାସ୍ତାଟିଏ ଖୋଜି ପାଇଥିବାରୁ ପଣ୍ଡିତଙ୍କର ଆନନ୍ଦ କହିଲେ ନ ସରେ । ଶ୍ରେଣୀରେ Yes, No, Go, Why, I, You, see ଭଳି କେତେଗୁଡ଼ିଏ ଶବ୍ଦକୁ ପ୍ରୟୋଗ କରି ଛାତ୍ରମାନଙ୍କୁ ଚକିତ କରିଦେଲେ । କ୍ରମଶଃ ତାଙ୍କ କଥାରେ ଇଂରାଜୀ ଶବ୍ଦର ପ୍ରାବଲ୍ୟ ଦେଖାଦେଲା ।

 

ଦିନକର କଥା । ପଣ୍ଡିତେ ଶ୍ରୀମତୀଙ୍କଠାରୁ ଗାଳି ଖାଇ ଆସିଥିଲେ । ମନ ଭଲ ନ ଥିଲା-। ଦଶମ ଶ୍ରେଣୀର ପିଲାଏ ସବୁଦିନେ ଯେମିତି ପାଟିତୁଣ୍ଡ କରନ୍ତି ସେଦିନ ମଧ୍ୟ କଲେ । ପଣ୍ଡିତେ କି ଛାଡ଼ିବା ଲୋକ ? ରାଗିଉଠି ବେଶି ପାଟି କରୁଥିବା ଚାରିଜଣ ପିଲାଙ୍କୁ ଲକ୍ଷ୍ୟକରି ଆଦେଶ ଦେଲେ, Under Stand । ପିଲାଙ୍କ ମୁହଁରୁ ସଙ୍ଗେ ସଙ୍ଗେ ଉତ୍ତର ମିଳିଲା, Yes Sir-। କେହି ଠିଆ ହୋଇ ନ ଥିବା ଦେଖି ପଣ୍ଡିତେ ଆହୁରି ରାଗି ଉଠିଲେ । ତାଙ୍କର ନାକପୁଡ଼ା ଫୁଲିଉଠିଲା, ଆଖିରେ ହିଂସ୍ର ବ୍ୟାଘ୍ରର ଆଦିମତା । ପଣ୍ଡିତେ ପୁଣି ପାଟିକରି ଉଠିଲେ, Under Stand; ମୁଁ କହିଲି ପରା ତଳେ ଠିଆହୁଅ ? ଶୁଣା ଯାଉନି ? ଏଥର ପିଲାଏ Under Standର ଓଡ଼ିଆ ତର୍ଜମା କଥା ବୁଝିପାରି ହୋ ହୋ ହୋଇ ହସି ଉଠିଲେ । ଆଉ କେହି ପଣ୍ଡିତଙ୍କ କଥା ଶୁଣିବା ପାଇଁ ପ୍ରସ୍ତୁତ ନ ଥିଲେ । ଦଶମ ଶ୍ରେଣୀଟା ହସ ଆଉ ହସରେ ଫାଟିପଡ଼ିଲା-। ଠିକ୍‌ ଏତିକିବେଳେ ସ୍କୁଲର ପ୍ରଧାନ ଶିକ୍ଷକ ଦୌଡ଼ି ନ ଆସିଥିଲେ ହୁଏତ ପରିସ୍ଥିତି ଅନ୍ୟରୂପ ଧରିଥାନ୍ତା । ପ୍ରଧାନ ଶିକ୍ଷକ ପିଲାଙ୍କଠାରୁ ପଣ୍ଡିତଙ୍କ ଅଜ୍ଞତାର ପରିଚୟ ପାଇ ଲଜ୍ଜିତ ହେଲେ-। ଚାକିରି ଜୀବନରେ ଛୁରା ଘଟଣା ଏବଂ ପରେ ପରେ ଏଭଳି ଏକ ଦୁର୍ଘଟଣାର ସମ୍ମୁଖୀନ ହେବେ ବୋଲି ସେ ଆଶା କରି ନ ଥିଲେ ।

 

X X X

 

ସେହିଦିନ ପ୍ରଧାନ ଶିକ୍ଷକ ଘରକୁ ଫେରିଗଲାବେଳେ ଦେଖିଲେ ତାଙ୍କ ଟେବୁଲ ଉପରେ ରହିଛି ସଂସ୍କୃତ ପଣ୍ଡିତ ଶ୍ରୀ ଦୟାମୟ ରଥଶର୍ମାଙ୍କର ଇସ୍ତଫା ପତ୍ର ।

 

(କଥାକାର)

Image

 

Unknown

ଭଡ଼ାଘର

(ଏକ)

 

ଚଟି ହଳକ ଘୋଷାଡ଼ି ଘୋଷାଡ଼ି ମୁଁ ସ୍କୁଲକୁ ଯିବା ଉଦ୍ଦେଶ୍ୟରେ ଘରୁ ବାହାରୁଛି, ହଠାତ୍‌ ବାହାରୁ ମିନିବୋଉଙ୍କ କଣ୍ଠ ଶୁଣାଗଲା, ମୋ ପାଦ ଆପେ ଆପେ ଅଟକିଗଲା । ମିନି ବୋଉ ସେନ୍‌ ବାବୁଙ୍କ ସ୍ତ୍ରୀ । ମତେ ଦେଖିଲେ ସେ ମୁଣ୍ଡରେ ଲୁଗାଦେଇ ପାଖେଇ ଯାଆନ୍ତି । ନିହାତି ଦରକାର ପଡ଼ିଲେ ମୋ ସ୍ତ୍ରୀ ମାଧ୍ୟମରେ କଥା ହୁଅନ୍ତି । ମୋ ସ୍ତ୍ରୀଙ୍କ ଅନୁପସ୍ଥିତିରେ ଗଛକୁ କାନ୍ଥକୁ କହିଲା ପରି ମୋ ସହିତ କଥା ହୁଅନ୍ତି । ତେଣୁ ସୌଜନ୍ୟ ଦୃଷ୍ଟିରୁ ମୁଁ ବି ଲୁଚିବା ଭାବ କରେ । ସାମ୍‌ନା ସାମ୍‌ନି ହେବା ପାଇଁ କୁଣ୍ଠା ପ୍ରକାଶ କରେ ।

 

ସେନ୍‌ ବାବୁଙ୍କ ସ୍ତ୍ରୀ ମୋ ଶ୍ରୀମତୀଙ୍କୁ କହୁଥିଲେ, ଟୁଲୁ ବୋଉ, ଭାରି ଭଲ ପିକ୍‌ଚରଟିଏ ଆସିଛି, ଆଜି ଚାଲ ମ । ସେଦିନ ତ ବହୁତ କାମ ଅଛି ବୋଲି କହି ଫାଙ୍କିଦେଲ । ହେଲେ...ଆଜି କିଛି ଶୁଣିବିନି । ଆଜି ଯିବା । ଫେରିଲାବେଳେ ମୋ ପାଇଁ ଭଲ ଶାଢ଼ିଟିଏ ବାଛି ଦେବ ।

 

ନା, ମିନିବୋଉ, ମତେ ସିନେମା ଦେଖିବାକୁ ଭଲ ଲାଗେନି । ତା’ପରେ ... ଏ ଘର ଝମେଲାରେ ଏମିତି ଛନ୍ଦି ହେଇ ରହିଛି ଯେ ମୁହୂର୍ତ୍ତେ ସମୟ ପାଉନି । ତମେ ନିଜେ ତ ଦେଖୁଛ–ଖାଲି କାମ କାମ କାମ ।

 

ଶ୍ରୀମତୀଙ୍କ ଉତ୍ତର ପରବର୍ତ୍ତୀ ଦୀର୍ଘଶ୍ୱାସ ମୋର ସ୍ୱାମୀ ହେବାର ଯୋଗ୍ୟତାକୁ ଯେମିତି ବିଦ୍ରୂପ କଲା ।

 

ତାଙ୍କୁ କ’ଣ ସତରେ ସିନେମା ଭଲ ଲାଗେନି ? ମିଛ କଥା । ବାହାଘରର ମାସକ ପରଠାରୁ ମୁଁ ତାଙ୍କର ସିନେମା ଦେଖା ଝୁଙ୍କ ବେଶ୍‌ ଲକ୍ଷ୍ୟ କରିଛି । କେତେଥର ଯେ ସିନେମା ଯିବା ପାଇଁ ଅନୁରୋଧ, ଅଳି, ରାଗ, ଅଭିମାନ କରିଛନ୍ତି ତା’ର ହିସାବ ନାହିଁ । କିନ୍ତୁ ଏଇ କେତେ ମାସ ହେଲା ହଠାତ୍‌ ଏ ପରିବର୍ତ୍ତନ କାହିଁକି ?

 

ମୁଁ ଭିତରୁ ଡାକିଲି, ହଇ ହେ...ଶୁଣୁଛ ?

 

ମୁଁ ସ୍ପଷ୍ଟ ଦେଖିପାରିଲି ସେନ୍‌ ବାବୁଙ୍କ ସ୍ତ୍ରୀ ମୋ କଥା ଶୁଣି ଜିଭ କାମୁଡ଼ି ଖୋସାରେ ଲୁଗା ଦେଇ ଲାଜୁଆ ମୁହଁରେ ନିଜ ଘରଆଡ଼େ ମୁହେଁଇଲେ । ଆମ ଶ୍ରୀମତୀ ଛୋଟ ଛୁଆଟିକି କାଖରେ ଧରି ଆସି ମୋ ପାଖରେ ଠିଆ ହେଲେ ।

 

ଫୁଲ ପରି ତୋଫା ମୁହଁଟା ବିଷାଦରେ ଫୁଲି ଯାଇଛି । ମୁଣ୍ଡର ଅଲରା ବାଳଗୁଡ଼ାକ ଗାଲ ଉପରେ ପଡ଼ିଛି । ଦେହରେ ବ୍ଲାଉସ୍‌ ନାହିଁ, ଶାଢ଼ିଟାର କାନିଟା ଅଣ୍ଟାରେ ଗୁଡ଼ା ହେଇଛି ।

 

ମୁଁ କହିଲି, ଯାଉନା, ସେ ପରା ଡାକୁଛନ୍ତି ।

 

ସେ କ’ଣ କହିବି କହିବି ହେଇ କହିପାରୁ ନାହାଁନ୍ତି ଏହା ତାଙ୍କ ମୁଖମଣ୍ଡଳରୁ ସ୍ପଷ୍ଟ ଜଣା ପଡ଼ୁଥିଲା । ମୁଁ ପୁଣି କହିଲି, କ’ଣ ଭାବୁଛ ? ଭଲ ସିନେମାଟାଏ ଆସିଛି । ଦେଖି ଆସନା.... ।

 

ଆଜି ସତେଇଶି ତାରିଖ; ମୁଁ କ’ଣ ଅସୁବିଧାଟା ବୁଝି ପାରୁନି ? କାଲି ପରା ଦଶଟଙ୍କା ଧାର ଆଣିଛି ବୋଲି କହୁଥିଲ ? ମତେ ପୁଣି ସିନେମା ଦେଖି ଯିବାପାଇଁ କହୁଛ ? ରାତି ପାଇଁ ଘରେ ଚାଉଳ ପରିବା ନାହିଁ । ସ୍କୁଲରୁ ଫେରିଲାବେଳେ ଆଣିବ । ମନେ ରହିଲା ତ ?

 

ମୋର ଆଉ କୌଣସି ଉତ୍ତର ଶୁଣିବା ପାଇଁ ଅପେକ୍ଷା ନ କରି ସେ ରୋଷେଇ ଘର ଆଡ଼କୁ ଚାଲିଗଲେ । ଗଲାବେଳେ ଭଙ୍ଗା ଦ୍ୱାରର ଲୁହା କଣ୍ଟାଟା ଲାଗି ତାଙ୍କ ଲୁଗା ଧଡ଼ିରୁ ବେଶ୍‌ କିଛି ଚିରିଗଲା । ସେଥିପ୍ରତି ଆଦୌ ଦୃଷ୍ଟି ନ ଦେଇ ସେ ରୋଷେଇ ଘରେ ପଶିଲେ ।

 

ମୋ ପାଟିରୁ ମୋ ଅଜାଣତରେ ବାହାରିଗଲା, ଆହା ।

 

ଆରେ ! ସତେ ତ ମୁଁ କେଡ଼େ ବୋକା । ହାତରେ ନ ଥାଉ ଧନ, ଝିଅ ବାହା କରିବାକୁ ମନ । ଧିକ୍‍ ମୋ ପୌରୁଷକୁ । ସିନେମା ଦେଖିବା ପାଇଁ ମୋ ସ୍ତ୍ରୀକୁ ଦୁଇଟା ଟଙ୍କା ଦେବାର ଶକ୍ତି ମୋର ନାହିଁ ? ସ୍ତ୍ରୀଙ୍କ ପାଇଁ ଭଲ ଶାଢ଼ିଟିଏ କିଣି ପାରୁନି କି ପିଲାମାନଙ୍କ ପାଇଁ ଜାମା ପ୍ୟାଣ୍ଟ୍‌ କରି ପାରୁନି । ଆଉ ନିଜେ ଗୋଟିଏ ସାର୍ଟକୁ ରାତିରେ ସଫା କରି ସକାଳେ ପିନ୍ଧୁଛି । କି ଲଜ୍ଜାକର କଥା-! ନା, ଲଜ୍ଜା ମୋ ଦେହସୁହା ହେଇଗଲାଣି । ଦୀର୍ଘ ସାତ ବର୍ଷ କାଳ ଶିକ୍ଷକତା କରି ମୋର କିଛି ଉନ୍ନତି ହେଇଛି ? ବରଂ ମୁଁ ଯାହା ଥିଲି ତାଠୁଁ ଆହୁରି ବହୁତ ପଛେଇଛି । ନା ଘର କରିଛି, ନା ଜମି କିଣିଛି, ନା ସୁନା କରିଛି, ନା ଭଲ ଖାଉଛୁ, ନା ଭଲ ପିନ୍ଧୁଛୁ,–କିଛି ନାହିଁ । କୌଣସି ପ୍ରକାରେ ଗଣ୍ଡେ ଖାଇ ଖଣ୍ଡେ ପିନ୍ଧି ବଞ୍ଚିଛୁ । ପରିବାର ମଧ୍ୟରେ ଆମେ ଦି’ପ୍ରାଣୀ ଆଉ ଛୁଆ ଚାରିଟା-। ଆଗରୁ ଏମିତି ଅସୁବିଧା ହବ ବୋଲି ଜାଣିଥିଲେ ମୁଁ କଦାପି ଏ ଭୁଲ୍‌ କରି ନ ଥା’ନ୍ତି । ଚାରିଟାଯାକ ଛୁଆ କିଏ କାହାକୁ କମ୍‌ ନୁହଁନ୍ତି । ପ୍ରତି ମୁହୂର୍ତ୍ତରେ କିଛିନା କିଛି ଗୋଟାଏ ଅଭାବ, ପାଟିତୁଣ୍ଡ, ମାଡ଼ ଗାଳି ଲାଗି ରହିଛି । ସତରେ ଛୁଆଗୁଡ଼ିକୁ ମୁଁ ଭଲ କରି ଖାଇବାକୁ କିମ୍ୱା ପିନ୍ଧିବାକୁ ଦେଇ ପାରୁନି ବୋଲି ମୋ ମନରେ ଭାରି ଦୁଃଖ । ସେମାନେ କେମିତି ମଣିଷ ହେବେ ସେ କଥା ଚିନ୍ତାକରି ମୋ ମୁଣ୍ଡ ଭାରାକ୍ରାନ୍ତ । ଖାଲି ଅଭାବ-ଅଭାବ-ଅଭାବ । ଚାକିରି ତ ଚାକିରି ଶିକ୍ଷକ ଚାକିରି । ମାସିକ ରୋଜଗାର ମାତ୍ର ଶହେ ଅଶି ଟଙ୍କା । ଦେଖୁ ଦେଖୁ ପନ୍ଦର କୋଡ଼ିଏ ଦିନରେ ସବୁ ଟଙ୍କା ପାଣି ପରି ବୋହିଯାଏ । ଦାନ୍ତ ନିକିଟି, ଗୋଡ଼ ଭାଙ୍ଗି, ହାତ ମଳି ମଳି ଟଙ୍କା ପାଞ୍ଚ ଦଶଟା ପାଇଁ ବାରଦ୍ୱାର ହେବାକୁ ପଡ଼େ । ପୁଣି ଦରମା ପାଇବା ଦିନକୁ ସାହୁକାର ପାଖରେ ଖାତକ ପ୍ରତୀକ୍ଷା କଲା ପରି ବିକଳରେ ଅନେଇବାକୁ ହୁଏ । ଦରମା ଆସେ...ମାତ୍ର ସପ୍ତାହେ ପାଇଁ ଆନନ୍ଦର ଖୋରାକ ନେଇ । ପୁଣି ସେ ନିଜର କର୍ତ୍ତୃତ୍ୱ ହରେଇ ବସେ । ଯେଉଁ ଅଭାବକୁ ସେଇ ଅଭାବ-

 

ଏ ପୃଥିବୀରେ ଜନ୍ମହେବା ମୋ ପାଇଁ ଯେମିତି ଗୋଟାଏ ଶାସ୍ତି । ଅଭିଶପ୍ତ ଜୀବନ ନେଇ ଏଠି ଜଣେ ସନ୍ତାନ-ପ୍ରପୀଡ଼ିତ ଗରିବ ପିତା ବଞ୍ଚିବା ଯେ କେଡ଼େ କଷ୍ଟକର ତାହା ମୁଁ ଅଙ୍ଗେ ନିଭୋଉଛି । ଭଗବାନ କରନ୍ତୁ, ଦୁନିଆଁରେ କେହି ବହୁ ସନ୍ତାନର ଜନକ ନ ହୁଅନ୍ତୁ । ଏଇ ଭଗବାନ କାହାକୁ କୁବେର କରିଛନ୍ତି ତ କାହାକୁ ଖାଇବାକୁ ମୁଠାଏ ନ ଦେଇ ରାସ୍ତାଘାଟରେ ପୋକ ମାଛି ପରି ଜୀଅନ୍ତା ମାରୁଛନ୍ତି । ଏ ସୃଷ୍ଟି ବଡ଼ ବୈଚିତ୍ର୍ୟପୂର୍ଣ୍ଣ ।

 

ସେନ୍‌ ବାବୁ ସପ୍ଳାଇ ଅଫିସ୍‌ରେ ଜଣେ ତଳିଆ କର୍ମଚାରୀ । ମାସକୁ ଦରମା ମାତ୍ର ୨୫୦ ଟଙ୍କା । ମୋ ଦରମାଠାରୁ ମଧ୍ୟ କମ୍‌ । ଅଥଚ ତାଙ୍କ ସ୍ତ୍ରୀ ୨୭ ତାରିଖରେ ଭଲ ଶାଢ଼ି କିଣିବା ପାଇଁ ସକ୍ଷମ । ସେ ପଚାଶ ଟଙ୍କାରୁ କମ୍‍ ଦାମ୍‌ର ଶାଢ଼ି ପିନ୍ଧିବା ମୁଁ କେବେ ଦେଖିନି । ପ୍ରତ୍ୟହ ନୂଆ ନୂଆ ବ୍ଲାଉସ୍‌ । ସେନ୍‌ ବାବୁଙ୍କ ଘରକୁ ପ୍ରତ୍ୟହ ମାଛ କିମ୍ୱା ମାଂସ ବୁହା ହେଉଛି । ଶ୍ରୀ ସେନ୍‌ କୁଆଡ଼େ ଆମିଷ ନ ହେଲେ ଖାଇ ପାରନ୍ତିନି । ତାଙ୍କର ପୁରୁଣା ଘର ପଛପଟେ ନୁଆ କୋଠା ମୁଣ୍ଡ ଟେକୁଛି । ରାତିଦିନ କୋଠା କାମ ଚାଲିଛି । ବଡ଼ ବଡ଼ ହାକିମ, ଦୋକାନୀ ଏବଂ ଶେଠ୍‌ଙ୍କର ଗାଡ଼ି ତାଙ୍କ ଦୁଆରେ ଅଟକୁଛି ।

 

ଆଉ ମୁଁ ? ମୋ ପରିବାର ? ମୁଁ, ମୋ ସ୍ତ୍ରୀ ଏବଂ ମୋ ଛୁଆମାନେ... ଆମେ ସମସ୍ତେ ସେନ୍‌ ବାବୁଙ୍କ କୋଠାଆଡ଼େ ଆଶ୍ଚର୍ଯ୍ୟାନ୍ୱିତ ହେଇ ଅନେଇ ରହୁ ।

 

ମିନିର ସାଇକେଲ୍‌ ଦେଖି ଟୁଲୁ ଦିନେ ସାଇକେଲ ପାଇଁ ରାହା ଧରି କାନ୍ଦି କମ୍ ଗାଳି ମାଡ଼ ଖାଇନି । ଏବେ ବି ତା’ ପିଠିରେ କ୍ଷତ ଚିହ୍ନ ରହିଛି । ମିନିର ଗୋଟିଏ ଜାମା ଆମ ପରିବାରର ସମସ୍ତଙ୍କର ସମସ୍ତ ପରିଧେୟ ଦାମ୍‌ ଠାରୁ ଅଧିକ ହେବ ।

 

ଭଗବାନଙ୍କର କି ବିଚିତ୍ର ଖିଆଲ ।

 

X X X

 

ମୁଁ ସେଦିନ କ୍ଲାସରେ ପିଲାଙ୍କୁ ଆଦୌ ପଢ଼େଇ ପାରିଲିନି । ପ୍ରଧାନ ଶିକ୍ଷକଙ୍କୁ ଦେହ ଖରାପ ଅଛି ବୋଲି କହି ସ୍କୁଲରୁ ଫେରି ଆସିଲି ।

 

ଘରକୁ ଫେରିଲାବେଳେ ବହୁତ ଖୋଜାଖୋଜି କରି ଯାହାହେଉ ଭଡ଼ା ଘରଟିଏ ପାଇଲି-। ଚାଳଘର ହେଲେ କ’ଣ ହେଲା କୂଅ, ପାଇଖାନା ଅଛି । ମାସକୁ ଭଡ଼ା ମାତ୍ର ଚାଳିଶ ଟଙ୍କା । ଘର ମାଲିକକୁ ଆସନ୍ତା ପହିଲା ଠାରୁ ରହିବି ବୋଲି ପ୍ରତିଶ୍ରୁତି ଦେଲି ।

 

ବଜାରରୁ ଚାଉଳ ଦୁଇ କିଲୋ ଆଉ କିଛି ପରିବା ନେଇ ଘରେ ପହଂଚିଲି । ସେନ୍‌ ବାବୁ ସପରିବାର ସିନେମା ଦେଖି ଯିବା ପାଇଁ ରିକ୍‌ସା ଚଢ଼ୁଥିଲେ ।

 

ମୁଁ ଆମ ଦାଣ୍ଡ ଦ୍ୱାରରେ କରାଘାତ କଲି । ମୋ ସ୍ତ୍ରୀ ଦ୍ୱାର ଖୋଲିଦେଇ ବିନା ବାକ୍ୟବ୍ୟୟରେ ପୁଣି ପ୍ରତ୍ୟାବର୍ତ୍ତନ କଲେ । ବୋଧହୁଏ ମତେ ଦେଖି ନୁହେଁ ସେନ୍‌ ବାବୁଙ୍କ ପରିବାରକୁ ଦେଖି ।

 

ମୁଁ ଚାଉଳ ପରିବା ଥିବା ବ୍ୟାଗ୍‌ଟି ରଖିଦେଇ ଅଗଣା ପିଣ୍ଡାରେ ଦୀର୍ଘ ନିଃଶ୍ୱାସ ପକାଇ ଥକ୍‌କା ହେଇ ବସି ପଡ଼ିଲି । କହିଲି, ଏଇ ପହିଲା ଦିନ ଆମେ ଏ ଘର ଛାଡ଼ି ଆର ସାହିକି ଚାଲିଯିବା । ଭଲ ଘରଟିଏ ଦେଖି ଆସିଛି ।

 

ହଁ, ଭଲ ହବ । ଆମେ ଏଠୁ ଚାଲିଯିବା, ଶ୍ରୀମତୀ ମୋ ସହିତ ଅତି ସାଧାରଣ ଭାବରେ ଏକମତ ହେଇଗଲେ ।

 

(ଦୁଇ)

 

୧୯୬୯ ମସିହା ଅକ୍‌ଟୋବର ମାସ ପହିଲାର ସକାଳ । ସୂର୍ଯ୍ୟୋଦୟ ହେବାକୁ ଆହୁରି ଅନେକ ସମୟ ବାକି । ଗୋଟିଏ ଘର ଛାଡ଼ି ଅନ୍ୟ ଏକ ଗୃହ ପ୍ରବେଶ ପର୍ବ ଆରମ୍ଭ ଲାଗି କେତେ ପ୍ରସ୍ତୁତି ଲୋଡ଼ା ସେ କଥାକୁ ରୋମନ୍ଥନ କରି ମୁଁ ରାତିସାରା ଭଲ ଭାବରେ ଶୋଇ ପାରି ନଥିଲି । ହଠାତ୍‌ ବାହାରେ ବହୁଲୋକଙ୍କର ସମ୍ମିଳିତ ଆଲୋଚନା ମତେ ବିଛଣାରେ ପଡ଼ି ରହିବାକୁ ଦେଲାନି । ଝରକା ପାଖକୁ ଯାଇ ଦେଖିଲି ସେନ୍‌ ବାବୁଙ୍କ ଘର ଚାରିପଟେ ପୋଲିସବାଲାଙ୍କ ଭିଡ଼-

 

ମୁଁ କାହାକୁ କିଛି ନ ପଚାରି ମଧ୍ୟ ପ୍ରକୃତ ଘଟଣାଟା କ’ଣ ସ୍ପଷ୍ଟ ବୁଝି ପାରିଲି । ନ ହସି ରହି ପାରିଲିନି ।

 

ମୋ ସ୍ତ୍ରୀ ଟୁଲୁକୁ କୋଳରେ ପୂରେଇ ନିଦରେ ଉଷୁମ ଟାଣୁଥିଲେ । ଡରେଇ ଦେଲାଭଳି ଖୁବ୍‌ ଜୋର୍‌ରେ ତାଙ୍କୁ ହଲେଇ ଦେଇ କହିଲି, ଏ ନିଦ । ନିଦ । ଶୁଭୁଛି ? ଉଠ ମ । ଶୁଣୁଛ ?

 

ମନେ ମନେ ବୋଧହୁଏ ବିରକ୍ତି ହୋଇ ସେ ପ୍ରଶ୍ନ କଲେ, ଓଃ......କ’ଣ ?

 

ଆମକୁ ଆଉ ଏ ଘର ଛାଡ଼ିବାକୁ ପଡ଼ିବନି ।

 

ମୋ କଥା ଶୁଣି ସେ ଧଡ଼୍ ପଡ଼ ହେଇ ଉଠି ବସିଲେ । ଆଖି ମଳି ମଳି ପଚାରିଲେ, କ’ଣ କହୁଛ ? ସପନ ଦେଖି ବିଳିବିଳୋଉଛ କି ?

 

ମୁଁ କିଛି ନ କହି ଝରକା ବାଟେ ସେନ୍‌ବାବୁଙ୍କ ଘର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରି ଦେଖିବାକୁ ସଙ୍କେତ ଦେଲି ।

 

ସେ ବାହାରକୁ ଅନେଇଲେ ।

 

କିଛିକ୍ଷଣ ପରେ ପଚାରିଲି, କ’ଣ ଦେଖିଲ ?

 

ଶ୍ରୀମତୀ ଉତ୍ତରରେ ଖାଲି ହସିଲେ ଆଉ ହସିଲେ ।

Image

 

ନିର୍ବାଣ

 

(ସ୍ଥାନ ହିମାଳୟ ପାଦଦେଶରେ କୌଣସି ଏକ ଅନାମଧେୟ ଆଶ୍ରମ ।)

 

ବୁଦ୍ଧଂ ଶରଣଂ ଗଚ୍ଛାମି............

ସଙ୍ଘଂ ଶରଣଂ ଗଚ୍ଛାମି............

ଧମ୍ମଂ ଶରଣଂ ଗଚ୍ଛାମି............

 

ଗୁରୁ ଗମ୍ଭୀର ନିଘୁଷ୍ଟରେ ମୁଖରିତ ହୋଇଉଠେ ବନଭୂମି । ସକାଳର ନରମ କାକ-ଜ୍ୟୋତ୍ସ୍ନା ଆକାଶରୁ ଓହ୍ଲାଇ ଆସି ମାଟି ଛୁଇଁଲା ବେଳକୁ ଆଶ୍ରମର ପୂଜା ଆରାଧନାର ପ୍ରଥମ ପର୍ଯ୍ୟାୟ ଶେଷ ହୁଏ । ଆରମ୍ଭ ଏବଂ ଶେଷ ମଧ୍ୟରେ ସମୟର ବ୍ୟବଧାନ ସୂର୍ଯ୍ୟଦେବଙ୍କ ଉଦୟରୁ ଅସ୍ତରାଗ ସର୍ଜନା । ଆଶ୍ରମର ଆଧ୍ୟାତ୍ମିକ ଆଧ୍ୟାତ୍ମିକ ପରିବେଶ ମହାତ୍ମା ବୁଦ୍ଧଦେବଙ୍କ ଜୟଗାନ କରିବାରେ ସତତ ମୁଖର । ଆଶ୍ରମର ଅସଂଖ୍ୟ କଠୋର ନିୟମରେ ବାନ୍ଧିହୋଇ ସୁଦ୍ଧା ବୌଦ୍ଧ ଭିକ୍ଷୁଙ୍କ ମନରେ ଟିକିଏ ହେଲେ ବିକାର ନାହିଁ କି ଦୁଃଖ ନାହିଁ; ସମସ୍ତଙ୍କ ମୁଖମଣ୍ଡଳରେ ଏକ ଅପୂର୍ବ ଜ୍ୟୋତିର ସଙ୍କେତ । ବୌଦ୍ଧିକ ଚିନ୍ତାଧାରା ଏବଂ ବୌଦ୍ଧ ଜାତକର ଆଲୋଚନାରେ ନିମଗ୍ନ ହୋଇ ଆପଣାକୁ ବିସ୍ମରି ମହାନିର୍ବାଣ–ସଙ୍ଘ ଲାଭର ଖିଆଲି ସୁଖ ସ୍ୱପ୍ନ ସେମାନଙ୍କ ପାଇଁ ଆନନ୍ଦ । କିଛି ନ ପାଇ ମଧ୍ୟ ତଥାଗତଙ୍କ ନାମୋଚ୍ଚାରଣ କରି ଦୁନିଆଁର ସମସ୍ତ ସୁଖ ପ୍ରାପ୍ତ ହେବାର ଆନନ୍ଦରେ ସେମାନେ ଯେତିକି ଗର୍ବିତ, ଜ୍ଞାନ ଭାରରେ ସେତିକି ନମ୍ର, ଧୀର, ସଂଯତ । ଦୁନିଆଁର ସମସ୍ତ ସୁଖ ଶାନ୍ତି ଯେମିତି ସେଇ ଆଶ୍ରମବାସୀଙ୍କ ମନରେ ଆସି ଖୁନ୍ଦି ହୋଇ ରହିଛି ।

 

ଆଶ୍ରମର ପରିବେଶ ବେଶ୍ ଗମ୍ଭୀର । ଆଶ୍ରମ ବଗିଚାରେ ନାନା ରଙ୍ଗର ଫୁଲ ନନ୍ଦନ କାନନର ମରୀଚିକା ସୃଷ୍ଟି କରୁଛି । ପତ୍ର, ଫଳ, ପୁଷ୍ପଭରା ଜାତି ଜାତି ବୃକ୍ଷଲତା ସୁଶୋଭିତ ଚିରବସନ୍ତର ସ୍ମାରକୀ ଏଇ ନନ୍ଦନ କାନନରେ କୋକିଳର ବୀଣାଜିଣା କଣ୍ଠର ମଧୁର ଝଙ୍କାର ସହିତ ମୟୂର ନୃତ୍ୟର ପ୍ରତିଯୋଗିତା ଶ୍ରୀବୃଦ୍ଧି କରୁଛି ।

 

ପୂର୍ଣ୍ଣାନନ୍ଦ କାହାନ୍ତି ।

 

ଆଶ୍ରମର ପୂଣ୍ୟ ପବିତ୍ର ହର୍ଷୋଚ୍ଛ୍ୱାସ ପରିବେଶ ହଠାତ୍‌ ଯେମିତି ନିଃସ୍ପନ୍ଦ ହୋଇଗଲା କୌଣସି ଏକ ଯାଦୁକରର କୁହୁକ ପରଶ ପାଇଲା ପରି । ଆଶ୍ରମବାସୀଙ୍କୁ ଦୁଃଖ, ଆଶ୍ଚର୍ଯ୍ୟ ଏବଂ ଆଶଙ୍କାର ଜାଲରେ ଛନ୍ଦି ଦେଲା । ବିଦଗ୍‌ଧ ସାଧକମାନଙ୍କ ମନର କୋଣ ଅନୁକୋଣରେ ସେଇ ଗୋଟିଏ ପ୍ରଶ୍ନବାଚୀ, ପୂର୍ଣ୍ଣାନନ୍ଦ କାହାନ୍ତି ?

 

ଜଣେ ଅତି ବୃଦ୍ଧ କାଶିସାରି କିଛିକ୍ଷଣ ଦମ୍‌ ନେଲାପରେ ନିଜ ବିଗଳିତ ଚର୍ମରେ ହସ୍ତ ସଞ୍ଚାଳନ କରି ଉତ୍ତାପ ମାପୁ ମାପୁ କଷ୍ଟ ସ୍ୱୀକାର କରି କହିଲେ, ବୋଧେ ପୂର୍ଣ୍ଣାନନ୍ଦ ଚାଲିଗଲେ ।

 

ଗୋଟିଏ କୋଣରେ ଏକ ଜରାଜୀର୍ଣ୍ଣ ଖୁଣ୍ଟରେ ନିଜ ପୃଥୁଳ ବପୁର ଭାରା ଲଦିଦେଇ ନାସମଜ ସମ ଦୀର୍ଘ ସମୟ ଧରି ଚୁପ୍‌ଚାପ୍ ବସିଥିବା ଯୁବକ ଜଣକ ଅନିଚ୍ଛା ସତ୍ତ୍ୱେ ମତବ୍ୟକ୍ତ କଲେ, ମୁଁ ଠିକ୍‌ ଏଇ ସନ୍ଦେହ କରିଥିଲି ।

 

ପୂର୍ଣ୍ଣାନନ୍ଦ ଖୁବ୍ ଚିନ୍ତିତ ଥିଲେ ଏଇ କିଛି ଦିନ ହେଲା, ଆଉ ଜଣେ ବହୁତ ପୂର୍ବରୁ ପ୍ରସ୍ତୁତ ଥିଲା ପରି କହି ପକାଇ ନିଜକୁ ହାଲୁକା ବୋଧ କଲେ ।

 

ମଞ୍ଚ ଉପରେ ଆସୀନ ଗୁରୁଦେବ ବିଭିନ୍ନ ମତାମତକୁ ବିଶ୍ଳେଷଣ କରି ନୀରବତା ସୃଷ୍ଟି ଲାଗି କହିଲେ, ତଥାଗତ ତାଙ୍କର ମଙ୍ଗଳ କରନ୍ତୁ ।

 

‘ତଥାଗତ ତାଙ୍କର ମଙ୍ଗଳ କରନ୍ତୁ’ ଆଶୀର୍ବାଦ ବାଣୀ ନିକଟସ୍ଥ ବୋଧିଦ୍ରୂମରେ ବାଧାପାଇ ପୁଣି ପ୍ରତିଧ୍ୱନିତ ହୋଇ ଫେରି ଆସିଲା ଗୁରୁଦେବଙ୍କ ମନ ଅରଣ୍ୟ ଭିତରକୁ ।

 

ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରି ଗୁରୁଦେବ ଧ୍ୟାନମଗ୍ନ ହେଲେ ।

 

ପୂର୍ଣ୍ଣାନନ୍ଦ, ଜିଜ୍ଞାସୁ ପୂର୍ଣ୍ଣାନନ୍ଦ ଜଣେ ଛୋଟ ବୋକା ଛାତ୍ର ପରି ପ୍ରଶ୍ନ କରିଥିଲେ, ଗୁରୁଦେବ । ଦେହକୁ ଦେହାତୀତ କରିବାର କୌଣସି ସୁଗମ ପଥ ରହିଛି ? ଆପଣ କହନ୍ତି– କାମନାର ବିନାଶରେ ଦୁଃଖର ବିନାଶ । ଏଥିପାଇଁ ଲୋଭ, ମାୟା ପରିତ୍ୟାଗ କରି ଇନ୍ଦ୍ରିୟ ସଂଯମ କରିବାକୁ ହେବ । ତେବେ ମୋର ଆଜି ଗୋଟାଏ ସନ୍ଦେହ ଦୟାକରି ଦୂର କରନ୍ତୁ । ଭିକ୍ଷା ବୃତ୍ତି କରି ପେଟର କ୍ଷୁଧା ମେଣ୍ଟାଇବା କ’ଣ ପାପ ନୁହେଁ ? ମୋ ମତରେ ଖାଦ୍ୟ, ପାଣି, ପବନ ଗ୍ରହଣ କରି ଆମେମାନେ ନିର୍ଭରଶୀଳ ହୋଇ ପଡ଼ିଛୁ । ଅର୍ଥାତ୍ ଆମେମାନେ କେହି ଇନ୍ଦ୍ରିୟ ସଂଯମୀ ନୋହୁ । ତେବେ ଏ ବ୍ୟର୍ଥ ସାଧନା କରି ଲାଭ କ’ଣ ? ଗୁରୁଦେବ, ମଣିଷ କ’ଣ ଏସବୁ ଅପୋହ୍ୟ କରି ଦେହାତୀତ ପରେ ସ୍ୱର୍ଗାଲୋକରେ ନିଜକୁ ପିବତ୍ର କରି ଉପବିଷ୍ଟ କରାଇ ପାରିବନି ? ଆମେ କ’ଣ ସମସ୍ତେ ନରକୌଜାଃ ? ମୋର ଆତ୍ମବିଶ୍ୱାସ ଅଛି, ଆମେ ସବୁପ୍ରକାର କାମନାରୁ ମୁକ୍ତ ହେଲେ ତଥାଗତଙ୍କ ଆଶୀର୍ବାଦରୁ ନିର୍ବାଣ ଲାଭ କରିପାରିବା ।

 

ମନଗହନର ସମସ୍ତ ଦ୍ୱନ୍ଦ୍ୱ, ଆବେଗ, ପ୍ରଶ୍ନ ଏବଂ ଉତ୍ତର ଗୁରୁଦେବଙ୍କୁ ଆଦୌ କୁହାଇ ନ ଦେଇ ଏକା ନିଃଶ୍ୱାସରେ କହି ପକାଇଲେ ପୂର୍ଣ୍ଣାନନ୍ଦ । କଥାନ୍ତେ ତାଙ୍କର ମୁଦ୍ରିତ ନୟନର ଦୁଇଧାର ଆନନ୍ଦାଶ୍ରୁ ଗୁରୁଦେବଙ୍କ ରକ୍ତାଭ ଗଣ୍ଡଦେଶକୁ ସିକ୍ତ କଲା ।

 

ପୂର୍ଣ୍ଣାନନ୍ଦଙ୍କ ଏତେଗୁଡ଼ାଏ ଅବାଞ୍ଛିତ ଅଯୌକ୍ତିକ ପ୍ରଶ୍ନବାଣରେ ଆଦୌ ବିବ୍ରତ ନ ହୋଇ ନୟଜ୍ଞ ଗୁରୁଦେବ ପୂର୍ଣ୍ଣାନନ୍ଦଙ୍କୁ କୋଳାଗ୍ରତ କରି ସ୍ନେହ ସମ୍ଭାଷଣ କଲେ; ବୁଦ୍ଧଂ ଶରଣଂ ଗଚ୍ଛାମି...ସଙ୍ଘଂ ଶରଣଂ ଗଚ୍ଛାମି...ଧମ୍ମଂ ଶରଣଂ ଗଚ୍ଛାମି..... ।

 

ଅତୃପ୍ତ, ଆଶାବାଦୀ ମଣିଷ ମୃତ୍ୟୁ ପରେ ଅଶରୀରି ହୋଇ ବୁଲେ । ପୂର୍ବଜନ୍ମର ପାପ ପୂଣ୍ୟ ଅନୁପାତରେ ସ୍ୱର୍ଗକୁ କିମ୍ୱା ନର୍କକୁ ଯିବାକୁ ପଡ଼େ । ଏସବୁ କେତେଦୂର ସତ୍ୟ ତାହା ବହୁ ପରୀକ୍ଷିତ ହେଲେ ମଧ୍ୟ ସନ୍ଦେହ ରହିଛି । ପୁଣି ପ୍ରାଣୀଙ୍କର ପୁନର୍ଜନ୍ମ ହୁଏ କି ନାହିଁ ତା’ର କୌଣସି ନିର୍ଦ୍ଦିଷ୍ଟ ବିଶ୍ୱାସଯୋଗ୍ୟ ପ୍ରମାଣ ନାହିଁ । ତଥାପି ଜନ୍ମ ପରେ ମୃତ୍ୟୁ, ମୃତ୍ୟୁ ପରେ ଜନ୍ମର ବିବର୍ତ୍ତନବାଦକୁ ଏତେ ସହଜରେ ସରଳ ଯୁକ୍ତିରେ ଅନ୍ଧବିଶ୍ୱାସ କହି ସୁଅପତର କରି ଦେଇ ହବନାହିଁ । ସେ ଯାହାହେଉ, ଜନ୍ମ ପରେ ମୃତ୍ୟୁ ନିଶ୍ଚିତ ।

 

ଏଇ ମୃତ୍ୟୁ ମଣିଷର ଲଗାମଛଡ଼ା ପାରିବାରିକ ଏବଂ ସାମାଜିକ ଜୀବନକୁ ନିୟନ୍ତ୍ରିତ କରେ । ଜୀବନ କ୍ଷଣିକ, ଅଳିକ । ମୃତ୍ୟୁ ନିଶ୍ଚିତ ଜାଣି ସୁଦ୍ଧା ପ୍ରାଣୀମାନେ ପାପ ଲିପ୍ତ ହେବାପାଇଁ କୁଣ୍ଠିତ ନୁହଁନ୍ତି । ଭଲ ମନ୍ଦର ପାର୍ଥକ୍ୟ ଯେ ନ ବୁଝେ ଜୀବନର ମୂଲ୍ୟ ବୁଝିବା ତା’ ପକ୍ଷରେ ଅସମ୍ଭବ । ଜୀବନ ଏବଂ ମୃତ୍ୟୁର ମୂଲ୍ୟ ଯେ ବ୍ୟାପକ ଅର୍ଥରେ; ହୃଦୟଙ୍ଗମ ତଥା ବିଶ୍ଳେଷଣ କରି କର୍ତ୍ତବ୍ୟରେ ପ୍ରୟୋଗ କରେ ସେ ସାଧୁ, ଭଦ୍ର, ସଂଯମୀ ହୁଏ ।

 

ଯୁଗେ ଯୁଗେ ସାଧୁସନ୍ଥମାନେ ମାନବ ସମାଜକୁ ଧ୍ୱଂସ ମୁଖରୁ ରକ୍ଷା କରିବାପାଇଁ ଚେଷ୍ଟା କରି ଆସିଛନ୍ତି । ସେମାନେ ପାପୀମାନଙ୍କୁ ସତର୍କ କରାଇବା ପାଇଁ ଉପଦେଶ ଦେଇଛନ୍ତି, ମଣିଷକୁ ତା’ର ସମସ୍ତ ସଞ୍ଚୟ ଏଇ ଧରାପୃଷ୍ଠରେ ଛାଡ଼ି ଯିବାକୁ ହେବ । ମୋର ଧନ, ମୋର ପରିବାର, ମୋର ବନ୍ଧୁ ଏସବୁ ଚିତ୍କାର ମୂଲ୍ୟହୀନ । ଏ ଜନ୍ମର କର୍ମଫଳ ହିଁ ଆର ଜନ୍ମରେ ଭୋଗ କରିବାକୁ ହେବ, ଯଦି ପୁନର୍ଜନ୍ମ ବୋଲି କିଛି ଥାଏ ।

 

X X X

 

କାଞ୍ଚନଜଙ୍ଘାର ଅଂଶ ବିଶେଷ ସ୍ତୁପିକୃତ ବରଫ ଉପରେ ଆକାଶର ଔଜଲ୍ୟ ପ୍ରତିବିମ୍ବିତ ହୋଇ ମୁକ୍ତାର ମାୟା ସୃଷ୍ଟି କରୁଛି । ହୁଏତ ଏଇ ବିଭ୍ରମରେ ପୂର୍ଣ୍ଣାନନ୍ଦ ଶୀକାର ହୋଇଛନ୍ତି । କୌଣସି ଏକ ନିର୍ଦ୍ଦିଷ୍ଟ କେନ୍ଦ୍ରବିନ୍ଦୁରେ ପହଞ୍ଚିବାକୁ ଚେଷ୍ଟା କରୁ କରୁ ପଥହୁଡ଼ି ଏଇ ବରଫାବୃତ ନିର୍ଜନ ପରିବେଷ୍ଟନୀ ଭିତରେ ନିଜକୁ ହଜାଇ ଦେଇଛନ୍ତି । ସାଧନା କରି ଜୀବନର ଚରମ ସାର୍ଥକତା ଲାଭପାଇଁ ଦେହ ଓ ଜୀବନକୁ ତିଳତିଳ କରି ଜାଳିବାର ମଧୁର ଯନ୍ତ୍ରଣାକୁ ସେ ସହାସ୍ୟ ଗ୍ରହଣ କରିଛନ୍ତି । ନିଜକୁ ସତ୍ୟ, ଶିବ, ସୁନ୍ଦର କରିବାର ସଂକଳ୍ପ ନେଇ ଆଲୋକ ସନ୍ଧାନୀ ପୂର୍ଣ୍ଣାନନ୍ଦ ଉତ୍ସର୍ଗୀକୃତ ଜୀବନର ମାୟାମମତାକୁ ଗୌଣ ମନେ କରିଛନ୍ତି । ପୂର୍ଣ୍ଣାନନ୍ଦ, ସଂଯମୀ ବ୍ରହ୍ମଚାରୀ ପୂର୍ଣ୍ଣାନନ୍ଦ ଏତେ ସ୍ୱାର୍ଥ ତ୍ୟାଗ କରି ପାଇଲେ କ’ଣ ? ହୁଏତ ଏହାର ଉତ୍ତର ସେ ନିଜେ କେବଳ ଜାଣିଥିବେ ।

 

ଜନ୍ମ ପରେ ମୃତ୍ୟୁ ହିଁ ଏକମାତ୍ର ସତ୍ୟ, ଠିକ୍‌ ଯେମିତି ପୂର୍ଣ୍ଣାନନ୍ଦଙ୍କ ଜୀବନରେ ଘଟିଲା ।

 

ଅନୁଚ୍ଚ ବରଫ ପାହାଡ଼ ଉପରେ ପୂର୍ଣ୍ଣାନନ୍ଦଙ୍କ ପ୍ରାଣହୀନ ଜଡ଼ ଶରୀରଟା ଶୃଗାଳ, ଶାଗୁଣା, କୁକୁରଙ୍କ ଭୁରି ଭୋଜନ ପାଇଁ ପରିତ୍ୟକ୍ତ ହୋଇ ପଡ଼ି ରହିଥିଲା ।

 

କାମନାହୀନ, ସଂଯମୀ ହୋଇ ଦେହକୁ ଦେହାତୀତ କରିବାର ଏକ ନୂତନ ପରୀକ୍ଷାମୂଳକ ଆତ୍ମବଳୀ ପରେ ପୂର୍ଣ୍ଣାନନ୍ଦ କ’ଣ ସ୍ୱର୍ଗକୁ ଗଲେ ?

 

ପୂର୍ଣ୍ଣାନନ୍ଦଙ୍କ ଶବ ନିକଟରେ ଗୁରୁଦେବଙ୍କ ସମେତ ଉପସ୍ଥିତ ଥିବା ସମସ୍ତ ବୌଦ୍ଧ ଭିକ୍ଷୁଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ, ପୂର୍ଣ୍ଣାନନ୍ଦ କ’ଣ ସ୍ୱର୍ଗକୁ ଗଲେ ?

Image

 

ଅବରୋହଣ : ଅବତରଣ

 

ପ୍ରଥମ ଭାଗ :

 

ରାତିରେ ଅଳ୍ପ କେତେ ଘଣ୍ଟା ପାଇଁ ଥମି ଯାଇଥିବା ଘରଣୀଙ୍କର ତେଲଲୁଣର ସଂସାର ପୁଣି ସବୁଦିନ ଭଳି ଭୋର ହେଉ ହେଉ ଆରମ୍ଭ ହୋଇ ଘରର ପରିବେଶଟାକୁ ମୁଖର କରି ଦେଲାଣି । ଅଗଣାପଟୁ ଘରଣୀଙ୍କର ଚିତ୍କାର ମଝିରେ ମଝିରେ ଶୁଣାଯାଉଛି । ସତେ ଯେମିତି ଯାତ୍ରୀର ଭାଷା ବୁଝୁ ନଥିବା ଏବଂ ଅଧିକ ପଇସା ପାଇଁ ଦାବି କରୁଥିବା ଅଭଦ୍ର ରିକ୍‌ସାବାଲାର ଗୁଡ଼ାଏ ଅସଂଲଗ୍ନ ସଂଳାପ (ଏ ଗଳ୍ପ ମୋ ଶ୍ରୀମତୀ ପଢ଼ିବେ ନାହିଁ, ସେହି ସାହସରେ ମୁଁ ଏକଥା ଲେଖି ପାରୁଛି) । ଶ୍ରୀମତୀଙ୍କର ଏ ଆକ୍ରମଣ ନିଶ୍ଚିତ ଭାବରେ ଯେ ଚାକର ଉପରେ (ଚାକରାଣୀ ରଖିବା ପାଇଁ ଶ୍ରୀମତୀ ନାପସନ୍ଦ କରନ୍ତି) ଏକଥା ମୁଁ ତାଙ୍କ ଅସ୍ପଷ୍ଟ ଉଚ୍ଚାରଣରୁ ମଧ୍ୟ ଅନୁମାନ କରିନେଲି । ଆଖିରୁ ନିଦ ସଂପୂର୍ଣ୍ଣ ଧୋଇହୋଇ ଯାଇଥିଲା । ଖଟ ଉପରେ ଅଯଥା ପଡ଼ିରହି ପୂର୍ବ ରାତିର ସୁଖ ସ୍ୱପ୍ନକୁ ରୋମନ୍ଥନ କରିବାର ସମସ୍ତ ଆଗ୍ରହ ମଉଳି ଯାଇଥିଲା ।

 

ତଥାପି କାହିଁକି କେଜାଣି ଶୋଇରହି ଖଣ୍ଡେ ସିଗାରେଟ୍‌ରେ ନିଆଁ ଧରାଇବାର ଉତ୍କଣ୍ଠାକୁ ଏଡ଼େଇ ଦେଇ ପାରିଲି ନାହିଁ । ଗୋଟାଏ ଦମ୍ ସିଗାରେଟ୍‌ ଟାଣିଛି କି ନାହିଁ ମୋର ସମସ୍ତ ଖିଆଲକୁ ମଳିନ କରି ଦାଣ୍ଡ କବାଟଟା ଗୋଟାଏ ବିରକ୍ତିକର ଶବ୍ଦ ସୃଷ୍ଟିକଲା । (କଲିଙ୍ଗ୍ ବେଲଟା ଅଚଳ ହୋଇ ଯାଇଥିଲା ଅନେକ ଦିନ ଧରି ) । ଅନିଚ୍ଛାସତ୍ତ୍ୱେ କବାଟ ଖୋଲିବାକୁ ଗଲି-। ବାହାରେ ସରସ ସାହିତ୍ୟ ସଂସଦର ସଭାପତି ଏବଂ ସମ୍ପାଦକ ସଶରୀରେ ଉପସ୍ଥିତ ଥିଲେ-। ପରିଚୟ ହେଲା, ତାଙ୍କର ବାର୍ଷିକ ଉତ୍ସବକୁ ଉଦ୍‌ଘାଟନ କରିବା ପାଇଁ ମତେ ଅନୁରୋଧ କରନ୍ତେ ମୁଁ ପ୍ରସ୍ତାବ ଦେଲି ଏସବୁ କାର୍ଯ୍ୟ ମନ୍ତ୍ରୀମାନଙ୍କର । ସୁତରାଂ ସେମାନଙ୍କୁ ନିମନ୍ତ୍ରଣ କରାଯାଉ, ତା’ହେଲେ ସଭା ଜମିବ ଏବଂ ତା’ ସଙ୍ଗେ ସଙ୍ଗେ ସରସ ସାହିତ୍ୟ ସଂସଦ ପାଇଁ କିଛି ଆର୍ଥିକ ସାହାଯ୍ୟ ମଧ୍ୟ ମିଳିବାର ସମ୍ଭାବନା ଅଛି । ମୋର ସମସ୍ତ ଯୁକ୍ତିକୁ ଖଣ୍ଡନ କରି ସେମାନେ ମତେ ବାଧ୍ୟ କଲେ, ମୁଁ ରାଜି ହେଲି ଏବଂ ସେମାନେ ମୋର ଯାତାୟାତର (କଟକରୁ ପୁରୀ ଏବଂ ପୁରୀରୁ କଟକ) ସମସ୍ତ ସୁବନ୍ଦୋବସ୍ତ କରିବାର ପ୍ରତିଶ୍ରୁତି ଦେଇ ଫେରିଗଲେ ।

 

ସରସ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଭଲରେ ଭଲରେ ସରିଗଲା । କର୍ତ୍ତବ୍ୟ ଶେଷକରି (ଏକ ଲମ୍ୱା ଚଉଡ଼ା ଭାଷଣ ଦେଇ) ସରସ ସାହିତ୍ୟ ସଂସଦର କର୍ମକର୍ତ୍ତାମାନେ ବ୍ୟବସ୍ଥା କରିଥିବା କାର୍‌ରେ ଫେରିଲି କଟକ ଅଭିମୁଖେ । କାର୍‌ରେ ଡ୍ରାଇଭର ବ୍ୟତୀତ ଆଉ କେହି ନ ଥିଲେ । ସେଥିପାଇଁ ବିରକ୍ତ ଲାଗୁଥିଲା । ପୁଣି ଗାଡ଼ି ଭିତରେ କେମିତି ଗୋଟାଏ ଉତ୍କଟ ଝାଳ ଗନ୍ଧ ମତେ ଅତିଷ୍ଠ କରି ଦେଉଥିଲା । ଏ ସମସ୍ୟାରୁ ମୁକ୍ତି ପାଇଁ ଯେତିକି ଚେଷ୍ଟା କରୁଥିଲି ସେତିକି ଅସହାୟ ଭାବରେ ସମସ୍ୟା ଜାଲରେ ଛନ୍ଦିହୋଇ ପଡ଼ୁଥିଲି । ଉପାୟ ନ ଥିଲା ।

 

ହଠାତ୍‌ ମୁଁ ଯାଉଥିବା କାର୍‌ଟା କାଠଯୋଡ଼ି ପୋଲ ଉପରେ ଏକ ଦ୍ରୁତଗାମୀ ଟ୍ରକ୍‌ ସହିତ ଧକ୍‌କା ଖାଇଲା ।

 

ଦ୍ୱିତୀୟ ଭାଗ :

 

ତା’ପରଦିନ ଓଡ଼ିଶାର ସମସ୍ତ ଖବରକାଗଜ ପୃଷ୍ଠାରେ ବହୁ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଲେଖକ ଶ୍ରୀକାନ୍ତ ରାଉତରାୟଙ୍କର ଅକାଳ ବିୟୋଗ ହୋଇଥିବା ଦୁଃଖଦାୟକ ସମ୍ୱାଦ ଦେଖି ଓଡ଼ିଶାବାସୀ ମର୍ମାହତ ହେଲେ । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିବା ପାଇଁ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ପାଦ ଶ୍ରୀକାନ୍ତ ରାଉତରାୟଙ୍କ କଟକସ୍ଥ ବାସଭବନରେ ପଡ଼ିଲା-। ଶ୍ରୀମତୀ ରାଉତରାୟ ଏବଂ ତାଙ୍କ ସନ୍ତାନ ସନ୍ତତି ତଥା ବହୁ ବନ୍ଧୁ ବାନ୍ଧବଙ୍କ କ୍ରନ୍ଦନ ରୋଳରେ ତାଙ୍କର ଛୋଟ ଘରଟି ଯେମିତି ଫାଟି ପଡ଼ୁଥିଲା । କେତେ ଟେଲିଗ୍ରାମ୍ କେତେ ସମବେଦନାପୂର୍ଣ୍ଣ ପତ୍ର ଆସି ପହଞ୍ଚିଲା ତା’ର ହିସାବ କିଏ ରଖୁଛି ?

 

ବହୁ ରାଜନୀତିଜ୍ଞ, ଶିକ୍ଷାବିତ୍‌, ସାହିତ୍ୟିକ ଏବଂ ବହୁ ସାଧାରଣ ଅସାଧାରଣ ଲୋକ ଶୋକ ପ୍ରକାଶ କରି ଯାହା କହିଲେ ତାହା ସଂକ୍ଷିପ୍ତରେ ବ୍ୟାଖ୍ୟା କଲେ ଏୟା ହେବ । ଓଡ଼ିଶା ଏପରି ଜଣେ ପ୍ରତିଷ୍ଠିତ ସାହିତ୍ୟିକଙ୍କୁ ହରାଇଲା ଯେଉଁ ଶୂନ୍ୟସ୍ଥାନ ଅପୂରଣୀୟ । ସ୍ୱର୍ଗତ ଶ୍ରୀକାନ୍ତ ରାଉତରାୟଙ୍କର ଅମର ଆତ୍ମାର ସଦ୍‌ଗତି ହେଉ ।

 

ତୃତୀୟ ଭାଗ :

 

ଦୀର୍ଘ ଚାରିଦିନ କାଳ ସଂଜ୍ଞାହୀନ ଅବସ୍ଥାରେ ରହିବା ପରେ ମୁଁ ଚୈତନ୍ୟ ଫେରିପାଇ ଦେଖିଲି ଯେ ଡାକ୍ତରଖାନାର କୌଣସି ଏକ ଓ୍ୱାର୍ଡ଼ରେ ୧୫୮ ନମ୍ୱର ବେଡ଼୍‍ର ମୁଁ ଜଣେ ରୋଗୀ । ମୋ ଗୋଡ଼ ଏବଂ ମୁଣ୍ଡରେ ପଟି ଭିଡ଼ା ହୋଇଛି ।

 

ପୁନର୍ଜନ୍ମ ଫେରି ପାଇବାର ଚାରି ପାଞ୍ଚଘଣ୍ଟା ପରେ ଜଣେ ଅପରିଚିତ ଭଦ୍ରଲୋକ ଆସି ମତେ ନମସ୍କାର କଲେ । ତାଙ୍କଠୁଁ ଶୁଣିଲି ଯେ କାଠଯୋଡ଼ି ପୋଲ ଉପରେ ଦୁର୍ଘଟଣା ହେବା ଫଳରେ ମୁଁ ରାସ୍ତା ଉପରେ ଛିଟିକି ପଡ଼ିଥିଲି ଏବଂ ସେ ମତେ ତାଙ୍କ କାର୍‌ରେ ଆଣି ଡାକ୍ତରଖାନାରେ ଭର୍ତ୍ତି କରି ଦେଇଛନ୍ତି ।

 

ଆହୁରି ଆଶ୍ଚର୍ଯ୍ୟ ହେଲି ଯେତେବେଳେ ଖବର କାଗଜ ପୃଷ୍ଠାରେ ମୋର ମୃତ୍ୟୁ ସମ୍ପର୍କୀୟ ବିବରଣୀ ଦେଖିଲି ।

‘‘ବିଶିଷ୍ଟ ଲେଖକ ଶ୍ରୀ ଶ୍ରୀକାନ୍ତ ରାଉତରାୟ ପୁରୀଠାରେ ସରସ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ ଉଦ୍‌ଘାଟନ କରି ଫେରୁଥିବାବେଳେ କାଠଯୋଡ଼ି ପୋଲ ଉପରେ ଏକ ଦ୍ରୁତଗାମୀ ଟ୍ରକ୍‌ ସହିତ ସେ ବସିଥିବା କାର୍‌ର ଧକ୍‌କା ହେବା ଫଳରେ କାର୍‌ଟି ଭରାନଈ ଭିତରେ ପଡ଼ିଯାଇଥିଲା । କୌଣସି ପ୍ରକାରେ କାର୍‌ଟି ପାଣି ଭିତରୁ ଉଦ୍ଧାର କରାଯାଇପାରିଲା; କିନ୍ତୁ ଡ୍ରାଇଭର କିମ୍ୱା ଶ୍ରୀ ଶ୍ରୀକାନ୍ତ ରାଉତରାୟଙ୍କୁ ପାଣି ଭିତରୁ ଉଦ୍ଧାର କରାଯାଇ ପାରିଲା ନାହିଁ ଇତ୍ୟାଦି....ଇତ୍ୟାଦି....’’

ଶେଷ ଭାଗ :

ମୋର ଆକସ୍ମିକ ମୃତ୍ୟୁ ପାଇଁ ଯେଉଁ ଯେଉଁ ଅନୁଷ୍ଠାନ ତଥା ବ୍ୟକ୍ତବିଶେଷ ଶୋକସଭାର ଆୟୋଜନ କରିଥିଲେ କିମ୍ୱା ନୀରବତା ପାଳନ କରିଥିଲେ, ଯେଉଁମାନେ ସମବେଦନା ଜଣାଇବା ପାଇଁ ଆମ ଘରକୁ ଆସିଥିଲେ କିମ୍ୱା ପତ୍ରଦ୍ୱାରା ସମବେଦନା ଜଣାଇଥିଲେ, ଯେଉଁମାନେ ସ୍ମରଣିକାକୁ ଲେଖାଦେଇ ସମୃଦ୍ଧ କରିଥିଲେ, ସେ ସମସ୍ତଙ୍କ ପାଖକୁ ଯିବା କିମ୍ୱା ବ୍ୟକ୍ତିଗତ ଭାବରେ ଲେଖିବା ସମ୍ଭବ ନ ଥିବାରୁ ଖବର କାଗଜ ମାଧ୍ୟମରେ ମୁଁ ମୋର ଆନ୍ତରିକ କୃତଜ୍ଞତା ଜ୍ଞାପନ କରୁଛି । ମୋର ଯଦି ପ୍ରକୃତରେ ମୃତ୍ୟୁ ହୋଇଯାଇଥାନ୍ତା ତା’ ହେଲେ ଏ କୃତଜ୍ଞତା ଜଣାଇବା ସମ୍ଭବ ହୋଇପାରି ନ ଥାନ୍ତା । ମତେ ଏ ସୁଯୋଗ ଦେଇଥିବାରୁ ଭଗବାନଙ୍କୁ ବି ଧନ୍ୟବାଦ ଦେଉଛି । କିନ୍ତୁ ଦୁଃଖର କଥା । ମୋର ବିୟୋଗ ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ଶୋକ ସଭାରେ ବକ୍ତାମାନେ ଯାହା କହିଛନ୍ତି ଏବଂ ସ୍ମରଣିକାରେ ମୋ ସମ୍ପର୍କରେ ଯାହା ପ୍ରକାଶ ପାଇଛି ତାହା ଶତକଡ଼ା ଅନେଶ୍ୱତ ଭାଗ ମିଥ୍ୟା ।

ମୁଁ ଜଣେ ଅନୁଷ୍ଠାନ, ମୋର ଲେଖା କବିସମ୍ରାଟ ଉପେନ୍ଦ୍ରଭଞ୍ଜ ଏବଂ କବିଗୁରୁ ରବିନ୍ଦ୍ରନାଥଙ୍କ ସହ ତୁଳନୀୟ, ମୋ ଲେଖାରେ ଶୈଳ୍ପିକ ଚମତ୍କାରିତା ଅଛି, ମୁଁ ଜଣେ ସ୍ପଷ୍ଟବାଦୀ, ସରଳ, ନିରାଡ଼ମ୍ୱର ସାଧକ ଇତ୍ୟାଦି ଇତ୍ୟାଦି ଅନେକ କଥା ବକ୍ତାମାନେ ପ୍ରକାଶ କରିଛନ୍ତି ବୋଲି ଖବର କାଗଜରେ ଯାହା ଲେଖାଅଛି, ସେ ସମ୍ପର୍କରେ ମୁଁ କହିପାରେ ଏସବୁ ସହିତ ମୋର କୌଣସି ସମ୍ପର୍କ ନାହିଁ । ମତେ ଧାଡ଼ିଏ ବି କବିତା ଲେଖି ଆସେନା । ମୋ ନାଁରେ ଯାହା ସବୁ ଲେଖା (କବିତା ଇତ୍ୟାଦି) ପ୍ରକାଶ ପାଇଛି ସେସବୁ ମୋ ଶ୍ରୀମତୀଙ୍କର ଲେଖା ଏବଂ ସେଥିରୁ କେତୋଟି ଅନ୍ୟଭାଷାରୁ ଅନୁଦିତ ହୋଇଛି ।

ତେବେ ଏ ସୁଯୋଗରେ ବହୁ ପ୍ରତିଷ୍ଠିତ, ରାଜନୀତିଜ୍ଞ, ଶିକ୍ଷାବିତ୍‌, ଲେଖକ ଏବଂ ବଡ଼ବଡ଼ିଆଙ୍କୁ ଚିହ୍ନିବାର ସୁଯୋଗ ମିଳିଲା । ସେମାନଙ୍କ ମଧ୍ୟରୁ ଅନେକଙ୍କ ସହିତ କୌଣସି ସମ୍ପର୍କ ନ ଥିଲେ ମଧ୍ୟ ବ୍ୟକ୍ତିଗତ ସମ୍ପର୍କ ଅଛି ବୋଲି ସଭାରେ ସେମାନେ ଭାଷଣ ଦେଇଛନ୍ତି, ଯାହାକି ଖବର କାଗଜରେ ପ୍ରକାଶ ପାଇଛି । ଆଉ କେତେଜଣ ସ୍ମରଣିକାରେ ମଧ୍ୟ ଏଭଳି ମିଥ୍ୟା କଥା ଲେଖିଛନ୍ତି । ଏହାଠାରୁ ବଳି ହାସ୍ୟାସ୍ପଦ କଥା ଆଉ କ’ଣ ଥାଇପାରେ ? ତଥାପି ସେମାନଙ୍କୁ ଧନ୍ୟବାଦ ଜଣାଇବା ସଙ୍ଗେ ସଙ୍ଗେ ଆଉ କେବେ ଏଭଳି ଭୁଲ୍‌ ନ କରିବା ପାଇଁ ଅନୁରୋଧ କରୁଛି-

(କୋଣାର୍କ)

Image

 

ବ୍ରହ୍ମାଙ୍କ ଅକଲ ଗୁଡ଼ୁମ୍

 

ଦୁନିଆଁଟା ବଡ଼ ବିଚିତ୍ର । କିଛି ବୁଝି ହୁଏନା । ଦୁନିଆଁର ସ୍ରଷ୍ଟା ବ୍ରହ୍ମା ବି ତାଙ୍କ ସୃଷ୍ଟିର ଚମତ୍କାରିତାରେ ଆଶ୍ଚର୍ଯ୍ୟାନ୍ୱିତ, ବିମୁଗ୍‌ଧ । ନିଜେ ବି ବୁଝି ପାରନ୍ତିନି ଅନେକ କଥା । ସେ ଚାହିଁଥିଲେ କ’ଣ, ଆଉ ହେଲା କ’ଣ ? ସବୁଠି ବିଭ୍ରାଟ । ଏ ବିଭ୍ରାଟର ଯେମିତି ଶେଷ ନାହିଁ ।

 

ନା-ନା, ଶେଷ ଅଛି । କଳିଯୁଗରେ । ବ୍ରହ୍ମା ଆଶ୍ୱସ୍ତ ହେଲେ । କଳିଯୁଗ ମାଡ଼ି ଆସୁଛି । ଅନ୍ଧକାର ଘୋଟି ଆସୁଛି ପୃଥିବୀ ପୃଷ୍ଠକୁ । ଛତିଆ ବଟରୁ ବାହାରିବ ବାର ହାତର ଖଣ୍ଡା । ଶୂନ୍ୟରେ ଶୂନ୍ୟରେ ପୃଥିବୀସାରା ଘୂରି ପ୍ରାଣୀମାନଙ୍କୁ ବିନାଶ କରିବ । ରକ୍ତର ନଦୀ ବୋହିବ । କଳିଯୁଗର ସେ ମୁହୂର୍ତ୍ତ ଆଉ ବେଶି ଦିନ ନାହିଁ । ପାଖେଇ ଆସୁଛି । ସବୁ ଶେଷ ହୋଇଯିବ । ସବୁ ଧ୍ୱଂସ ହୋଇଯିବ ।

 

ଏ ପୃଥିବୀ ପାପଭାରରୁ ମୁକ୍ତ ହେବ ।

 

ପୁଣି ସେଇ ଶୂନ୍ୟ । ଅଣାକାର । ଅନାଦି ଅନନ୍ତ ଠୁଳବ୍ରହ୍ମ ବିରାଜମାନ କରିବ ।

 

ପୁଣି ଥରେ ନୂଆକରି ତ୍ରୁଟିଶୂନ୍ୟ ସୁନ୍ଦର ପୃଥିବୀ ଗଢ଼ିହୋଇପାରିବ । ଆଉ କେହି (ମଣିଷ କିମ୍ୱା ଦେବତା) ଦୋଷ ଦେଇ ପାରିବେନି । ଏଭଳି ଏକ ପୃଥିବୀ ହେବ ଯାହା ସମ୍ପୂର୍ଣ୍ଣ ଭିନ୍ନ ଧରଣର ।

 

କିନ୍ତୁ ତା’ର ରୂପରେଖ କ’ଣ ହେବ ସେ ସମ୍ପର୍କରେ ଅନ୍ୟାନ୍ୟ ଦେବତାମାନଙ୍କ ପରାମର୍ଶ ଏକାନ୍ତ ପ୍ରୟୋଜନ । ନା-ନା, ସେମାନେ କାହିଁକି ବାହାଦୂରୀ ନେବେ । ସୃଷ୍ଟି ସର୍ଜନା ମୋ ଦାୟିତ୍ୱ, ମୋ ପୋର୍ଟଫୋଲିଓ । ମୋ ପୋର୍ଟଫୋଲିଓରେ କାହାର ହସ୍ତକ୍ଷେପକୁ ମୁଁ ବରଦାସ୍ତ କରିବିନି । କାହାର ସେ ଅଧିକାର ନାହିଁ । କେହି ମତେ ଚାଲେଞ୍ଜ କରି ପାରିବନି । ମୋର ମର୍ଜି ଉପରେ ଏ ସୃଷ୍ଟି ସର୍ଜନା ହେବ । ମୁଁ ଯାହା କହିବି ସେୟା ହେବ । ମୁଁ କାହିଁକି କାହାର ନିର୍ଦ୍ଦେଶ, ପରାମର୍ଶ ଗ୍ରହଣ କରିବି ? ମୁଁ ସେଥିପାଇଁ ବାଧ୍ୟ ନୁହେଁ । ସେ ବିଷ୍ଣୁ ହୁଅନ୍ତୁ, ଶିବ ହୁଅନ୍ତୁ, ଲକ୍ଷ୍ମୀ ହୁଅନ୍ତୁ, ପାର୍ବତୀ ହୁଅନ୍ତୁ କେହି ମତେ ପ୍ରଶ୍ନ କରି ପାରିବେନି । ପ୍ରଶ୍ନ କଲେ ସଫା ସଫା ଉତ୍ତର ଦେବି, ମୋ ପୋର୍ଟଫୋଲିଓ ସମ୍ପର୍କରେ ମୁଣ୍ଡ ଖେଳେଇବାର ଅଧିକାର କାହାର ନାହିଁ ।

 

ବ୍ରହ୍ମା ହସିଲେ । ନିଜ ବୁଦ୍ଧିକୁ ନିଜେ ତାରିଫ୍ କଲେ ।

 

ହଠାତ୍‌ ତାଙ୍କ ମନେ ପଡ଼ିଲା ନାରଦଙ୍କ କଥା । ଯେତେହେଲେ ପୁଅ ତ । ତା’ ସହିତ ପରାମର୍ଶ କରାଯାଇପାରେ । ସେଥିରେ ପ୍ରେଷ୍ଟିଜ୍‌ରେ ଆଞ୍ଚ ଆସିବାର କୌଣସି କାରଣ ନାହିଁ । ସଙ୍ଗେ ସଙ୍ଗେ ଟେଲିଫୋନ୍‌ ଉଠାଇଲେ ଏବଂ ପୁତ୍ରକୁ ଶୀଘ୍ର ଆସିବା ପାଇଁ ଆଦେଶ ଦେଲେ । ନାରଦ ଟେଲିଭିଜନ ଦେଖୁଥିଲେ । ପିତାଙ୍କ ଆଦେଶ ପାଇବା ମାତ୍ରେ ଏରୋପ୍ଲେନ ଚଢ଼ି ପିତାଙ୍କ ପାଖରେ ଉପନୀତ ହେଲେ ।

 

ବ୍ରହ୍ମା ମନକଥା ପ୍ରକାଶ କଲେ ଏବଂ ଏ ସମ୍ପର୍କରେ ସୁଚିନ୍ତିତ ମତାମତ ଦେବାପାଇଁ ଆହ୍ୱାନ କଲେ । ନାରଦ ଟିକିଏ ମୋଟା ବୁଦ୍ଧିଆ, ହେଲେ କ’ଣ ହେବ ସ୍ପଷ୍ଟବାଦୀ, ନିର୍ଭୀକ ।

 

ପ୍ରଶ୍ନ ଥିଲା ଆସନ୍ତା ସୃଷ୍ଟି କିଭଳି ହେବା ଉଚିତ ? ନାରଦ ଉତ୍ତରରେ କହିଲେ, ବାପା ଯାହା କରୁଛ କର; କିନ୍ତୁ ମଣିଷ ମୁଣ୍ଡରେ ବୁଦ୍ଧି ଦବନି ।

କାହିଁକି ? ବ୍ରହ୍ମା ବିସ୍ମିତ ହୋଇ ପଚାରିଲେ ।

ନାରଦ କହି ଚାଲିଲେ, ମଣିଷ ବୁଦ୍ଧିଆ ବୋଲି ଭାରି ଗର୍ବିତ । ଏପରିକି ଦେବତାମାନଙ୍କୁ ମଧ୍ୟ ହେୟଜ୍ଞାନ କରୁଛି । ପାସାଙ୍ଗରେ ପକାଏନି । ବିଜ୍ଞାନ ବଳରେ ଅସମ୍ଭବକୁ ମଧ୍ୟ ସମ୍ଭବ କରି ସାରିଲାଣି । ଦେବତାମାନଙ୍କଠାରୁ ମଧ୍ୟ ଆହୁରି ଆଶ୍ଚର୍ଯ୍ୟ ଆଶ୍ଚର୍ଯ୍ୟ କାମ କରି ପାରିଲିଣି ।

ଦେଖୁନାହାନ୍ତି ମୋ କଥା । ମୁଁ ଢିଙ୍କିରେ ଯା’ଆସ କରୁଥିଲି । ମଣିଷ ତିଆରି ବ୍ୟୋମଯାନ ଦେଖି ମୋର ବି ଲୋଭ ହେଲା । ପୃଥିବୀରୁ ମତେ ସେ ଯାନ ଆମଦାନୀ କରିବାକୁ ହେଲା । ଏବେ ମୁଁ ଗୋଟାଏ କମ୍ପ୍ୟୁଟର ପାଇଁ ବରାଦ ଦେଇଛି ।

କମ୍ପ୍ୟୁଟର୍ ? ସେଟା ପୁଣି କ’ଣ ? ବ୍ରହ୍ମା ପ୍ରଶ୍ନ କଲେ ।

ନାରଦ ଉବାଚ–ଆପଣ ତ ଅନେକ ଦିନ ହେଲା ପୃଥିବୀକୁ ବୁଲି ଯାଇ ନାହାନ୍ତି, ସେଠାକାର ଖବର ରଖି ନାହାନ୍ତି । ଜାଣିବେ କେମିତି ? ଶୁଣନ୍ତୁ ମଣିଷ ଏଭଳି ଏକ ଯନ୍ତ୍ର ତିଆରି କରିଛି ସେ ଯନ୍ତ୍ରକୁ ଯାହା ବରାଦ କଲେ ସେୟା କରିବ, ଯାହା ମାଗିଲେ ସେୟା ଦେବ ।

ବ୍ରହ୍ମା ଏକଥା ଶୁଣି ଏତେ ଆଶ୍ଚର୍ଯ୍ୟ ହେଇଗଲେ ଯେ ସିଂହାସନ ଛାଡ଼ି ଠିଆ ହୋଇ ପଡ଼ିଲେ । ମୁଣ୍ଡ ଉପରର ଫ୍ୟାନ୍‌ଟାକୁ ଆହୁରି ଜୋର୍‌ରେ ଘୂରାଇ ଦେବାପାଇଁ ପ୍ରହରୀକୁ ଆଦେଶ ଦେଲେ ।

 

କମ୍ପ୍ୟୁଟର୍ ଆପଣଙ୍କ ମନର କଥା କହି ପାରିବ, ନାରଦ ଯୋଗ କଲେ ।

 

ଅଳ୍ପ କ୍ଷଣର ନୀରବତା ପରେ ନାରଦ ପୁଣି କଥା ଆରମ୍ଭ କଲେ, ଆପଣ ଜାଣନ୍ତି ? କାଲିଠାରୁ ଯମପୁରକୁ ଜଣେ ଲୋକ ଆସିଛି । ତା’ର ମୃତ୍ୟୁ ହେଇଥିଲା । ସେ ଯମରାଜାଙ୍କୁ ପାଗଳ କରି ସାରିଲାଣି ।

 

ବ୍ରହ୍ମା ପ୍ରଶ୍ନୀଳ ଦୃଷ୍ଟିରେ ନାରଦଙ୍କୁ ଚାହିଁ ପ୍ରଶ୍ନ ପୁଚ୍ଛାକଲେ, କ’ଣ ହେଲା । ଜଣେ ଲୋକ ଯମରାଜାଙ୍କୁ ପାଗଳ କରି ସାରିଲାଣି ? ମାନେ ?

 

ସେ କଥା ଶୁଣିଲେ ଆପଣ ବି...ନାରଦ କଥା ଶେଷ ନକରି ନୀରବ ରହି ପିତାଙ୍କ ମୁହଁର ପ୍ରତିକ୍ରିୟା ଲକ୍ଷ୍ୟ କଲେ ।

 

ଠିକ୍ ଏତିକିବେଳେ ବ୍ୟତିବ୍ୟସ୍ତ ହୋଇ ଯମରାଜ ପ୍ରବେଶ କଲେ । ଯମରାଜ ଏତେ ବିବ୍ରତ ହୋଇ ପଡ଼ିଥିଲେ ଯେ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କୁ ସମ୍ଭାଷଣ କରିବାକୁ ମଧ୍ୟ ଭୁଲିଗଲେ ।

 

ବ୍ରହ୍ମା କଥା କ’ଣ ବୋଲି ପଚାରନ୍ତେ ଯମରାଜ ତାଙ୍କ ଯମପୁରରେ ଜଣେ ମଣିଷ କିଭଳି କାଣ୍ଡ ଭିଆଇଛି ସେକଥା ଆମୂଳଚୂଳ ବଖାଣିବାକୁ ଆରମ୍ଭ କଲେ ।

 

କୌଣସି ଏକ ଅଖ୍ୟାତ ପଲ୍ଲୀର ଶେଷ ମୁଣ୍ଡରେ ଏକ ନିର୍ଜନ ସ୍ଥାନରେ ଜଣେ ସାଧୁ ରହୁଥିଲେ, ନାଁ ତାଙ୍କର ବ୍ରହ୍ମାନନ୍ଦ । ଧୀର, ନମ୍ର, ପରୋପକାରୀ, ସାଧକ ବ୍ରହ୍ମାନନ୍ଦ ତାଙ୍କ କୁଟୀରରେ ସାଧନାରେ ସତତ ବ୍ରତୀ ଥିଲେ । ଭିକ୍ଷାକରି ଏବଂ ବଣର ଫଳମୂଳ ସଂଗ୍ରହ କରି ଯାହା ପାଉଥିଲେ ସେଥିରେ ତାଙ୍କ ଜୀବନ ବେଶ୍ ଭଲରେ କଟି ଯାଉଥିଲା ।

 

ସମସ୍ୟା ଆରମ୍ଭ ହେଲା ସେଇଦିନଠୁ ଯେଉଁଦିନଠାରୁ ଜଣେ ଗଣିକା ତାଙ୍କ କୁଟୀର ସାମ୍‌ନାରେ ଘର କରି ତା’ର ବ୍ୟବସାୟ ଆରମ୍ଭ କଲା । ଗଣିକାର ଘରକୁ ବହୁ ଜନ ସମାଗମ ହେଲା । ନିର୍ଜନ ଜାଗାଟା ହଠାତ୍ କୋଳାହଳପୂର୍ଣ୍ଣ ହୋଇ ଉଠିଲା । ନାଚ ଗୀତର ମଧୁର ଗୁଞ୍ଜରଣ ମଧ୍ୟ ବହୁ ରାତି ପର୍ଯ୍ୟନ୍ତ ଶୁଣାଗଲା । ଫଳରେ ସାଧୁଙ୍କ ସାଧନାରେ ବ୍ୟାଘାତ ହେବା ସ୍ୱାଭାବିକ । ସାଧୁ ଆଶ୍ଚର୍ଯ୍ୟ ହେଲେ । ମୁଁ ଜ୍ଞାନ ଆହରଣ କରିଛି, ପାଣ୍ଡିତ୍ୟ ଅର୍ଜନ କରିଛି । ମୁଁ ଲୋକଙ୍କୁ ସେ ଜ୍ଞାନ ବିତରଣ କରିବାକୁ ଚାହେଁ । ହିତୋପଦେଶ ଦେଇ ଲୋକଙ୍କୁ ପାପମାର୍ଗରୁ ନିବୃତ୍ତ କରି ଉପଯୁକ୍ତ ପଥ ପ୍ରଦର୍ଶନ କରିବାକୁ ଚାହେଁ ଅଥଚ ମୋ ପାଖକୁ ଜଣେ ହେଲେ କେହି ଆସୁ ନାହାନ୍ତି-। କି ବିଚିତ୍ର କଥା । ଏ ଗଣିକା ପାଖକୁ ପ୍ରତିଦିନ ଏତେ ଲୋକ ଆସୁଛନ୍ତି । ଗଣିକାର ସଙ୍ଗଲାଭ କରି ନିଜକୁ ଧନ୍ୟ ମଣୁଛନ୍ତି ।

 

ବ୍ରହ୍ମାନନ୍ଦ ଚିନ୍ତା କଲେ କ’ଣ କଲେ ଏ ଗଣିକା ଏ ସ୍ଥାନ ପରିତ୍ୟାଗ କରି ସ୍ଥାନାନ୍ତରିତ ହେବ ଅଥବା ପାପମାର୍ଗ ଛାଡ଼ି ସତ୍‌ମାର୍ଗକୁ ଆଶ୍ରା କରିବ । ବହୁ ଚିନ୍ତା କରି ସେ ଏକ ଉପାୟ ଚିନ୍ତା କଲେ । ଗଣିକା ପାଖକୁ ଯେତେ ଲୋକ ଆସୁଛନ୍ତି ତା’ର ହିସାବ ରଖିବାକୁ ସାଧୁ ଚେଷ୍ଟା କଲେ । ଯେତେ ଲୋକ ଗଣିକା ପାଖକୁ ଗଲେ ସାଧୁ ସେତୋଟି ଗୋଡ଼ି ରଖିଲେ । ଦେଖୁଦେଖୁ ଗୋଡ଼ିତକ ଗୋଟିଏ ଗୋଡ଼ି ଗଦାରେ ପରିଣତ ହୋଇଗଲା ।

 

ବ୍ରହ୍ମାନନ୍ଦ ମନେ ମନେ ଅନେକ କଥା ଚିନ୍ତା କରି ଗଣିକା ପାଖକୁ ଗଲେ, କହିଲେ, ତୁମେ ଯେଉଁ ପାପ କରୁଛ ତା’ର ଉପଯୁକ୍ତ ଶାସ୍ତି ପାଇବ । ମୃତ୍ୟୁ ପରେ ତୁମପାଇଁ ସେ ଶାସ୍ତି ଅପେକ୍ଷା କରି ରହିଛି । ଜୀବନରେ କିଛି ପୁଣ୍ୟ କର ମୁକ୍ତି ପାଇବ, ଶାନ୍ତି ପାଇବ, ନିର୍ବାଣ ଲାଭ କରିବ ।

 

ଗଣିକା ହସିଲା । ନମ୍ରତାର ସହିତ କହିଲା, ପରିସ୍ଥିତିରେ ପଡ଼ି ବଞ୍ଚିବା ପାଇଁ ମୁଁ ଏ ପଥ ବାଛି ନେଇଛି । ଉପାୟ ନାହିଁ ।

 

ବ୍ରହ୍ମାନନ୍ଦ ନିଜ କୁଟୀର ସମ୍ମୁଖରେ କରିଥିବା ଗୋଡ଼ିଗଦାକୁ ଅଙ୍ଗୁଳି ନିର୍ଦ୍ଦେଶ କରି କହିଲେ, ହେଇ ଦେଖ ମୁଁ ତୁମର ପାପକୁ ମାପି ରଖିଛି । ଗତ ସପ୍ତାହରେ ଯେତେଜଣ ଲୋକ ତୁମ ଘରକୁ ଆସିଛନ୍ତି ମୁଁ ସେତିକିଟି ଗୋଡ଼ି ସେଇଠି ଜମା କରିଛି । ଏ ପାପର ପ୍ରାୟଶ୍ଚିତ୍ତ କର । ପାପକୁ ପରିହାର କରି ସତ୍‌କର୍ମ କର । ତା’ହେଲେ ଯମ ଯନ୍ତ୍ରଣାରୁ ମୁକ୍ତି ପାଇବ । ସ୍ୱର୍ଗଲାଭ କରିବ ।

 

ସେଇଦିନ ଗଭୀର ରାତ୍ରିରେ ଦେଖାଗଲା ଗଣିକାର ଶବ ତା’ରି ଘର କଡ଼ିରେ ଝୁଲୁଛି । ଗଣିକା ଆତ୍ମହତ୍ୟା କରିଛି ।

 

ବ୍ରହ୍ମାନନ୍ଦ ଗଣିକାର ମୃତ୍ୟୁ ପର ଜୀବନ ସଂପର୍କରେ ଅନିସନ୍ଧିତ୍ସୁ ହୋଇ ଜାଣି ପାରିଲେ ସେ ଗଣିକା ସ୍ୱର୍ଗଲାଭ କରିଛି । ସେ ଆଶ୍ଚର୍ଯ୍ୟ ହେଲେ ।

 

କଥା ସେଇଠି ଶେଷ ହୋଇ ନ ଥିଲା । ସେଇଠୁ ହିଁ କଥାର ଆରମ୍ଭ ।

 

ଯମରାଜଙ୍କ ଦୀର୍ଘ ଭାଷଣ ଶୁଣି ବ୍ରହ୍ମା ମନେ ମନେ ବିରକ୍ତ ହେଉଥିଲେ ଏବଂ ବାରମ୍ୱାର ହାତ ଘଡ଼ିକୁ ଚାହିଁ ଶୀଘ୍ର କଥା ସାରିବାକୁ ପ୍ରକାରାନ୍ତରେ ଯମରାଜଙ୍କୁ ଚେତେଇ ଦେଉଥିଲେ । ଯମରାଜ କିନ୍ତୁ ନଛୋଡ଼ ବନ୍ଧା । ଯମପୁରରେ ଏତେବଡ଼ ସମସ୍ୟା, ଏତେବଡ଼ ବିଭ୍ରାଟ । ସଂକ୍ଷିପ୍ତରେ କଥାଟା ସାରିଦେଲେ ଆହୁରି ବିଭ୍ରାଟ ହେଇଯିବ ।

 

ଯମରାଜ କଥାର ଖିଅଧରି କହି ଚାଲିଲେ, ଚିତ୍ରଗୁପ୍ତଙ୍କ ପଞ୍ଜିକା ଅନୁସାରେ ବ୍ରହ୍ମାନନ୍ଦଙ୍କ ମୃତ୍ୟୁ ଉପନୀତ ହେଲା । ତାଙ୍କୁ ବାନ୍ଧି ନେଇ ଆସିବାକୁ ଦୂତମାନଙ୍କୁ ଆଦେଶ ଦେଲି । ବ୍ରହ୍ମାନନ୍ଦ ଆସି ଯମପୁରରେ ପହଞ୍ଚିଲେ । ନିୟମାନୁସାରେ କୌଣସି ମୃତ ବ୍ୟକ୍ତିଙ୍କୁ ଶାସ୍ତିଦେବା ପୂର୍ବରୁ ତା’ର କର୍ମ ସଂପର୍କରେ ପାପ ପୁଣ୍ୟ ହିସାବ ସଂପର୍କରେ ତନଖି କରାଯାଏ । ଚିତ୍ରଗୁପ୍ତ ପାଞ୍ଜିବିଡ଼ା ଖୋଲି ମୃତବ୍ୟକ୍ତି ସଂପର୍କରେ ବୟାନ କରି ଉପଯୁକ୍ତ ଦଣ୍ଡର ସୁପାରିଶ କରନ୍ତି । ସେୟା ହେଲା । ବ୍ରହ୍ମାନନ୍ଦଙ୍କୁ କର୍ମ ଅନୁସାରେ ନର୍କକୁ ଯିବା ପାଇଁ ଘୋଷଣା କରି ଦିଆଗଲା ।

 

ବ୍ରହ୍ମାନନ୍ଦ ଚିତ୍କାର କରି ଏ ଆଦେଶର ପ୍ରତିବାଦ କଲେ । କହିଲେ ଜଣେ ଗଣିକା ସ୍ୱର୍ଗକୁ ଗଲା । ମୁଁ କୌଣସି ପାପ ନ କରି ନର୍କକୁ ଯିବି ? ଇଏ କି ନ୍ୟାୟ ? ମୁଁ ହାଇକୋର୍ଟ, ଦରକାର ପଡ଼ିଲେ ସୁପ୍ରିମ୍‌କୋର୍ଟରେ ଅପି୍‌ଲ କରିବାକୁ ଚାହେଁ ।

 

ମୁଁ ବୁଝାଇବାକୁ ଚେଷ୍ଟା କଲି, ଗଣିକା ପରିସ୍ଥିତିରେ ପଡ଼ି ପଥଭ୍ରଷ୍ଟା ହୋଇଥିଲା ସତ୍ୟ; ତା’ ମନରେ କିଛି ଆବିଳତା ନ ଥିଲା । ଭଗବାନଙ୍କୁ ହୃଦୟ ସିଂହାସନରେ ସ୍ଥାପନ କରି ପୂଜା କରୁଥିଲା । ସେ ଯାହା ରୋଜଗାର କରୁଥିଲା ଗରିବ, ଦୁଃଖୀମାନଙ୍କ ପାଇଁ ଦାନ କରି ଦେଉଥିଲା । ସେଥିପାଇଁ ତାକୁ କ୍ଷମା ଦିଆଗଲା । ସେ ସ୍ୱର୍ଗକୁ ଗଲା । କିନ୍ତୁ ତୁମେ, ପରିଶ୍ରମ ନ କରି ସହଜ ପନ୍ଥାରେ ବଞ୍ଚିବାର ଆଶ୍ରା କରିଥିଲ । ଫଳମୂଳ କିଏ ଲଗେଇଛି ଚିନ୍ତା ନ କରି ତମେ ଖାଉଥିଲ । ଭିକ୍ଷାବୃତ୍ତି କରି ଚଳୁଥିଲ । ନିଜ କଥା ଚିନ୍ତା ନ କରି ସମୟ ନଷ୍ଟ କରୁଥିଲ । ଗଣିକା ପାଖକୁ କେତେଜଣ ଗଲେ ତା’ର ହିସାବ କରୁଥିଲ । ସେ ସବୁ ତମ କାମ ନୁହେଁ । ଆପଣା କର୍ମ ତ୍ୟାଗ କରି ପର ଚିନ୍ତାରେ ସମୟ ଅତିବାହିତ କରୁଥିଲ । ସୁତରାଂ ତୁମ କର୍ମର ଉପଯୁକ୍ତ ଶାସ୍ତି ନର୍କବାସ ।

 

ବ୍ରହ୍ମାନନ୍ଦ ସହଜେ ପରାସ୍ତ ହେବା ଲୋକ ନୁହଁନ୍ତି । ତାଙ୍କର ଅକାଟ୍ୟ ଯୁକ୍ତି ପାଖରେ କେବଳ ମୁଁ ନୁହେଁ ସମସ୍ତେ ବିବ୍ରତ ।

 

ବ୍ରହ୍ମା ଯମରାଜଙ୍କଆଡ଼କୁ ଆଉ ଟିକିଏ ଝୁଙ୍କିପଡ଼ି ଆଗ୍ରହରେ ଶୁଣିବାକୁ ମନ କଲେ । ଏଥର କିନ୍ତୁ ଯମରାଜଙ୍କ କଥାର ଗତି ମାନ୍ଦା ପଡ଼ିଗଲା । କହିଲେ, ବ୍ରହ୍ମାନନ୍ଦଙ୍କ ଯୁକ୍ତି ହେଲା ଦେବତାମାନେ କ’ଣ କିଛି ଅନ୍ୟାୟ କରି ନାହାଁନ୍ତି ? ସେମାନଙ୍କ ପାଇଁ କି ଶାସ୍ତି ଅଛି ? ଶ୍ରୀକୃଷ୍ଣ ପିଲାଦିନେ ଦହି ସର ଲବଣୀ ଚୋରି କରିଛନ୍ତି, ଗୋପାଙ୍ଗନାମାନଙ୍କ ବସ୍ତ୍ର ହରଣ କରିଛନ୍ତି, କେତେ ଲୋକଙ୍କୁ ନିର୍ମମ ଭାବରେ ମାରିଛନ୍ତି । ଶ୍ରୀରାମ ସେହିପରି ବୋହୁ ଲୋକଙ୍କୁ ମାରିଛନ୍ତି । ସୀତା ଠାକୁରାଣୀଙ୍କୁ ଜଣେ ଧୋବୀ କଥାରେ ବଣକୁ ପଠେଇ ଦେଇଛନ୍ତି । ସୀତାଦେବୀଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ହୋଇଛି । ଏସବୁ କ’ଣ ଅନ୍ୟାୟ ନୁହେଁ ? ଶିବ ଗଞ୍ଜେଇ ଟାଣି ନିଜ ପୁତ୍ରକୁ ମଧ୍ୟ ହତ୍ୟା କରିବାକୁ କୁଣ୍ଠାବୋଧ ପ୍ରକାଶ କରି ନ ଥିଲେ । କାହାକୁ କେତେବେଳେ କି ବର ଦେଇଛନ୍ତି ତା’ର ହିସାବ ନାହିଁ । ତାଙ୍କ କଥା ବି କହିଲେ ସରିବନି । ଆଉ ବ୍ରହ୍ମା...

 

ଯମରାଜ କଥାରେ ବ୍ରେକ୍‌ କଷି ଅଟକି ଗଲେ । ବ୍ରହ୍ମା ହସିଲେ କହିଲେ, କୁହନ୍ତୁ ଏଥିରେ କ’ଣ ଅଛି ?

 

ଯମରାଜ ଆଶ୍ୱାସନା ପାଇଥିଲେ ମଧ୍ୟ ଥଙ୍ଗ ଥଙ୍ଗ ହୋଇ କହିଲେ, ବ୍ରହ୍ମାନନ୍ଦଙ୍କ ଯୁକ୍ତି ହେଲା, ସେ ଯେଉଁ ଦେହ, ମନ, ବୁଦ୍ଧି, ଜ୍ଞାନ ପାଇଛନ୍ତି ତା’ର ସ୍ରଷ୍ଟା ସେ ନୁହଁନ୍ତି, ବ୍ରହ୍ମା । ସେ ତାଙ୍କ ସୃଷ୍ଟିକୁ ପଙ୍ଗୁ କରି ଦେଲେଣି । ବ୍ୟାଧି, ଶୋକ ଜରା, ମୃତ୍ୟୁ, ପାପ, ଅନ୍ୟାୟ, ଅନୀତିରେ ଭରପୂର ହୋଇଛି ପୃଥିବୀ । ଜଣେ ଭଲ ମଣିଷ ମଧ୍ୟ ଏ ପୃଥିବୀରେ ଖରାପ ହେବାକୁ ବାଧ୍ୟ । ଏମିତି ସୃଷ୍ଟି ସର୍ଜନା କରି ବ୍ରହ୍ମା ହିଁ ଭୁଲ୍‌ କରିଛନ୍ତି । ବ୍ରହ୍ମାନନ୍ଦ ଏକଥା ମଧ୍ୟ କହନ୍ତି ଯେ ତାଙ୍କର ଭୁଲ୍‌ ପାଇଁ ବ୍ରହ୍ମା ହିଁ ଦାୟୀ । ବ୍ରହ୍ମା ହିଁ ଦଣ୍ଡ ପାଇବା ଉଚିତ । ଏ ହେଉଛି ଯମପୁରର ସମସ୍ୟା । ଆପଣଙ୍କର ସୁପରାମର୍ଶ ପାଇଁ ମୁଁ ଧାଇଁ ଆସିଛି । ମତେ ସାହାଯ୍ୟ କରନ୍ତୁ । ଏ ପରିସ୍ଥିତିରେ ମୋର କର୍ତ୍ତବ୍ୟ କ’ଣ ?

 

ଯମରାଜ କଥା ଶେଷ କରି ନୀରବ ରହିଲେ । ବ୍ରହ୍ମା ଗୁମ୍‌ ହୋଇ ମୁହଁକୁ ଭାରାକ୍ରାନ୍ତ କରି ବସିରହିଲେ । ନାରଦ ଚୁପ୍‌ଚାପ୍‌ ବସି ସବୁ ଶୁଣୁଥିଲେ । ସେ ଆଦୌ ଚୁପ୍ ରହିବା ଲୋକ ନୁହଁନ୍ତି ।

 

ସେ ଏଥର କଥା ଆରମ୍ଭ କଲେ, ମୋ ମତରେ ବ୍ରହ୍ମାନନ୍ଦଙ୍କୁ କୁହାଯାଉ ସେ ଯେଉଁ ଦେବତାମାନଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ସେମାନେ ମୃତ୍ୟୁ ବରଣ କରି ନାହାଁନ୍ତି । ମୃତ ବ୍ୟକ୍ତିର କେବଳ ପାପପୁଣ୍ୟ ହିସାବ ନିକାଶ କରାଯାଇଥାଏ ଯମାଳୟରେ । ତେଣୁ ସେଇ ଦେବତାମାନଙ୍କ ଦଣ୍ଡ ସମ୍ପର୍କରେ ବର୍ତ୍ତମାନ ପରିସ୍ଥିତିରେ ଚିନ୍ତା କରିବାର ସମୟ ଆସିନାହିଁ । ତା’ଛଡ଼ା ବ୍ରହ୍ମାନନ୍ଦଙ୍କୁ ତାଙ୍କର ଅବାନ୍ତର ଯୁକ୍ତି ଲାଗି ନର୍କବାସଠାରୁ ଆହୁରି କଠୋର ଶାସ୍ତି ବିଧାନ କରାଯାଉ ।

 

ବ୍ରହ୍ମାଙ୍କ ଚିନ୍ତିତ ମୁହଁରେ ହସର ଝଲକ ଖେଳିଗଲା । ପୁତ୍ରର ବୁଦ୍ଧିକୁ ପ୍ରଶଂସା ନ କରି ରହି ପାରିଲେନି । ଆସନ୍ତା ସୃଷ୍ଟି କିଭଳି ହେବ ତା’ର ଏକ ଚିଠା ପ୍ରସ୍ତୁତ କରି ଆଣିବା ପାଇଁ ନାରଦଙ୍କୁ ପରାମର୍ଶ ଦେଇ ବ୍ରହ୍ମା କ୍ରିକେଟ କମେଣ୍ଟ୍ରି ଶୁଣିବାରେ ମନ ଦେଲେ ।

 

ଯମପୁର ସମସ୍ୟାର ସମାଧାନ ହେଲା । ଯମରାଜ ମଧ୍ୟ ଆଶ୍ୱସ୍ତ ହୋଇ ଦୀର୍ଘ ନିଃଶ୍ୱାସ ପକାଇଲେ ।

Image

 

ଓ୍ୱାଇପର୍

 

ମଣିଷ ହିଁ ଦୁଃଖର ସ୍ରଷ୍ଟା । ସୁଖ ପଛରେ ଧାଇଁ ଧାଇଁ ନିଜ ଅଜାଣତରେ ମଣିଷ ଦୁଃଖମାନଙ୍କୁ ହିଁ ସାଉଁଟି ଆଣିଥାଏ ।

 

‘ଦୁଃଖ’ ମଣିଷ ମନର ବିକାର । ସେଥିରୁ ମଣିଷର ମୁକ୍ତି ନାହିଁ । ଦୁଃଖ ମଣିଷର ସହଚର ହୋଇଯାଇଛି । ଦୁଃଖରେ ପଡ଼ିଲେ ହିଁ ମଣିଷ ଜୀବନର ମୂଲ୍ୟ ବୁଝେ । ନାସ୍ତିକରୁ ଆସ୍ତିକ ହୁଏ, ରତ୍ନାକରରୁ ବାଲ୍ମିକୀ ହୁଏ । କିଏ ବା ସାଧୁରୁ ଚୋର, ଖଣ୍ଟ, ଖୁଣୀ ହୁଏ । ଦୁଃଖରେ ପଡ଼ିଲେ ସ୍ଖଳନ ଅବଶ୍ୟମ୍ଭାବୀ ।

 

ସେଇ ଦୁଃଖ ଲିଜା ଚରିତ୍ରକୁ ନାଟକର ଚରମ ଦୃଶ୍ୟ ଭଳି ରୋମାଞ୍ଚକର କରିଛି । ତା’ ଜୀବନକୁ କରିଛି ସଙ୍ଘର୍ଷମୟ ।

 

ଲିଜା, ଦେହ ନଦୀରେ ତା’ର ଯୌବନର ଜୁଆର । ହଠାତ୍ ସେ ଦିନେ ତା’ର ତନୁ ବଲ୍ଲରୀରେ ଆବିଷ୍କାର କରିଛି କେତେ ସୁନ୍ଦର ସୁନ୍ଦର ତାରକସିର କାରୁକାର୍ଯ୍ୟ । ନିଜ ଆବିଷ୍କାରରେ ନିଜେ ପୁଲକିତ ହୋଇଛି, ମୁଗ୍‌ଧ ହୋଇଛି । ଅଚାନକ ଋତୁ ପରିବର୍ତ୍ତନର ସୂଚନା । ଋତୁରାଜ ବସନ୍ତର ଆଗମନୀ ସଙ୍କେତ ମନ ଉପବନରେ ଭରିଦେଲା ଇନ୍ଦ୍ରଧନୁର ରଙ୍ଗ ।

 

ହଠାତ୍‌ ଯେମିତି କାହାର କାଉଁରି ପରଶରେ କଢ଼ଟା ପୂର୍ଣ୍ଣ ବିକଶିତ ହୋଇ ଫୁଲ ହୋଇଗଲା । କୈଶୋର ଅବସ୍ଥାରୁ ଯୌବନକୁ ଅଚାନକ ଲମ୍ଫ ପ୍ରଦାନ । ଫ୍ରକ୍‌ ଛାଡ଼ି ଶାଢ଼ୀ ପିନ୍ଧିବାର ବୟସ, ଲଜ୍ଜା ଶବ୍ଦଟିକୁ ଆପଣାର କରିବାର ବୟସ । ଏଇ ବୟସରେ ଲିଜା ହାଇସ୍କୁଲ ଛାଡ଼ି କଲେଜରେ ନାଁ ଲେଖାଇଲା ।

 

ସୁନ୍ଦରୀ ଲିଜା ଦୃଷ୍ଟି ଆକର୍ଷଣ କରିଛି ବହୁ ପୁରୁଷଙ୍କର । ସମସ୍ତେ ଧରିବାକୁ ହାତ ବଢ଼େଇଛନ୍ତି; କିନ୍ତୁ କାହା ହାତ ଆଘାତ ପାଇଛି, କାହା ହାତ ପୋଡ଼ି ଯାଇଛି, ବିଫଳତାର ଗ୍ଳାନି ନେଇ ସମସ୍ତେ ଫେରି ଯାଇଛନ୍ତି ।

 

ମଣିଷ ଯଦି ସବୁଦିନେ ଠିକ୍‌ ବାଟରେ ଯାଉଥାନ୍ତା ତା’ହେଲେ ତ ଦେବତା ହୋଇ ଯାଇଥାନ୍ତା । ଭୁଲ୍ ବାଟରେ ଯିବା ମଣିଷର ଧର୍ମ । ଭୁଲ୍ କରିବା ମଣିଷର ସହଜାତ ପ୍ରବୃତ୍ତି । ଭୁଲ୍‌କୁ ଛାଡ଼ି ମଣିଷ ବଂଚି ପାରେନା ।

 

ଲିଜା ତ ମଣିଷ, ରକ୍ତ ମାଂସର ଶରୀର ନେଇ ତା’ର ଜନ୍ମ । ତା’ର ଆଦର୍ଶରୂପକ ମୁଖାଟା ହଠାତ୍‌ ଖୋଲିଗଲା । ତା’ର ଦୁର୍ବଳତା ହଠାତ୍‌ ଦିନେ ଧରା ପଡ଼ିଗଲା ଯୁବ ଅଧ୍ୟାପକ ରାଜୁ ସିଂଙ୍କ ମନ ଦର୍ପଣରେ ଇଂରାଜୀରେ ଲିଜା ଦୁର୍ବଳ ଥିଲା । ତା’ର ବାପା ରାଜୁ ବାବୁଙ୍କୁ ଅନୁରୋଧ କରିଥିଲେ ଲିଜାକୁ ସାହାଯ୍ୟ କରିବା ପାଇଁ । କିନ୍ତୁ ରାଜୁ ବାବୁ ଇଂରାଜୀ ପଢ଼ାଉ ପଢ଼ାଉ ଆହୁରି ଅନେକ କଥା ପଢ଼େଇ ଦେଲେ । ଏ ଅଜଣା ପାଠରେ କେତେ ରୋମାଞ୍ଚ, କେତେ ମାଦକତା ।

 

ଏ ପ୍ରଥମ ଅନୁଭୂତିରେ କେତେ ମଧୁର ଯନ୍ତ୍ରଣାର ସ୍ୱାଦ । ଲିଜା ସେଇଦିନ ପ୍ରଥମ କରି ଜାଣିଲା ଏ ଅପୂର୍ବ ମିଠା ମିଠା ଅବ୍ୟକ୍ତ ରୋମାଞ୍ଚକର ଅନୁଭୂତିର ନାମ ପ୍ରେମ । ଲିଜା ଏକଥା ମଧ୍ୟ ବୁଝିଲା ଇଂରାଜୀ ପାଠଠାରୁ ପ୍ରେମ ପାଠ ଶତଗୁଣ ଆନନ୍ଦଦାୟକ ।

 

କଲେଜ କାନ୍ଥ ବାଡ଼ରେ ଲିଜା ଏବଂ ରାଜୁ ସିଂଙ୍କ ପ୍ରେମକାହାଣୀ ଶୋଭାମଣ୍ଡନ କଲା । ବହୁ ଲୋକଙ୍କ କୌତୁହଳକୁ ଦ୍ୱିଗୁଣିତ କଲା । ଏଭଳି ସମ୍ୱାଦର ଯେ ଡେଣା ଅଛି ଏକଥା ସମସ୍ତେ ଜାଣନ୍ତି । ଏ ସମ୍ୱାଦ ଉଡ଼ି ଉଡ଼ି ସହର ସାରା ଖେଳେଇ ହୋଇଗଲା ।

 

ହଠାତ୍‌ ଦିନେ ଲିଜା ପାଦରେ କଣ୍ଟା ଫୁଟିଗଲା । ପାଦରେ ନୁହେଁ କଣ୍ଟାଟା ଛାତିରେ ଫୁଟିଗଲା ଯେମିତି । ବାପା ମା’ଙ୍କ ଅନିଚ୍ଛା ସତ୍ତ୍ୱେ ଲିଜା ରାଜୁ ସିଂଙ୍କୁ ବିବାହ କରିବାକୁ ମନସ୍ଥ କଲା-। ଏଥିପାଇଁ ତାକୁ ବହୁତ ଦାମ୍‌ ଦେବାକୁ ହେଲା । ଘର, ସମ୍ପତ୍ତି, ବାପା ମା’ଙ୍କ ସ୍ନେହ ଶ୍ରଦ୍ଧାକୁ ତ୍ୟାଗ କରିବାକୁ ହେଲା । ଲିଜା ସବୁ ଛାଡ଼ି ପାଇଲା ଜଣକୁ, ସେ ରାଜୁ ସିଂ, ତା’ର ସ୍ୱାମୀ । ଲିଜା କୁମାରୀରୁ ଶ୍ରୀମତୀ ହେଲା-

 

ବିବାହରେ ପରା ନାରୀ ଜୀବନର ପୂର୍ଣ୍ଣତା ଆସେ । ସଂସାରକୁ ନୂଆ କରି ଦେଖିବାର ସୁଯୋଗ ଆସେ । ସ୍ୱାମୀଙ୍କ ସହିତ ହସ ଖୁସିରେ ମାତିବା ଲାଗି କେବଳ ଲାଇସେନ୍‌ସ ମିଳେ, ତା’ ନୁହେଁ । ଲୋକସଂଖ୍ୟା ବୃଦ୍ଧି କରିବା ଲାଗି ମଧ୍ୟ ଲାଇସେନ୍‌ସ ମିଳେ । ବିବାହ, ଚଉଠି ରାତି ନାରୀ ଜୀବନର ବହୁ ଆକାଂକ୍ଷିତ ମୁହୂର୍ତ୍ତ । ଏ ମୁହୂର୍ତ୍ତ ଗୁଡ଼ାକ କି ନିମକ୍‌ ହାରାମ । ପାଖରେ ଥିଲାବେଳେ ଅନ୍ତରଙ୍ଗ ବନ୍ଧୁ ଭଳି ପ୍ରେମ କରୁଥିବେ ଟିକିଏ ମୁହଁ ବୁଲେଇଦେଲେ ଗଡ଼ିଲା ପାଣି ଭଳି ବହି ଯିବେ ଆଗକୁ ଆଗକୁ । ଥରେ ବି ଫେରି ଚାହିଁବେନି ।

 

ନିରାଡ଼ମ୍ୱର ବିବାହ ଉତ୍ସବର ସମାପ୍ତି ପରେ ବନ୍ଧୁ ବାନ୍ଧବମାନେ ଫେରିଗଲେ ଆପଣା ଆପଣା ଗୃହକୁ । କେବଳ ରହିଗଲେ ରାଜୁ ସିଂ ଏବଂ ଲିଜା । କପାଳରେ ସିନ୍ଦୁର ନାଇ ନିଜକୁ ଶ୍ରୀମତୀ ବୋଲି ଘୋଷଣା କରିଥିଲା ଲିଜା । ତେଇଶି ବର୍ଷର ସାଇତା କୁମାରୀତ୍ୱକୁ ବଳି ଦେଇ ଲିଜା ପାଇଲା କ’ଣ ? ବାହାରର ଅନ୍ଧକାର ସହିତ ଆଖି ମଳେଇ ଅନ୍ୟମନସ୍କ ଭାବରେ ସେଇ କଥା ହିଁ ଭାବୁଥିଲା । କୁମାରୀରୁ ଶ୍ରୀମତୀ ହେବାର ଆନନ୍ଦ କୁଆଡ଼େ ଗଲା ? ଜୀବନର ଏତେବଡ଼ ପରିବର୍ତ୍ତନରେ କୌଣସି ମାଦକତା ନ ଥିଲା ।

 

ସବୁ ଯେମିତି ନୀରବ । ନୀରବତାର ମଧ୍ୟ ଭାଷା ଅଛି । ନୀରବତା ଠାରୁ ଅନ୍ତରଂଗ ବନ୍ଧୁ ଆଉ କିଏ ଅଛି ?

 

ନୀରବତାରେ ମଧ୍ୟ ମନର ଭାଷା ପଢ଼ିହୁଏ । ଲିଜା ମୁହଁରେ ଲଜ୍ଜା, ଅଭିମାନ, ଦୁଃଖର ଗୋଟାଏ ଫେଣ୍ଟାଫେଣ୍ଟି ଭାବ । ଲିଜାର ବିମୂଢ଼ ଅବସ୍ଥା ବୁଝିପାରି ପରିସ୍ଥିତିକୁ ହାଲୁକା କରିବାକୁ ରାଜୁ ସିଂ ତୋଳିନେଲେ ଲିଜାକୁ ।

 

ସାତଟା କ୍ୟାଲେଣ୍ଡରର ତାରିଖ ବଦଳିଗଲା । ସାତ ଦିନ ଭଳି ସାତ ବର୍ଷ କାଳର କରାଳ ଗର୍ଭରେ ଲୀନ ହୋଇଗଲା । ଏ ଭିତରେ ପୃଥିବୀରେ କେତେ ପରିବର୍ତ୍ତନ ହୋଇଯାଇଛି ।

 

ରାଜୁ ସିଂ କହନ୍ତି, ଲିଜାକୁ ବାହା ହବା ପରଠୁ ମୋ ଭାଗ୍ୟ ଖୋଲି ଯାଇଛି ।

 

ସତରେ ତାଙ୍କ ଜୀବନକୁ ରଂଗିନ କରିଦେଇଛି ଲିଜା । ହସ, ଖୁସି, ଆନନ୍ଦ, ଉପଭୋଗ, ଶାନ୍ତି ସବୁକିଛି ଭରି ଯାଇଛି ତାଙ୍କ ଛୋଟ ପରିବାରଟିରେ । ରାଜୁ ସିଂ ଅଧ୍ୟାପକ ଚାକିରି ଛାଡ଼ି ଗୋଟାଏ ବିରାଟ ଏକ ଶିଳ୍ପ କାରଖାନାରେ ମ୍ୟାନେଜର ଭାବରେ ଯୋଗ ଦେଇଛନ୍ତି । ଗାଡ଼ି, ଫ୍ରିଜ୍‌, ଟେଲିଭିଜନ୍‌, ଟେଲିଫୋନ୍‌, ଚାକର ପୂଝାରୀ କୌଣସିଥିରେ ଅଭାବ ନାହିଁ । ପ୍ରଚୁର ଦରମା, ପ୍ରଚୁର ବ୍ୟାଙ୍କ ବାଲାନ୍‌ସ୍, ପ୍ରାଚୁର୍ଯ୍ୟ ଭିତରେ ହଜିଯାଇଛନ୍ତି ସ୍ୱାମୀ ସ୍ତ୍ରୀ । ରଙ୍ଗୀନ ସ୍ୱପ୍ନ ଭିତରେ ବିଭୋର ହୋଇ କଟିଯାଇଛି ସାତ ବର୍ଷ ।

 

ଏ ପ୍ରାଚୁର୍ଯ୍ୟ ଭିତରେ ଅଭାବ ରହିଯାଇଥିଲା ଗୋଟାଏ କଥା, ଯାହା ଲିଜା ଅନୁଭବ କରି ପାରି ନ ଥିଲା ଏତେ ଦିନ ଧରି । ସେ ଅଭାବ ବୋଧ ଆଜି ତାକୁ ରାକ୍ଷସ ଭଳି ଗ୍ରାସ କରିଛି । କଥାଟା ମନେ ପଡ଼ିଗଲେ ଗଭୀର ଅବସାଦରେ ଅବସନ୍ନ ହୋଇଯାଏ ସେ । ମୁହଁର ଜ୍ୟୋତି ହଜିଯାଏ । ସବୁ ଆନନ୍ଦ, ସୁଖ, ଶାନ୍ତି ମିଳେଇଯାଏ ।

 

ମଣିଷ ଯାହା ଚାହେଁ ତାହା ପାଏନା, ଯାହା ଚାହେଁନା ତାହା ପାଏ । ଛୁଆଟିଏ ପାଇଁ ଲିଜା କେତେ ଠାକୁରଙ୍କୁ ପ୍ରାର୍ଥନା କରିଛି, କେତେ ଘିଅଦୀପ, ଭୋଗ ଯାଚିଛି, କେତେ ଦାନ ଧର୍ମ କରିଛି, କେତେ ସାଧୁ ସନ୍ଥଙ୍କର ଦ୍ୱାରସ୍ଥ ହୋଇଛି । କିନ୍ତୁ ସବୁ ଚେଷ୍ଟା ବିଫଳ ହୋଇଛି ତା’ର ।

 

ପଡ଼ିଶା ଘରେ ଦଶଟା ଛୁଆର ମାଆ । ଭୋକିଲା ଛୁଆ ଗୁଡ଼ାକର କ୍ରନ୍ଦନ ଶୁଣି ଚିତ୍କାର କରି ଉଠେ ଲିଜା । ତା’ ଆଗରେ ପୃଥିବୀର ଘୂର୍ଣ୍ଣନ ସ୍ପଷ୍ଟରୁ ସ୍ପଷ୍ଟତର ହୋଇଉଠେ । ଭାବେ, ପୃଥିବୀ ନୁହେଁ ମୁଁ ଘୂରୁଛି, ମୁଁ । ଜୀବନ ନାଟକରେ ରାଜା ହେବାର ଆନନ୍ଦ ଅଛି । କିନ୍ତୁ ରାଜା ପୋଷାକ ପିନ୍ଧିବାର ଗର୍ବ କ୍ଷଣକରେ ମିଳେଇଯାଏ ରାଜା ପୋଷାକ ତଳେ ପିନ୍ଧିଥିବା ମଇଳା ଚିରା ଗଞ୍ଜି ଦେଖିଦେଲେ ।

 

ଲିଜା ବସିଯାଏ । ଚୁପ୍‌ଚାପ୍, ମୂକ ପରି । ତା’ ଅଧର ଉପକୂଳର ଭାଷା ଅବ୍ୟକ୍ତ ରହିଯାଏ ।

 

ବଣ ପୋଡ଼ିଗଲେ ସମସ୍ତେ ଜାଣନ୍ତି; କିନ୍ତୁ ମନ ପୋଡ଼ିଗଲେ କେହି ଜାଣେନା । ବୁଝେଇ ହୁଏନା ମନର ବେଦନା । ମନଟାକୁ ଯଦି ଦେହ ଭିତରୁ ଅଲଗା କରିଦେଇ ହୁଅନ୍ତା । ନା....ନା, ତା’ କ’ଣ ସମ୍ଭବ ? ଦେହ, ମନ ଅଲଗା, ଅଥଚ ଅଙ୍ଗାଙ୍ଗୀଭାବେ ଜଡ଼ିତ । କିଏ କାହାଠାରୁ ଭିନ୍ନ ନୁହନ୍ତି ।

 

ଲିଜା ନିଜ ମନକୁ ବୁଝେଇବାକୁ ବହୁତ ଚେଷ୍ଟା କଲା । କିନ୍ତୁ ତା’ର ଲଗାମହୀନ ମନ ତା’ ଅକ୍ତିଆରରେ ନ ଥିଲା । ତା’ର ଛୁଆଟିଏ ଦରକାର, ସେ ମାଆ ହେବାକୁ ଚାହେଁ ।

 

କିନ୍ତୁ...., ସବୁ କିନ୍ତୁରେ ହିଁ ରହିଯାଏ । ଯିଏ ତା’ର ମନକଥା ବୁଝିବା କଥା ସିଏତ ଅଫିସ୍‌ରେ ବ୍ୟସ୍ତ, ଅପର୍ଯ୍ୟାପ୍ତ ଟଙ୍କା ରୋଜଗାର କରିବାରେ ବ୍ୟସ୍ତ । ତାଙ୍କର ସମୟ କାହିଁ ଲିଜାର ଭଲ ମନ୍ଦ ବୁଝିବାକୁ ? ଅଧ୍ୟାପକ ଚାକିରି ଛାଡ଼ି ବ୍ୟବସାୟ ଆରମ୍ଭ କଲା ଦିନଠାରୁ ରାଜୁ ସିଂ ଅର୍ଥ ସର୍ବସ୍ୱ ହେଇଯାଇଛନ୍ତି ।

 

ସକାଳୁ ରାତି ବାରଟା ଗୋଟାଏ ଯାଏଁ ଖାଲି ସେଇ ଚିନ୍ତା, ଟଙ୍କା, ଟଙ୍କା, ଟଙ୍କା । ତାଙ୍କ ଦୃଷ୍ଟିରେ ଟଙ୍କାଟା ହିଁ ଜୀବନର ମାପକାଠି । ପ୍ରଗତିର ଚାବିକାଠି । ଅର୍ଥକୁ ବାଦଦେଇ ସୁଖଶାନ୍ତି କଥା ଚିନ୍ତା କରାଯାଇ ପାରେନା । ଅର୍ଥ ହାତକୁ ଆସିଲେ ସବୁ ଆପେ ଆପେ ହାତକୁ ଚାଲି ଆସେ-

 

ରାଜୁ ସିଂ ଧୀର, ନମ୍ର, ସରଳ ବିଶ୍ୱାସୀ, ଶାନ୍ତ ସ୍ୱଭାବର । କିନ୍ତୁ ସେଦିନ ରାଜୁ ସିଂଙ୍କୁ ଯିଏ ଦେଖିଛି ସେ ବିଶ୍ୱାସ କରି ପାରିବନି । ହଠାତ୍‌ ତାଙ୍କର ଏଭଳି ବିସ୍ଫୋରଣ କେମିତି ସମ୍ଭବ ହେଲା ? ତାଙ୍କରି ଭିତରେ ଏତେ ରାକ୍ଷସ ପ୍ରବୃତ୍ତି କେମିତି ଲୁଚି ରହିଥିଲା ? ସେ ଏତେ ହିଂସ୍ର ହୋଇ ପାରିଲେ କେମିତି ? ତାଙ୍କ ଦେହରେ ଶତସିଂହର ବଳ କୋଉଠୁ ଆସିଲା ? ନା, ପରିସ୍ଥିତିରେ ପଡ଼ିଲେ ମଣିଷ ଦେହରେ ଅମାପ ଶକ୍ତି ଭରିଯାଏ ।

 

ରାଜୁ ସିଂଙ୍କ ବୁଦ୍ଧି ଦେଖି ଚୋରମାନଙ୍କ ଲୋଲୁପ ଦୃଷ୍ଟି ପଡ଼ିବା ସ୍ୱାଭାବିକ । ଦରକାର ପଡ଼ିଲେ ଚୋରମାନଙ୍କ ମୁକାବିଲା କରିବାକୁ ରାଜୁ ସିଂ ପିସ୍ତଲ୍‌ଟିଏ ରଖିଥିଲେ । କିନ୍ତୁ ସେଇ ପିସ୍ତଲ୍‌ ଚୋରଙ୍କୁ ଛାଡ଼ି ଆଜି ନିଜର ପ୍ରାଣପ୍ରିୟା ଲିଜା ଆଡ଼କୁ ମୁହାଁଇଛି । ଯେ କୌଣସି ମୁହୂର୍ତ୍ତରେ ଗୋଟାଏ ‘ଢୋ’ ଶବ୍ଦରେ ସବୁ ନିଶ୍ଚିହ୍ନ ହୋଇଯିବ । ଲିଜାର ରକ୍ତ ମାଂସର ଲୋଭନୀୟ ଶରୀରଟା ଧରାଶାୟୀ ହୋଇଯିବ ।

 

ରାଜୁ ସିଂ ଚିତ୍କାର କରୁଛନ୍ତି, କୁହ ଲିଜା, ଜବାବ ଦିଅ, ମୁଁ ତମକୁ କ’ଣ ଅଭାବ କରିଛି ? ତଥାପି ଜଣେ ପର ପୁରୁଷ ପାଖରେ ତମେ ନିଜକୁ ସମର୍ପଣ କରି ଦେଇ ପାରିଲ ? କାହିଁକି ? କାହିଁକି ? ମୁଁ ଦିନରାତି ଖଟି ଖଟି ମରୁଛି । ତମେ ଏଣେ ଉପଭୋଗ କରି ଆରାମ କରୁଛ ? ମତେ ଧୋକା ଦେଇଛ । ବିଶ୍ୱାସରେ ବିଷ ଦେଇଛ । ନା, ଆଜି ମୁଁ ସବୁ ଦେଖିଛି, ସବୁ ଜାଣିଛି । ଆଜି ତୁମକୁ ଛାଡ଼ିବିନି । ଏ ପିସ୍ତଲ୍‌ରେ...

 

ତା’ ପରର ଦୃଶ୍ୟ ଆହୁରି ଭୟଙ୍କର, ମର୍ମନ୍ତୁଦ । ଲିଜା ସ୍ୱାମୀଙ୍କ ଗୋଡ଼ ଧରି କାକୁତି ମିନତି କରି କୈଫିଏତ ଦେବାକୁ ଚେଷ୍ଟା କରିଛି । ନିଜର ଭୁଲ୍‌ ପାଇଁ ଅନୁତାପ କରିଛି । କ୍ଷମା ମାଗିଛି । ଲୋକ ଅପବାଦକୁ ସ୍ମରଣ କରାଇ ଦେଇ ସ୍ୱାମୀକୁ ବୁଝାଇଛି ।

 

ରାଜୁ ସିଂଙ୍କ ଉତ୍ତୋଳିତ ଶକ୍ତ ହାତ ଶିଥିଳ ହୋଇଯାଇଛି । ହିଂସ୍ର ମନୋଭାବ ପ୍ରଶମିତ ହୋଇଯାଇଛି । ନିରସ୍ତ୍ର ପରାସ୍ତ ସୈନିକର ଗ୍ଳାନି ନେଇ ପରିବର୍ତ୍ତୀ ପଦକ୍ଷେପ ସଂପର୍କରେ ଚିନ୍ତିତ । ତାଙ୍କ ଜୀବନ ଆକାଶରେ ଏତେ ବଡ଼ ଝଡ଼ ବହିଯିବ ସେ କଳ୍ପନା ସୁଦ୍ଧା କରି ନ ଥିଲେ । ସଚେତନ ନ ଥିଲେ ଏଭଳି ଯନ୍ତ୍ରଣାଦାୟକ ହୃଦୟ ବିଦାରକ ପରିସ୍ଥିତିର କିଭଳି ମୁକାବିଲା କରାଯାଇପାରେ ସେ ସଂପର୍କରେ ତାଙ୍କର ଧାରଣା ନ ଥିଲା । ଜୀବନକୁ ସହଜ ସରଳ ଭାବରେ ଗ୍ରହଣ କରି ପ୍ରତି ପଦେ ପଦେ ଯେ ଠକି ଯାଇଛନ୍ତି ସେ ଆଜି ସେକଥା ବୁଝି ପାରିଛନ୍ତି ।

 

ଦେହ ବଦଳରେ ଦେହ ମିଳେ । ମନ ମିଳେନା । ମନଟା ଗୋଟାଏ ମାଟି କଣ୍ଢେଇ । ଥରେ ଭାଙ୍ଗିଗଲେ ଆଉ ଯୋଡ଼ି ହୁଏନା । ସ୍ୱାମୀ ସ୍ତ୍ରୀଙ୍କର ପବିତ୍ର ସଂପର୍କ ମଝିରେ ଥରେ ସନ୍ଦେହର ଅଙ୍କୁରୋଦ୍‌ଗମ ହେଲେ ସେଥିରୁ ବିରାଟ ବଟବୃକ୍ଷର ଜନ୍ମ ନେବ ଏବଂ ଯୁଗ୍ମ ଜୀବନର ସୁନ୍ଦର ନବତଳ ପ୍ରାସାଦକୁ ମଧ୍ୟ ଧ୍ୱଂସ କରିଦେବ । ସନ୍ଦେହ ଏଭଳି ଏକ ମାରାତ୍ମକ ସାପ ଯାହାର ବିଷ ଦେହରେ ଥରେ ଚରିଗଲେ ଆଉ କୌଣସି ମହୌଷଧି କାଟୁ କରିବନି । ତା’ର ଦଂଶନ ସର୍ବାଙ୍ଗକୁ ବିଦୀର୍ଣ୍ଣ କରିଦେବ । ମଣିଷକୁ ଜୀବନରେ ନ ମାରି ମରଣ ଯନ୍ତ୍ରଣା ଦେବ ।

 

ରାଜୁ ସିଂ ନିର୍ବାକ ।

 

ନିସ୍ତେଜ । ନିଶ୍ଚେଷ୍ଟ ।

 

ପଲକର ବ୍ୟବଧାନରେ ନାଟକର ଦୃଶ୍ୟ ବଦଳିଗଲା । ରାଜୁ ସିଂଙ୍କ ହାତରୁ ପିସ୍ତଲ ନେଇ ଲିଜା ପିସ୍ତଲ୍ ଫୁଟାଇଛି । ରାଜୁ ସିଂ ପ୍ରକୃତିସ୍ଥ ହେବା ପୂର୍ବରୁ ଗୁଳିବଦ୍ଧ ହୋଇ ଧରାଶାୟୀ ହେଲେ । ରକ୍ତାକ୍ତ ଶରୀରରୁ ପ୍ରାଣବାୟୁ ଉଡ଼ିଗଲା । ରାଜୁ ସିଂ ଶେଷ ନିଃଶ୍ୱାସ ତ୍ୟାଗ କଲେ ଏବଂ ଲିଜା ଦୀର୍ଘ ନିଃଶ୍ୱାସ ତ୍ୟାଗ କଲା ।

 

ବିକାଶ ଚୌଧୁରୀ ନିର୍ବାକ । ତାଙ୍କ ଆଖି ସାମନାରେ ଏତେ ବଡ଼ ଘଟଣା ଘଟିଗଲା ଅଥଚ ବିକାଶ ଚୌଧୁରୀ ଚାହିଛନ୍ତି ବୋକା ବୋକା ଦୃଷ୍ଟିରେ, ଅପରାଧୀଟି ଭଳି ।

 

ଲିଜା ବିକାଶ ଚୌଧୁରୀଙ୍କ ପାଖକୁ ଦୌଡ଼ି ଆସିଛି । ଅଜଣା ଭୟ ଏବଂ ଆଶଙ୍କାରେ ତା’ର ସର୍ବାଙ୍ଗ ଥରି ଉଠୁଛି । ତା’ର ଘର୍ମାକ୍ତ ଭାରାକ୍ରାନ୍ତ ମୁଖମଣ୍ଡଳ ଶ୍ରୀହୀନ ହୋଇ ପଡ଼ିଛି ।

 

‘‘ବିକାଶ, ଚାଲ, ଆମେ ଏଠୁ ଚାଲିଯିବା । ଦୂରକୁ, ବହୁତ ଦୂରକୁ । ଏଠି ରହିବା ଆମ ପକ୍ଷରେ ନିରାପଦ ନୁହେଁ । ଚାଲ, ଆମେ ଏଠୁ ଶ୍ରୀଘ୍ର ଚାଲିଯିବା ।’’ କମା, ପୂର୍ଣ୍ଣଚ୍ଛେଦକୁ ଭୁଲି ଏକା ନିଃଶ୍ୱାସକେ କଥା ଶେଷ କରି ଲିଜା ବିକାଶର ହାତ ଧରିଲା ।

 

ଏପର୍ଯ୍ୟନ୍ତ ବିକାଶ ଚୌଧୁରୀ ନୀରବ ଥିଲା । ଚୁପ୍‌ଚାପ୍ ଗୋଟାଏ ନାଟକ ଦେଖୁଥିଲା ଯେମିତି । ଲିଜାର କଥାରେ ଚମକି ପଡ଼ିଲା ବିକାଶ । ଲିଜା ଏ କ’ଣ କହୁଛି ? ସେ ତ ଏକଥା ଚାହିଁ ନ ଥିଲେ ।

 

‘‘ବିକାଶ..... ବିକାଶ..... ଶୁଣ ବିକାଶ ।’’ ଲିଜାର କୌଣସି କଥା ଶୁଣିବାକୁ ଅପେକ୍ଷା କରି ନ ଥିଲା ବିକାଶ । ନୀରବରେ ସେ ଘରୁ ନିଷ୍କ୍ରାନ୍ତ ହୋଇ ଯାଇଥିଲା । ଉତ୍ତର ଦେବାକୁ ଭାଷା ନ ଥିଲା ତା’ ପାଖରେ । ଆଗ୍ରହ ବି ନ ଥିଲା ।

 

ସବୁବେଳେ ଅବୋଧ୍ୟ ଏ ବିକାଶ । କିଛି ନ କହି ଅନେକ କଥା କହିଗଲା ସେ ।

 

ଏଥର ଲିଜା ବୁଝି ପାରିଲା ଅନ୍ଧାର ମାଡ଼ି ଆସୁଛି । ଚତୁର୍ଦ୍ଦିଗରେ ଅନ୍ଧାର, ଅନ୍ଧାର, ଆଉ ଅନ୍ଧାର । ଅନ୍ଧାର ରାକ୍ଷସଟା ବିକଟାଳ ଚିତ୍କାର କରି ମାଡ଼ି ଆସୁଛି । ତା’ର ହିଂସ୍ର ପଞ୍ଝା ଭିତରେ ଜାବୁଡ଼ି ଧରି ରକ୍ତ ଶୋଷି ନେବ ମୁହୂର୍ତ୍ତକ ଭିତରେ । ଭୟରେ ଶୀହରି ଉଠିଲା ଲିଜା । ବିପଦ ଆଉ ବେଶି ଦୂରରେ ନାହିଁ । ବଞ୍ଚିବାର ସମସ୍ତ ମୋହ ମିଳେଇଗଲା । ମୃତ୍ୟୁକୁ ଅପେକ୍ଷା କରି ମୂକ ପାଲଟିଗଲା ଲିଜା ।

 

ହଠାତ୍‌ କ’ଣ ଭାବି ଚିତ୍କାର କରି ଉଠିଲା ଲିଜା । ଫୋନ୍‌ ଉଠେଇ ଡାଏଲ୍‌ କଲା ।

 

‘‘ହାଲୋ, ପୋଲିସ୍‌ ଷ୍ଟେସନ୍ ? ମୁଁ ଲିଜା ସିଂ କହୁଛି । ରାଜୁ ସିଂଙ୍କ ସ୍ତ୍ରୀ । ବଡ଼ ବଜାରରୁ-। ମୋ ସ୍ୱାମୀଙ୍କୁ ବିକାଶ ଚୌଧୁରୀ ବୋଲି ଜଣେ ଲୋକ ଗୁଳି କରି ମାରି ଦେଇଛି । ଶୀଘ୍ର ଆସନ୍ତୁ-। କ’ଣ କହିଲେ ? ବିକାଶ ଚୌଧୁରୀ ଆତ୍ମ ସମର୍ପଣ କରିଛି ? ମୋ ସ୍ୱାମୀଙ୍କି ଗୁଳି କରିଛି ବୋଲି ସ୍ୱୀକାର କରିଛି ।

 

ଫୋନ୍‌ ରିସିଭରଟା ଖସି ପଡ଼ିଲା ଲିଜା ହାତରୁ । ଭାଙ୍ଗି ଚୂନା ହୋଇଗଲା ଠିକ୍‌ ଲିଜାର ହୃଦୟ ଭଳି ।

Image

 

କୁହୁଡ଼ି

 

କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ରାଣୀହାଟ ଛକ ଆଡ଼କୁ ଗଲେ ଡାହାଣପଟେ ଗୋଟାଏ ବିରାଟ ପୁରୁଣାକାଳିଆ ଦୋମହଲା କୋଠାଘର ନଜରରେ ପଡ଼େ । ହଠାତ୍‌ ମନ୍ଦିରଟାଏ ବୋଲି ଭ୍ରମ ସୃଷ୍ଟି ହେବ କିନ୍ତୁ ମନ୍ଦିର ନୁହେଁ । କୌଣସି ଜଣେ ପୋଖତ, କଳା କୁଶଳୀ ଶିଳ୍ପୀର ହାତ ବାଜିଛି ସେ କୋଠା ଦେହରେ । ସୁତରାଂ ସେ କୋଠା ପ୍ରତ୍ୟେକ ବାଟୋଇର ଦୃଷ୍ଟି ଆକର୍ଷଣ କରିବା ସ୍ୱାଭାବିକ୍ ।

 

ସେ କୋଠା ସମ୍ପର୍କରେ ଏତେ ଗୌରଚନ୍ଦ୍ରିକା ଦେବାର ଉଦ୍ଦେଶ୍ୟ ହେଲା, ସେ କୋଠା ଏମିତି ସେମିତି ସାଧାରଣ କୋଠା ନୁହେଁ । ତା’ର ଏକ ପରାମ୍ପରା ଅଛି, ଇତିହାସ ଅଛି । ତା’ରି ଏକ ଚମକପ୍ରଦ ଲୋମହର୍ଷଣକାରୀ କାହାଣୀ ଲୋକ ମୁଖରୁ ଶୁଣିବାକୁ ମିଳେ । କାହାଣୀଟି ଏହିପରି–

 

ସେଇ ଘରେ ରହୁଥିଲେ ଜଣେ ଧନୀ ବ୍ୟବସାୟୀ, ସୁର ଚୌଧୁରୀ । ଅର୍ଥର ଅଭାବ ନ ଥିଲା, ଅଭାବ ଥିଲା ଗୋଟାଏ କଥା । ଅନେକବର୍ଷ ଧରି ତାଙ୍କର କୌଣସି ସନ୍ତାନ ହେଲା ନାହିଁ । ସୁର ବାବୁ ଏବଂ ତାଙ୍କ ସ୍ତ୍ରୀ ମୀରା ସବୁବେଳେ ଚିନ୍ତିତ ଥିଲେ ସେଥିପାଇଁ । ଦାନ, ଧର୍ମ, ପୂଜା, ଯଜ୍ଞ କରି ଶେଷରେ ଜଣେ ସାଧୁଙ୍କର ଆଶୀର୍ବାଦରୁ ତାଙ୍କର ମନସ୍କାମନା ପୂର୍ଣ୍ଣ ହେଲା । ଜୀବନର ଶେଷ ପର୍ଯ୍ୟାୟରେ ପୁତ୍ରଲାଭ କରି ଦୁହେଁ ଆନନ୍ଦର ଆତିଶଯ୍ୟରେ ଅଭିଭୂତ ହୋଇପଡ଼ିଲେ । ସେଇ ସାଧୁଙ୍କୁ ସାଧୁବାଦ ଜଣାଇ ତାଙ୍କ ପାଇଁ ମନ୍ଦିରଟିଏ ନିର୍ମାଣ କରିଦେଲେ । ଦୁଃଖୀ ଦୀନ ଦରିଦ୍ରମାନଙ୍କୁ ଖାଦ୍ୟ ବସ୍ତ୍ର ଦାନ କରାଗଲା । ବ୍ରାହ୍ମଣ ଭୋଜନର ଆୟୋଜନ ହେଲା । ଯିଏ ଆସିଲା ସିଏ ପାଇଲା, ଯାହା ଚାହିଁଲା ତାହା ପାଇଲା । ସେ ଘରୁ ରିକ୍ତ ହସ୍ତରେ କେହି ଫେରିବାର ଦେଖାଯାଇ ନାହିଁ । ନାଚ, ଗୀତ, ଯାତ୍ରା, ଥିଏଟର, ସତ୍ୟନାରାୟଣ ପାଲାର ଆୟୋଜନ କରିବାକୁ ମଧ୍ୟ ଭୁଲି ନ ଥିଲେ ସୁର ବାବୁ । ଏକୋଇଶିଆ ଭୋଜି ଖାଇବାକୁ ବହୁଲୋକଙ୍କୁ ନିମନ୍ତ୍ରଣ କରାଯାଇଥିଲା ।

 

ସେଇ କୋଠା ଘରଟା ଆନନ୍ଦମୁଖର ହୋଇ ଫାଟି ପଡ଼ୁଥିଲା । ହସ ଖୁସି ଆନନ୍ଦରେ ସମସ୍ତଙ୍କ ମନ ନାଚି ଉଠୁଥିଲା । ଏତେ ଦିନପରେ ସୁର ବାବୁଙ୍କ ପୁଅ ହେଇଛି କମ୍‌ ଆନନ୍ଦର କଥା ନୁହେଁ । ବଡ଼ ବଡ଼ ବ୍ୟବସାୟୀ, ନେତା, ବନ୍ଧୁ ବାନ୍ଧବ ଆସି ଶୁଭେଚ୍ଛା ଜଣାଉଥିଲେ ଏବଂ ପିଲାଟିକୁ ଆଶୀର୍ବାଦ କରୁଥିଲେ । ପିଲାଟି ସୁନ୍ଦର ଦାମୀକା ପୋଷାକ ପିନ୍ଧି ଆହୁରି ସୁନ୍ଦର ଗୋଲ୍‌ ଗାଲିଆ ଦେଖାଯାଉଥିଲା ।

 

ଦୃଶ୍ୟ ବଦଳିଗଲା । ହଠାତ୍ ଏ ଆନନ୍ଦ, କୋଳାହଳ ଥମିଗଲା । ସମସ୍ତେ ନିର୍ବାକ । ମୁହୂର୍ତ୍ତକ ପୂର୍ବରୁ ଯେଉଁମାନେ ଖୁସିରେ ଆନଂଦରେ ପ୍ରାଣଖୋଲି ହସୁଥିଲେ ସେମାନଙ୍କ ଆଖିରେ ଲୁହ । କୌଣସି ଜଣେ ଯାଦୁକର ତା’ର କାଉଁରୀହାଡ଼ ହସିବା ଲୋକଗୁଡ଼ାକ ଦେହରେ ଛୁଆଁଇ କନ୍ଦାଇ ଦେଲା ଯେମିତି । ମୁହୂର୍ତ୍ତକ ଭିତରେ ଗୋଟାଏ ବିରାଟ ଅଘଟଣ ଘଟିଗଲା ।

 

ମୀରା ଦେବୀ ପୁଅକୁ କାଖେଇ କୋଠାଉପରୁ ସିଡ଼ିରେ ଓହ୍ଲାଇ ଆସୁଥିଲେ । ସେ ଏତେ ଖୁସି ହେଇଯାଇଥିଲେ ଯେ ତାଙ୍କ ଗୋଡ଼ ତଳେ ଲାଗୁ ନ ଥିଲା । ସିଡ଼ିରେ ଗୋଡ଼ ଖସିଗଲା-। ମାଆ ପୁଅ ସିଡ଼ିରୁ ଗଡ଼ି ଗଡ଼ି ଆସି ତଳେ ପଡ଼ିଲେ । ଛୋଟ ପୁଅଟିର ପ୍ରାଣବାୟୁ ଉଡ଼ିଗଲା-। ମୀରା ଦେବୀ ଆହତ ହେଲେ । ଏ ଆଘାତ କେବଳ ଦୈହିକ ନ ଥିଲା ମାନସିକ ମଧ୍ୟ-। ମାନସିକ ଭାରସାମ୍ୟ ହରାଇ ବସିଲେ ମୀରା ଦେବୀ । ନିଜକୁ ପୁତ୍ରହନ୍ତା ରାକ୍ଷାସୀ ବୋଲି ଗାଳିଦେବାକୁ ମଧ୍ୟ ଛାଡ଼ି ନ ଥିଲେ । ପୁତ୍ରର ମୃତ୍ୟୁ ପାଇଁ ନିଜକୁ ଦାୟୀ କରିଥିଲେ । ସ୍ୱାମୀଙ୍କ ସାମନାରେ ନିଜ ମୁହଁ ଦେଖାଇବାକୁ ସେ କୁଣ୍ଠା ପ୍ରକାଶ କଲେ । ସ୍ୱାମୀଙ୍କ ଆଶ୍ୱାସନା, ବଡ଼ ବଡ଼ ଡାକ୍ତରଙ୍କ ପରାମର୍ଶକୁ ସେ ମାନି ନେବାକୁ ପ୍ରସ୍ତୁତ ନ ଥିଲେ । ସେ ଖାଲି ପାଗଳୀଙ୍କ ପରି ନିଜ ବାଳ ଟାଣି, କାନ୍ଥବାଡ଼ରେ ନିଜ ମୁଣ୍ଡପିଟି ଚିତ୍କାର କରି କହୁଥିଲେ– ନା ନା, ମୋ ଭଳି ପୁତ୍ରହନ୍ତା ରାକ୍ଷାସୀ ମରିଯିବା ଭଲ-

 

ସତକୁ ସତ ସେ ମରିଗଲେ । ମରିଗଲେ କହିଲେ ଠିକ୍‌ ହେବନି, ଆତ୍ମହତ୍ୟା କଲେ । ମରି ନାହାଁନ୍ତି ବଞ୍ଚିଗଲେ । ଆତ୍ମହତ୍ୟା ଛଡ଼ା ତାଙ୍କର ଅନ୍ୟ ରାସ୍ତା ନ ଥିଲା । ପାଗଳୀ ହୋଇ, ଦେହ ମନକୁ କଷ୍ଟ ଦେଇ ବଞ୍ଚିବାରେ ଆଉ କି ଲାଭ ଥାଏ ? କଷ୍ଟରୁ ତ ମୁକ୍ତି ମିଳିଲା ।

 

ସୁର ବାବୁ ପୁତ୍ର ଶୋକ ଏବଂ ପତ୍ନୀ ଶୋକରେ ଅଧୀର ହୋଇ ଭାଙ୍ଗି ପଡ଼ିଲେ । ଏତେ ବଡ଼ ଘର, ଏତେ ଧନ ସମ୍ପତ୍ତି ଅଥଚ ନିଜର ହେଇ ଆଉ କେହି ରହିଲେନି । ସବୁ ଫାଙ୍କା, ଶୂନ୍‌ଶାନ୍-। ରାତି ହେଲେ କାନ୍ଥ ବାଡ଼ରୁ ତାଙ୍କ ସ୍ତ୍ରୀଙ୍କ ଅଶରୀରୀ ଆତ୍ମାର ବିକଳ କ୍ରନ୍ଦନ ଭାସି ଆସୁଛି-। ଖାଁ ଖାଁ ଲାଗୁଛି । ଭୟ ଲାଗୁଛି । ତାଙ୍କ ସ୍ତ୍ରୀ ଏବଂ ପୁଅ ବ୍ୟବହାର କରୁଥିବା ଜିନିଷ ଗୁଡ଼ିକରେ ନଜର ପଡ଼ିଗଲେ ଆଖି କୋଣରେ ଲୁହ ଜକେଇ ଆସୁଛି । କାହା ପାଇଁ ଆଉ ସେ ସବୁ-? ଏ ବୁଢ଼ାଟାର କଥା ଆଉ କିଏ ବୁଝିବ ?

 

ସୁର ବାବୁଙ୍କ ମନର ପ୍ରଶ୍ନ ଗୁଡ଼ିକ ପ୍ରତିଧ୍ୱନିତ ହୋଇ ଫେରି ଆସିଲା ଦୁଃଖ ହୋଇ, ହତାଶା ହୋଇ, ଲୁହ ହୋଇ ।

 

ଏକୋଇଶିଆ ଭୋଜିରେ ଯୋଗ ଦେବାକୁ ସୁର ବାବୁଙ୍କ ସାନଭାଇ ଚନ୍ଦ୍ରକାନ୍ତ, ତାଙ୍କ ସ୍ତ୍ରୀ ମେନକା, ପୁଅ ମନୋଜ ଆସି ଘରେ ଅଛନ୍ତି । ସେମାନେ ରହୁଥିଲେ ପାଖ ଗାଁରେ । ଏବେ କଟକରେ ସୁର ବାବୁଙ୍କ ସେଇ ଘରେ ରହିବାକୁ ମନସ୍ଥ କରିଛନ୍ତି । ମନୋଜକୁ ପୁଅ କରି ନେବା ପାଇଁ ସୁର ବାବୁଙ୍କ ଉପରେ ପ୍ରଭାବ ପକେଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

 

ସୁର ବାବୁ ପୋଷ୍ୟପୁତ୍ର ଗ୍ରହଣ କରିବା କଥା ଚିନ୍ତା କରି ନ ଥିଲେ । ସାନ ଭାଇ ଚନ୍ଦ୍ରକାନ୍ତ ଏତେ ବିରକ୍ତ କଲା ଯେ ଶେଷରେ ବାଧ୍ୟ ହୋଇ ପୋଷ୍ୟପୁତ୍ର ଗ୍ରହଣ କରିବାକୁ ରାଜି ହେଲା । କିନ୍ତୁ ମନୋଜକୁ ନୁହେଁ । କାରଣ ମନୋଜର ଚରିତ୍ର, ଚାଲିଚଳନ, ଢଙ୍ଗଢ଼ାଙ୍ଗ ତାଙ୍କୁ ଭଲ ଲାଗୁ ନ ଥିଲା । କିନ୍ତୁ ସାନ ଭାଇକୁ ବୁଝାଇ ଦେଲେ, ମୁଁ ମୋର ପୁଅକୁ ହରେଇ ଯେଉଁ ଦୁଃଖ ପାଉଛି ମୁଁ ତତେ ସେ କଷ୍ଟ ଦେବାକୁ ଚାହେଁନା । ତୋର ତ ଗୋଟିଏ ପୁଅ । ମୁଁ ତାକୁ ପୁଅକରି ନେଇ ଆସିଲେ ତୋ ସ୍ତ୍ରୀ କ’ଣ କହିବ ? ଲୋକେ କ’ଣ କହିବେ ? ନିଜର ସ୍ୱାର୍ଥ ପାଇଁ ମୁଁ ଏତେ ବଡ଼ ଅନ୍ୟାୟ କରିପାରିବିନି ।

 

ନା-ନା, ଅନ୍ୟାୟ କ’ଣ ଭାଇ ? ମୋର ଦୁଃଖ ନାହିଁ କି ମୋ ସ୍ତ୍ରୀର ଦୁଃଖ ନାହିଁ ତୁମକୁ ଆମ ମନୋଜକୁ ଦେବାକୁ । କାରଣ ନିକଟରେ ଆମର ପୁଣି ପୁଅଟିଏ ହେବାର ଅଛି । ସ୍ୱାମୀଜୀ କହିଛନ୍ତି ।

 

ସିଦ୍ଧାନ୍ତ ନେବା ପୂର୍ବରୁ ସୁର ବାବୁ ହଜାରେ ଥର ଚିନ୍ତା କରନ୍ତି । ଥରେ ଯେଉଁ ସିଦ୍ଧାନ୍ତ ନିଅନ୍ତି ସେଥିରେ ଅଟଳ ରହନ୍ତି । ଯେତେ ଦାମ ଦେବାକୁ ପଡ଼ୁ, ଯେତେ ଦୁଃଖ କଷ୍ଟ ଆସୁ ସେ ସଦା ଅବିଚଳିତ, ଅଟଳ ।

 

ସୁର ବାବୁ ତାଙ୍କ ବନ୍ଧୁଙ୍କ ସାନ ପୁଅ ଅଜୟକୁ ପୁଅ କରି ଆଣିଲେ । ଏଥିରେ କିନ୍ତୁ ସମସ୍ୟାର ସମାଧାନ ହେଲା ନାହିଁ । ଏଇଠୁଁ ଆରମ୍ଭ ହେଲା ଅସଲ ସମସ୍ୟା । ଅଜୟ ଶାନ୍ତ, ଧୀର, ନମ୍ର, ମେଧାବୀ, ପରିଶ୍ରମୀ । ସୁର ବାବୁ ଅନେକ ଦିନ ଧରି ଅଜୟକୁ ଷ୍ଟଡ଼ି କଲାପରେ ଏ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ମନୋନୟନରେ ଭୁଲ୍‌ ହେଇ ନ ପାରେ ।

ଅଜୟ ଜଣେ ପର ଘରର ପୁଅ । ମନୋଜ ଥାଉ ଥାଉ ସେ ଆସି ଏତେ ବଡ଼ ସମ୍ପତ୍ତିର ମାଲିକ ହେବ ଏ କଥା ଚନ୍ଦ୍ରକାନ୍ତ ଏବଂ ମେନକା ସହ୍ୟ କରନ୍ତେ କେମିତି ? ମେନକାଙ୍କ କୁଟିଳ ବୁଦ୍ଧି, ଚନ୍ଦ୍ରକାନ୍ତଙ୍କ ଚକ୍ରାନ୍ତ ଫଳରେ ସୁର ବାବୁଙ୍କ ପରିବାରରେ କଳା ମେଘ ଘୋଟି ଆସିଲା । ଅଜୟକୁ ବଦନାମ୍‌ କରିବା ପାଇଁ ଯୋଜନାବଦ୍ଧ ଉଦ୍ୟମ ଆରମ୍ଭ ହେଲା । ଅଜୟକୁ ପାର୍ଟି, ପିକ୍‌ନିକ୍‌, କ୍ଲବ, ବେଶ୍ୟାଳୟକୁ ନେବାପାଇଁ କିମ୍ୱା କଳେବଳେ କୌଶଳେ ମଦ ପିଆଇ ଦେଇ ସୁର ବାବୁଙ୍କୁ ଏ କଥା ଦେଖାଇ ଦେବା ପାଇଁ ଆୟୋଜନ ହେଲା । କିନ୍ତୁ ବୁଦ୍ଧିମାନ ଅଜୟକୁ କାବୁ କରିବା ସମ୍ଭବ ହେଲା ନାହିଁ ।

ଦିନେ ମନୋଜ ବଡ଼ବାପାଙ୍କ ପାଖରେ ଅଜୟ ବିରୁଦ୍ଧରେ ନାନା ମନଗଢ଼ା ଅଭିଯୋଗ କଲା । ଅଜୟ ମଦ ଖାଏ, ଝିଅମାନଙ୍କ ପଛରେ ଟଙ୍କା ଉଡ଼ାଏ ବନ୍ଧୁମାନଙ୍କୁ ଟଙ୍କା ବାଣ୍ଟିଦିଏ ଇତ୍ୟାଦି କେତେ କଥା । ସୁର ବାବୁ ସବୁ ଶୁଣିଲେ, ଗମ୍ଭୀର ହେଲେ । ସୁର ବାବୁ ରାଗିଗଲେ ଗମ୍ଭୀର ହେଇଯା’ନ୍ତି । ଔଷଧ ଯେ କାଟୁ କରିଛି ଏ ଧାରଣା ନେଇ ମନୋଜ ଫେରିଗଲା ।

କାହିଁକି କେଜାଣି ମନୋଜର ମନ୍ତବ୍ୟ ଶୁଣିଲା ପରେ ପରେ ସୁର ବାବୁ ଅଜୟର ବାହାଘର ଯଥାଶୀଘ୍ର ଶେଷ କରିଦେବା ପାଇଁ ସ୍ଥିର କଲେ । ତା’ର ଅଳ୍ପ ଦିନ ପରେ ଅଜୟର ବାହାଘର ହେଇଗଲା ବର୍ଷା ସହିତ ।

ବର୍ଷା, କମ୍ ବୟସର ନହୁଲି, ତନୁପାତଳୀ ଝିଅଟିଏ । ବେଶ୍‌ ଗୋରା ନ ହେଲେ ମଧ୍ୟ ମୁହଁର ଗଢ଼ଣ ଖୁବ୍‌ ସୁନ୍ଦର । ଖୁନ୍ଦିଲା ଖୁନ୍ଦିଲା ଅଙ୍ଗଲତାରେ ନବ ଯୌବନର ସ୍ମାରକୀ । ସତେ ଯେମିତି ବର୍ଷା ପାଖରେ ବସନ୍ତଟା ଅଟକି ଯାଇଛି ।

ବର୍ଷା ଏ ଘରକୁ ଆସିଥିଲା ବୋହୂ ହେଇ; କିନ୍ତୁ ବୋହୂ ହେଉ ହେଉ ଚାକରାଣୀ ହେଇଗଲା । ସ୍ୱାମୀ ତ ଦେବତା ପରି ଲୋକ, କୌଣସି କଥାରେ ପାଟି ଖୋଲନ୍ତିନି । ଯେମିତି ସ୍ନେହୀ, ସେମିତି ଅମାୟିକ । ଆଜିକାଲି ଯୁଗରେ ସେଇମାନେ ହିଁ ଠକି ଯାଆନ୍ତି ।

ମେନକା ଦେବୀ ଚାକର ପୂଝାରୀଙ୍କୁ ଗାଳି ମାଡ଼ ଦେଇ ଘରୁ ବିଦା କରିଦେଲେ । ଆଜି ପର୍ଯ୍ୟନ୍ତ ସେମାନେ ଭଲ ଥିଲେ; ବର୍ଷା ଆସିବା ପରେ ସେମାନେ ଚୋର, ବଦମାସ୍‌ ହେଇଗଲେ, ମେନକା କହନ୍ତି । ଘରର ସବୁ ଦାୟିତ୍ୱ ପଡ଼ିଲା ବର୍ଷା ଉପରେ । ରୋଷେଇ କରିବା, ବାସନ ମାଜିବା, ଲୁଗା ସଫା କରିବା, ପରିବା କାଟିବାଠାରୁ ଘର ଓଳେଇବା ପର୍ଯ୍ୟନ୍ତ ସବୁକାମ । ଆଉ କିଏ କରନ୍ତା ? ମେନକା ? ତାଙ୍କର ପାନ, ଶସ୍ତା ଉପନ୍ୟାସ, ସିନେମା ଭଲ ତ ସିଏ ଭଲ । ନିଜେ ଖାଇବା ବାସନଟା ବି ନିଜେ ଉଠେଇ ନିଅନ୍ତିନି । ଘଡ଼ି ଘଡ଼ିକେ ଡାକ ପକାନ୍ତି, ଚା’ କପେ ଆଣିଲୁ, ପାନ ଡବାଟା ଦେଇଗଲୁ, ଜଳଖିଆ ତିଆରି କଲୁଣି ? ମନୁ ପାଇଁ ଭାତ ବାଢ଼େ ଏମିତି କେତେ ଆଦେଶ । ଏ ଆଦେଶର ଯେମିତି ଶେଷ ନାହିଁ । ଭୋର୍‌ ଚାରିଟାରୁ ରାତି ବାରଟା ଯାଏଁ ଫୁରସତ୍‌ ନାହିଁ ବର୍ଷାକୁ ।

ଦୁଇଦିନ ହେଲା ତାକୁ ଜ୍ୱର ହୋଇଛି ଯେ କାହାର ନିଘା ନାହିଁ, ତା’ ନିଜର ବି ଦୃଷ୍ଟି ନାହିଁ ସେଥିପ୍ରତି । ଯନ୍ତ୍ର ଭଳି କାମ କରି ଯାଉଛି । ଆହା ପଦେ କହି ସମବେଦନା ଜଣେଇବାକୁ କେହି ନାହିଁ ।

 

ଯାହାହେଉ, ଠାକୁରଙ୍କ ଆଶୀର୍ବାଦରୁ ବର୍ଷାର ପୁଅଟିଏ ହେଲା । ପୁଅର ହସ ହସ ମୁହଁ ବର୍ଷାର ସବୁ ଦୁଃଖ କଷ୍ଟକୁ ଲାଘବ କଲା । ବର୍ଷା ଭୁଲି ଯିବାକୁ ଚେଷ୍ଟା କଲା ତା’ ଜୀବନର ସମସ୍ତ ଯନ୍ତ୍ରଣା ।

 

ଅଶାନ୍ତ ପରିବେଶକୁ ଆହୁରି କରୁଣ କରି ତୋଳିଲା ଶାନ୍ତି । ଶାନ୍ତି ସୁର ବାବୁଙ୍କ ଏକମାତ୍ର ଝିଅ । ବାହା ହେଇଥିଲା କେଦାର ବାବୁଙ୍କୁ । ଶାନ୍ତି ଦୃଷ୍ଟିଶକ୍ତି ହରେଇଲା ବୋଲି କେଦାର ବାବୁ ତାକୁ ଘରୁ ତଡ଼ିଦେଲେ । ଅନ୍ଧୁଣୀ ଶାନ୍ତି ବାପଘର ଛଡ଼ା ଆଉ କୁଆଡ଼େ ଯାଆନ୍ତା ? ଏତେବଡ଼ ଦୁନିଆଁରେ ଆଉ ତା’ର କିଏ ଅଛି ? କାନ୍ଦି କାନ୍ଦି ସେ ତା’ର ସବୁ ଲୁହକୁ ଅଜାଡ଼ି ଦେଇଥିଲା ବାପାଙ୍କ ପାଦତଳେ । ଯେତେହେଲେ ଜନ୍ମକଲା ବାପା ତ ! ଛାତିରେ ଆଉଜାଇ ନେଇ ସାନ୍ତ୍ୱନା ଦେଇଥିଲେ ସେ ।

 

ଶାନ୍ତିର ଶାନ୍ତ କମନୀୟ ମୁହଁ ବର୍ଷା ପାଇଁ ଆତ୍ମିୟତାର ସମ୍ପର୍କ ଆଣିଦେଲା । ବର୍ଷାର ବାରଣ ସତ୍ତ୍ୱେ ଶାନ୍ତି ବର୍ଷାକୁ କାମରେ ସାହାଯ୍ୟ କରିବାକୁ ଆଗେଇ ଆସିଲା । ଘର ଓଳେଇ ଦେବା, ରୋଷେଇ ଘରକୁ ପାଣି ନେବା, ବର୍ଷାର ପୁଅ ବୁଲୁକୁ ଗାଧେଇ ଦେବା, ତାକୁ ଖେଳେଇବା ଇତ୍ୟାଦି କିଛି କିଛି କାମ ଶାନ୍ତି କରି ଦେଇ ପାରୁଥିଲା ।

 

ଶାଶୁ, ଶଶୁର ଏବଂ ସ୍ୱାମୀଙ୍କ କଥା ମନେ ପକେଇ ଶାନ୍ତି ବେଳେ ବେଳେ କାନ୍ଦି ପକାଏ-। କହେ, ଝିଅମାନଙ୍କ ଜୀବନ ପଥର ତଳେ ।

 

ବର୍ଷା ଲୁହ ପୋଛି ଦିଏ । ବୁଝାଏ ।

 

ଏଇ ତ ଜୀବନ । ଆପଣାର ମଣିଷ ସାତ ପର ହେଇଯାଏ । ଅଜଣା ଅଚିହ୍ନା ମଣିଷ ବି ଆପଣାର ହେଇଯାଏ । ଅନ୍ୟର ଦୁଃଖକୁ, ଅନ୍ୟର ଲୁହକୁ କେହି କେହି ଫୁଲ ଚନ୍ଦନ ପରି ସାଉଁଟି ନିଅନ୍ତି । ନିଜେ ଜଳୁଥିଲେ ବି ଅନ୍ୟର ମୁହଁରେ ହସ ଫୁଟେଇବାକୁ ଚେଷ୍ଟା କରନ୍ତି ।

 

ଶଶୁର କାମରୁ ଫେରିବା ଦେଖି ତରତର ହେଇ ବର୍ଷା ରୋଷେଇ ଘରକୁ ଦୌଡ଼ିଲେ । ତାଙ୍କ ପାଇଁ ଖାଇବାର ଆଣି ବାଢ଼ିଲା । ସୁର ବାବୁ ଖାଇବାକୁ ବସିଲେ ସଙ୍ଗେ ସଙ୍ଗେ ଆଃ ଥୁ ଥୁ କରି ଉଠି ଚାଲିଗଲେ । କିଛି ବୁଝି ପାରିଲାନି ବର୍ଷା । ପଚାରିବାକୁ ସାହସ ବି କରି ପାରିଲାନି ।

 

ସୁର ବାବୁ କିନ୍ତୁ ନ କହି ରହି ପାରିଲେନି, ଏସବୁ କି ରୋଷେଇ ହେଇଛି ବୋହୂ ? ଏବେ ତିନି ଚାରିଦିନ ହେଲା ଦେଖୁଛି କୋଉଦିନ ତରକାରୀ ଲୁଣିଆ, କୋଉଦିନ ଡାଲି ଲୁଣିଆ, କୋଉଦିନ ତରକାରୀରେ ମେଞ୍ଚେ ଲଙ୍କା, କୋଉଦିନ ଭାତରେ ବାଳ । ଟିକିଏ ମନଦେଇ ରୋଷେଇ କଲେ ହୁଅନ୍ତାନି ?

 

ଶଶୁରଙ୍କ ବିରକ୍ତି ଭାବ ବେଶ୍ ବୁଝିପାରିଲା ବର୍ଷା । କ’ଣ କରିବ ? ଘରଟା ଯାକର କାମ କରି କରି ଅଣନିଃଶ୍ୱାସୀ ହେଇ ଯାଉଛି । ତଥାପି ତ ରୋଷେଇରେ କେବେ ଅବହେଳା କରିନି । ଏସବୁ ବିଭ୍ରାଟ ହେଲା କେମିତି ? କପାଳକୁ ନିନ୍ଦି ଚୁପ୍ ରହେ । ତା’ ପରଠୁ ଖୁବ୍‌ ସତର୍କତା ଅବଲମ୍ୱନ ସତ୍ତ୍ୱେ ପୁଣି ସେଇ ଭୁଲ୍ । ଆଶ୍ଚର୍ଯ୍ୟ ହେଲା ବର୍ଷା । ସେ ତ ଆଜି ଖୁବ୍ କମ୍ ଲୁଣ ପକେଇଥିଲା ଅଥଚ ତରକାରୀଟା ଏତେ ଲୁଣି ହେଲା କେମିତି ?

 

ଆର ଘରୁ ମେନକାଙ୍କ ମନ୍ତବ୍ୟ ବେଶ୍ ଶୁଣା ଯାଉଛି । ସେ ଶୁଣେଇ ଶୁଣେଇ କହି ଚାଲିଛନ୍ତି, ଚେଇଁ ଶୋଇବ ଯିଏ ତାକୁ ଉଠେଇବ କିଏ ? ଆମକୁ ହଇରାଣ କରି ଘରୁ ତଡ଼ିବାର ଚକ୍ରାନ୍ତ ଚାଲିଛି । ଅଜୟ କିଛି ନ କହି ମୁଣ୍ଡରେ ବସେଇଛନ୍ତି ବୋଲି ଏତେ ଗର୍ବ ? ରୋଷେଇରେ ମନ ଥିଲେ ସିନା । ମନ ତ ଆଉ କାହା ପାଖରେ ହଜି ଯାଇଛି ।

 

ବର୍ଷାପରି ଝରିଗଲା ବର୍ଷା ।

 

ଛି-ଛି ଏ କି କଥା କାନ ଶୁଣିଲା । ଏଇ କ’ଣ ତା’ର ତ୍ୟାଗର ପ୍ରତିଦାନ ? ସ୍ନେହ, ଶ୍ରଦ୍ଧା, ଭକ୍ତି ପ୍ରଦର୍ଶନର ମୂଲ୍ୟ କ’ଣ ଏୟା ? ତାକୁ କେହି ବୁଝି ପାରିଲେନି, କେହି ଚିହ୍ନି ପାରିଲେନି ? ସେ ସମସ୍ତଙ୍କ ପାଖରେ ଅବୋଧ୍ୟ ରହିଗଲା । ସବୁକଥା ସମସ୍ତଙ୍କ ପାଖରେ କହି ହୁଏନା । କହିଲେ ବି ସମସ୍ତେ ସବୁକଥା ବୁଝି ପାରନ୍ତିନି । ଶବ୍ଦକୁ ଶବ୍ଦ ଗୁନ୍ଥି ମାଳାପରି ସଜେଇ କଥା କହିବାରେ ମଧ୍ୟ ବାହାଦୁରି ଅଛି । କଥା କହିବା ମଧ୍ୟ ଗୋଟାଏ କଳା । ସମସ୍ତେ ପାରନ୍ତିନି । ବନେଇ ଚୁନେଇ କଥା କହି ବେଳେବେଳେ ଚୋର ଖସିଯାଏ, କଥା କହି ନ ପାରି ସାଧୁ ବି ବେଳେବେଳେ ଚୋର ହେଇଯାଏ ।

 

ସବୁଦିନେ ରାତିରେ ଶୋଇବା ପୂର୍ବରୁ ସୁର ବାବୁ ଗ୍ଲାସେ ଦୁଧ ପିଅନ୍ତି । ବର୍ଷା ସବୁଦିନ ଭଳି ସେଦିନ ମଧ୍ୟ ଗରମ ଦୁଧ ଗ୍ଲାସଟା ଶଶୁରଙ୍କ ହାତକୁ ବଢ଼େଇ ଦେଇ ଆସିଲା । ଏ କ’ଣ ? ଦୁଧ ଗ୍ଲାସଟା ପିଇବା ପରେ ପରେ ସୁର ବାବୁ ପେଟରେ ଯନ୍ତ୍ରଣା ଅନୁଭବ କଲେ ଏବଂ ଅଚେତ ହେଇ ପଡ଼ିଲେ । ବର୍ଷା ବ୍ୟସ୍ତ ହେଇ ଡାକ ଛାଡ଼ିଲା । ଘରର ଅନ୍ୟମାନେ ଦୌଡ଼ି ଆସିଲେ । ଡାକ୍ତରଙ୍କୁ ଡକାଗଲା । ପରୀକ୍ଷା କରିସାରି ଡାକ୍ତର କହିଲେ, ଦୁଧ ସହ ବିଷ ଦିଆଯାଇଛି ।

 

ବିଷ ! ଚମକି ପଡ଼ିଲା ବର୍ଷା, ଚମକି ପଡ଼ିଲେ ସମସ୍ତେ । ସମସ୍ତଙ୍କ ମୁହଁରେ କେମିତି ଗୋଟାଏ ସନ୍ଦେହର ଚିହ୍ନ ଲକ୍ଷ୍ୟ କଲା ବର୍ଷା । ସମସ୍ତେ ତା’ରି ଆଡ଼କୁ ବିଷ ଦୃଷ୍ଟିରେ ଚାହିଁଛନ୍ତି, ଏପରିକି ଅଜୟ ମଧ୍ୟ ।

 

ତମେ ଏ କ’ଣ କଲ ବର୍ଷା ? ଶେଷରେ ବାପାଙ୍କୁ ତମେ ବିଷଦେଇ ମାରିଦେବା କଥା ଚିନ୍ତା କରି ପାରିଲ ? ଅଜୟ ମୁହଁରେ ଲଜ୍ଜା, ଘୃଣା, ବିରକ୍ତିର ମିଶ୍ର ପ୍ରତିକ୍ରିୟା ସ୍ପଷ୍ଟ ।

 

ଏତେଦିନ ପରେ ମଧ୍ୟ ମତେ ତମେ ଚିହ୍ନି ପାରିଲନି, କହୁ କହୁ ବର୍ଷା ଆଖିରେ ବର୍ଷା । ମତେ ବିଶ୍ୱାସ କର, ମୁଁ କିଛି ଜାଣିନି ।

 

ଦୁଃଖ, ଭୟ ଏବଂ ସଂକୋଚରେ ବର୍ଷା ଜଡ଼ସଡ଼ ହୋଇ ଯାଉଥିଲା । ବର୍ଷା ଲକ୍ଷ୍ୟ କଲା କେହି ତା’ କଥା ବିଶ୍ୱାସ କରିବାକୁ ପ୍ରସ୍ତୁତ ନୁହଁନ୍ତି । ସେ କେମିତି ସମସ୍ତଙ୍କୁ ବୁଝେଇବ ଯେ ସେ ନିର୍ଦ୍ଦୋଷ ? ଶେଷରେ ଏୟା ଶୁଣିବାକୁ ବାକିଥିଲା ? ଏକଥା ଶୁଣିବା ପୂର୍ବରୁ ସେ ମରି ନ ଗଲା କାହିଁକି ? ସେଇଠି ସମସ୍ତଙ୍କ ସାମନାରେ ମୁଣ୍ଡ ପିଟି ମରି ଯିବାକୁ ଇଚ୍ଛା ହେଉଥିଲା ତା’ର । କିନ୍ତୁ ଏଭଳି ମୃତ୍ୟୁକୁ ନିମନ୍ତ୍ରଣ କରିବା ପୂର୍ବରୁ ଅଟଳ ପ୍ରତିଜ୍ଞା, ଧୈର୍ଯ୍ୟ, ସାହସ ଦରକାର । ବର୍ଷାର ସେସବୁ ନ ଥିଲା ।

 

ମେନକା ପ୍ରସ୍ତାବ ଦେଲେ, ପୋଲିସକୁ ଖବର ଦିଅନି, ପୋଲିସକୁ ଖବର ଦେଲେ ଘରକଥା ପଦାରେ ପଡ଼ିବ । ଲୋକେ ନାକରେ ଆଙ୍ଗୁଠି ଦେଇ ପରିହାସ କରିବେ । ତେବେ ଏଭଳି ଝିଅକୁ ଘରୁ ବିଦା କରିଦେବା ଉଚିତ ।

 

ମନୋଜ ସେଥିରେ ଆଉ ପଦେ ଯୋଗ କଲା, କେଜାଣି, ଆଜି ଶଶୁରଙ୍କୁ ଯିଏ ବିଷ ଦେଇ ପାରିଲା, କାଲି ଆମକୁ ବିଷ ଦେଇପାରେ, ପଅରି ଦିନ ନିଜ ସ୍ୱାମୀକି ବି ବିଷ ଦେଇପାରେ ।

 

ଅଜୟର ମନ ଭିତରେ କୁହୁଳୁଥିବା ନିଆଁ ହଠାତ୍ ଜଳି ଉଠିଲା । ସେ ଯେ ଗଭୀର ମାନସିକ ଯନ୍ତ୍ରଣାରେ ଦଗ୍‌ଧ ହେଇ ଯାଉଛି ସେ କଥା ତା’ ମୁହଁରୁ ଧରା ପଡ଼ି ଯାଉଥିଲା । ସତେ ଯେମିତି କିଛି ଗୋଟାଏ ବିସ୍ଫୋରଣ ଘଟିବ ପର ମୁହୂର୍ତ୍ତରେ । ନିଜ ସ୍ତ୍ରୀ ବି ବିଶ୍ୱାସରେ ବିଷ ଦେଲା-? ଆଉ ତେବେ କାହାକୁ ବିଶ୍ୱାସ କରିବ ସେ ?

 

ମୁଁ ପାଗଳ ହେଇଯିବି, ପାଗଳ ହେଇଯିବି, ଅଜୟର ଗଳାକୁ କିଏ ଯେମିତି ଚାପି ଧରିଲା । ତା’ ମୁଣ୍ଡକୁ କିଏ ଯେମିତି ହାତୁଡ଼ିରେ ପ୍ରହାର କରିବାରେ ଲାଗିଛି । ଅଜୟ ଆଉ କିଛି କହି ପାରିଲାନି । ଘରୁ ଝଡ଼ ବେଗରେ ବାହାରିଗଲା ।

 

ବର୍ଷା ଦୋଷୀଟିଏ ପରି କଇଁ କଇଁ ହୋଇ କାନ୍ଦୁଥିଲା । କାନ୍ଦିବା ଛଡ଼ା ତା’ର ଯେମିତି ଆଉ କିଛି କର୍ତ୍ତବ୍ୟ ନାହିଁ । ତା’ ପାଇଁ ଆଜି ସମସ୍ତେ ନିଷ୍ଠୁର । କେହି ତା’ କଥା ଶୁଣିବା ପାଇଁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି । ଭାଗ୍ୟର କି ଉପହାସ ।

 

ମେନକା ଏଥର କଥା ଆରମ୍ଭ କଲେ, କାହିଁକି ଏତେ ସକେଇ ହେଉଛୁ ? ହଇଲୋ ଏ ମଉନ ମୁହିଁ, ତତେ କି କୂଅ ପୋଖରୀ ମିଳୁନି ? ବିଷ ଟିକିଏ ମିଳୁନି ? ଲାଜ ଲାଗୁନି ତତେ ? ତୋ ମୁହଁ ପୋଡ଼ୁ । ଯା, ଯା ଏ ଘରୁ, ବାହାର ଏ ଘରୁ । ଆଉ କାହା ବାଟକୁ ଚାହିଁଛୁ ? ଯା, ଶୀଘ୍ର ଯା’ ଏ ଘରୁ । ଏଇଠି ଆଉ ତୋର ସ୍ଥାନ ନାହିଁ । ଭଲରେ ଭଲରେ କହି ଦେଉଛି, ଯା ଏ ଘରୁ, ନହେଲେ ପୋଲିସକୁ ଖବର ଦେବି । ଯାଉଛୁ ନା ନାହିଁ ବା ? ଯା, ଶୀଘ୍ର ଯା ।

 

ଶେଷରେ ମେନକାଙ୍କ କଥା ହିଁ ରହିଲା । ବର୍ଷା ଗୋଡ଼ଧରି ଯେତେ କାକୁତି ମିନତୀ କରି କହିଲା କିଛି ଫଳ ହେଲାନି । ଶେଷରେ ତାକୁ ଏକ ପ୍ରକାର ଟେକି ନେଇ ବାହାରେ ଫୋପାଡ଼ି ଦେଇ କବାଟ ବନ୍ଦ କରି ଦିଆଗଲା । ତା’ର ଆଦରର ଟିକି ପୁଅ ବୁଲୁ ବୋଉ ବୋଉ ବୋଲି କେତେ କାନ୍ଦିଲା । ବୁଲୁକୁ ତା’ ମାଆ କୋଳରୁ ଛଡ଼େଇ ନେଲେ ସେମାନେ । ବୁଲୁ ଆହୁରି ଜୋର୍‌ରେ କାନ୍ଦି ଉଠିଲା । ତା’ ଉପରେ ପ୍ରହାର ହେଲା । ବୁଲୁ ରାହାଧରି ଆହୁରି ବିକଳ ଭାବରେ କାନ୍ଦିବାକୁ ଲାଗିଲା ।

 

ବର୍ଷାର ହୃଦୟ ଫାଟି ପଡ଼ୁଥିଲା ପୁଅର କାନ୍ଦ ଶୁଣି । ବର୍ଷା କବାଟ ବାଡ଼େଇ କେତେ ଡାକିଲା, ମୋ ପୁଅକୁ ମାରନି, ମୋ ପୁଅକୁ ମତେ ଦେଇଦିଅ, ମୁଁ ଘର ଛାଡ଼ି ଚାଲିଯିବି ।

 

ବର୍ଷା ପାଇଁ ସମସ୍ତେ ବଧୀର । କେହି ତା’ର ଜବାବ ମଧ୍ୟ ଦେଲେନି । ବୁଲୁ ସେମିତି ବୋଉ ବୋଉ ହେଇ ଧକେଇ ଧକେଇ କାନ୍ଦୁଥିଲା । ଶାନ୍ତି ତାକୁ ବୁଝେଇବାକୁ ଚେଷ୍ଟା କରୁଥିଲା ।

 

ଅଜୟ ଫେରିଆସି ଦେଖିଲା, ଘରଟା ସାରା ସବୁ ଠିକ୍‌ ଅଛି, ସବୁ ସ୍ୱାଭାବିକ । କୌଣସି ଘଟଣା ଘଟିନାହିଁ, କିଛି ପରିବର୍ତ୍ତନ ହେଇନାହିଁ ଯେମିତି । ତା’ ପାଇଁ ବର୍ଷାର ଅନୁପସ୍ଥିତି ଆନନ୍ଦ ଦେଇନାହିଁ, ଦୁଃଖ ବି ଦେଇନାହିଁ । କେମିତି ଗୋଟାଏ ଅଦ୍‌ଭୁତ ଅନୁଭୂତି । ହସ କାନ୍ଦ ମଝିରେ ଥିବା ଗୋଟାଏ ବିରାଟ ଫାଙ୍କ୍‌ ପାଖରେ ଅଟକି ଯାଇଛି ଅଜୟର ସ୍ଥିତାବସ୍ଥା । ପରିସ୍ଥିତି ସହିତ ମୁକାବିଲା କରିବାର କଳା ଜଣା ନାହିଁ ଅଜୟକୁ । କୌଣସି ଘାତ ପ୍ରତିଘାତକୁ ସହଜ ଭାବରେ ଗ୍ରହଣ କରି ପାରେନି ସେ । ଆଜିର ପରିସ୍ଥିତି କିନ୍ତୁ ସ୍ୱତନ୍ତ୍ର । ସ୍ୱାଭାବିକ ଜୀବନ ଯାତ୍ରା କରିବା ପାଇଁ ସିଦ୍ଧାନ୍ତ ନେଇ ଫେରିଥିବା ଅଜୟ ପୁଣି ସେଇ ପୁରୁଣା ରୋଗର ଶିକାର ହୋଇପଡ଼ିଲା ।

 

ବୁଲୁର କାନ୍ଦ ତାକୁ ବେଳୁ ବେଳ ଅଥୟ କରି ପକାଇଲା । ସେ କ’ଣ କରିବ କିଛି ଠିକ୍‌ କରି ନ ପାରି ନିଜକୁ ଅସହାୟ ମନେ କରୁଥିଲା, ଭାଙ୍ଗି ପଡ଼ୁଥିଲା ।

 

ଏଥର ବୁଲୁ ଉପରେ ଆରମ୍ଭ ହେଲା ଅତ୍ୟାଚାର । ମେନକାଙ୍କଠାରୁ ଗାଳିମାଡ଼ ଖାଇ ଖାଇ ପିଲାଟା ଅତିଷ୍ଠ ହେଇ ଗଲାଣି । ତା’ର ପାଠପଢ଼ା ବନ୍ଦ ହେଇ ଗଲାଣି । ତା’ର ଅଣ୍ଡା ବିସକୁଟ୍‌ ଖିଆ, ଓଭାଲଟିନ୍ ପିଆ ପୂରାପୂରି ବନ୍ଦ ହେଇଗଲାଣି । ମେନକାଙ୍କୁ ଦେଖିଲେ ଭୟରେ ଶିହରୀ ଉଠେ ପିଲାଟା । ବିଚରା ବୁଲୁ । କିଛି କହିପାରେନି । ମା’ ଛେଉଣ୍ଡ ଅସହାୟ ଛୁଆ ପରି ବିକଳ ଦୃଷ୍ଟିରେ ଖାଲି ଜୁଳୁ ଜୁଳୁ ହୋଇ ଚାହିଁ ରହେ । ବୋଉ ତା’ର ଗାଧୋଇ ଦେଉଥିଲା, ଖୁଆଇ ଦେଉଥିଲା, ନାନାବାୟା ଗୀତ ଗାଇ ଗାଇ ଶୁଆଇ ଦେଉଥିଲା, ଅଝଟ କଲେ ବୁଝାଉଥିଲା, ମଜା ମଜା ଗପ ଶୁଣାଉଥିଲା । ତାକୁ ଏମିତି ଏକା ଛାଡ଼ିଦେଇ କୁଆଡ଼େ ଚାଲିଗଲା ତା’ର ଆଦରର ବୋଉ ? ଆଉ କ’ଣ ସିଏ ଫେରିବନି ? ବାପା ତା’ ସାଙ୍ଗରେ କେତେ କଥା ହେଉଥିଲେ, ପାଠ ପଢ଼େଇ ଦେଉଥିଲେ, ମିଠେଇ ଆଣି ଦେଉଥିଲେ, ବଜାରକୁ ବୁଲେଇ ନେଉଥିଲେ, ଆଜିକାଲି ସେ କାହିଁକି ଆଉ କଥା ବି କହୁ ନାହାଁନ୍ତି ? ମନକୁ ମନ ପ୍ରଶ୍ନକରି ଖୋଜି ହେଉଥିଲା ବୁଲୁ । କିନ୍ତୁ ତା’ ପାଖରେ ଏ ସବୁ ପ୍ରଶ୍ନର କୌଣସି ଉତ୍ତର ନ ଥିଲା । ହତାଶ ହେଇ କାନ୍ଦି ପକାଇଲା ବୁଲୁ । ହାତରୁ ତା’ର କଣ୍ଢେଇଟା ଖସିପଡ଼ି ଭାଙ୍ଗି ଚୂନା ହେଇଗଲା । ଏ ଭୁଲ୍ ପାଇଁ ମେନକାଙ୍କଠାରୁ କେତେ ଗାଳି ମାଡ଼ ସହିବାକୁ ପଡ଼ିଲା ତାକୁ । କାହିଁ, କେତେ ବଡ଼ ଭୁଲ୍ କଲେ ବି ବୋଉ ତ ତାକୁ ମାରୁ ନ ଥିଲା, ବୁଝେଇ ଦେଉଥିଲା । କାନ୍ଦିବା ଛଡ଼ା ଆଉ କ’ଣ କରି ପାରନ୍ତା ବୁଲୁ ? କିନ୍ତୁ ନା, ବୁଲୁ ହାତ ମୁଠା ଏଥର ଟାଣ କଲା । ମନକୁ ଦୃଢ଼ କଲା । ପାଖରେ ପଡ଼ିଥିବା ଗୋଟାଏ ଢେଲା ଉଠେଇ ମେନକାଙ୍କ ମୁହଁକୁ ଲକ୍ଷ୍ୟ କରି ଫୋପାଡ଼ିଲା । ଅବ୍ୟର୍ଥ ତା’ର ଲକ୍ଷ୍ୟ । ମେନକା ଚିତ୍କାର କରିଉଠିଲେ । ବୁଲୁ କିନ୍ତୁ ଆଉ ସେଠି ନ ଥିଲା । ଦୌଡ଼ି ଦୌଡ଼ି ଘରଛାଡ଼ି ଚାଲି ଯାଇଥିଲା ।

 

ସୁର ବାବୁ ଶଯ୍ୟାଶାୟୀ । ବଳ ବୟସ ଖସିଲା । କାମ କରିବାର ସ୍ପୃହା କମିଲା । ଜୀବନରେ ବଡ଼ ଇଚ୍ଛା ଥିଲା ମରିବା ପୂର୍ବରୁ ଥରେ ଅନ୍ତତଃ ତୀର୍ଥକରି ଆସିବା ପାଇଁ । ଏତେ ଧନ ସମ୍ପତ୍ତି ଥାଇ ମଧ୍ୟ ଇଚ୍ଛା ପୂରଣ ହୋଇ ପାରିଲାନି । ରୋଗ ମାଡ଼ିବସିଲା । ଆଜିଯାଏଁ କାର୍ଯ୍ୟ ବ୍ୟସ୍ତ ରହି ଯାଇ ହେଲାନି, ଯିବାପାଇଁ ଠିକ୍ ଠାକ୍ କଲାବେଳକୁ ଏ ନିଆଁ ଲଗା ରୋଗଟା କୋଉଠି ଥିଲା କେଜାଣି ସବୁ ଭଣ୍ଡୁର କରିଦେଲା । ଏଥର କେବଳ ମୃତ୍ୟୁକୁ ଅପେକ୍ଷା କରି ପଡ଼ିରହିବା କଥା ।

 

ସେଦିନ ରାତିରେ ଆଉ ଗୋଟାଏ ଦୁଃସମ୍ୱାଦ ମିଳିଲା ସୁର ବାବୁଙ୍କୁ । ତାଙ୍କର ଲୁହା ସିନ୍ଦୁକ ଖୋଲାପଡ଼ିଛି । ସୁନା ପ୍ରାୟ ପଚାଶ ଭରି, ରୂପା ପ୍ରାୟ ଦଶ କିଲୋ, ଆଉ ନଗଦ ଅଶି ହଜାର ଟଙ୍କା ହରଣଚାଳ । ଏ ବୁଢ଼ା ବୟସରେ ଏଭଳି ଧକ୍‌କା ପାଇବେ ବୋଲି ଆଶା କରିନଥିଲେ ସୁରବାବୁ । ଚୌଧୁରୀ ବଂଶର ଆଭିଜାତ୍ୟ ଶେଷ ସନ୍ତକ ଟିକକ ଲୁଟି ହୋଇଗଲା । ଜୀବନଯାକ ଅକ୍ଳାନ୍ତ ପରିଶ୍ରମ କରି ଯାହା ସଞ୍ଚୟ କରିଥିଲି ସବୁ ଶେଷ ହୋଇଗଲା । ଭାବିଲାବେଳକୁ ହୃଦୟ ବିଦୀର୍ଣ୍ଣ ହେଇ ଯାଉଛି । କ’ଣ କରାଯିବ ?

 

ପୋଲିସକୁ ଖବର ଦିଆଗଲା । ଅନୁସନ୍ଧାନ ଚାଲିଲା । ଚୋର କୌଣସି ଖିଅ ଛାଡ଼ି ଯାଇ ନ ଥିଲା । ଚୋର ବେଶ୍ ସୁରୁଖୁରୁରେ ସମ୍ପତ୍ତିତକ ନେଇ ଖସିଯାଇଛି । ଏଟା ଯେ ଗୋଟାଏ ଶିକ୍ଷିତ, ବୁଦ୍ଧିମାନ ସୁସଙ୍ଗଠିତ ଚୋର ଦଳର କାମ, ଏକଥା ବୁଝିବାକୁ ପୋଲିସକୁ ବେଶି ଡେରି ଲାଗି ନ ଥିଲା । ପୋଲିସ କୁକୁର ଅନୁସନ୍ଧାନରେ କୌଣସି ସାହାଯ୍ୟ କରି ପାରିନଥିଲା । ଘରର ପ୍ରତ୍ୟେକ ଲୋକ ଏବଂ ଚାକର ପୂଝାରୀଙ୍କର ମଧ୍ୟ ଫିଙ୍ଗର ପ୍ରିଣ୍ଟ ପରୀକ୍ଷା ଲାଗି ନିଆଗଲା । ସୁର ବାବୁ ଅନୁମାନ କରିନେଲେ ଏ ଚୋରି ପଛରେ ନିଶ୍ଚୟ ସାନ ଭାଇ, ତା’ ସ୍ତ୍ରୀ ଏବଂ ମନୋଜର ମିଳିତ ହାତ ରହିଛି । ମନୋଜକୁ ପୋଷ୍ୟପୁତ୍ର ଭାବରେ ଗ୍ରହଣ କଲି ନାହିଁ ବୋଲି ସେମାନଙ୍କ ମନରେ ଆଘାତ ଲାଗିଥିଲା । ହୁଏତ ସେ ଏବେ ସୁଯୋଗ ପାଇ ପ୍ରତିଶୋଧ ନେଇ ଥାଇ ପାରେ । ପରିସ୍ଥିତିକୁ ଅନୁଧ୍ୟାନ କରି ପୋଲିସ୍ ବି ସେଇ ସନ୍ଦେହ କଲା । ତେବେ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ପୋଲିସ୍‍ର ହସ୍ତଗତ ହେଇ ନ ଥିଲା ବୋଲି ଅନୁସନ୍ଧାନ ଆଗେଇପାରୁ ନଥିଲା । ସାଦା ପୋଷାକରେ ପୋଲିସ ଅଫିସରମାନେ ପଇଁତରା ମାରି ରହସ୍ୟ ଉଦ୍‌ଘାଟନ କରିବାକୁ ଜୋର୍ ସୋର୍‌ରେ ଲାଗି ପଡ଼ିଥିଲେ । ପୋଲିସ ବିଭାଗର ସର୍ବୋଚ୍ଚ କର୍ତ୍ତା ଇନିସ୍‌ପେକ୍‌ଟର ଜେନେରାଲ୍‌ଙ୍କ କଡ଼ା ହୁକୁମ୍‌ ଚୋରକୁ କଳେ ବଳେ କୌଶଳେ ଯେ କୌଣସି ପ୍ରକାରେ ଧରିବାକୁ ହେବ । ତଳିଆ ପୋଲିସ କର୍ମଚାରୀମାନଙ୍କ ଆଖିକି ନିଦ ନାହିଁ । ଉପରୁ ରାଜନୈତିକ ପ୍ରଭାବ ପଡ଼ିଛି ନିଶ୍ଚୟ । ନ ହେଲେ ଏ କେଶ୍‌ଟା ପାଇଁ ବଡ଼ ବଡ଼ ହାକିମମାନେ ବ୍ୟସ୍ତ ହୁଅନ୍ତେ କାହିଁକି ? ରାଜନୀତି ସହିତ ସୁର ବାବୁଙ୍କର ଊଣା ଅଧିକେ ସମ୍ପର୍କ ଅଛି । ସେଥିପାଇଁ ବୋଧହୁଏ ଏ କେଶ୍‌ଟାରେ ସମସ୍ତଙ୍କ ଦୃଷ୍ଟି ନିବଦ୍ଧ ।

 

ତା’ପରର ଘଟଣା ଆହୁରି ନାଟକୀୟ, ରୋମାଞ୍ଚକର ।

 

ବୁଲୁ ଘରଛାଡ଼ି ରାସ୍ତାକୁ ଏକାକୀ ଚାଲି ଆସିଛି । କିନ୍ତୁ ଯିବ କୁଆଡ଼େ ? କେହି ଚିହ୍ନାଜଣା ଲୋକ ପାଖରେ ନାହାଁନ୍ତି । ଘରକୁ ଫେରିବାର ରାସ୍ତା ବି ଜଣା ନାହିଁ ତାକୁ । ଚାଲି ଚାଲି ଗୋଡ଼ ଦରଜ ହେଇଗଲାଣି । ଏଣେ ଦିନସାରା ପେଟରେ କିଛି ପଡ଼ିନି । ଭୋକରେ ପେଟ ଜଳୁଛି-। ଖାଇବ କ’ଣ ? ଯାଉ ଯାଉ ଗୋଟାଏ ହୋଟେଲ ସାମନାରେ ପହଞ୍ଚିଲା । କେତେ ପ୍ରକାରର ମିଠା ସୁନ୍ଦର ଭାବରେ ସଜା ହେଇ ଥୁଆ ହେଇଛି । କେତେ ଲୋକ ଚୌକିରେ ଆରାମରେ ବସି ଖାଉଛନ୍ତି । ତା’ର ଭୋକ ଦ୍ୱିଗୁଣିତ ହେଇଗଲା । ଭୋକ ସମ୍ଭାଳିବାର ଶକ୍ତି ହରେଇ ବସିଲା ବୁଲୁ-। ଶେଷରେ ହୋଟେଲ ମାଲିକ ପାଖରେ ହାତ ପତେଇ ଖାଇବାକୁ ମାଗିଲା-। ନୃଶଂସ ହୋଟେଲ ମାଲିକ ଖାଇବାକୁ ଦେବା ତ ଦୂରର କଥା, ମାରି ଗୋଡ଼ାଇଲା । କହିଲା– ମାଗଣା ଖାଇବୁ-? ହୋଟେଲ୍‌ର ପ୍ଲେଟ ସଫା କର୍, କାମ କର୍‌, ଖାଇବୁ । ତମେ ମାଗଣା କିଏ ଖାଇବାକୁ ଦବ-?

 

ମନ ଦୁଃଖରେ ସେଠୁ ଫେରିଆସିଲା ବୁଲୁ । ଅସହ୍ୟ ତା’ର ପାଦର ଯନ୍ତ୍ରଣା, ଅସହ୍ୟ ତା’ର କ୍ଷୁଧା । କାନ୍ଦି ପକାଇଲା ବୁଲୁ । ଘର ଛାଡ଼ି କି ଭୁଲ୍ ନ କରିଛି । କିଏ ତାକୁ ରାସ୍ତା ବତେଇଦେବ ? ବାଟୋଇମାନଙ୍କୁ ବଲବଲ କରି ଚାହୁଁଛି । କାଳେ କିଏ ପରିଚିତ ଲୋକ ଦେଖା ହୋଇଯାଇପାରେ । ତା’ର କ୍ଷଣିକ ଅନ୍ୟମନସ୍କତା ତାକୁ ଏକ ବିପଦ ଆଡ଼କୁ ଠେଲି ଦେଇଥିଲା । କାର୍‌ଟା ମୁହଁରୁ ଅଳ୍ପକରେ ରକ୍ଷା ପାଇଗଲା । ଗାଡ଼ି ଚାଳକ ଜୋର୍‌ରେ ବ୍ରେକ୍ କଷିଦେଇ ନ ଥିଲେ ଗାଡ଼ିର ଚକ ତଳେ ପେଷି ହେଇ ଯାଇଥାନ୍ତା ବୁଲୁ । ବଞ୍ଚିଗଲା, ତଳେପଡ଼ି ମୁଣ୍ଡ ଫାଟିଯାଇଛି, ଆଣ୍ଠୁ ଏବଂ ହାତ ପାପୁଲି ଛିଣ୍ଡି ଯାଇଛି । ଗାଡ଼ି ଚାଳକ ନିହାତି ଭଦ୍ରଲୋକ । ଗାଡ଼ିରୁ ଓହ୍ଲାଇ ବୁଲୁର ଭଲ ମନ୍ଦ ବୁଝିଲେ । ତାକୁ ଗାଡ଼ିରେ ବସାଇ ଡାକ୍ତରଖାନା ଆଣିଲେ । ଦେହର ଆଘାତ ଅପେକ୍ଷା ପେଟର ଜ୍ୱାଳା ବୁଲୁକୁ ଅଥୟ କରି ପକାଉଥିଲା । ଭଦ୍ରଲୋକ ଡାକ୍ତରଖାନାରେ ତା’ର ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କଲେ ଏବଂ ହୋଟେଲରେ ପେଟେ ଖୁଆଇଲେ । ବୁଲୁ ଖାଇ ସାରିଲା ପରେ ଭଦ୍ରଲୋକ ପଚାରିଲେ, ତମ ଘର କୋଉଠି ? କୋଉ ସାହି ? କୁହ, ମୁଁ ତମକୁ ତମ ଘରେ ଛାଡ଼ି ଦେଇ ଆସିବି ।

 

ବୁଲୁ କିଛି ଉତ୍ତର ଦେଇ ପାରିଲାନି, କାନ୍ଦି ଉଠିଲା । ଭଦ୍ରଲୋକ ପ୍ରବୋଧନା ଦେଇ ନିଜ ଘରକୁ ନେଇ ଆସିଲେ ବୁଲୁକୁ ।

 

ତାଙ୍କରି ଘରେ ଚାକରାଣୀ ଭାବରେ କାମ କରୁଥିଲା ବର୍ଷା । ବର୍ଷା ତା’ ଆଖିକୁ ବିଶ୍ୱାସ କରିପାରିଲାନି । କ’ଣ ଦେଖୁଛି ସେ ।

 

ଏତେ ସହଜରେ ଏତେ ପାଖରେ ପାଇପାରିଛି ବୁଲୁକୁ ? ଯାହାରି ପାଇଁ ଛାତିକି ପଥର କରିଛି, ନ ମରି ବଞ୍ଚି ରହିଛି । ତାକୁ ପାଇ ତା’ର ଯେ କି ଆନନ୍ଦ । ପୁତ୍ର ବିଚ୍ଛେଦ ବର୍ଷା ମର୍ମେ ମର୍ମେ ଅନୁଭବ କରିଛି । ଆଜି ତା’ର ସବୁ ଦୁଃଖ ଉଜାଣି ନଈର ସୁଅରେ ଧୋଇ ହେଇ ଯାଇଛି । ବୁଲୁକୁ କୋଳରେ ଜାବୁଡ଼ି ଧରି ଚୁମ୍ୱନରେ ଛାଇଦେଲା ବର୍ଷା । ସତେ ଯେମିତି କୋଟି କୋଟି ଯୁଗର ଈପ୍‌ସିତ ବସ୍ତୁଟି ସେ ହାତ ମୁଠାରେ ପାଇପାରିଛି । ସ୍ୱର୍ଗ ସୁଖ ଠାରୁ ଆହୁରି ମୂଲ୍ୟବାନ ଏ ଅପୂର୍ବପ୍ରାପ୍ତି ।

 

ଭଦ୍ରଲୋକ ବୋକାଙ୍କ ପରି ଚାହିଁ ରହିଥିଲେ । ମାଆ ପୁଅର କି ଅପୂର୍ବ ମିଳନ । ଭଦ୍ରଲୋକ ନିଜ ମନର କୌତୁହଳକୁ ଅବଦମିତ କରି ନ ପାରି ବର୍ଷାକୁ ସବୁକଥା ପଚାରି ବୁଝିଲେ-। ବର୍ଷା କିଛି ପ୍ରକାଶ କରି କିଛି ଗୋପନ ରଖିବାକୁ ଚେଷ୍ଟା କଲା । ଭଦ୍ରଲୋକ ହସିଲେ-। ଏଥର ଭଦ୍ରଲୋକ ନିଜେ ସୁର ବାବୁଙ୍କ ପରିବାରର ସମସ୍ତଙ୍କ କଥା କହିବାକୁ ଲାଗିଲେ । ବର୍ଷା ଯାହା ଲୁଚେଇବାକୁ ଚାହିଁଥିଲା ତା’ ବି କହିଦେଲେ । ବର୍ଷା ଡରିଗଲା, ଆଶ୍ଚର୍ଯ୍ୟ ହେଲା, ପଚାରିଲା, ଆପଣ ଏତେ କଥା କେମିତି ଜାଣିଲେ ?

 

ଭଦ୍ରଲୋକ ପୁଣି ହସିଲେ । କହିଲେ, ମୁଁ ଜଣେ ପୋଲିସ ଅଫିସର । ଏସବୁ ଖବର ରଖିବା ଆମ କାମ । ସୁର ବାବୁଙ୍କ ଘରୁ ଯେଉଁ ବିରାଟ ଚୋରି ହେଇଛି ତା’ର ଅନୁସନ୍ଧାନର ଦାୟିତ୍ୱ ମୋ ଉପରେ । ସୁତରାଂ ସୁର ବାବୁଙ୍କ ଘରର ଟିକିନିଖି ଖବର ସଂଗ୍ରହ କରିବାକୁ ହେଇଛି ।

 

ଚୋରର କିଛି ସନ୍ଧାନ ମିଳିଲାଣି ? ବର୍ଷା ଆଗ୍ରହାନ୍ୱିତ ହେଇ ପଚାରିଲା ।

 

ତମକୁ ତ ସେ ଘରୁ ତଡ଼ି ଦିଆଯାଇଛି ? ସେ ଘର ପ୍ରତି ତମର ଏତେ ଦରଦ କାହିଁକି-? ଭଦ୍ରଲୋକ ମନ୍ତବ୍ୟ ପ୍ରକାଶ କଲେ ।

 

ନା, ଏମିତି ପଚାରି ଦେଲି, ଅସଲ କଥାଟାକୁ ଗୋଳେଇ ଦେବାକୁ ଚେଷ୍ଟାକଲା ବର୍ଷା । ତା’ ମନକଥା ଧରା ପଡ଼ିଗଲା ପୋଲିସ ଅଫିସରଙ୍କ ତୀକ୍ଷ୍‌ଣ ଦୃଷ୍ଟିରେ ।

 

ମୁଁ ବୁଝିପାରୁଛି ବର୍ଷା, ସେ ପରିବାର ପ୍ରତି ତମର ଗୋଟାଏ ଅହେତୁକ ଦୁର୍ବଳତା ରହିଯାଇଛି, ରହିବା ସ୍ୱାଭାବିକ । ଆଜିକ ଅପେକ୍ଷା କର । ରାତିରେ ମୁଁ ତମକୁ ଗୋଟାଏ ସମ୍ୱାଦ ଦେଇ ଚମକାଇ ଦେବି ।

 

ପୋଲିସ ଅଫିସର ଶ୍ରୀକାନ୍ତ ବାବୁ ଫୋନ୍‌ ଉଠାଇ କାହା ସହିତ କଥା ହେଲେ ।

 

ରାତି ବାରଟା । ନିଶା ଗର୍ଜୁଛି । ରାସ୍ତା ଘାଟ ନିର୍ଜନ । ଝିପିଝିପି ବର୍ଷା ଲାଗି ରହିଛି ଘଣ୍ଟାଏ ହେଲା । ଝିଙ୍କାରୀର ଝିଁ ଝିଁ ଶବ୍ଦ ବେଙ୍ଗର କେଁକଟର ଶବ୍ଦ ସାଙ୍ଗକୁ ବୁଲା କୁକୁରମାନଙ୍କର ରଡ଼ି ପରିବେଶକୁ ଆହୁରି ଭୟାନକ କରି ତୋଳୁଛି ।

ସୁର ବାବୁଙ୍କ କୋଠା ସାମ୍‌ନାରେ କାର୍‌ଟିଏ ଅଟକିଗଲା । କାର୍‌ରୁ ଜଣେ କେହି ପଦାକୁ ବାହାରି କ’ଣ ଗୋଟାଏ ଛୋଟିଆ ପୁଡ଼ିଆ ସୁର ବାବୁଙ୍କ ଘରର ଦୋ ମହଲାର ଦ୍ୱିତୀୟ ଝରକା ଆଡ଼କୁ ଫୋପାଡ଼ିଲେ । ପ୍ରଥମ ଥର ପୁଡ଼ିଆଟା ଝରକା ରେଲିଂରେ ବାଜି ଫେରିଆସିଲା । ଦ୍ୱିତୀୟ ଥରର ଚେଷ୍ଟା ସଫଳ ହେଲା ।

କାଗଜ ପୁଡ଼ିଆଟି ନିର୍ଦ୍ଦିଷ୍ଟ ଲୋକ ପାଖରେ ପହଞ୍ଚିଲା । ସେ ଖୋଲି ପଢ଼ିଲା, ଲେଖାଥିଲା, ପୋଲିସ ଆମ ପିଛା ଧରିଲାଣି । ଧରାପଡ଼ି ଯିବାର ଯଥେଷ୍ଟ ସମ୍ଭାବନା । ତେଣୁ ରାତି ପାହିବା ପୂର୍ବରୁ ଆମକୁ ଏ ସ୍ଥାନ ଛାଡ଼ି ଚାଲିଯିବାକୁ ହେବ । ମୁଁ ବାହାରେ କାର୍‌ ନେଇ ଅପେକ୍ଷା କରିଛି । ଶୀଘ୍ର ଚାଲିଆସ । ଶୀଘ୍ର ।

ଚିଠି ଶେଷରେ କାହାର ନାମୋଲ୍ଲେଖ ନ ଥିଲା । ଚିଠିଟି ଯିଏ ପାଇଲା ସିଏ ତରତର ହେଇ ଘରୁ ବାହାରି ଆସି କାର୍‌ରେ ବସିଲା ।

ତା’ ପର ଘଟଣା ଯେତିକି ନାଟକୀୟ, ସେତିକି ହାସ୍ୟୋଦ୍ଦୀପକ ।

କାର୍ ବାହାରେ ଅନ୍ଧାର, ଭିତରେ ଅନ୍ଧାର । ହଠାତ୍‌ କାର୍‌ ଭିତରର ଆଲୁଅ ଜଳି ଉଠିଲା-

ଆଗନ୍ତୁକ ଆଉ କେହି ନୁହନ୍ତି, ଶାନ୍ତି । ଶାନ୍ତି ଆଶ୍ଚର୍ଯ୍ୟ ହେଇଗଲା । ନାଟକର ଏଭଳି ପରିସମାପ୍ତି ହେବ ବୋଲି ସେ ଆଶାକରି ନ ଥିଲା । ତା’ ମୁଖାଟା ଯେ ଏତେ ଶୀଘ୍ର ଖସିଯିବ ସେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲା ।

 

ଶାନ୍ତିକି ଜେରା କରାଗଲା । ସବୁକଥା ଗୋଟି ଗୋଟି ମାନିଗଲା ସେ ।

 

ମୁଁ ଅନ୍ଧୁଣୀ ନୁହେଁ, ମୋ ସ୍ୱାମୀ ମତେ ଘରୁ ତଡ଼ି ନାହାଁନ୍ତି । ଅନ୍ଧୁଣୀ ଭାବରେ ଅଭିନୟ କରି ଏ ଧନ ସଂପତ୍ତି ହାତ କରିବା ପାଇଁ ମୋ ସ୍ୱାମୀ ମତେ ପଠେଇ ଥିଲେ । ମୁଁ ତରକାରୀରେ ଲୁଣ ପକାଉ ଥିଲି, ବାପାଙ୍କୁ ଦୁଧରେ ବିଷ ଦେଇଥିଲି, ଲୁହା ସିନ୍ଦୂକରୁ ଧନ ସଂପତ୍ତି ଚୋରି କରି ମୋ ସ୍ୱାମୀଙ୍କୁ ଦେଇଛି । ମୁଁ ସବୁ କରିଛି ।

 

ସଂପତ୍ତି ଲୋଭରେ ନିଜ ବାପାଙ୍କୁ ତମେ ବିଷ ଦେଇ ପାରିଲ ? ଶ୍ରୀକାନ୍ତ ବାବୁ ଆଶ୍ଚର୍ଯ୍ୟ ହେଇ ପଚାରିଲେ ।

 

ତା’ର ବି ଗୋଟାଏ ବିରାଟ ଇତିହାସ ଅଛି । ଦୀର୍ଘନିଃଶ୍ୱାସ ପକାଇ ଶାନ୍ତି କହି ଚାଲିଲା, ମୁଁ ପ୍ରକୃତରେ ତାଙ୍କ ଧର୍ମ ପତ୍ନୀଙ୍କ ଝିଅ ନୁହେଁ । ତାଙ୍କର ଜଣେ ରକ୍ଷିତାର ଝିଅ । ମୁଁ ତାଙ୍କ ପାପର ସନ୍ତକ । ନିଜ ପାପକୁ ଲୁଚେଇବାକୁ ସେ ମତେ ଏ ଘରେ ରଖିଥିଲେ ନିଜର ଝିଅ ପରି । କିନ୍ତୁ...... ମୁଁ କାହାର ଝିଅ ହେଇ ପାରିଲିନି, କାହାର ନିଜର ହେଇପାରିଲିନି । ଅନ୍ୟମାନଙ୍କୁ ଠକିବାକୁ ଯାଇ ନିଜେ ହିଁ ଠକି ଯାଇଛି । ମୁଁ ଦୋଷୀ, ମୁଁ ପାପୀ ମତେ ଶାସ୍ତି ଦିଅନ୍ତୁ । ସେଇ ହେଉ ମୋ ପାପର ପ୍ରାୟଶ୍ଚିତ୍ତ ।

 

ଶାନ୍ତିର କଥାକୁ ରେକଡ଼ିଂ କରି ନେଲେ ଶ୍ରୀକାନ୍ତ ବାବୁ । ଏ ଭିତରେ ଘରର ସମସ୍ତେ ଜମି ଯାଇଥିଲେ । ଶାନ୍ତିକୁ ଆରେଷ୍ଟ କରି ହାଜତକୁ ପଠେଇ ଦିଆଗଲା ।

 

ସବୁଠୁ ବେଶୀ ଭାଙ୍ଗି ପଡ଼ିଥିଲା ଅଜୟ । ସବୁଠୁ ବେଶି ଠକି ଯାଇଛି ସେ । ନିଜର ପ୍ରାଣପ୍ରିୟାକୁ ହରେଇଲା, ଶେଷରେ ଆଦରର ପୁଅ ବୁଲୁକୁ ବି ହରେଇଲା । ସଂସାରଟା ତା’ ପାଇଁ ସାହାରା ମରୁଭୂମି ଭଳି ମନେହେଲା । ଆଜି ପର୍ଯ୍ୟନ୍ତ ମରୀଚିକା ପଛରେ ଦୌଡ଼ି ଦୌଡ଼ି ସେ ଯେ କ୍ଳାନ୍ତ, ବିବର୍ଣ୍ଣ । ଜୀବନଟା ତା’ ପାଇଁ ବେସୁରା ବେତାଳିଆ । ହତାଶାରେ ଭରି ଯାଇଛି । କ୍ଷତାକ୍ତ ହେଇଯାଇଛି ।

 

କାନ୍ଧରେ କାହାର ମୃଦୁ କରାଘାତ ପାଇ ଚମକି ପଡ଼ିଲା ଅଜୟ । କେହି ନୁହେଁ, ଅନୁସନ୍ଧାନକାରୀ ପୋଲିସ୍ ଅଫିସର ଶ୍ରୀକାନ୍ତ ବାବୁ ।

 

ଆପଣ ଖୁବ୍ ଅନୁତପ୍ତ ନା ? ସ୍ତ୍ରୀଙ୍କ ପାଇଁ, ପୁଅ ପାଇଁ ଦୁଃଖିତ । ନୁହେଁ ? ଶ୍ରୀକାନ୍ତ ବାବୁ ପଚାରିଲେ ।

 

ଅଜୟର କାନ୍ଦ କାନ୍ଦ ଭାବ ।

 

ମୁଁ ଯେଉଁ ଭୁଲ୍ କରିଛି, ଭଗବାନ ମତେ କେବେ କ୍ଷମା ଦେବେନି ।

 

ଏଥର ସତକୁ ସତ କାନ୍ଦି ପକାଇଲା ଅଜୟ । କୋହ ସମ୍ଭାଳି ପାରିଲାନି ।

 

ଶ୍ରୀକାନ୍ତ ବାବୁ ଅଜୟର ହାତଧରି କାର୍‌ ପାଖକୁ ନେଇଗଲେ । କାର୍‌ରେ ବସିଥିଲେ ବର୍ଷା । କୋଳରେ ତା’ର ବୁଲୁ । କାହା ପାଟିରେ ଭାଷା ନାହିଁ ସମସ୍ତେ ନିର୍ବାକ । ଅଜୟ ଚାହିଁ ରହିଛି ବର୍ଷାକୁ, ବୁଲୁକୁ । ବର୍ଷା ଚାହିଁ ରହିଛି ତା’ର ପ୍ରାଣପ୍ରିୟା ସ୍ୱାମୀ ଦେବତାଙ୍କୁ ।

 

ବୁଲୁ ‘ବାପା’ କହି ହାତ ବଢ଼େଇଲା । ଅଜୟ ବଢ଼େଇ ଦେଲା ତା’ର ସ୍ନେହସିକ୍ତ ହାତ ଯୋଡ଼ିକୁ ।

 

ନାଟକର ଅନ୍ତିମ ଦୃଶ୍ୟର ଏଇଠି ସମାପ୍ତି ।

Image